ବ୍ରହ୍ମପୁର, ୨୮/୦୪  : ବ୍ରହ୍ମପୁର ପ୍ଲଟ ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ମାମଲା। ଅପହରଣକାରୀ ଓ ମୃତକ ସୁଧୀରଙ୍କ ପତ୍ନୀ ରଶ୍ମିତାଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତାର ଅଡିଓ କ୍ଲିପ୍ ଭାଇରାଲ୍। ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ସତ। ସ୍ତ୍ରୀ ସହ କରିଥିଲେ ସ୍ଵାମୀ ଜୀବନର ସଉଦା। ସୁଧୀରଙ୍କୁ ମାରିବାକୁ ୫୦ ଲକ୍ଷ ଟଙ୍କାର ସୁପାରୀ ମିଳିଥିବା କହିଥିଲେ ଅପହରଣକାରୀ। ସ୍ଵାମୀ ବଦଳରେ ଏକ କୋଟି ଟଙ୍କା ଧରି ଆସିକା ଆସିବାକୁ ରଶ୍ମିତାଙ୍କୁ କହିଥିଲା ଅଭିଯୁକ୍ତ। ଟଙ୍କା ନାହିଁ ବୋଲି ରଶ୍ମିତା ମନା କରିବାରୁ ବେକରେ ପିନ୍ଧିଥିବା ୧୦ ତୋଳା ସୁନା ଦେବାକୁ କହିଥିଲା ନୃଶଂସ। ଯାହାକୁ ନେଇ କିଛି ସମୟ ଯାଏଁ ରଶ୍ମିତା ଓ ଅପହରଣକାରୀଙ୍କ ମଧ୍ୟରେ ହୋଇଥିଲା ଯୁକ୍ତିତର୍କ। 

ସୁଧୀର ସବୁ ଟଙ୍କା ବ୍ୟାଙ୍କ ଲକରରେ ରଖିଥିବା ଅଭିଯୁକ୍ତକୁ କହିଥିଲେ ରଶ୍ମିତା। ହେଲେ ଅଭିଯୁକ୍ତ ଏହି କଥାକୁ ମାନି ନଥିଲା। ରଶ୍ମିତା ଓ ଝିଅ ଲଗାଇଥିବା ସବୁ ସୁନା ଆଣି ଦେବା ପାଇଁ କହିଥିଲା। କେସ୍ କଲେ କିମ୍ଵା କଥା ଲିକ୍ ହେଲେ ଭଲ ହେବନି ବୋଲି ଚେତାବନୀ ଦେଇଥିଲା ଅପହରଣକାରୀ। ଏଥିରେ ଭୟଭୀତ ହୋଇ ରଶ୍ମିତା ସୁନା ଟଙ୍କା ବଦଳରେ ସ୍ଵାମୀଙ୍କୁ ଫେରାଇ ଦେବାକୁ ନେହୁରା ହୋଇଥିଲେ। ଏହାପରେ ଅଭିଯୁକ୍ତ ରଶ୍ମିତାଙ୍କୁ ନିଜେ ପିନ୍ଧିଥିବା ସୁନା ସହ ଘରେ ରଖିଥିବା ସୁନାକୁ ମଧ୍ୟ ସାଙ୍ଗରେ ଧରି ଆସିକା ଆସିବାକୁ କହିଥିଲା। ଆସିକା ଆସିବା ପରେ ଆଉ କିଛି ସହଯୋଗୀ ତାଙ୍କୁ ପିଛା କରିବେ। କୌଣସି ଭୁଲ୍ ହେଲେ ଭଲ ହେବନି ବୋଲି ଚେତାବନୀ ଦେଇଥିଲା ହତ୍ୟାକାରୀ। ହେଲେ ପରବର୍ତ୍ତୀ ସମୟରେ ଅଭିଯୁକ୍ତମାନେ କଥା ବଦଳାଇଥିଲେ। କାର୍ ବଦଳରେ ବାଇକ୍ ରେ ଆସିବାକୁ କହିଥିଲେ। ଆସିକା ଆସିବା ମଧ୍ୟରେ ୱାଟସଆପ୍ ନମ୍ବରରେ କଲ କରିବୁ ନେଟ୍ ଅନ୍ କରି ରଖିଥାଅ ବୋଲି ରଶ୍ମିତାଙ୍କୁ କହିଥିଲେ ଅଭିଯୁକ୍ତମାନେ। 

