ଭୁବନେଶ୍ୱର, ୨୨/୦୫ : ଦେଶରେ ଆଉ ଅନାମଧନ୍ୟ କ୍ଲିନିକ୍‌ ଓ ବିଉଟି ପାର୍ଲରରେ ସୌନ୍ଦର୍ଯ୍ୟ ବଢ଼ାଉଥିବା ବା ବାର୍ଦ୍ଧକ୍ୟ ରୋକୁଥିବା ‘ଇଞ୍ଜେକ୍ସନ୍‌’ ଦେଇପାରିବେ ନାହିଁ । ଏହି ଇଞ୍ଜେକ୍ସନ୍‌ କସମେଟିକ୍ସ ଦ୍ରବ୍ୟ ଭାବେ ବ୍ୟବହାର କରାଯାଇପାରିବ ନାହିଁ । ଏହାକୁ ମେଡିସିନ୍‌ ଭାବେ ବ୍ୟବହାର କରାଯିବ । କେବଳ ଲାଇସେନ୍ସପ୍ରାପ୍ତ କ୍ଲିନିକ୍‌ ବା ସ୍ୱତନ୍ତ୍ର ଡିଗ୍ରୀଧାରୀ ଡାକ୍ତର ହିଁ ଇଞ୍ଜେକ୍ସନ୍‌ ଦେଇପାରିବେ । କେବଳ ମେଡିସିନ୍‌ ଦୋକାନରେ ଇଞ୍ଜେକ୍ସନ୍‌ ବିକ୍ରି ହୋଇପାରିବ । କସ୍‌ମେଟିକ୍ସ ଦୋକାନରେ ନୁହେଁ । ସେଣ୍ଟ୍ରାଲ୍‌ ଡ୍ରଗ୍‌ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍‌ ଅର୍ଗାନାଇଜେସନ୍‌ (ଡିଜିଏସ୍‌ସିଓ) ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶାରେ ଏଭଳି ବେଆଇନ କସ୍‌ମେଟିକ୍ସ ବ୍ୟବହାର ଉପରେ କଡ଼ା ପଦକ୍ଷେପ ଗ୍ରହଣ କରାଯିବ ।

ଏନେଇ ରାଜ୍ୟ ଡ୍ରଗ୍ସ କଣ୍ଟ୍ରୋଲର ମାମିନା ପଟ୍ଟନାୟକ କହିଛନ୍ତି, ରାଜ୍ୟରେ କସ୍‌ମେଟିକ୍ସ ଦୋକାନ ଉପରେ ଜୋରଦାର ଚଢ଼ାଉ ହେବ । ସେଥିପାଇଁ ସମସ୍ତ ଡ୍ରଗ୍‌ସ ଇନ୍ସପେକ୍ଟରଙ୍କୁ ଆଜି ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟରେ ବଡ଼ ଧରଣର ଛାପା ମାରିବା ପାଇଁ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯିବ । ସେଥିପାଇଁ ସ୍ୱତନ୍ତ୍ର ରୂପରେଖ ପ୍ରସ୍ତୁତ କରାଯିବ । ସେହିପରି ବେଆଇନ୍‌ କ୍ଲନିକ୍‌ ଓ ପାର୍ଲର ଉପରେ ଚଢ଼ଉ କରାଯିବ । ପୂର୍ବରୁ ଯେଉଁଭଳି ଏମ୍‌ଟିପି କିଟ୍‌ ବିକ୍ରି ଉପରେ ଜୋରଦାର ଧରପଗଡ଼ କରାଯାଇଥିଲା । ଠିକ୍‌ ସେହିପରି ବିନା ଡାକ୍ତରରେ ଚାଲୁଥିବା କ୍ଲିନିକ୍‌ ଓ ପାଲର ଉପରେ ଛାପା ମରାଯିବ ବୋଲି ସେ ସୂଚନା ଦେଇଛନ୍ତି ।

