ବ୍ରହ୍ମପୁର/ଗୋପାଳପୁର, ୩୦/୦୪: ପ୍ଲଟ୍ ବ୍ୟବସାୟୀ ସୁଧୀର ପାତ୍ର ଅପହରଣ ଓ ହତ୍ୟା ମାମଲାରେ ପୁଲିସ ତଦନ୍ତ ଚାଲିଥିବା ବେଳେ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ପ୍ରଥମେ ୫ ଅଭିଯୁକ୍ତଙ୍କୁ ତିନି ଦିନିଆ ରିମାଣ୍ଡରେ ଆଣି ପୁଲିସ ଜେରା କରିଥିଲା । ଏବେ ପୁଣି ୪ ଜଣଙ୍କୁ ଦିନିକିଆ ରିମାଣ୍ଡରେ ଆଣି ଅଧିକ ତଦନ୍ତ କରୁଛି । ପୂର୍ବରୁ କାଳୁ ପ୍ରଧାନ ଓ ସୂର୍ଯ୍ୟ ପ୍ରତାପ ସିଂହଙ୍କୁ ପୁଲିସ ୩ ଦିନିଆ ରିମାଣ୍ଡରେ ଆଣି କ୍ରାଇମ ସିନ ରିକ୍ରିଏସନ କରିଥିଲା । ପୁଲିସ ବୁଧବାର ମୁଖ୍ୟ ଅଭିଯୁକ୍ତ କାଳୁ ଚରଣ ପ୍ରଧାନ, ସୁପାରି କିଲର୍ ସୂର୍ଯ୍ୟପ୍ରତାପ ସିଂହ ଓରଫ୍ ଗୋଲୁ ଏବଂ ସୁଧୀରଙ୍କ ଝିଆରୀ ନିବେଦିତା ପାତ୍ର ଓ ପୁତୁରା ତୁଷାର ପାତ୍ରଙ୍କୁ ଦିନିକିଆ ରିମାଣ୍ଡ୍‌ରେ ନେଇଛି । ଗୋପାଳପୁର ଥାନାରେ ବରିଷ୍ଠ ପୁଲିସ ଅଧିକାରୀମାନେ ମାରାଥନ ଜେରା କରୁଛନ୍ତି । ସେପଟେ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ଅଭିଯୁକ୍ତ ସୂର୍ଯ୍ୟ ପ୍ରତାପ ସିଂ ଆଣିଛି ପୁଲିସ ।ସୂର୍ଯ୍ୟଙ୍କ ଡିଏନଏ ଟେଷ୍ଟ ପାଇଁ ଏମକେସିଜି ମେଡିକାଲର ଏଫଏମଟିକୁ ଅଣାଯାଇଛି। ଡିଏନଏ ଟେଷ୍ଟରେ ହତ୍ୟା ଘଟଣାକୁ ନେଇ ଅନେକ ତଥ୍ୟ ମିଳିପାରେ ।

ସୂଚନା ଅନୁଯାୟୀ, ପ୍ଲଟ୍ ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ମାମଲାର ତଦନ୍ତ ଅଧିକାରୀ ସଦର ଏସ୍ଡିପିଓ ଶୁଭ୍ରାଂଶୁ କୁମାର ପରିଡ଼ା ୪ ଅଭିଯୁକ୍ତଙ୍କୁ ଦୁଇଦିନିଆ ରିମାଣ୍ଡ୍ ପାଇଁ ବ୍ରହ୍ମପୁର ଜେଏମ୍ଏଫ୍‌ସି (ଗ୍ରାମାଞ୍ଚଳ) କୋର୍ଟରେ ଆବେଦନ କରିଥିଲେ । କୋର୍ଟ ଦିନିକିଆ ରିମାଣ୍ଡ୍ ପାଇଁ ଅନୁମତି ଦେବା ପରେ ସେମାନଙ୍କୁ ବ୍ରହ୍ମପୁର ଜେଲ୍‌ରୁ କଡ଼ା ସୁରକ୍ଷା ଭିତରେ ଗୋପାଳପୁର ଥାନାକୁ ନିଆଯାଇଛି । ପୁଲିସ ପୂର୍ବରୁ ରିମାଣ୍ଡ୍‌ରେ ନେଇଥିବା ପାଞ୍ଚଜଣଙ୍କ ମଧ୍ୟରେ ଗୋଲୁ ଓ କାଳୁ ମଧ୍ୟ ଥିଲେ ।