ପ୍ଲଟ୍‌ ବ୍ୟବସାୟୀ ସୁଧୀର ପାତ୍ର ଅପହରଣ ଓ ହତ୍ୟା ମାମଲାରେ ପୁଲିସ ସୋମବାର ସମସ୍ତ ଅଭିଯୁକ୍ତଙ୍କୁ ମୁହାଁମୁହିଁ ଜେରା କରିଛି । ଗୋଟିଏ ଜାଗାରେ ମୁଖ୍ୟ ଅଭିଯୁକ୍ତ କାଳୁ ଚରଣ ପ୍ରଧାନ, ସୁପାରି କିଲର୍‌ ସୂର୍ଯ୍ୟପ୍ରତାପ ସିଂହ ଓରଫ୍‌ ଗୋଲୁ, ନାରାୟଣ ପ୍ରଧାନ, ଜିତୁନ୍‌ ପଲେଇ, ଆଶିଷ ମହାପାତ୍ରଙ୍କୁ ଏକାଠି ଜେରା କରିଛନ୍ତି ଏଏସ୍‌ପି ଆଲୋକ କୁମାର ଜେନା । ଅଭିଯୁକ୍ତମାନେ କେହି କାହା ସହ ପୂର୍ବରୁ ପରିଚିତ ନ ଥିଲେ । କାଳୁ ହିଁ ସମସ୍ତଙ୍କୁ ଏକାଠି କରିଥିଲେ ଏବଂ ସମସ୍ତ ଅପରାଧର ଡାଏଗ୍ରାମ୍‌ ଆଙ୍କିଥିଲେ । ରବିବାର ଗୋପାଳପୁର ଥାନା ଅଞ୍ଚଳର ବଣଗାଁ, ବୁଗୁଡ଼ା ଥାନା ଅନ୍ତର୍ଗତ ରାମପାଦ ଓ ସୋରଡ଼ା ଥାନା ଅନ୍ତର୍ଗତ ଗାଜଲବାଡ଼ି- କରଡ଼ାବାଡ଼ି ରାସ୍ତାର ରାଶିପଙ୍କାଳ ବ୍ରିଜ୍‌ ନିକଟ ଜଙ୍ଗଲରେ ସିନ୍‌ ରି-କ୍ରିଏସନ୍‌ ସରିଥିଲା । ଅଭିଯୁକ୍ତମାନେ ଦୁଇଟି ମାଉଜର୍‌ ରାମପାଦ ନିକଟ ବାଘୁଆ ଡ୍ୟାମ୍‌ରେ ଫିଙ୍ଗିଛନ୍ତି । ଅଗ୍ନିଶମ ବିଭାଗ ଦୁଇ ଦିନ ହେଲା ବାଘୁଆ ଡ୍ୟାମ୍‌ ଭିତରେ ବଡ଼ ବଡ଼ ଚୁମ୍ବକ ଲଗାଇ ମାଉଜର ଖୋଜୁଛି । ସୋମବାର ସନ୍ଧ୍ୟା ପର୍ଯ୍ୟନ୍ତ କିଛି ମିଳି ନାହିଁ । 

ଅନ୍ୟପକ୍ଷରେ ଜେଲ୍‌ରେ ସୁଧୀରଙ୍କ ଝିଆରୀ ନିବେଦିତା ଏବଂ ପୁତୁରା ତୁଷାର ଅଛନ୍ତି । ସେମାନଙ୍କୁ ପୁଲିସ ଜେରା କରିବା ପାଇଁ ରିମାଣ୍ଡ୍‌ରେ ନେଇପାରେ । କାଳୁଚରଣ ଜଣେ ଗ୍ରାଜୁଏଟ୍‌, ସେ ଏକ ଘରୋଇ ବ୍ୟାଙ୍କର କ୍ରେଡିଟ୍‌ କାର୍ଡ ବିଭାଗରେ କାମ କରୁଥିଲେ । ସେଠାରୁ ସେ ଚାକିରି ଛାଡ଼ିବା ପରେ ଘରେ ଥିଲେ ଏବଂ ସେ ସାଇବର୍‌ ଏକ୍ସପର୍ଟ । କାଳୁର ଭାଇ ଠକେଇ ମାମଲାରେ ଏବେ ଉତ୍ତରପ୍ରଦେଶର ଏକ ଜେଲ୍‌ରେ ଥିବାବେଳେ ତାକୁ ବାହାର କରିବାକୁ ଟଙ୍କା ଆବଶ୍ୟକ ଥିଲା । ସୁଧୀରଙ୍କୁ ଅପହରଣ କଲେ ଯେଉଁ ଟଙ୍କା ମିଳିଥାନ୍ତା ସେଥିରେ ସେ ଭାଇକୁ ମୁକୁଳାଇବାକୁ ଚାହୁଁଥିଲେ । ଉତ୍ତରପ୍ରଦେଶର ଜେଲ୍‌କୁ କାଳୁ ଯାଉଥିଲେ । ସେହି ଜେଲ୍‌ରେ ଗୋଲୁ ମଧ୍ୟ ରହୁଥିଲେ । ପରେ ଜେଲ୍‌ରୁ ମୁକୁଳିବା ପରେ କାଳୁ ଓ ଗୋଲୁ ମଧ୍ୟରେ ଘନିଷ୍ଠ ସମ୍ପର୍କ ହୋଇଥିଲା । ଯେତେବେଳେ ସୁଧୀରଙ୍କ ଝିଆରୀ ନିବେଦିତା କାଳୁଙ୍କୁ ତାଙ୍କ ପାରିବାରିକ ବିବାଦ ସମ୍ପର୍କରେ କହିଥିଲେ, ସୁଧୀର ବିରୋଧରେ ପ୍ରତିଶୋଧ ନେବା ସହ କିଛି ଟଙ୍କା ନେଇ ଋଣ ପରିଶୋଧ କରିବାକୁ ଯୋଜନା କରିଥିଲେ । ସୁଧୀରଙ୍କୁ ଛାଡ଼ିବାକୁ ଅଭିଯୁକ୍ତମାନେ ଦୁଇ କୋଟି ଟଙ୍କା ମାଗିଥିଲେ । ପରିବାର ରାଜି ହୋଇଥିଲେ । ତଥାପି କାହିଁକି ସୁଧୀରଙ୍କୁ ହତ୍ୟା କରାଗଲା ତାହା ଏବେ ପ୍ରଶ୍ନବାଚୀ । 

ଏହି ଖବରଟିକୁ ପଢନ୍ତୁବନାଗ୍ନି ରୋକିବ ‘ମୋଟର ସାଇକେଲ ମାଉଣ୍ଟେଡ୍‌', ଦୁର୍ଗମ ଇଲାକାରେ ସହଜରେ ପହଞ୍ଚି ପାରିବେ ଅଗ୍ନିଯୋଦ୍ଧା