ନୂଆଦିଲ୍ଲୀ,୩।୩: ଇରାନ ଓ ଆମେରିକା ଯୁଦ୍ଧର ପ୍ରଭାବ ପୁରା ଦୁନିଆ ଉପରେ ପଢିଛି। ବିଶେଷ ଭାବରେ ତେଲ ଯୋଗାଣ ଉପରେ ପଡିପାରେ। ଷ୍ଟ୍ରେଟ ଅଫ୍ ହୋର୍ମୁଜ ମାର୍ଗକୁ ଇରାନ ବନ୍ଦ କରିଥିବା ଖବର ଆସୁଛି। ଏଭଳି ହେଲେ ତେଲ ଟ୍ୟାଙ୍କରର ଯିବା ଆସିବାରେ ୮୦%ରୁ ଅଧିକ ହ୍ରାସ ଦେଖିବାକୁ ମିଳିଛି। ଏହା ସହ ଜଳମାର୍ଗରେ ଶତାଧିକ ଟ୍ୟାଙ୍କରର ଲମ୍ବା ଜାମ୍ ଲାଗି ରହିଛି। ସବୁଠାରୁ ଖାସ୍ କଥା ଏହା ଯେ,ଘଟଣାକ୍ରମ ଏଭଳି ସମୟରେ ଆସିଛି,ଯେତେବେଳେ ଇରାନ ରିଭୋଲ୍ୟୁସନାରୀ ଗାର୍ଡସ ଷ୍ଟ୍ରେଟ ଅଫ୍ ହୋର୍ମୁଜ ବନ୍ଦ କରିବାର ଘୋଷଣା କରିଛି।

ଇରାନ କମାଣ୍ଡର-ଇନ୍-ଚିଫଙ୍କ ପରାମର୍ଶଦାତା ଇବ୍ରାହିମ୍ ଜାବାରୀ କହିଛନ୍ତି ‘ଷ୍ଟ୍ରେଟ ଅଫ୍ ହୋର୍ମୁଜ ମାର୍ଗକୁ ବନ୍ଦ କରି ଦିଆଯାଇଛି। ଯଦି କେହି ସେହି ଅଞ୍ଚଳ ଦେଇ ଯିବାକୁ ଚେଷ୍ଟା କରନ୍ତି, ତେବେ ରିଭଲ୍ୟୁସନରୀ ଗାର୍ଡର ହିରୋ ଏବଂ ନୌସେନା ସେହି ବାଟ ଦେଇ ଯାଉଥିବା ଟ୍ୟାଙ୍କରରେ ନିଆଁ ଲଗାଇ ଦିଆଯାଯିବ। ସେପଟେ ଏନେଇ ଭାରତର ପେଟ୍ରୋଲିୟମ ମନ୍ତ୍ରଣାଳୟ ସୋମବାର କହିଛି, ସ୍ଥିତି ଉପରେ ନଜର ରଖାଯାଇଛି। ଆଗକୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ। କିଭଳି ଉଚିତ ମୂଲ୍ୟରେ ତୈଳ ଆମଦାନୀ କରିହେବ ସେ ନେଇ ଆଲୋଚନା କରାଯିବ। ଏହା ପୂର୍ବରୁ ଫେବୃଆରୀରେ ମନ୍ତ୍ରୀ ହରଦୀପ ସିଂହ ପୁରୀ ସଂସଦରେ ଏକ ପ୍ରଶ୍ନର ଉତ୍ତର ଦେଇ କହିଥିଲେ ଭାରତର ପେଟ୍ରୋଲିୟମ୍ ଭଣ୍ଡାର ୭୪ ଦିନ ପାଇଁ ଯଥେଷ୍ଟ ମାତ୍ରାରେ ରହିଛି।

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଓ୍ବିଣ୍ଡଓ୍ବାର୍ଡ ଆଣ୍ଡ କେପଲର କମ୍ପାନୀ କହିଛି ୧ ମାର୍ଚ୍ଚରେ କେବଳ ତିନି ଟ୍ୟାଙ୍କର ହୋମୁର୍ଜା ଦେଇ ଯାଇଥିଲା। ଏଥିରେ ୨୮ ଲକ୍ଷ ବ୍ୟାରେଲ ତେଲ ଥିଲା। ୨ ମାର୍ଚ୍ଚରେ କେବଳ ଏକ ଛୋଟ ଟ୍ୟାଙ୍କର ଓ ଏକ ଛୋଟ କାର୍ଗୋ ଜାହାଜ ଏଠାରୁ ଯାଇଥିଲା। ଖବର ରହିଛି ଯେ, ପ୍ରାୟ ୭୦୬ ଅଣ ଇରାନୀ ଟ୍ୟାଙ୍କର ଷ୍ଟ୍ରେଟର ଦୁଇ ପଟେ ଫଶି ରହିଛି। ଏଥିରେ ୩୩୪ କ୍ରୁଡ୍ ନେଉଛନ୍ତି। ୧୦୯ ଡର୍ଟି ପ୍ରଡକ୍ଟ ଟ୍ୟାଙ୍କର ରହିଛି ଓ ୨୬୩ କ୍ଲିନ୍ ପ୍ରଡକ୍ଟ ଜାହାଜରେ ରହିଛି।

ଶକ୍ତି ବିଶ୍ଲେଷଣ କମ୍ପାନୀ ରିଷ୍ଟାଣ୍ଟ ଏନର୍ଜି କହିଛି ପ୍ରତିଦିନ ପ୍ରାୟ ୧.୫ କୋଟି ବ୍ୟାରେଲ ଅର୍ଥାତ ବିଶ୍ବ ଯୋଗାଣରେ ପ୍ରାୟ ୨୦% ଅଶୋଧିତ ତୈଳ ହୋମୁର୍ଜ ଜଳଡମ୍ବରୁ ମଧ୍ୟ ଦେଇ ଗତି କରିଥାଏ। ଏହି ତୈଳ ମାର୍ଗ ବିଶ୍ବର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ‘ଚେକ୍ ପଏଣ୍ଟ’ ରଣନୈତିକ ମାର୍ଗ ମନେକରାଯାଏ। ହୋମୁର୍ଜ ଉତ୍ତର ଇରାନରେ ରହିଛି,ସେଭଳି ଏହି ରାସ୍ତା ଦେଇ ସାଉଦି ଆରବ,କୁଏତ,ଇରାକ,କତର,ବାହାରିନ ଏବଂ ୟୁଏଇ ଇରାନରୁ ତୈଳ ଏବଂ ଗ୍ୟାସ୍ ଆମଦାନୀ ହୁଏ। କାରବାରୀଙ୍କୁ ଆଶାଙ୍କା ରହିଛି,ଏହାଦ୍ବାରା ପଶ୍ଚିମ ଏସିଆ ଏବଂ ଅନ୍ୟ ଦେଶକୁ ତୈଳ ଯୋଗାଣ ପ୍ରଭାବିତ ହେବ କିମ୍ବା ବନ୍ଦ ହୋଇଯିବ।

ଆହୁରି ପଢନ୍ତୁ : ବ୍ରିଟେନ୍ ଖବର କାଗଜର ଚାଞ୍ଚଲ୍ୟକର ଖୁଲାସା: ହ୍ୟାକ୍ ହୋଇଥିଲା ଟ୍ରାଫିକ୍ କ୍ୟାମେରା, ପ୍ରତି କ୍ଷଣ ନଜର ରଖିଥିଲା ଇସ୍ରାଏଲ