ପୁଲିସ ତଦନ୍ତ ଅନୁସାରେ ନିବେଦିତା ଓ ତୁଷାର ଅପହରଣ ପାଇଁ କାଳୁକୁ କହିଥିଲେ । କାଳୁ ସୁପାରି କିଲର୍ ଗୋଲୁକୁ ନିୟୋଜିତ କରିଥିଲା । ସମସ୍ତ ଘଟଣାର ସିନ୍-ରିକ୍ରିଏସନ୍ ସରିଥିବାବେଳେ ଏହି ଚାରିଜଣ ଅଭିଯୁକ୍ତଙ୍କ ମଧ୍ୟରେ କ’ଣ କଥାବାର୍ତ୍ତା ହୋଇଥିଲା ଜାଣିବାକୁ ପୁଲିସ ଏବେ ଚାରି ଅଭିଯୁକ୍ତଙ୍କୁ ଏକାଠି ରଖି ମୁହାଁମୁହିଁ ଜେରା କରୁଛି। ଏଏସ୍ପି ଆଲୋକ କୁମାର ଜେନା, ସଦର ଏସ୍ଡିପିଓ, ଡିଏସ୍ପି ବିବେକାନନ୍ଦ ସ୍ୱାଇଁ ଓ ଗୋପାଳପୁର ଥାନା ଆଇଆଇସି ସତ୍ୟରଞ୍ଜନ ଲେଙ୍କା ପଚରାଉଚରା କରୁଛନ୍ତି । ଅପହରଣ ଓ ହତ୍ୟାରେ ଏମାନଙ୍କ ପ୍ରମୁଖ ଭୂମିକା ଥିବାବେଳେ କେଉଁ ସମୟରେ ଏବଂ କାହା କାହା ମଧ୍ୟରେ କଣ ଡିଲ୍ ହୋଇଥିଲା ଖୋଳତାଡ଼ କରୁଛି ପୁଲିସ । ଅନ୍ୟପକ୍ଷରେ ଅପହରଣ ପାଇଁ କେତେ ଟଙ୍କା ଖର୍ଚ୍ଚ ହୋଇଛି ଓ ତାହା କିଏ ଖର୍ଚ୍ଚ କରିଥିଲେ କିଛି ଜଣାପଡ଼ିନାହିଁ ।

ସୁଧୀରଙ୍କୁ ଗତ ୧୫ ତାରିଖ ସନ୍ଧ୍ୟାରେ ଅପହରଣ ପରେ ସେହି ରାତିରେ ହିଁ ନିର୍ଯାତନା ଦେଇ ହତ୍ୟା କରିଥିଲେ ଅପରାଧୀ ।ଗତ ୨୩ ତାରିଖରେ ସୁଧୀରଙ୍କ ଶବ ସୋରଡ଼ା ଥାନା ଗାଜଲବାଡ଼ି- କରଡ଼ାବାଡି ରାସ୍ତା ରାଶିପଙ୍କାଳ ବ୍ରିଜ୍ ନିକଟ ଜଙ୍ଗଲରୁ ଉଦ୍ଧାର ହୋଇଥିଲା ।

ଅଧିକ ପଢ଼ନ୍ତୁ :-  ପ୍ଲଟ୍ ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ମାମଲା, ଏଫଏମ୍ଟି ରିପୋର୍ଟରୁ ମିଳିଲା ସାଂଘାତିକ ତଥ୍ୟ

ବୁଧବାର ଏମ୍‌କେ ସିଜି ମେଡିକାଲ କଲେଜ ଓ ହସ୍ପିଟାଲ ଏଫ୍ଏମ୍‌ଟି ବିଭାଗ ମୁଖ୍ୟ ପ୍ରଫେସର ଡା. ସୁଦୀପା ଦାଶ କହିଛନ୍ତି ଯେ- ଗଳିତ ଶବ ଥିବାରୁ ଘଟଣାସ୍ଥଳରେ ହିଁ ବ୍ୟବଚ୍ଛେଦ କରାଯାଇଛି । ଶବର କେବଳ କଙ୍କାଳ ଥିଲା ଏବଂ ମାଂସ ଝଡ଼ିଯାଇଥିଲା । ବ୍ୟବଚ୍ଛେଦ ସମୟରେ ଜଣାପଡ଼ିଛି ଯେ- ସୁଧୀରଙ୍କ ପିଞ୍ଜରା ହାଡ଼ ଓ ମସ୍ତିସ୍କରେ ଆଘାତ ଯୋଗୁଁ ମୃତ୍ୟୁ ଘଟିଛି । ମାଂସପେଶୀ ନଥିବାରୁ ଆଉ କିଛି ଚିହ୍ନ ଜଣାପଡ଼ିନାହିଁ । ୬ ଦିନ ପୂର୍ବରୁ ହତ୍ୟା ହୋଇଥିବା ସନ୍ଦେହ କରାଯାଉଛି । ସୁଧୀରଙ୍କ ନମୁନା ସଂଗ୍ରହ କରାଯାଇ ଡିଏନ୍ଏ ପରୀକ୍ଷା ପାଇଁ ସଂରକ୍ଷିତ ରଖାଯାଇଛି । ସୁଧିରଙ୍କ କଳଦାନ୍ତକୁ ରାଜ୍ୟ ଫେରେନସିକ୍ ସାଇନ୍ସ ଲେବରୋଟୋରୀକୁ ପଠାଯାଇଛି ।