ନୂଆଦିଲ୍ଲୀ,୧୬/୦୪: ଲୋକସଭା ଓ ବିଧାନସଭାରେ ୩୩% ମହିଳା ସଂରକ୍ଷଣ ଲାଗୁ ପାଇଁ ଅଣ୍ଟା ଭିଡ଼ିଛନ୍ତି କେନ୍ଦ୍ର ସରକାର । ଏହି ଉଦ୍ଦେଶ୍ୟରେ ଆଜି ସଂସଦର ୩ ଦିନିଆ ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହେଉଛି । ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ନାରୀ ଶକ୍ତି ବନ୍ଦନ ଅଧିନିୟମ, ୨୦୨୩ରେ ସଂଶୋଧନ ନିମନ୍ତେ ବିଲ୍ ଆଗତ କରିବେ । ଏହି ସ୍ୱତନ୍ତ୍ର ଅଧିବେଶନ ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ । ଅପରାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୃହକୁ ସମ୍ବୋଧନ କରିପାରନ୍ତି ।
ମହିଳା ସଂରକ୍ଷଣ ସହ ସୀମା ପୁନଃ ନିର୍ଦ୍ଧାରଣ ପ୍ରକ୍ରିୟା ଜଡ଼ିତ ରହିଛି । ତେଣୁ ଏଥିପାଇଁ ସମ୍ବିଧାନ (୧୩୧ତମ ସଂଶୋଧନ) ବିଲ୍, ସୀମା ପୁନଃ ନିର୍ଦ୍ଧାରଣ (ସଂଶୋଧନ) ବିଲ୍ ଏବଂ କେନ୍ଦ୍ର ଶାସିତ ଆଇନ (ସଂଶୋଧନ) ବିଲ୍, ୨୦୨୬ ମଧ୍ୟ ଅଣାଯିବା ସମ୍ଭାବନା ରହିଛି । ୧୩୧ତମ ସମ୍ବିଧାନ ସଂଶୋଧନରେ ସରକାର ଲୋକସଭା ଆସନ ସଂଖ୍ୟା ୫୪୩ରୁ ୮୫୦କୁ ବୃଦ୍ଧି ପାଇଁ ପ୍ରସ୍ତାବ ରଖିଛନ୍ତି । ଏଥିରେ ୮୧୫ ଆସନ ରାଜ୍ୟ ଓ ୩୫ ଆସନ କେନ୍ଦ୍ରଶାସିତ ଅଞ୍ଚଳ ଲାଗି ଉଦ୍ଦିଷ୍ଟ ରହିବ । ପ୍ରସ୍ତାବିତ ୮୫୦ ଲୋକସଭା ଆସନ ମଧ୍ୟରୁ ୩୩% ମହିଳାଙ୍କ ନିମନ୍ତେ ସଂରକ୍ଷିତ ରଖାଯିବ । ଏହି ସଂରକ୍ଷଣ ଏକ ରୋଟେସନ ବ୍ୟବସ୍ଥା ଅନୁସାରେ ଲାଗୁ ହେବ । ଅର୍ଥାତ ପ୍ରତ୍ୟେକ ନିର୍ବାଚନରେ ପୃଥକ ପୃଥକ ଆସନ ମହିଳାଙ୍କ ଲାଗି ସଂରକ୍ଷିତ ରହିପାରେ । ଏହି ବ୍ୟବସ୍ଥା ୧୫ ବର୍ଷ ପର୍ଯ୍ୟନ୍ତ ଲାଗୁ ହେବ । ଏହାପରେ ସଂସଦ ଚାହିଁଲେ ଏହାକୁ ଆଗକୁ ବଢ଼ାଇ ପାରେ । ୨୦୨୯ ସାଧାରଣ ନିର୍ବାଚନରୁ ଏହାକୁ କାର୍ଯ୍ୟକାରୀ ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି । ସୀମା ପୁନଃ ନିର୍ଦ୍ଧାରଣ ଲାଗି ନୂଆ ଜନଗଣନା ତଥ୍ୟକୁ ଆଧାର କରାଯିବ । ତେବେ ଏହା ବର୍ତ୍ତମାନ ସ୍ପଷ୍ଟ ହୋଇନାହିଁ । କାରଣ ବିରୋଧୀ ଦଳଗୁଡ଼ିକ ଏହାକୁ ତୀବ୍ର ବିରୋଧ କରୁଛନ୍ତି ।
