ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

୩ ବର୍ଷର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା : ଅନନ୍ତ, ଶ୍ରୀନିବାସ, ଜୟୀରାମଙ୍କୁ ମୋହନ ସୁନ୍ଦର ଦେବ ଗୋସ୍ୱାମୀ ପୁରସ୍କାର

Published By : Rasmita Pradhan | November 15, 2024 2:09 PM

ଭୁବନେଶ୍ୱର, ୧୫/୧୧ : ବହୁ ପ୍ରତୀକ୍ଷାର ଅବସାନ ଘଟିଲା। ଘୋଷଣା ହେଲା ଦୀର୍ଘ ୩ ବର୍ଷର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର। ବାକି ପଡ଼ିଥିବା ୨୦୨୦- ୨୧-୨୨ ମସିହା ପର୍ଯ୍ୟନ୍ତ ୩୨, ୩୩ ଓ ୩୪ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯିବ । ଏନେଇ ରାଜ୍ୟ ସରକାର ଏକାବେଳେ ସବୁ ପୁରସ୍କାର ଘୋଷଣା କରିଛନ୍ତି । ସବୁଥର ପରି ଏଥର ମଧ୍ୟ ଚଳଚ୍ଚିତ୍ର ଜଗତରେ ଜୀବନବ୍ୟାପୀ ସାଧନା ପାଇଁ ସର୍ବୋଚ୍ଚ ପୁରସ୍କାର ‘ମୋହନ ସୁନ୍ଦର ଦେବ ଗୋସ୍ୱାମୀ’ ପୁରସ୍କାର ଦିଆଯିବ । ୨୦୨୦ ପାଇଁ ପାଇବେ ବିଶିଷ୍ଟ ଲେଖକ, ନିର୍ଦ୍ଦେଶକ ଓ ନାଟ୍ୟକାର ଅନନ୍ତ ମହାପାତ୍ର, ୨୦୨୧ ପାଇଁ ବିଶିଷ୍ଟ ଚିତ୍ର ଉତ୍ତୋଳନକାରୀ ଶ୍ରୀନିବାସ ମହାପାତ୍ର ଏବଂ ୨୦୨୨ ପାଇଁ ବିଶିଷ୍ଟ ହାସ୍ୟ ଅଭିନେତା ଜୟୀରାମ ସାମଲ ପୁରସ୍କୃତ ହେବେ। 

ସେହିପରି ୨୦୨୦ର ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ପ୍ରଯୋଜକ ଡା. ବିଶ୍ୱନାଥ ପଟ୍ଟନାୟକଙ୍କ ଚଳଚ୍ଚିତ୍ର ‘ସହିଦ ରଘୁ ସର୍ଦ୍ଦାର’, ୨୦୨୧ର ପ୍ରଯୋଜକ ଅନୁପମ ପଟ୍ଟନାୟକଙ୍କ ‘ପ୍ରତୀକ୍ଷା’, ଅତୀଶ କୁମାର ରାଉତଙ୍କ ‘ଡାଲ୍‌ଚିନି’ ଏବଂ ୨୦୨୨ର ପ୍ରଯୋଜକ ଦୀପେନ୍ଦ୍ର ସାମଲଙ୍କ ‘ଦମନ’ ପୁରସ୍କାର ଲାଗି ମନୋନୀତ ହୋଇଛି। ‘ମୋହନ ସୁନ୍ଦର ଦେବ ଗୋସ୍ୱାମୀ’ ପୁରସ୍କାର ନିମନ୍ତେ ୫ ଲକ୍ଷ ଟଙ୍କାର ଅର୍ଥରାଶି ସହିତ ମାନପତ୍ର, ଟ୍ରଫି ଓ ଉପଢୌକନ ପ୍ରଦାନ କରାଯିବ। ସେହିପରି ଶ୍ରେଷ୍ଠ ପୂର୍ଣ୍ଣାଙ୍ଗ ଚଳଚ୍ଚିତ୍ର ପୁରସ୍କାର ନିମନ୍ତେ ୨ ଲକ୍ଷ ଟଙ୍କାର ଅର୍ଥରାଶି ସହିତ ମାନପତ୍ର, ଟ୍ରଫି ଓ ଉପଢୌକନ ପ୍ରଦାନ କରାଯିବ। କିନ୍ତୁ ଏସବୁ ଭିତରେ ସବୁଠୁ ବଡ଼ ଖୁସି ଖବର, ପୁରସ୍କାର ସଂଖ୍ୟା ବଢ଼ିବା ସହ ଏଥିପାଇଁ ମିଳୁଥିବା ସବୁ ବର୍ଗର ପୁରସ୍କାର ରାଶି ବୃଦ୍ଧି ପାଇଛି। 

