ଜୟପୁର, ୨୩/୦୭ (ପ୍ରକାଶ ଚନ୍ଦ୍ର ଦାଶ) : ‘ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କେବା ସହୁ, ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ ।’ ସନ୍ଥକବି ଭୀମ ଭୋଇଙ୍କ ଏହି ଦି’ପଦ ଗୀତି କବିତା ଯେଉଁଠି ସାର୍ଥକ ବାସ୍ତବତା, ଯେଉଁଠି ଦାରିଦ୍ର୍ୟ ନିପୀଡ଼ିତ ଆଦିବାସୀ ମଣିଷମାନଙ୍କୁ ନିଶା କବଳରୁ ମୁକ୍ତ କରିବା ଜୀବନର ଏକମାତ୍ର ଧର୍ମ ଏବଂ ଯେଉଁଠି ଓଡ଼ିଆ ଭାଷା ଓ ସାହିତ୍ୟର ସୁରକ୍ଷା ପାଇଁ ଅହରହ ଅକ୍ଳାନ୍ତ ଉଦ୍ୟମ...ସେଇଠି ଯେଉଁ କେତେଜଣଙ୍କ ନାଁ ଆଗକୁ ଆସେ, ସେମାନଙ୍କ ଭିତରୁ ଜଣେ ହେଉଛନ୍ତି ବିଚିତ୍ରାନନ୍ଦ ପଣ୍ଡା । ବାସ୍ତବରେ ସେ ଜଣେ ବିରଳ ଏବଂ ବିଚିତ୍ର ମଣିଷ । ଯିଏ ତମାମ ଜୀବନ ଦାରିଦ୍ର୍ୟର କଷାଘାତରେ କସଟି ହୋଇ ବି ହସି ହସି ସମାଜ ସେବାରେ ନିଜକୁ ସମର୍ପି ଦେଇଛନ୍ତି । ଥରୁଟିଏ ହେଲେ ନିଜ କିମ୍ବା ନିଜ ପରିବାର କଥା ଚିନ୍ତା କରିନାହାନ୍ତି । ଛୋଟିଆ ମିଠା ଦୋକାନଟିଏ କରି ସାହିତ୍ୟ ଓ ସମାଜ ପ୍ରତି ରହିଥିବା ତାଙ୍କ ଅନୁରାଗ ଦେଖିଲେ, ଯେ କେହି ଆଚମ୍ବିତ ହେବା ସ୍ୱାଭାବିକ । ଜନ୍ମଭୂମି ଯାଜପୁର ଜିଲ୍ଲା ବଡ଼ଚଣାର ଅରଖପୁରରେ ହୋଇଥିଲେ ବି କୋରାପୁଟର ନନ୍ଦପୁର ଅଞ୍ଚଳକୁ ନିଜ କର୍ମଭୂମି ଭାବେ ବାଛି ନେଇଛନ୍ତି ।
ନିଃସ୍ୱାର୍ଥପର ଭାବେ କାମ କରିଚାଲିଥିବା ଏହି ବିରଳ ସାଧକ ଏବଂ ସମାଜସେବୀଙ୍କୁ ରାଜ୍ୟର କୋଣ ଅନୁକୋଣରୁ ଛୁଟିଛି ଅନେକ ପ୍ରଶଂସା, ସ୍ୱୀକୃତି, ସମ୍ମାନ ଏବଂ ସମ୍ବର୍ଦ୍ଧନା । ତାଙ୍କୁ ‘ପଦ୍ମଶ୍ରୀ’ ସମ୍ମାନରେ ସମ୍ମାନିତ ଲାଗି ଏବେ ବିଭିନ୍ନ ମହଲରୁ ଉଠିଲାଣି ସ୍ୱର । ଆଲୋଚନା ବେଳେ ଜୀବନ ଯନ୍ତ୍ରଣାର ଫର୍ଦ୍ଦ ପରେ ଫର୍ଦ୍ଦ ଲେଉଟାଇ ଚାଲିଥିଲେ ଶ୍ରୀ ପଣ୍ଡା । କହିଥିଲେ, ପରିବାରର ଅଭାବ ଅନଟନ ତାଙ୍କୁ ବାଧ୍ୟ କରିଥିଲା ମାତ୍ର ୧୬ ବର୍ଷ ବୟସରେ ଘର ଛାଡ଼ିବାକୁ । ଏକାଦଶ ଶ୍ରେଣୀରେ ପାଠପଢ଼ାରେ ଡୋରି ବାନ୍ଧିବାକୁ ପଡ଼ିଥିଲା । ପ୍ରଥମେ କଟକରେ ପଡ଼ିଥିଲା ତାଙ୍କ ବ୍ୟବସାୟିକ ଜୀବନର ଭିତ୍ତିପ୍ରସ୍ତର । ପରେ ପରେ ଭୁବନେଶ୍ୱର ଏବଂ କୋଲକାତା ପାଲଟିଥିଲା ପ୍ରୟୋଗଶାଳା । କେଉଁଠି ଛୋଟିଆ ମିଠା ଦୋକାନଟିଏ ତ ଆଉ କେଉଁଠି ରାସନ ଦୋକାନଟିଏ କରି ଦିନରାତି ହାଡ଼ଭଙ୍ଗା ପରିଶ୍ରମ କରିଥିଲେ । ୨୪ ବର୍ଷ ବୟସରେ ତାଙ୍କୁ ଦି’ ହାତ କରିଦେଇଥିଲେ ପରିବାର ଲୋକ । ପରିସ୍ଥିତି ଏମିତି ହୋଇଥିଲା ଯେ ଛୋଟ କୋକାନଟିଏ କରିବା ଲାଗି ଘରେ ଥିବା ପେଟ୍ରୋମାକ୍ସ ଲାଇଟ୍, ରେଡିଓ, ଶ୍ୱଶୁର ଘରୁ ମିଳିଥିବା ଘଣ୍ଟା ଓ ସୁନା ମୁଦିକୁ ବିକ୍ରି କରିବାକୁ ପଡ଼ିଥିଲା ।
ଭୋକର ଭୂଗୋଳ ଭିତରେ ନିଜେ ଘାଣ୍ଟିଚକଟି ହେଉଥିଲେ ବି ସହଯୋଗୀ କର୍ମଚାରୀଙ୍କ ଦୁଃଖଦୁର୍ଦ୍ଦଶା ଦେଖିପାରିନଥିଲେ । ଗୋଟିଏ ପରେ ଗୋଟିଏ ଦୋକାନକୁ ସେମାନଙ୍କ ହାତରେ ବିନା ପଇସାରେ ଟେକି ଦେଇଥିଲେ । ଶେଷରେ ତାଙ୍କ ଭାଗ୍ୟ ବାଟ କଢ଼େଇ ଆଣିଥିଲା ପାହାଡ଼ଜଙ୍ଗଲ ଘେରା କୋରାପୁଟ ଜିଲ୍ଲାର ନନ୍ଦପୁର ବ୍ଲକ୍କୁ । ଏଠାରେ ବି ଆରମ୍ଭରେ କମ୍ କଷ୍ଟ ସ୍ୱୀକାର କରିବାକୁ ପଡ଼ି ନ ଥିଲା । ଅଥଚ ପାଖେପାଖେ ରହି ତାଙ୍କ ମନୋବଳ ଏବଂ ଆତ୍ମବିଶ୍ୱାସକୁ ଅଧିକ ଆଣ୍ଟ କରିଥିଲେ ଧର୍ମପତ୍ନୀ ଲକ୍ଷ୍ମୀପ୍ରିୟା ପଣ୍ଡା । ୨୦୦୨ରୁ ଦୁର୍ଗମ ପାଡ଼ୁଆ ଅଞ୍ଚଳ ତାଙ୍କ ଜୀବନରେ ଯୋଡ଼ି ଦେଇଥିଲା ଆଉ କେତେକ ଅଭୁଲା ଫର୍ଦ୍ଦ । ଗୋଟିଏ ପଟେ ବାଘ, ଭାଲୁଙ୍କ ଭୟ