ଧଉଳି,୨୪/୦୩: ବୃଦ୍ଧ ଅବସ୍ଥାରେ ବାପା, ମା’ଙ୍କ ଆଶାବାଡି ସାଜେ ପୁଅ । ହେଲେ ଧଉଳି ଥାନା ଶିଶୁପାଳ ଗଡ଼ ଅଞ୍ଚଳରେ ଜଣେ ପୁଅ ନିଶାସକ୍ତ ଅବସ୍ଥାରେ ବୃଦ୍ଧ ବାପାଙ୍କୁ ଖଣ୍ଡାରେ ହାଣି ଲହୁଲୁହାଣ କରିପକାଇଛି । ପୁଲିସ ଘଟଣାର ତଦନ୍ତ ଚଳାଇଥିବାବେଳେ ଗୁରୁତର ବୃଦ୍ଧଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁଯାୟୀ, ସୋମବାର ରାତିରେ ଶିଶୁପାଳଗଡ଼ ଗ୍ରାମର ବାବାଜୀ ଭୋଇ(୬୨)ଙ୍କ ପୁଅ ମନୋରଞ୍ଜନ ଭୋଇ ଓରଫ ମଣ୍ଟୁ ନିଶାସକ୍ତ ଅବସ୍ଥାରେ ଘରକୁ ଆସିଥିଲେ । ପୁଅର ଏଭଳି ଅବସ୍ଥା ଦେଖି ବାବାଜୀ ପୁଅକୁ ବୁଝାଇ ଥିଲେ । ଅବାଟରେ ନଯିବା ପାଇଁ ପୁଅକୁ ବାରଣ କରିଥିଲେ । ହେଲେ ନିଶାଡି ପୁଅ ଏଥିରେ ରାଗିଯାଇ ଗାଳିଗୁଲଜ କରିଥିଲା । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଭୀଷଣ ପାଟିତୁଣ୍ଡ ହୋଇଥିଲା । ଏପରିକି ବାପା ଓ ପୁଅ ହାତାହାତି ମଧ୍ୟ ହୋଇଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ମଣ୍ଟୁ ଏକ ଖଣ୍ଡାରେ ବାବାଜୀଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ । ଫଳରେ ବାବାଜୀଙ୍କ ମୁଣ୍ଡରୁ ପ୍ରଚୁର ରକ୍ତସ୍ରାବ ହୋଇଥିଲା । ଧଉଳି ଥାନା ପୁଲିସ ପହଞ୍ଚି ରକ୍ତ ଜୁଡୁବୁଡୁ ଅବସ୍ଥାରେ ବାବାଜୀଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛି । ମଣ୍ଟୁ ଫେରାର ଥିବା ବେଳେ ପୁଲିସ ତାକୁ ଧରିବାକୁ ଉଦ୍ୟମ ଚଳାଇଛି ।
ଅଧିକ ପଢ଼ନ୍ତୁ :- ଜୁଆ ଖେଳରୁ ନିର୍ମମ ହତ୍ୟା ! ଗାଁ ମୁଣ୍ଡରେ ପଡିଛି ଯୁବକଙ୍କ କ୍ଷତାକ୍ତ ମୃତଦେହ