ଭୁବନେଶ୍ଵର, ୨୧/୦୨ : ତୁଟିଲା କଳି। ୧୧ ବର୍ଷ ପରେ ହେବ ହାଣ୍ଡିଭଙ୍ଗା ଯାତ। ଆଜି ଏକାଠି ହେବେ ମହାପ୍ରଭୁ ଶ୍ରୀଲିଙ୍ଗରାଜ, ବାସୁଦେବ, ମା’ପାର୍ବତୀ, କପିଳେଶ୍ୱର ଓ ଶନିଶ୍ୱର। ପୂରଣ ହେବ ଶ୍ରଦ୍ଧାଳୁ ଆଉ ସେବାୟତଙ୍କ ଦେବନୀତି ଦର୍ଶନର ଉତ୍କଣ୍ଠା। ଏଥିପାଇଁ ସର୍କିଟ୍ ହାଉସଠାରେ ଖୋର୍ଦ୍ଧା ଜିଲ୍ଲାପାଳ ଅମୃତ ଋତୁରାଜଙ୍କ ଅଧ୍ୟକ୍ଷତାରେ କପିଳେଶ୍ୱର ମନ୍ଦିର ଟ୍ରଷ୍ଟ ବୋର୍ଡ ବୈଠକ ହୋଇଥିଲା।
ନିଷ୍ପତ୍ତି ଅନୁଯାୟୀ, କପିଳେଶ୍ୱରଙ୍କ ଖୁଣ୍ଟିଆ ଓ ମଲିଆ ସେବାୟତଙ୍କ ସେବାସ୍ୱତ୍ତ୍ୱ ଚୁଡାନ୍ତ କରିବାକୁ ୩ ଜଣିଆ ନ୍ୟାୟିକ କମିଟି ଗଠନ ହେବ। ହେଲେ ଏବେ ହାଣ୍ଡିଭଙ୍ଗା ଯାତ ଲାଗି ଏକ ଅନ୍ତରୀଣ ସେବା ପୂଜା ତାଲିକା କରାଯାଇଛି । ଏହି ଅନ୍ତରୀଣ ତାଲିକା ଅନୁଯାୟୀ ଖୁଣ୍ଟିଆ ସେବାୟତମାନେ ଶନିବାର ଭୋର ୪ଟାରେ ମନ୍ଦିରରେ ପହଞ୍ଚି ମଙ୍ଗଳ ଆଳତୀ କରିଛନ୍ତି । ଠାକୁରଙ୍କ ଦିନ ତମାମର ୪ ବେଳା ପାଇଁ କୋଠ ବ୍ୟଞ୍ଜନାଦି ପ୍ରସ୍ତୁତି ଓ ସମର୍ପଣ କରିବେ। କିନ୍ତୁ ବରାଦି ଭୋଗ ପ୍ରସ୍ତୁତି ଏବଂ ସେଇ ସନ୍ଧ୍ୟାରେ ଶ୍ରୀଲିଙ୍ଗରାଜ-କପିଳେଶ୍ୱରଙ୍କ ଭେଟ ଆଳତୀ ନୀତି ମଲିଆ ସେବାୟତଙ୍କ ଦ୍ୱାରା କରାଯିବ । ଅନ୍ତରୀଣ ସେବା ସ୍ୱତ୍ତ୍ୱକୁ ମାନିବେ ଖୁଣ୍ଟିଆ ଓ ମଲିଆ ସେବାୟତ।
ଶିବରାତ୍ରି ବାସି ପ୍ରଥମ ଶନିବାର ହାଣ୍ଡି ଭଙ୍ଗା ଯାତ୍ରା ହେବାର ପରମ୍ପରା ରହିଛି। ହେଲେ ଖୁଣ୍ଟିଆ ଓ ମଲିଆ ସେବାୟତଙ୍କ ବିବାଦ ଯୋଗୁଁ ଏହା ଦୀର୍ଘ ୧୧ ବର୍ଷ ହେବ ବନ୍ଦ ରହିଥିଲା । ଏହି ଯାତ୍ରା ବନ୍ଦ ହେବା ଯୋଗୁଁ ଲିଙ୍ଗରାଜଙ୍କ କୌଣସି ଯାତ୍ରାରେ କପିଳେଶ୍ୱରଙ୍କୁ ମଲିହା ସେବାୟତ ସାମିଲ କରୁନଥିଲେ। ରାଜ୍ୟ ସରକାରଙ୍କ ହସ୍ତକ୍ଷେପରେ ଏହି ବିବାଦର ସମାଧାନ ହୋଇଛି। ଆଜି ସନ୍ଧ୍ୟାରେ ଲିଙ୍ଗରାଜ ମହାପ୍ରଭୁ ପ୍ରସେସନରେ ବାହାରି ବିଶ୍ୱ କଲ୍ୟାଣ ପାଇଁ କପିଳେଶ୍ୱରଙ୍କ ମନ୍ଦିରକୁ ଯିବେ। ଆଗକୁ ଚନ୍ଦନ ଯାତ୍ରାରେ କପିଳେଶ୍ୱର ଚାପ ଖେଳରେ ଯୋଗ ଦେବାକୁ ନେଇ ମଧ୍ୟ ଆଶା କରାଯାଉଛି।
ଏହି ଖବରଟିକୁ ପଢନ୍ତୁ- ରାଜ୍ୟ ବଜେଟ ୨୦୨୬-୨୭: ୧୨ ପ୍ରତିଶତ ଅଭିବୃଦ୍ଧି ଲକ୍ଷ୍ୟ, ୧୧ ଲକ୍ଷ କୋଟିକୁ ଡେଇଁବ ଜିଏସ୍ଡିପି