ଚର୍ମ ରୋଗ ବିଶେଷଜ୍ଞ ଡାକ୍ତର ରବି ନାରାୟଣ ନନ୍ଦ କହିଛନ୍ତି, କେବଳ ସ୍ୱୀକୃତିପ୍ରାପ୍ତ କ୍ଲିନିକ୍‌ ବା ଡାକ୍ତର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଏହି ଇଞ୍ଜେକ୍ସନ୍‌ ଦେଇପାରିବେ । ବିଉଟି ପାର୍ଲର ଓ ଡର୍ମୋଟୋଲୋଜିଷ୍ଟ୍‌ ବିନା ବେଆଇନ୍‌ କ୍ଲିନିକମାନେ ଦେଇପାରିବେ ନାହିଁ । ସେମାନେ କେବଳ କସ୍‌ମେଟିକ୍ସକୁ ଲୋକଙ୍କ ଦେହରେ ଲଗାଇପାରିବେ । ଏହାକୁ କେବଳ ମେଡିକାଲ ଜନିତ ବ୍ୟବହାର କରାଯିବ । ବିଶେଷ କରି ପାର୍ଲର କିମ୍ବା ବେଆଇନ କ୍ଲିନିକ୍‌ରେ ଲୋକମାନେ ଇଞ୍ଜେକ୍ସନ୍‌ ଦେଉଛନ୍ତି । ଯାହାଫଳରେ ଏହା ପାର୍ଶ୍ୱ ପ୍ରତିକ୍ରିୟା ହେଉଥିଲା, ମୁହଁ ଫଳି ଯାଉଥିଲା ଓ ବେଳେବେଳ ରୋଗୀ ମୃତ୍ୟୁବରଣ କରୁଥିଲା । ସେମାନେ କେବଳ ଇଞ୍ଜେକ୍ସନ ଦେଇପାରିବେ । ହେଲେ ଏହାର ପରବର୍ତ୍ତୀ ସମୟରେ କଣ ଅସୁବିଧା ହେଲେ ସେମାନେ କିଛି କରିପାରିନେ ନାହିଁ । କିନ୍ତୁ ଯଦି ଜଣେ ସ୍ୱୀକୃତିପ୍ରାପ୍ତ ଡାକ୍ତରଠାରୁ ଇଞ୍ଜେକ୍ସନ୍‌ ନିଏ, ତାହାଲେ ଯଦି କୌଣସି ପାଶ୍ୱର୍ପ୍ରତିକ୍ରିୟା ଦେଖାଦେଲା ଚିକିତ୍ସା କରିପାରିବେ ବୋଲି ସେ କହିଛନ୍ତି ।

ଡିଜିଏସ୍‌ସିଓ କହିଛନ୍ତି, ଇଞ୍ଜେକ୍ସନ ଆକାରରେ ଆସୁଥିବା ଉତ୍ପାଦଗୁଡ଼ିକ ଡ୍ରଗ୍‌ସ ଆଣ୍ଡ କସମେଟିକ୍ସ ଆକ୍ଟ, ୧୯୪୦ ଅନୁଯାୟୀ କସମେଟିକ୍ସ ଶ୍ରେଣୀଭୁକ୍ତ ନୁହନ୍ତି । ଭାରତର ଡ୍ରଗ୍‌ସ କଣ୍ଟ୍ରାଲର୍‌ ଜେନେରାଲ୍‌ ଡା. ରାଜୀବ ସିଂ ରଘୁବଂଶୀଙ୍କ ଦ୍ୱାରା ଜାରି କରାଯାଇଥିବା ଏହି ନୋଟିସରେ କୁହାଯାଇଛି, କୌଣସି ବି ଏଭଳି ସାମଗ୍ରୀକୁ ଗ୍ରାହକ, ପେସାଦାର କିମ୍ବା ସୌନ୍ଦର୍ଯ୍ୟ କ୍ଲିନିକ୍‌ମାନଙ୍କ ଦ୍ୱାରା ଇଞ୍ଜେକ୍ସନ ଭାବରେ ବ୍ୟବହାର କରିବାକୁ ଅନୁମତି ନାହିଁ । ଆଇନଗତ ଭାବେ କସମେଟିକ୍ସ ଜିନିଷ କେବଳ ସଫା କରିବା, ସୌନ୍ଦର୍ଯ୍ୟକରଣ କରିବା, ଆକର୍ଷଣୀୟତା ବଢ଼ାଇବା କିମ୍ବା ରୂପରେ ପରିବର୍ତ୍ତନ ଆଣିବା ପାଇଁ ଉଦ୍ଦିଷ୍ଟ । ଏହାକୁ ବ୍ୟକ୍ତିବିଶେଷଙ୍କ ଦ୍ୱାରା ଚିକିତ୍ସା ଭାବରେ ବ୍ୟବହାର କରାଯାଇପାରିବ ନାହିଁ । କମ୍ପାନିମାନେ ମିଛ ଓ ବିଭ୍ରାନ୍ତିକର ବିଜ୍ଞାପନ ଦେଇପାରିବ ନାହିଁ । ଏହି ଇଞ୍ଜେକ୍ସନ ଆକାରରେ ପ୍ରୟୋଗ କରିବା ‘ଡ୍ରଗ୍‌ସ ଆଣ୍ଡ କସମେଟିକ୍ସ ଆକ୍ଟ’ ଏବଂ ‘କସମେଟିକ୍ସ ରୁଲ୍‌ସ, ୨୦୨୦’ ଅନୁଯାୟୀ ନିୟମର ଉଲ୍ଲଂଘନ ବୋଲି ବିବେଚନା କରାଯିବ ।

ଏହି ଖବରଟିକୁ ପଢନ୍ତୁCHSE error : ଇଂରାଜୀରେ ୧୦୦ରୁ ୧୦୨ ନମ୍ଵର ରଖିଲେ ଛାତ୍ର, CHSEର ସାଙ୍ଘାତିକ ତ୍ରୁଟି