ନୂଆଦିଲ୍ଲୀ: କଂଗ୍ରେସ ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ବିନା ନାଗରିକତାରେ ଭୋଟର ତାଲିକାରେ ତାଙ୍କ ନାମ ସାମିଲ କରିବା ଅଭିଯୋଗରେ ସୋନିଆ ଗାନ୍ଧୀଙ୍କ ବିରୋଧରେ ମାମଲା ପଞ୍ଜିକରଣ ଏବଂ ତଦନ୍ତ କରିବାକୁ ଦାବି କରାଯାଇଥିବା ଆବେଦନକୁ ରାଉଜ୍ ଆଭେନ୍ୟୁ କୋର୍ଟ ଖାରଜ କରିଦେଇଛନ୍ତି।
ସୋନିଆ ଗାନ୍ଧୀଙ୍କ ବିରୁଦ୍ଧରେ ଦାଖଲ ହୋଇଥିବା ଆବେଦନରେ କୁହାଯାଇଥିଲା ଯେ ସୋନିଆ ଗାନ୍ଧୀ ୩୦ ଏପ୍ରିଲ ୧୯୮୩ ରେ ନାଗରିକତା ହାସଲ କରିଥିଲେ। ଯେତେବେଳେ କି ତାଙ୍କ ନାମ ୧୯୮୦ ର ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିଲା। ଆବେଦନରେ ପ୍ରଶ୍ନ ଉଠାଯାଇଥିଲା ଯେ ୧୯୮୦ ରେ ନୂଆଦିଲ୍ଲୀର ଭୋଟର ତାଲିକାରେ ନାମ କିପରି ଅନ୍ତର୍ଭୁକ୍ତ ହୋଇଥିଲା ?
ଆବେଦନରେ ଅଭିଯୋଗ କରାଯାଇଥିଲା ଯେ, ୧୯୮୨ ରେ ଭୋଟର ତାଲିକାରୁ ସୋନିଆ ଗାନ୍ଧୀଙ୍କ ନାମ କାହିଁକି ବାଦ ଦିଆଯାଇଥିଲା? ଆବେଦନରେ ପ୍ରଶ୍ନ ଉଠାଯାଇଥିଲା ଯେ, ୧୯୮୩ ରେ ଯେତେବେଳେ ସେ ନାଗରିକତା ହାସଲ କରିଥିଲେ, କେଉଁ ଡକ୍ୟୁମେଣ୍ଟ ଆଧାରରେ ୧୯୮୦ ରେ ଭୋଟର ତାଲିକାରେ ତାଙ୍କ ନାମ ଅନ୍ତର୍ଭୁକ୍ତ କରାଯାଇଥିଲା? ନକଲି କାଗଜପତ୍ର ବ୍ୟବହାର କରାଯାଇଥିଲା କି ?
ଆବେଦନରେ ଦିଲ୍ଲୀ ପୋଲିସକୁ ମାମଲା ପଞ୍ଜିକରଣ ଏବଂ ମାମଲାର ତଦନ୍ତ ଏବଂ ସ୍ଥିତି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେବାକୁ ଦାବି କରାଯାଇଥିଲା। କିନ୍ତୁ ରାଉଜ୍ ଆଭେନ୍ୟୁ କୋର୍ଟ ଏହି ଆବେଦନକୁ ଖାରଜ କରିଦେଇଛନ୍ତି।