ବର୍ତ୍ତମାନ ଲୋକସଭାରେ ଯେଉଁ ୫୪୩ ଆସନ ରହିଛି, ତାହା ୧୯୭୧ ଜନଗଣନା ଆଧାରରେ ସ୍ଥିର ହୋଇଥିଲା । ଶେଷଥର ପାଇଁ ୨୦୦୨ରେ ସୀମା ପୁନଃ ନିର୍ଦ୍ଧାରଣ ହୋଇଥିଲା । କିନ୍ତୁ ସେତେବେଳେ କେବଳ ଆସନଗୁଡ଼ିକର ସୀମା ବଦଳିଥିଲା । ଆସନ ସଂଖ୍ୟା ଅପରିବର୍ତ୍ତିତ ରହିଥିଲା । ସଂସଦର ସ୍ୱତନ୍ତ୍ର ଅଧିବେଶନ ପୂର୍ବରୁ ବୁଧବାର ବିରୋଧୀ ଦଳଙ୍କ ‘ଇଣ୍ଡି’ ମେଣ୍ଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେଙ୍କ ନୂଆଦିଲ୍ଲୀର ୧୦ ରାଜାଜୀ ମାର୍ଗସ୍ଥିତ ବାସଭବନରେ ଅନୁଷ୍ଠିତ ବୈଠକରେ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ଆର୍ଜେଡି ନେତା ତେଜସ୍ୱୀ ଯାଦବ, ଏନ୍ସିପି (ଏସ୍ପି) ସାଂସଦ ସୁପ୍ରିୟା ସୁଲେ, ଶିବସେନା (ୟୁବିଟି) ସାଂସଦ ସଞ୍ଜୟ ରାଉତ, ରାଜ୍ୟସଭା ସାଂସଦ କପିଲ ସିବଲ ଏବଂ ‘ଇଣ୍ଡି’ ମେଣ୍ଟର ଅନ୍ୟ ପ୍ରମୁଖ ନେତାମାନେ ସାମିଲ ହୋଇଥିଲେ । ବୈଠକରେ ନେତାମାନେ ସଂସଦରେ ନାରୀ ଶକ୍ତି ବନ୍ଦନ ଅଧିନିୟମ, ୨୦୨୩ର ସଂଶୋଧନ ଲାଗି ପ୍ରସ୍ତାବିତ ସୀମା ପୁନଃ ନିର୍ଦ୍ଧାରଣ ପ୍ରକ୍ରିୟାକୁ ତୀବ୍ର ବିରୋଧ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଲୋକସଭାରେ ଦକ୍ଷିଣ ରାଜ୍ୟଗୁଡ଼ିକର ପ୍ରତିନିଧିତ୍ୱକୁ ଏହା ଦୁର୍ବଳ କରିଦେବା ନେଇ ସେମାନେ ଯୁକ୍ତି ବାଢ଼ିଛନ୍ତି ।
ଅଧିକ ପଢ଼ନ୍ତୁ :- ମହିଳା ସଂରକ୍ଷଣ ବିଲକୁ ନେଇ ରାହୁଲଙ୍କ ସହ ବିରୋଧୀ କହିଲେ ଏମିତି....
ଅନ୍ୟପକ୍ଷରେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ବିରୋଧୀଙ୍କ ଯୁକ୍ତିକୁ ଖଣ୍ଡନ କରିଛନ୍ତି । କହିଛନ୍ତି, ଏଥିରେ କୌଣସି ରାଜନୈତିକ ଉଦ୍ଦେଶ୍ୟ ନିହିତ ନାହିଁ । ଦୀର୍ଘଦିନ ହେଲା ମହିଳାଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଲାଗୁ ନିମନ୍ତେ କୁହାଯାଉଛି । ସବୁ ଦଳ ଏହାକୁ ସମର୍ଥନ କରିବା ଉଚିତ । ନିର୍ବାଚନକୁ ଦୃଷ୍ଟିରେ ରଖି ବିଲ୍ ଅଣାଯାଉ ନାହିଁ । ମହିଳା ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ ହେବ । ବିରୋଧୀ ଏହାକୁ ବିରୋଧ କରିବାର ଭୁଲ ନ କରନ୍ତୁ । ମହିଳା ସଂରକ୍ଷଣ ବିଲ୍ ସନ୍ତୁଳିତ ଏବଂ ସମସ୍ତ ଆକାଂକ୍ଷା ପୂରଣ କରୁଛି । ଏହାଦ୍ୱାରା ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକର କ୍ଷତି ନୁହେଁ, ବରଂ ଫାଇଦା ହେବ । କିଛି ଲୋକ ଦକ୍ଷିଣ ରାଜ୍ୟଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରୁଥିବା ରିଜିଜୁ କହିଛନ୍ତି ।