ନୂଆଦିଲ୍ଲୀ, ୧୦/୦୧ : ଅଗ୍ନି ଓ ପାଣିର ଅଦ୍ଭୁତ ମିଳନ । ବରଫ ପାହାଡ଼ରେ ଲାଗିଲା ନିଆଁ। ତୋଫା ବରଫ ଚାଦରକୁ ଚିରି ବାହାରି ଆସିଲା ନିଆଁ ଝୁଲ। ବରଫ ଉପରେ ଟକ୍ ମକ୍ ହୋଇ ଫୁଟୁଛି ଗରମ ଲାଭା। ନିଆଁ ଓ ପାଣିର ଅଦ୍ଭୁତ ସଙ୍ଗମ। ଇଟାଲୀର ମାଉଣ୍ଟ ଏଟନା ଶିଖରରେ ପ୍ରକୃତି ବିପରୀତ ଦୃଶ୍ୟ। ବରଫ ପାହାଡ଼ରେ ଆଗ୍ନେୟଗିରି ଉଦଗୀରଣ। ସୋସିଆଲ ମିଡିଆରେ ଭିଡିଓ ଭାଇରାଲ୍। ଯିଏ ଦେଖୁଛି ସିଏ କହୁଛି ଏ କେମିତିକା ଚମତ୍କାର ! 

ଇଟାଲୀର ସିସିଲ୍ ଦ୍ଵୀପରେ ଅବସ୍ଥିତ ମାଉଣ୍ଟ ଏଟନା। ଏଠାରେ ଅଛି ୟୁରୋପର ସବୁଠୁ ସକ୍ରିୟ ଆଗ୍ନେୟଗିରି। ଶୀତ ଦିନେ ଏଠାରେ ପ୍ରବଳ ତୁଷାରପାତ ହୁଏ। ଏଟନା ପାହାଡ଼ ବରଫରେ ଆଚ୍ଛାଦିତ ହୋଇଯାଏ। ହେଲେ ବରଫ ତଳେ ଟକମକ୍ ହୋଇ ଫୁଟୁଥାଏ ଗରମ ଲାଭା। ବେଳେବେଳେ ବରଫ ଚାଦର ଚିରି ଲାଭା ବାହାରକୁ ବାହାରି ଆସେ। ନୂଆବର୍ଷରେ ଏଟନାରେ ପୁଣି ଆଗ୍ନେୟଗିରି ଉଦଗୀରଣ ହୋଇଛି। ବହୁ ଉଚ୍ଚ ପର୍ଯ୍ୟନ୍ତ ଲାଭାର ଫୁଆର ଉଠୁଛି। ଏହି ଦୃଶ୍ୟ ଯେତିକି ରୋଚକ ସେତିକି ଭୟଙ୍କର ଲାଗୁଛି। ନିଆଁ ଓ ପାଣିର ଅଦ୍ଭୁତ ସଂଯୋଗ ସମସ୍ତଙ୍କୁ ଚକିତ କରିଛି। ଲୋକମାନେ ଏହାକୁ ପ୍ରକୃତିର ଚମତ୍କାର କହୁଛନ୍ତି। ଧଳା ବରଫ ଓ ନାଲି ଲାଭାର ସଙ୍ଗମ ଦେଖିବାକୁ ଲୋକଙ୍କ ଭିଡ଼ ଜମୁଛି।

ଏଟନାକୁ ବିଶ୍ଵ ଐତିହ୍ୟର ମାନ୍ୟତା ଦେଇଛି ୟୁନେସ୍କୋ। ବୈଜ୍ଞାନିକମାନେ ଏହାକୁ ନିରନ୍ତର ଅନୁଧ୍ୟାନ କରୁଛନ୍ତି। କାରଣ ଏହି ଆଗ୍ନେୟଗିରିର ଆଚରଣ ଅନ୍ୟ ଅଗ୍ନେୟଗିରି ଠାରୁ ଭିନ୍ନ। ୨୦୨୫ ଶେଷରେ ଏଟନାରେ ହୋଇଥିଲା ଭୟଙ୍କର ଆଗ୍ନେୟଗିରି ଉଦଗୀରଣ। ଲାଭା ଏମିତି ବାହାରିଲା ଯେ ବରଫ ପାହାଡ଼ ତରଳିବାକୁ ଲାଗିଲା। ୨୧ ହଜାର ଫୁଟ ପର୍ଯ୍ୟନ୍ତ ଆକାଶ ଧୂଆଁମୟ ହୋଇଯାଇଥିଲା। ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଥିଲା। ଏଟନାର ଏହି ଦୃଶ୍ୟ ଦେଖିଲେ ଲାଗୁଛି, ପ୍ରକୃତି କେବେ ଓ କେମିତି ରୌଦ୍ର ରୂପ ଦେଖାଇବ ତାହା କହିବା ମୁସ୍କିଲ୍। 

ଏହି ଖବରଟିକୁ ପଢନ୍ତୁ- ବିଶ୍ଵର ବଡ଼ ସ୍ପର୍ମ ଇଣ୍ଡଷ୍ଟ୍ରି ଡେନମାର୍କ : ଜନ୍ମ ହେଉଛନ୍ତି ଗୋରା ଓ ନୀଳ ରଙ୍ଗର ଆଖି ଥିବା ଛୁଆ, କିଣିବାକୁ ଲମ୍ଵା ଲାଇନ୍...​​​​​​​