ଜାଣିଲି ମାକେରେରେ ବିଶ୍ୱବିଦ୍ୟାଳୟର କିଛି ପ୍ରସିଦ୍ଧ ପୂର୍ବତନ ବିଦ୍ୟାର୍ଥୀଙ୍କୁ, ସେମାନେ ହେଲେ ତାଞ୍ଜାନିଆର ପ୍ରଥମ ରାଷ୍ଟ୍ରପତି ଜୁଲିଅସ୍ ନ୍ୟେରେରେ, ଉଗାଣ୍ଡାର ପୂର୍ବତନ ରାଷ୍ଟ୍ରପତି ମିଲଟନ୍ ଓବୋଟେ, କେନିଆର ପୂର୍ବତନ ରାଷ୍ଟ୍ରପତି ମୱାଇ କିବାକି, ନାଇଜେରୀୟ ଲେଖକ ତଥା ସାହିତ୍ୟରେ ନୋବେଲ ପୁରସ୍କାର ବିଜେତା ଓଲି ସୋୟିଙ୍କା ।
ଇଥିଓପିଆର ରାଜଧାନୀ ଆଦ୍ଦିସ୍ ଆବାବାରୁ ଉଡ଼ାଣ ଭରିଥିବା ମୋର ବିମାନ ଶେଷରେ ଅବତରଣ କଲା ଉଗାଣ୍ଡା ମାଟିରେ । ଟର୍ମିନାଲର ଲେଖା, "ଏଣ୍ଟେବେ ଆନ୍ତର୍ଜାତିକ ବିମାନବନ୍ଦର' ସ୍ପଷ୍ଟ ହେବା ସହିତ ମୋର ସ୍ମୃତି ଫେରିଗଲା ପଚାଶ ବର୍ଷ ତଳକୁ । ମନେ ପଡ଼ିଗଲା ବହୁଦିନ ତଳେ ପଢ଼ିଥିବା କ୍ରିଷ୍ଟୋଫର ମାର୍ଲୋଙ୍କ ପ୍ରସିଦ୍ଧ ନାଟକ "ଡକ୍ଟର ଫାଉଷ୍ଟସ୍'ରେ ଟ୍ରୋୟର ହେଲେନ୍ଙ୍କ ଉଦ୍ଦେଶ୍ୟରେ ଫାଉଷ୍ଟସ୍ ଦେଇଥିବା ଲୟମୟ ଅଭିବ୍ୟକ୍ତି: "ଇଏ କ'ଣ ସେହି ବଦନ, ଯା'ପାଇଁ ସମୁଦ୍ର ବକ୍ଷେ ମେଲିଥିଲା ଜାହାଜ ସହସ୍ର, ଏବଂ ଦଗ୍ଧି ଥିଲା ଇଲିଅମ୍ର ଶିଖରହୀନ ମିନାର ଅଜସ୍ର?' ଇଏ ତା'ହେଲେ ସେହି ଏଣ୍ଟେବେ, ଯେଉଁଠି ଅଭିନୀତ ହୋଇଥିଲା ବିମାନ ଅପହରଣରେ ବନ୍ଧକ ବନିଥିବା ୧୦୬ ଯାତ୍ରୀଙ୍କ ମୁକ୍ତିର ଏକ ଦୁଃସାହସିକ ଅଭିଯାନ "ଅପରେସନ ଥଣ୍ଡରବୋଲ୍ଟ'! ଅପରେସନ୍ ଥଣ୍ଡରବୋଲ୍ଟ ୪ ଜୁଲାଇ ୧୯୭୬ରେ ହୋଇଥିବା ଏକ ଇସ୍ରାଏଲୀ ଆତଙ୍କବାଦ ବିରୋଧୀ ଉଦ୍ଧାର ଅଭିଯାନର ନାଁ ।
ପାଲେଷ୍ଟିନୀୟ ଓ ଜର୍ମାନ ବିମାନ ଅପହରଣକାରୀମାନେ ଗୋଟିଏ ଏୟାର୍ ଫ୍ରାନ୍ସ ବିମାନକୁ ଅପହରଣ କରି ଏଣ୍ଟେବେକୁ ନେଇଯାଇଥିଲେ । ସେମାନଙ୍କ କବଳରୁ ବନ୍ଧକ ବିମାନଯାତ୍ରୀଙ୍କୁ ଉଦ୍ଧାର କରିବାପାଇଁ ଇସ୍ରାଏଲୀ କମାଣ୍ଡୋମାନେ ୪୦୦୦ କିଲୋମିଟରରୁ ଅଧିକ ଦୂର