ନୂଆଦିଲ୍ଲୀ ୦୮/୦୨: ଉତ୍ତର କୋରିଆରେ ପଡ଼ୋଶୀ ଦକ୍ଷିଣ କୋରିଆର ଟିଭି ଶୋ’ ଦେଖିଲେ କିମ୍ବା କେ-ପପ୍ ଗୀତ ଶୁଣିଲେ ଫାଶୀ ଦଣ୍ଡ ମିଳୁଛି ଏବଂ ଲେବର୍ କ୍ୟାମ୍ପ୍କୁ ପଠାଯାଉଛି । ସ୍କୁଲ ପିଲା ବି ଏଥିରୁ ବାଦ୍ ପଡୁନାହାନ୍ତି । ଆମ୍ନେଷ୍ଟି ଇଣ୍ଟରନ୍ୟାସନାଲ୍ର ରିପୋର୍ଟରେ ଏହି ତଥ୍ୟ ସାମ୍ନାକୁ ଆସିଛି । ରିପୋର୍ଟ ଅନୁସାରେ, ଦେଶରେ ଏବେ ଭୟର ମାହୋଲ । ଏଠାରେ ଦକ୍ଷିଣ କୋରିଆ ସଂସ୍କୃତିକୁ ବଡ଼ ଅପରାଧ ବୋଲି ବିଶ୍ୱାସ କରାଯାଉଛି ।
ଉତ୍ତର କୋରିଆରୁ ପଳାୟନ କରିଥିବା ଲୋକେ କହିଛନ୍ତି, କ୍ରାଶ୍ ଲ୍ୟାଣ୍ଡିଂ ଅନ୍ ୟୁ, ଡିସେଣ୍ଡାଣ୍ଟ୍ସ ଅଫ୍ ଦ ସନ୍ ଓ ସ୍କ୍ୱିଡ୍ ଗେମ୍ ଭଳି ଲୋକପ୍ରିୟ ଦକ୍ଷିଣ କୋରିଆ ଡ୍ରାମା ଦେଖିଲେ କିମ୍ବା କେ-ପପ୍ ଶୁଣିଲେ ମୃତ୍ୟୁ ଦଣ୍ଡ ମିଳିପାରେ । ଯେଉଁମାନଙ୍କ ପାଖରେ ଅର୍ଥ କିମ୍ବା ପ୍ରଶାସନିକ ଅଧିକାରୀଙ୍କ ସହ ଭଲ ସମ୍ପର୍କ ନାହିଁ, ସେମାନଙ୍କୁ ସବୁଠୁ ଅଧିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ଧନୀ ବ୍ୟକ୍ତି ଅନେକ ସମୟରେ ଅଧିକାରୀଙ୍କୁ ଲାଞ୍ଚ ଦେଇ ଦଣ୍ଡରୁ ଖସି ଯାଉଛନ୍ତି ।
ଆହୁରି ପଢ଼ନ୍ତୁ...ପିଓକେ, ଅକ୍ସାଇ ଚୀନ୍ ଭାରତର ଅଂଶ, ମାନଚିତ୍ର ଜାରି କଲା ଆମେରିକା
ଆମ୍ନେଷ୍ଟି ଇଣ୍ଟରନ୍ୟାସ୍ନାଲ୍ର ଡେପ୍ୟୁଟି ରିଜନାଲ ଡାଇରେକ୍ଟର ସାରା ବ୍ରୁକ୍ସ କହିଛନ୍ତି, ଉତ୍ତର କୋରିଆ ଏଭଳି ନିୟମ ଲାଗୁ କରୁଛି, ଯେଉଁଥିରେ ଟିଭି ଶୋ’ ଦେଖିବା ବି ପ୍ରାଣଘାତକ ହୋଇପାରେ । ସରକାରଙ୍କ ଭୟ ଯୋଗୁ ଦେଶ ଏକ ପ୍ରକାର ବୈଚାରିକ ବନ୍ଦୀଗୃହରେ ଅଛି । ଯେଉଁମାନେ ବାହ୍ୟ ଜଗତ ବିଷୟରେ ଜାଣିବାକୁ ଚାହୁଁଛନ୍ତି କିମ୍ବା କେବଳ ମନୋରଞ୍ଜନ କରିବାକୁ ଚାହୁଁଛନ୍ତି, ସେମାନଙ୍କୁ ସବୁଠୁ କଠୋର ଦଣ୍ଡ ଦିଆଯାଉଛି । ଏହି ବ୍ୟବସ୍ଥା ଭୟ ଓ ଦୁର୍ନୀତି ଉପରେ ଆଧାରିତ । ଅନ୍ତର୍ଜାତୀୟ ମାନବାଧିକାରର ଏହା ଉଲ୍ଲଂଘନ ।