ପୂର୍ବରୁ ୨୭ଟି ବର୍ଗରେ ପୁରସ୍କାର ପାଇଁ ମୋଟ୍‌ ୫ ଲକ୍ଷ ଟଙ୍କା ଦିଆଯାଉଥିଲା। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗକୁ ଏ ସମ୍ପର୍କିତ ଉଚ୍ଚସ୍ତରୀୟ କମିଟିର ସୁପାରିସ କ୍ରମେ ପୁରସ୍କାରରେ ନୂଆ ୬ଟି ବିଭାଗ ସାମିଲ ହୋଇ ଏବେ ମୋଟ୍‌ ୩୩ଟି ବିଭାଗରେ ପୁରସ୍କାର ରାଶି ୨୧ ଲକ୍ଷ ୩୦ ହଜାର ଟଙ୍କା ପ୍ରଦାନ କରାଯିବ । ସେହିପରି ମୁଖ୍ୟ ପୁରସ୍କାର ଅର୍ଥାତ୍‌ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଜୀବନବ୍ୟାପୀ ସାଧନା ପାଇଁ ବିଶିଷ୍ଟ କବି ଜୟଦେବଙ୍କ ନାଁରେ ପ୍ରଦାନ କରାଯାଇ ଆସୁଥିବା ସର୍ବୋଚ୍ଚ ପୁରସ୍କାରର ନାଁ ବଦଳାଯାଇ ପ୍ରଥମ କରି ଓଡ଼ିଆ ଚଳଚ୍ଚିତ୍ରର ଜନକ ମୋହନ ସୁନ୍ଦର ଦେବ ଗୋସ୍ୱାମୀଙ୍କ ନାମରେ ନାମିତ କରାଯାଇଛି । ପୂର୍ବରୁ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ମୋହନ ସୁନ୍ଦର ଦେବ ଗୋସ୍ୱାମୀ ସମ୍ମାନ ନାମରେ ନାମିତ ଥିଲା । ଏବେ କେବଳ ଶ୍ରେଷ୍ଠ ପୂର୍ଣ୍ଣାଙ୍ଗ ଚଳଚ୍ଚିତ୍ର ନାଁରେ ପୁରସ୍କାର ଦିଆଯିବ । ପ୍ରଥମ ଥର ସାଂସ୍କୃତିକ ମଣ୍ଡପ ବାହାରେ ଏଥର ଏକ ହୋଟେଲ୍‌ ପରିସରରେ ଜାତୀୟସ୍ତର ଶୈଳୀରେ ପୁରସ୍କାର ପ୍ରଦାନ କରାଯିବ । ଆସନ୍ତା ୧୭ ତାରିଖ ଅପରାହ୍ନ ୩ଟାରେ ହୋଟେଲ୍‌ ମେଫେୟାରରେ ଆୟୋଜିତ ବର୍ଣ୍ଣାଢ଼୍ୟ ସମାରୋହରେ ମନୋନୀତ ପ୍ରତିଭାଙ୍କୁ ପୁରସ୍କୃତ କରାଯିବ । ସେହିପରି ୯, ୧୦ ଓ ୧୧ତମ ରାଜ୍ୟ ଟେଲି ପୁରସ୍କାର ସରକାରଙ୍କ ବିଚାରାଧୀନ ରହିଛି। ତାହା ଖୁବ୍‌ଶୀଘ୍ର ପ୍ରଦାନ କରାଯିବ। ଏହା ସହିତ ୨୦୨୩-୨୪ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା ବେଳେ ତାହା ବି ଯାଥାଶୀଘ୍ର ଦିଆଯିବ ବୋଲି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି । 