ଉଡ଼ି ଏଣ୍ଟେବେ ବିମାନବନ୍ଦରରେ ପହଞ୍ଚିଥିଲେ । ଗୋପନୀୟ ଗୁପ୍ତଚର ଯୋଜନାର ସହଯୋଗରେ ଏହି ଅଭିଯାନ ପ୍ରାୟ ୯୦ ମିନିଟ ଚାଲିଥିଲା । ଅଧିକାଂଶ ବନ୍ଧକଙ୍କୁ ମୁକ୍ତ କରାଯାଇଥିଲା, ଉଦ୍ଧାର ସମୟରେ ତିନିଜଣ ବନ୍ଧକଙ୍କ ମୃତ୍ୟୁ ହୋଇଥିଲା ଏବଂ କେବଳ କମାଣ୍ଡୋ ଅଭିଯାନର ନେତା, ଲେଫ୍ଟନାଣ୍ଟ କର୍ଣ୍ଣେଲ ୟୋନାଟାନ୍ ନେତାନ୍ୟାହୁ (ଇସ୍ରାଏଲର ବର୍ତ୍ତମାନର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ବଡ଼ଭାଇ) ନିହତ ହୋଇଥିଲେ । ଏହି ଅଭିଯାନକୁ ଆଧୁନିକ ଆତଙ୍କବାଦ ବିରୋଧୀ ଇତିହାସରେ ଏକ ମାଇଲଖୁଣ୍ଟ ଭାବେ ଗଣାଯାଏ । ଏହି ଘଟଣା ଉପରେ ନିର୍ମିତ ହୋଇଛି ଚଳଚ୍ଚିତ୍ର "ଅପରେସନ୍ ଥଣ୍ଡରବୋଲ୍ଟ' । ବିମାନ ଅପହରଣକାରୀଙ୍କୁ ସଂରକ୍ଷଣ ଦେଇଥିଲେ ସେ ସମୟର ଉଗାଣ୍ଡାର କ୍ରୁର, ବିବାଦାସ୍ପଦ, ଏକଛତ୍ରବାଦୀ ଶାସକ ଇଦି ଆମିନ୍ ।
୧୯୭୨ ମସିହାରେ ସେ ନିଜ ରାଜନୈତିକ ଲାଭ ପାଇଁ ଉଗାଣ୍ଡାର ଭାରତୀୟ ବ୍ୟବସାୟୀମାନଙ୍କୁ ଦେଶରୁ ତଡ଼ି ଦେଇଥିଲେ । ଭୌଗୋଳିକ ଭାବେ ଉଗାଣ୍ଡା ଏକ ଭୂ-ଆବୃତ୍ତ ଦେଶ ହେଲେ ମଧ୍ୟ ଏଠାରେ ପ୍ରଚୁର ଜଳସମ୍ପଦ ରହିଛି । ରାଜଧାନୀ କାମ୍ପାଲାରୁ ଜିଞ୍ଜା ସହର ପାଖାପାଖି ୧୦୦ କିଲୋମିଟର ଦୂରରେ । ଏଠାରେ ଅଛି ଭିକ୍ଟୋରିଆ ହ୍ରଦ ଭିତରେ ନୀଳ ନଦୀର ମୁଖ୍ୟ ଉତ୍ସ । ବିଶ୍ୱର ସବୁଠାରୁ ବଡ଼ ଉଷ୍ଣକଟିବନ୍ଧୀୟ ହ୍ରଦ ଲେକ୍ ଭିକ୍ଟୋରିଆ । ମୋଟରଚାଳିତ ଡଙ୍ଗା ଯେତେବେଳେ ମୋତେ ନେଇ ପହଞ୍ଚାଇଲା ପୃଥିବୀର ଦୀର୍ଘତମ ନଦୀ ନୀଳ ନଦୀର ଉତ୍ସରେ, ପାଣିର ସ୍ପର୍ଶ ମାତ୍ରକେ ଶିହରି ଉଠିଲି, ମୋ ଆଖିସାମ୍ନାରେ ଭାସିଉଠିଲେ କେତେନା କେତେ ଐତିହାସିକ ଚରିତ୍ର, ମିଶରର ସୁନ୍ଦରୀ ରାଣୀ କ୍ଲିଓପାଟ୍ରାଙ୍କ ସମେତ ।
