ନୂଆଦିଲ୍ଲୀ,୫।୧୦: ପରିବେଶବିତ୍ ସୋନମ ଓ୍ବାଙ୍ଗଚୁକ୍ ଏବେ ଜେଲରେ ଅଛନ୍ତି। ଏହା ଭିତରେ ଯୋଧପୁରରୁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ସୋନମ ୱାଙ୍ଗଚୁକଙ୍କ ଓକିଲଙ୍କ ପକ୍ଷରୁ ଜାରି କରାଯାଇଥିବା ଏକ ‘ଏକ୍ସ’ ପୋଷ୍ଟ ସୋସିଆଲ ମିଡିଆରେ ଜୋରଦାର ଭାବରେ ଭାଇରାଲ ହୋଇଛି। ଏହି ପୋଷ୍ଟରେ ସୋନମ ୱାଙ୍ଗଚୁକ ଦେଶବାସୀ ଏବଂ ଲଦାଖ ପାଇଁ ବାର୍ତ୍ତା ଜାରି କରିଛନ୍ତି, ଯେଉଁଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ତାଙ୍କର ମତ ପ୍ରକାଶ କରିଛନ୍ତି।
ପୋଷ୍ଟରେ ୱାଙ୍ଗଚୁକ ସ୍ପଷ୍ଟ କରିଛନ୍ତି, ମୁଁ ଶାରୀରିକ ଏବଂ ମାନସିକ ଭାବରେ ସୁସ୍ଥ ଅଛି। ସମସ୍ତଙ୍କୁ ଚିନ୍ତା ଓ ପ୍ରାର୍ଥନା ପାଇଁ ଧନ୍ୟବାଦ ଜଣଉଛି। ଯେଉଁ ଲୋକ ଆନ୍ଦୋଳନ ବେଳେ ନିଜର ଜୀବନ ହରାଇଛନ୍ତି, ତାଙ୍କ ପରିବାର ପ୍ରତି ମୋର ସମବେଦନା ରହିଛି। ଯେଉଁମାନେ ଆହତ ହୋଇଛନ୍ତି, ତାଙ୍କ ପାଇଁ ପ୍ରାର୍ଥନା କରୁଛି।ଏହା ସହ ଲେହ ହିଂସାରେ ତାଙ୍କ ଚାରି ସାଥୀଙ୍କ ମୃତ୍ୟୁର ନ୍ୟାୟିକ ତଦନ୍ତର ନେଇ ଗୁରୁତ୍ୱାରୋପ କରିଥିଲେ। ଏଥିପାଇଁ ସେ ସ୍ବତନ୍ତ୍ର ଯାଞ୍ଚ ଦାବି କରିଛନ୍ତି । ଏହା ସହ ସମସ୍ତଙ୍କୁ ଅହିଂସା ଏବଂ ଶାନ୍ତି ବଜାୟ ରଖିବାକୁ ନିବେଦନ କରିଛନ୍ତି। ସେ କହିଛନ୍ତି, ଆନ୍ଦୋଳନ ଏବଂ ଏହାର ବାର୍ତ୍ତା ସର୍ବଦା ଶାନ୍ତି ଏବଂ ଏକତାର ପଥରେ ରହିବା ଉଚିତ।
ରମନ ମାଗାସେସ୍ ବିଜେତା ଓ୍ବାଙ୍ଗଚୁକ୍ ଲେହରେ ଆପେକ୍ସ ବଡି ଓ କାର୍ଗିଲ ଡେମୋକ୍ରାଟସ୍ ଆଲାୟନ୍ସର ଷଷ୍ଠ ଅନୁସୂଚୀ ଏବଂ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଦାବି ସମର୍ଥନ କରିଛନ୍ତି। ସେ କହିଛନ୍ତି ଆପେକ୍ସ ବଡି ଯାହାବି ପଦକ୍ଷେପ ଲଦାଖ ହିତରେ ନେବେ ମୁଁ ତାଙ୍କ ସହ ରହିଛି। ଏହି ପ୍ରସଙ୍ଗ ଲଦାଖ ଏବଂ ଅନ୍ୟାନ୍ୟ ସମ୍ପୃକ୍ତ ଅଞ୍ଚଳରେ ଦୀର୍ଘ ଦିନ ଧରି ଆଲୋଚନାର ବିଷୟ ହୋଇଆସିଛି ଏବଂ ତାଙ୍କର ବାର୍ତ୍ତା ଏହାକୁ ମୁଖ୍ୟଧାରାକୁ ଫେରାଇ ଆଣିଛି। ଏହା ଭିତରେ ସୋମବାର ଅର୍ଥାତ ଆସନ୍ତା କାଲି ସୁପ୍ରିମକୋର୍ଟରେ ତାଙ୍କ ଗିରଫଦାରୀ ନେଇ ଶୁଣାଣି ହେବ। ସୋନମ ଓ୍ବାଙ୍ଗଚୁକ୍ଙ୍କ ପତ୍ନୀ ଗୀତାଞ୍ଜଳିଙ୍କ ଆବେଦନ ଉପରେ ଶୁଣାଣି କରାଯିବ। ଉଲ୍ଲେଖନୀୟ ଯେ, ୨୪ ସେପ୍ଟେମ୍ବରରେ ଲେହରେ ପ୍ରଦର୍ଶନ ବେଳେ ହିଂସା କାଣ୍ଡ ଘଟିଥିଲା। ଏଥିରେ ଓ୍ବାଙ୍ଗଚୁକଙ୍କୁ ରାଷ୍ଟ୍ରୀୟ ସୁରକ୍ଷା ଅଧିନିୟମ ଅନୁସାରେ କଷ୍ଟଡିରେ ନିଆ ଯାଇଥିଲା। ସେ ଲେହ ହିଂସାକୁ ଉସାକାଇଥିବା ଅଭିଯୋଗରେ ହୋଇଥିଲା। ଯେଉଁଥିରେ ୪ ଜଣଙ୍କ ମୃତ୍ୟୁ ହୋଇଥିଲା ଓ ୮୦ ଜଣ ଆହତ ହୋଇଥିଲେ।