ଜଗତସିଂହପୁର,୧୬/୦୫: କଲେଜ ପଢୁଆ ଛାତ୍ରୀଙ୍କୁ ପ୍ରେମରେ ଫସାଇ ବ୍ଲାକମେଲ କରୁଥିବା ଦୁଇ ଭାଇଙ୍କୁ ଗିରଫ କରିଛି ଜଗତସିଂହପୁର ପୁଲିସ । ଅଭିଯୁକ୍ତ ଦୁଇ ଭାଇ ହେଉଛନ୍ତି ଜଗତସିଂହପୁର ଥାନା ଇଛାପୁର ଗ୍ରାମର ଜ୍ଞାନ ରଞ୍ଜନ ନାୟକ ଓ ବିଶ୍ୱ ରଞ୍ଜନ ନାୟକ । ଉଭୟ ଭାଇ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ସହ ବ୍ଲାକମେଲ କରିଥିବା ଅଭିଯୋଗ ହୋଇଛି। ଅଶ୍ଳୀଳ ଫଟୋକୁ ରଖି ବ୍ଲାକମେଲ କରି ବାରମ୍ବାର ଶାରୀରିକ ସମ୍ପର୍କ ରଖି ଗର୍ଭବତୀ କରିଥିଲେ । ଏହାପରେ କଟକ ସିଡିଏ ୯ର ଏକ ଭଡାଘରେ ୫ ଦିନ ରଖି ବଳ ପୂର୍ବକ ଗର୍ଭ ନଷ୍ଟ କରିଛନ୍ତି। ଏମିତିକି ଯୁବତୀଙ୍କୁ ବ୍ଲାକମେଲ କରି ତାଙ୍କ ପରିବାର ଠାରୁ ଦୁଇ ଲକ୍ଷ ଟଙ୍କା ନେଇଥିବା ଅଭିଯୋଗ ହୋଇଛି।

ଆହୁରି ପଢନ୍ତୁ-Cuttack Fire: ମାଛୁଆ ବଜାର LIC ଅଫିସରେ ଅଗ୍ନିକାଣ୍ଡ, ଜଳିଗଲା କମ୍ପ୍ୟୁଟର ଓ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର

ପୁଲିସ ସୂଚନା ମୁତାବକ, ଦୁଇ ଅଭିଯୁକ୍ତ ଏମିତି ଅନେକ ଯୁବତୀଙ୍କୁ ପ୍ରଥମେ ସୋସିଆଲ ମେଡ଼ିଆ ଜରିଆରେ ପରିଚିତ ହୋଇ ନିବିଡ଼ତା ବଢ଼ାଇଛନ୍ତି ।ପରେ ପ୍ରେମ ଜାଲରେ ଫସାଇ ଶାରୀରିକ ସମ୍ପର୍କ ଏବଂ ସେଇ ଅନ୍ତରଙ୍ଗ ମୁହୂର୍ତ୍ତର ଅଶ୍ଳୀଳ ଫଟୋକୁ କରାୟତ କରି ଟଙ୍କା ନେଇଛନ୍ତି। ସେଇ ଟଙ୍କାରେ ଭୁବନେଶ୍ୱର ଖଣ୍ଡଗିରି ସୌଭାଗ୍ୟନଗରରେ ଭଡା ଘର ନେଇ ଭଲ ଜୀବନ କାଟିବା ସହ ନିୟମିତ ଗୋଆ ଯାଇ ଭରପୁର ମନୋରଞ୍ଜନ କରିଛନ୍ତି । ସାମାଜିକ ପ୍ରତିଷ୍ଠା, ପରିବାରର ସମ୍ମାନ କୁ ଜଗି ଏବେ ଯାଏ କେହି ପୀଡିତା ଆଇନର ଆଶ୍ରୟ ନେଇ ନଥିଲେ । କିନ୍ତୁ ଦୁଇ ଦିନ ତଳେ ଜଗତସିଂହପୁର ଜିଲ୍ଲାର ଜଣେ ଯୁବତୀ ଏହି ଦୁଇ ଯୁବକ ତଥା ଭାଇଙ୍କ ବିରୋଧରେ ଜଗତସିଂହପୁର ଥାନାରେ ଏତଲା ଦେବା ପରେ ପୁଲିସ ୨୪ ଘଣ୍ଟା ଭିତରେ ଏମାନଙ୍କୁ ଗିରଫ କରିଛି। ଏକ ସାମ୍ବାଦିକ ସମ୍ମିଳନୀରେ ଏସପି ଅଙ୍କିତ କୁମାର ବର୍ମା ଏହି ମାମଲା ଉପରେ ସୂଚନା ଦେଇଛନ୍ତି।