ସେହି କ୍ଲିଓପାଟ୍ରା ରୋମ୍ର ନେତା ଜୁଲିଅସ୍ ସିଜରଙ୍କ ସହିତ ଯାହାଙ୍କର ପ୍ରେମ ନୀଳ ନଦୀ ତଟସ୍ଥିତ ଆଲେକ୍ଜାଣ୍ଡ୍ରିଆ ସହରକୁ ରାଜନୈତିକ ଓ ରୋମାଣ୍ଟିକ ମଞ୍ଚରେ ପରିଣତ କରିଥିଲା । ସେହି କ୍ଲିଓପାଟ୍ରା, ଯାହାଙ୍କ ସୌନ୍ଦର୍ଯ୍ୟ ଅମରତ୍ୱ ଲଭିଛି ସେକ୍ସପିୟରଙ୍କ "ଆଣ୍ଟୋନି ଓ କ୍ଲିଓପାଟ୍ରା' ନାଟକରେ: "ବୟସର ଧୂଳି ଯା'କୁ କରିନି ମଳିନ, ପାରିନି ରୀତି ଛୁଇଁ ତା'ର ଅସୀମ ଲାବଣ୍ୟ³ ଭୋକକୁ ଭରି ଭୋକ ଶେଷେ ହୁଏ ସିନା କ୍ଳାନ୍ତ, ତୃପ୍ତି ପରେ କିନ୍ତୁ କ୍ଲିଓପାଟ୍ରା ଜଗାଏ ଆକାଂକ୍ଷାର ନୂତନ ଦିଗନ୍ତ’ । ଉଗାଣ୍ଡାର ପ୍ରାକୃତିକ ସୌନ୍ଦର୍ଯ୍ୟ, ସମୃଦ୍ଧ ଜୈବବିବିଧତା ଏବଂ ସାଂସ୍କୃତିକ ବିଭିନ୍ନତାରେ ମୁଗ୍ଧ ହୋଇ ବ୍ରିଟିଶ ପ୍ରଧାନମନ୍ତ୍ରୀ ୱିନ୍ଷ୍ଟନ ଚର୍ଚ୍ଚିଲ ପ୍ରଥମେ ଉଗାଣ୍ଡାକୁ "ଆଫ୍ରିକାର ମୁକୁତା' ବୋଲି କହିଥିଲେ । ଚାଳିଶ ବର୍ଷ ଧରି ଉଗାଣ୍ଡାର ରାଷ୍ଟ୍ରପତି ଥିବା ଇୱେରି କାଗୁଟା ମୁସେଭେନିଙ୍କ ଆତ୍ମଜୀବନୀ "ସୋଇଙ୍ଗ୍ ଦି ମଷ୍ଟାର୍ଡ ସିଡ୍'ରେ ରହିଛି ଉଗାଣ୍ଡାର ରାଜନୈତିକ ସଂଘର୍ଷ, ଇତିହାସ, ଦେଶର ସୁରକ୍ଷା ତଥା ରାଷ୍ଟ୍ର ନିର୍ମାଣର କାହାଣୀ । କିପରି ଯୁବାବସ୍ଥାରେ ଦୃଢ଼ ସଙ୍କଳ୍ପ ଓ ସଂଘର୍ଷ ମାଧ୍ୟମରେ ଉଗାଣ୍ଡାର ରାଜନୈତିକ ଅସ୍ଥିରତା ଦୂର କରି ସେ ଦେଶକୁ ଦେଇଛନ୍ତି ଏକତା ଓ ଶାନ୍ତି, ତାହା ଏହି ପୁସ୍ତକରେ ବର୍ଣ୍ଣିତ । ଉଗାଣ୍ଡା ବିଶ୍ୱବିଖ୍ୟାତ ପାହାଡ଼ୀ (ମାଉଣ୍ଟେନ) ଗରିଲାଙ୍କ ଆଶ୍ରୟସ୍ଥଳ ଭାବେ ମଧ୍ୟ ପରିଚିତ ।
ଚ୍ୱିଣ୍ଡି ଅଭେଦ୍ୟ ଜାତୀୟ ଉଦ୍ୟାନରେ ହେଉଥିବା ଗରିଲା ଟ୍ରେକିଂ ପର୍ଯ୍ୟଟନ ପୃଥିବୀର ସବୁଠାରୁ ଅନନ୍ୟ ଅନୁଭବମାନଙ୍କ ମଧ୍ୟରୁ ଗୋଟିଏ । ଗରିଲା ଟ୍ରେକିଂ ସମୟରେ ଯେତେବେଳେ ପ୍ରଥମେ ଏକ ପାହାଡ଼ୀ ଗରିଲା ପରିବାରକୁ ନିକଟରୁ ଦେଖିଲି, ସେ ମୁହୂର୍ତ୍ତ ଜୀବନଭରି ସ୍ମରଣୀୟ ହୋଇ ରହିବ । ସେମାନଙ୍କର ଶାନ୍ତ ଦୃଷ୍ଟି, ଶିଶୁ ଗରିଲାଙ୍କର ଧୂଳିଖେଳ ଓ ସିଲ୍ଭରବ୍ୟାକ୍ର ଗମ୍ଭୀର ରୁକ୍ଷଭାବ ମନୁଷ୍ୟ ଓ ପ୍ରକୃତିର ଗଭୀର ସମ୍ପର୍କକୁ ଉଜାଗର କରିଥାଏ । ଡାଏନା ଫସେଙ୍କୁ ବାଦ୍ ଦେଲେ ପାହାଡ଼ୀ ଗରିଲାଙ୍କ କଥା ଅଧୁରା ରହିଯିବ । ତାଙ୍କର ଗବେଷଣା ଓ ସଂରକ୍ଷଣ କାର୍ଯ୍ୟ ଗରିଲା ସୁରକ୍ଷା ପ୍ରତି ବିଶ୍ୱ ଦୃଷ୍ଟିଆକର୍ଷଣ କରିଥିଲା । "ଗରିଲାଜ୍ ଇନ୍ ଦି ମିଷ୍ଟ' (୧୯୮୩) ଡାଏନା ଫସେଙ୍କ ଜୀବନ ଓ କାର୍ଯ୍ୟ ଉପରେ ଆଧାରିତ ଏକ ପ୍ରସିଦ୍ଧ କୃତି । ଏହା ୧୯୮୮ରେ ଚଳଚ୍ଚିତ୍ରର ରୂପ ନେଇଛି । ଏହି କାହାଣୀରେ ଫସେଙ୍କ ରୁଆଣ୍ଡାର ଭିରୁଙ୍ଗା ପର୍ବତମାଳାରେ ପାହାଡ଼ୀ ଗରିଲାଙ୍କ ସହ ବିତାଇଥିବା ଜୀବନ, ତାଙ୍କର ଗବେଷଣା ଏବଂ ଅବାଧ ଗରିଲା ଶିକାର ବିରୋଧରେ ଅଦମ୍ୟ ସଂଘର୍ଷକୁ ମାର୍ମିକ ଭାବେ ଉପସ୍ଥାପନ କରାଯାଇଛି । ପୁସ୍ତକଟି ପ୍ରକୃତି, ପ୍ରେମ ଓ ସଂରକ୍ଷଣର ଏକ ଅମର ଦସ୍ତାବିଜ ।
ବିଷୁବରେଖା ଉଗାଣ୍ଡାରେ ଭିକ୍ଟୋରିଆ ହ୍ରଦ ଏବଂ କାୟାବେ ନିକଟବର୍ତ୍ତୀ ଅଞ୍ଚଳ ଦେଇ ଗତିକରିଛି, ଯାହାଫଳରେ ଏହା ଉଗାଣ୍ଡାକୁ ଉତ୍ତର ଓ ଦକ୍ଷିଣ ଗୋଲାର୍ଦ୍ଧରେ ବିଭକ୍ତ କରିଛି । ଶୀତ ଅୟନାନ୍ତ ଦିନ (ଡିସେମ୍ବର ୨୨ ତାରିଖ), ଭୁବନେଶ୍ୱରରେ ଦିନ ୧୦ ଘଣ୍ଟା ୪୬ ମିନିଟ ଓ ରାତି ୧୩ ଘଣ୍ଟା ୧୪ ମିନିଟ (ଅର୍ଥାତ୍ ବର୍ଷର ସବୁଠାରୁ ବଡ଼ ରାତି) ଅବଧିର ହେଲାବେଳକୁ ଉଗାଣ୍ଡାର ଏଲେଗୁ (୩.୫୭ ଡିଗ୍ରୀ ଉତ୍ତର ଅକ୍ଷାଂଶ)ରେ ଦିନ ୧୧ ଘଣ୍ଟା ୪୭ ମିନିଟର ଓ ରାତି ୧୨ ଘଣ୍ଟା ୧୩ ମିନିଟର (ବଡ଼ ରାତି, ଶୀତ ଋତୁର ଲକ୍ଷଣ) ହୁଏ ଏବଂ କିକାଗାଟି (୧.