ଭୁବନେଶ୍ୱର, ୧୦/୦୭ : ବେପାର ଛାଡି ଚାଷ ଆପଣାଇଲେ। ପୈତୃକ ଜମିରେ ଧାନ ଚାଷ କଲେ। ହେଲେ ପ୍ରଥମ ବର୍ଷରୁ ହିଁ କ୍ଷତି ସହିବାକୁ ପଡ଼ିଲା। ୧ ଏକର ଜମିରେ ହୋଇଥିବା ଧାନ ବନ୍ୟା ପାଣିରେ ଧୋଇଗଲା । ପରବର୍ଷ ଅଧେ ଧାନ ବାଳୁଙ୍ଗା ହୋଇଗଲା । କ୍ଷତି ଏମିତି ହେଲା ଯେ, ଋଣ ପରିଷୋଧ କରିବା ସମ୍ଭବ ହେଲାନି । ଘରେ ଅଶାନ୍ତି ଲାଗିରହିଲା । ଜୀବନ ହାରିଦେବାକୁ ମଧ୍ୟ ଭାବିଥିଲେ । ହେଲେ ଏଭଳି ଘଡିସନ୍ଧି ସମୟରେ ମାଛ ତାଙ୍କ ଜୀବନରେ ଖୁସି ଆଣିଦେଇଥିଲା । ଯେଉଁ ଜମିରେ ଧାନଚାଷ ହେଉଥିଲା, ସେଠାରେ ପୋଖରୀ ଖୋଳି ମାଛଚାଷ କଲେ । ପ୍ରଥମ ବର୍ଷ ଏକ କୁଇଣ୍ଟାଲ ମାଛ ବାହାରିଥିଲା । ଯାହାକୁ ସେ ବଜାରରେ ବିକ୍ରି କରି ଋଣ ଟଙ୍କା ପରିଷୋଧ କଲେ । ଏବେ ସେ ମାଛ ଚାଷକୁ ନିଜର ପେଷା କରିଛନ୍ତି । ଏଭଳି ଜଣେ ସଫଳ ମାଛଚାଷୀ ହେଲେ ଭୁବନେଶ୍ୱର ବାଲିପାଟଣାର ଜ୍ଞାନରଞ୍ଜନ ଦାସ ।
ଜ୍ଞାନରଞ୍ଜନ ୨୦୧୯ରୁ ମାଛ ଚାଷ କରୁଛନ୍ତି । ମନରେଗାରେ ଆବେଦନ କରି ୫୦ହଜାର ଟଙ୍କା ପାଇଥିଲେ । ଏହି ଟଙ୍କାରେ ସେ ପୋଖରୀ ଖୋଳିଥିଲେ । ପରେ କୌଶଲ୍ୟାଗଙ୍ଗ ସ୍ଥିତ ଭାକୃଅନୁପ- ସିଫା ଓ ଅନ୍ୟାନ୍ୟ ସ୍ଥାନରୁ ରୋହି, ଭାକୁର ସହ ମିରିକାଳୀ ମାଛ ଯାଆଁଳ ଆଣି ପୋଖରୀରେ ଛାଡ଼ିଥିଲେ । ବିଭିନ୍ନ ଏନ୍ଜିଓ ସହ ସିଫାର ତାଲିମ ମାଧ୍ୟମରେ ମାଛଚାଷ ସମ୍ପର୍କରେ ଜାଣିଥିଲେ । ପରେ ସିଫାରେ ମାଟି ଓ ପାଣି ପରୀକ୍ଷା କରିଥିଲେ । ମାଛଙ୍କ ବିଭିନ୍ନ ରୋଗ ବିଷୟରେ ପାଠ ପଢ଼ି ପରୀକ୍ଷା ଦେଇଥିଲେ । ପାସ୍ କଲା ପରେ ତାଙ୍କୁ ମାଛଚାଷୀ ଭାବେ ଏକ ପ୍ରମାଣପତ୍ର ମିଳିଲା । କରୋନା ସମୟରେ ସବୁ ଠପ୍ ହୋଇଯାଇଥିବା ବେଳେ ସେ ସମ୍ପୂର୍ଣ୍ଣ ୧ ଏକର ଜମିରେ ଆଉ ପୋଖରୀ ଖୋଳି ମାଛ ଯାଆଁଳ ଛାଡ଼ିଲେ । ୨୦୨୩-୨୪ରେ ସେ ୪ କୁଇଣ୍ଟାଲ ମାଛ ପାଇଥିଲେ । ଚଳିତବର୍ଷ ୧୩ କୁଇଣ୍ଟାଲ ଯାଆଁଳ ଛାଡ଼ିଛନ୍ତି । ସେଥିରେ ଗ୍ରାସ କ୍ରାପ, ସିଲଭର କ୍ରାପ୍ ରହିଛି । ତେଣୁ ଅଧିକ ମାଛ ଉତ୍ପାଦନ ହେବାର ଆଶା ରଖିଛନ୍ତି ।
ଜର୍ମାନୀର ଏକ ଟିମ୍ ନିକଟରୁ ସେ ଜୈବିକ ପ୍ରଣାଳୀରେ ମାଛଙ୍କ ଖାଦ୍ୟ ପ୍ରସ୍ତୁତ ଶିଖିଛନ୍ତି । ସେଥିରେ ଗୁଡରେ ସେ ଖାଦ୍ୟ ତିଆରି କରି ମାଛଙ୍କୁ ଦେଉଛନ୍ତି । ବାଦାମ ପିଡିଆ, କୁଣ୍ଡା ମଧ୍ୟ ଦେଉଛନ୍ତି । ବର୍ଷକୁ ସେ ୨ରୁ ୩ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ଜ୍ଞାନ କହିଛନ୍ତି, ମାଛଚାଷ ସହ ପୋଖରୀ ହୁଡ଼ାରେ ବାଇଗଣ, ଭେଣ୍ଡି, ଜହ୍ନି, କାକୁଡ଼ି, କଲରା, କଦଳୀ ଆଦି ଚାଷ କରିଛନ୍ତି । ଉଭୟ ମାଛ ସହ ପରିବା ମଧ୍ୟ ବେଶ୍ ଭଲ ଉତ୍ପାଦନ ହେଉଛି । ସେସବୁ ଘରେ ଖାଇବା ସହ ବଜାରରେ ବିକ୍ରି କରୁଛନ୍ତି । ତାଙ୍କ ଅଧୀନରେ ଏବେ ୨୦ଜଣ ମାଛଚାଷ କରୁଛନ୍ତି । ଏଥିସହ ସେ ଗାଁ ଗାଁ ବୁଲି ମହିଳା, ପୁରୁଷ ଏବଂ ସ୍କୁଲ, କଲେଜ ଛାତ୍ରଛାତ୍ରୀଙ୍କୁ ମାଛ ଚାଷ ତାଲିମ ଦେଉଛନ୍ତି ।