ସୂଚନାଯୋଗ୍ୟ, ୨୦୨୩ ଅଗଷ୍ଟ ୨୩ରେ ଏହି ୩ ବର୍ଷର ପୁରସ୍କାର ଲାଗି ସଂସ୍କୃତି ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶର ମାସେ ପରେ ସେପ୍ଟେମ୍ବର ୨୨ ସୁଦ୍ଧା ୪୬ଟି ଚଳଚ୍ଚିତ୍ର ଏବଂ ୨ଟି ପୁସ୍ତକ ଆବେଦନ ହୋଇଥିଲା। ସେଥିରୁ ଜୁରୀମାନେ ବିଭିନ୍ନ ବର୍ଗ ଲାଗି ଶ୍ରେଷ୍ଠ ପୁରସ୍କାର ଚୟନ କରିଥିଲେ । ୨୦୨୦ରେ ୮ଟି ବର୍ଗରେ, ୨୦୨୧ରେ ୩ଟି ଏବଂ ୨୦୨୨ରେ ୨ଟି ବର୍ଗରେ ପୁରସ୍କାର ଦିଆଯାଇ ପାରିନି । ବାକି ୨୦୨୦ରେ ଶ୍ରେଷ୍ଠ ଚଳଚ୍ଚିତ୍ର ‘ସହିଦ ରଘୁ ସର୍ଦ୍ଦାର’ ସହ ‘ରୋମିଓ ରାଜା’ ବିଭିନ୍ନ ବର୍ଗରେ ସର୍ବାଧିକ ୧୦ଟି ଲେଖାଏଁ ପୁରସ୍କାର ପାଇବାକୁ ମନୋନୀତ ହୋଇଛି । ସେହିପରି ୨୧ରେ ‘ତୃଷ୍ଣା’ ଓ ‘ଚକ୍ଷୁବନ୍ଧନ’ ସର୍ବାଧିକ ୬ଟି ଲେଖାଏଁ ଏବଂ ୨୦୨୨ରେ ଶ୍ରେଷ୍ଠ ଚଳଚ୍ଚିତ୍ର ‘ଦମନ’ ସର୍ବାଧିକ ୫ଟି ପୁରସ୍କାର ପାଇଛି । ଗୁରୁବାର ସଂସ୍କୃତି ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ଘୋଷଣା ପର୍ବରେ ପ୍ରଥମ ଥର ଏକ ଜଉମୁଦ ବାକ୍ସରେ ଥିବା ମୁଦା ଲଫାପାରୁ ତାଲିକା ବାହାର କରାଯାଇଥିଲା। ଜୁରୀ ଅଧ୍ୟକ୍ଷ ସବ୍ୟସାଚୀ ମହାପାତ୍ର ତାଲିକା ଯାଞ୍ଚ ପରେ ମନ୍ତ୍ରୀ ଶ୍ରୀ ସୂରଜ ମନୋନୀତଙ୍କ ନାଁ ଘୋଷଣା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଭାଗୀୟ ସଚିବ ବିଷ୍ଣୁପଦ ସେଠୀ, ନିର୍ଦ୍ଦେଶକ ବିଜୟ କେତନ ଉପାଧ୍ୟାୟ, ପର୍ଯ୍ୟଟନ ନିର୍ଦ୍ଦେଶକ ସମର୍ଥ ବର୍ମା, ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମର ଅଧିକାରୀ (ଓଏଫ୍‌ଡିସି) ଓ ସଂସ୍କୃତି ବିଭାଗ ଅଧିକାରୀ ଉପସ୍ଥିତ ଥିଲେ । 

ପୁରସ୍କାର କେବେ ବି ଇନ୍‌ସେଣ୍ଟିଭ୍‌ ବୋଲି ଭାବିନି 

ଖୁସି ଲାଗୁଛି । ଜଣେ ସୃଜନଶୀଳ ବ୍ୟକ୍ତି ପାଇଁ ପୁରସ୍କାର ଇନ୍‌ସେଣ୍ଟିଭ୍‌ ବୋଲି ମୁଁ ଭାବିନି । ୧୯୫୮ରୁ ଅଭିନୟ ଜୀବନ ଆରମ୍ଭ କରିଥିଲି । ଏବେ ମୋ ସମସାମୟିକ କେହି ନାହାନ୍ତି । ଅଭିନୟ, ନିର୍ଦ୍ଦେଶନାରେ ମୋର ଯାତ୍ରା ଜାରି ରହିଛି, ରହିବ । 

- ଅନନ୍ତ ମହାପାତ୍ର, ବିଶିଷ୍ଟ ଲେଖକ, ନିର୍ଦ୍ଦେଶକ ଓ ନାଟ୍ୟକାର 

ଟଙ୍କା ପାଇଁ ଧାଇଁଲେ କାମ ଭଲ ହେବନି 

ବିଳମ୍ବ ହେଉ ପଛେ ପୁରସ୍କାର ପାଇ ଆନନ୍ଦ ଲାଗୁଛି । ସରକାରଙ୍କ ସହିତ ସମସ୍ତଙ୍କୁ ଧନ୍ୟବାଦ ଜଣାଇବି । ନିଜ କାମକୁ ଭଲ ଭାବେ କରିବା ଦରକାର । ଆଜିକାଲି କେବଳ ଟଙ୍କା ପାଇଁ କାମ କରୁଛନ୍ତି, ଯାହାକି ଉଚିତ ନୁହେଁ । - ଶ୍ରୀନିବାସ ମହାପାତ୍ର, ବିଶିଷ୍ଟ ଚିତ୍ର ଉତ୍ତୋଳନକାରୀ 

ବିଳମ୍ବ ହୋଇଛି, ଚଳିବ 

ପୁରସ୍କାର ପାଇ ଭଲ ଲାଗୁଛି । ଏଥିପାଇଁ ସରକାର, ସମସ୍ତ ଜୁରୀ, ବ୍ୟକ୍ତିବିଶେଷଙ୍କୁ ଧନ୍ୟବାଦ ଜଣାଉଛି । ସାଧନାର ପ୍ରତୀକ ସ୍ୱରୂପ ଏହି ପୁରସ୍କାର ଅନେକ ବିଳମ୍ବ ହୋଇଛି । ତଥାପି ଚଳିବ । ସରକାର ଯୋଗ୍ୟ ଭାବି ଦେଇଥିବାରୁ ଧନ୍ୟବାଦ ଜଣାଇବି । 

- ଜୟୀରାମ ସାମଲ, ବିଶିଷ୍ଟ ହାସ୍ୟ ଅଭିନେତା 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.