୦୫ ଡିଗ୍ରି ଦକ୍ଷିଣ ଅକ୍ଷାଂଶ)ରେ ଦିନ ୧୨ ଘଣ୍ଟା ୦୪ ମିନିଟର ଓ ରାତି ୧୧ ଘଣ୍ଟା ୫୬ ମିନିଟର (ବଡ଼ ଦିନ, ଗ୍ରୀଷ୍ମ ଋତୁର ଲକ୍ଷଣ) ହୁଏ! ଗୋଟିଏ ଦେଶ(ଉଗାଣ୍ଡା) ର ଦୁଇଟି ସ୍ଥାନରେ ଭିନ୍ନ ଋତୁ ଅନୁଭୂତ ହୁଏ! ଅବଶ୍ୟ ଉଗାଣ୍ଡା ବିଷୁବରେଖାର ନିକଟରେ ଥିବାରୁ ଗ୍ରୀଷ୍ମ ଓ ଶୀତ ମଧ୍ୟରେ ତାପମାନର ତଫାତ୍ ବହୁତ ପ୍ରଭାବଶାଳୀ ନୁହେଁ । ଏହି ଭୌଗୋଳିକ ବିଶେଷତା ଯୋଗୁଁ ବର୍ଷସାରା ତାପମାତ୍ରା ସମାନ ରହେ ଏବଂ ଗ୍ରୀଷ୍ମ ଓ ବର୍ଷା ଋତୁ ସ୍ପଷ୍ଟରୂପେ ଅନୁଭୂତ ହୁଏ । ଶୂନ ଡିଗ୍ରୀ ଅକ୍ଷାଂଶରେ "ସେଲ୍ଫି' ଉଠାଇବାର ଅନୁଭୂତି ବି ନିଆରା ।
କାମ୍ପାଲାରେ ସାରା ବର୍ଷ ଦିନ ଓ ରାତିର ଅବଧି ପ୍ରାୟ ସମାନ, ୧୨ ଘଣ୍ଟା ଦିନ ଓ ୧୨ ଘଣ୍ଟା ରାତି ଥାଏ । ବସନ୍ତ ସମ୍ପାତ (ମାର୍ଚ୍ଚ ୨୧) ଓ ଶରତ ସମ୍ପାତ (ସେପ୍ଟେମ୍ବର ୨୩) ଦିନ ମଧ୍ୟାହ୍ନର ସୂର୍ଯ୍ୟ ସିଧା ମୁଣ୍ଡ ଉପରେ ଥିବାରୁ ଏହି ଦୁଇଦିନ କାମ୍ପାଲାରେ ଶୂନ୍ୟ ଛାୟା ଦିବସ ଅନୁଭୂତ ହୁଏ, ଅର୍ଥାତ୍ ଛାଇ ହଜିଯାଏ । ବର୍ଷର ଭିନ୍ନ ଭିନ୍ନ ସମୟରେ ଛାଇର ଦିଗ ବଦଳିବା ମଧ୍ୟ ଏଠାରେ ସହଜରେ ଦେଖାଯାଏ । କାମ୍ପାଲାରେ ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ଦ୍ରୁତ ହେବାରୁ ସନ୍ଧ୍ୟା ଓ ପ୍ରଭାତକାଳ ଛୋଟ ସମୟର ହୁଏ । ଏଠାରେ ଜାନୁଆରୀ ରାତିର ଆକାଶରେ ଉତ୍ତର ଗୋଲାର୍ଦ୍ଧର କିଛି ତାରାମଣ୍ଡଳ, ଯଥା- କାଳପୁରୁଷ, ମୃଗବ୍ୟାଧ, ବୃଷ, ମିଥୁନ, ଶର୍ମିଷ୍ଠା ସହିତ ଦକ୍ଷିଣ ଗୋଲାର୍ଦ୍ଧର କିଛି ତାରାମଣ୍ଡଳ, ଯଥା- ତ୍ରିଶଙ୍କୁ, ମହିଷାସୁର, ନୌକାତଳ ଓ ବାସୁକୀଙ୍କୁ ଦେଖିବା ଏକ ଅନନ୍ୟ ଅନୁଭୂତି ।
"ବିଶ୍ୱ ଗଣିତ ଓ ଜ୍ୟାତିର୍ବିଜ୍ଞାନକୁ ଭାରତର ଅବଦାନ' ଉପରେ ମୋର ଅଭିଭାଷଣ ରଖିବା ପାଇଁ କାମ୍ପାଲାରେ ଥିବା ଆଫ୍ରିକାର ପଞ୍ଚମ ସର୍ବଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ମାକେରେରେ (ସ୍ଥାପନା ୧୯୨୨)କୁ ଗଲାବେଳେ ସେଠାରେ ଦେଖିଲି ମାଳ ମାଳ ଧୂସର ମୁକୁଟଧାରୀ ବଗ- ଉଗାଣ୍ଡାର ଜାତୀୟ ପକ୍ଷୀ ଓ ପରିବେଶ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ "ମାରାବୁ' ବଗଙ୍କୁ । ୧୯୬୨ ମସିହାରେ ଦେଶ ସ୍ୱାଧୀନ ହେବା ପରଠାରୁ ଉଗାଣ୍ଡାର ଜାତୀୟ ପତାକା ଓ ରାଜଚିହ୍ନରେ ସ୍ଥାନ ପାଇଛି ଏହି ଧୂସର ମୁକୁଟଧାରୀ ବଗ । ସେଠାରେ ଜାଣିଲି ମାକେରେରେ ବିଶ୍ୱବିଦ୍ୟାଳୟର କିଛି ପ୍ରସିଦ୍ଧ ପୂର୍ବତନ ବିଦ୍ୟାର୍ଥୀଙ୍କୁ, ସେମାନେ ହେଲେ ତାଞ୍ଜାନିଆର ପ୍ରଥମ ରାଷ୍ଟ୍ରପତି ଜୁଲିଅସ୍ ନ୍ୟେରେରେ, ଉଗାଣ୍ଡାର ପୂର୍ବତନ ରାଷ୍ଟ୍ରପତି ମିଲଟନ୍ ଓବୋଟେ, କେନିଆର ପୂର୍ବତନ ରାଷ୍ଟ୍ରପତି ମୱାଇ କିବାକି, ନାଇଜେରୀୟ ଲେଖକ ତଥା ସାହିତ୍ୟରେ ନୋବେଲ ପୁରସ୍କାର ବିଜେତା ଓଲି ସୋୟିଙ୍କା ।
ମାକେରେରେ ବିଶ୍ୱବିଦ୍ୟାଳୟକୁ ଆଫ୍ରିକାର ନେତୃତ୍ୱ, ସାହିତ୍ୟ ଓ ଜ୍ଞାନଚର୍ଚ୍ଚାରେ ତାହାର ଐତିହାସିକ ଅବଦାନ ପାଇଁ ପ୍ରାୟତଃ "ଆଫ୍ରିକାର ହାର୍ଭାର୍ଡ' ବୋଲି କୁହାଯାଏ । ଭବିଷ୍ୟତରେ ମାକେରେରେ ପ୍ରାଙ୍ଗଣରେ ଏକ ବିଶାଳକାୟ ବିଷୁବୀୟ ସୂର୍ଯ୍ୟଘଡ଼ିର ସ୍ଥାପନା ହେବ ଓଡ଼ିଶାର ଜ୍ୟୋତିର୍ବିଦ୍ ପଠାଣି ସାମନ୍ତଙ୍କ ପ୍ରତି ପ୍ରକୃତ ସମ୍ମାନ, ଏହି ଆଶା ସହିତ ଶେଷରେ ଉଗାଣ୍ଡା ଛାଡ଼ିବାକୁ ପ୍ରସ୍ତୁତ ହେଲି । ଏଥେନ୍ସ ଛାଡ଼ି ଫେରିବାକୁ ନାରାଜ ବାଇରନ୍ଙ୍କ କବିତାର ମନୋଜ ଦାସ କୃତ ଓଡ଼ିଆ ଅନୁବାଦ ଯେମିତି ମୋ ମନୋସ୍ଥିତିକୁ ବୟାନ କରୁଥିଲା: "ଉଗାଣ୍ଡାର ହେ ତରୁଣୀ ନେଉଛି ବିଦାୟ, ଏଥର ଫେରାଅ ମୋର ଲୁଣ୍ଠିତ ହୃଦୟ, ଯଦି ତାହା କେବେ ଆଉ ନଫେରିବ ସତେ, ତା' ସହିତ ରଖିନିଅ ସମୁଦାୟ ମତେ!' ।