ଭୂବନେଶ୍ୱର, ୧୩/୦୬: ୧୫ଦିନ ତଳେ ଚିନି କିଲୋ ପ୍ରତି ଦର ଥିଲା ୪୩ଟଙ୍କା । ଏବେ ୪୮ । ସୋରିଷ ତେଲ ଥିଲା ୧୬୦ ଟଙ୍କା । ଏବେ ହେଲାଣି ୧୯୦ ଟଙ୍କା, ଡାଲି କିଲୋ ପ୍ରତି ୧୨୦ରୁ ୧୫୦ ଟଙ୍କାରେ ପହଞ୍ଚିଲାଣି । ଗ୍ରାହକଙ୍କୁ ଏଭଳି ଦର ବୃଦ୍ଧି କଲବଲ କରୁଛି । ସେପଟେ ପେଟ୍ରୋଲ, ଡିଜେଲ୍ ଦରବୃଦ୍ଧିକୁ ନେଇ ଗରିବଠୁ ମଧ୍ୟବିତ୍ତ ଏବେ ଚିନ୍ତାରେ । ଏହା ଫଳରେ ପନିପରିବା ଦର ବି ବଢ଼ିଯାଉଛି । ବଡକଥା, ରାଜଧାନୀରେ ଗୋଟିଏ ଦର ଥିବା ବେଳେ ଗାଁରେ ଦର ଅଧିକ ରହୁଛି । ୧୦ରୁ ୨୦ଟଙ୍କା ଅଧିକ ଦରରେ ଗ୍ରାହକମାନେ ନିତ୍ୟାବଶ୍ୟକ ଖାଦ୍ୟସାମଗ୍ରୀ କିଣୁଛନ୍ତି । ତେଲ ସଙ୍କଟ ମଧ୍ୟରେ ହୁହୁ ହୋଇ ବଢିଥିଲା ଖାଦ୍ୟ ଦର । ଓଡ଼ିଶା ଏବେ ୭୦ ପ୍ରତିଶତ ଖାଦ୍ୟ ସାମଗ୍ରୀ ବାହାରୁ ମଗାଉଛି । ଏବେ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ, ରାଜସ୍ଥାନ, ପଶ୍ଚିମବଙ୍ଗର ଦିଘାରୁ ଖାଇବା ତେଲ ଯଥା-ସୋରିଷ ତେଲ, ସୂର୍ଯ୍ୟମୁଖୀ ତେଲ, ପାମୋଲିନ୍ ତେଲ ଆସୁଛି । ଓଡ଼ିଶାରେ ବାର୍ଷିକ ୫ଲକ୍ଷ ଟନ୍ ଖାଇବା ତେଲ ଆବଶ୍ୟକ ।
ସେହିପରି ଓଡ଼ିଶାରେ ବାର୍ଷିକ ୯ଲକ୍ଷ ଟନ୍ ଚିନି ଆବଶ୍ୟକ । ଗତ ସପ୍ତାହକ ତଳେ ଚିନି କୁଇଣ୍ଟାଲ ପିଛା ୧୦୦ ଟଙ୍କା ବଢିଥିଲା । ପୂର୍ବରୁ ଚିନି କୁଇଣ୍ଟାଲ ୪୧୦୦ରୁ ୪୨୦୦ଟଙ୍କା ଥିବା ବେଳେ ହଠାତ୍ ଏହା ୪୩୦୦ ଟଙ୍କା ଛୁଇଁଥିଲା । ଅନୁରୂପ ଗାଡି ଭଡ଼ା ୨୫୦ଟଙ୍କା ଥିବା ବେଳେ ୩୫୦ ଟଙ୍କାରେ ପହଞ୍ଚିଥିବାରୁ ବଜାରରେ ଚିନି ଦର ୨ଟଙ୍କା ବଢିଥିଲା । ହେଲେ ଏବେ ଆହୁରି ୩ ଟଙ୍କା ବଢିସାରିଲାଣି । ବଜାରରେ ଏବେ ଚିନି କିଲୋ ୪୮ଟଙ୍କା ରହିଛି ।
ତେବେ ଚିନି ଦର ବୃଦ୍ଧିକୁ ରାଜ୍ୟ ବ୍ୟବସାୟୀ ମହାସଂଘ ସ୍ୱୀକାର କରିଛି । ବର୍ତ୍ତମାନ ଓଡ଼ିଶାରେ ଚିନି ଉତ୍ପାଦନ ବନ୍ଦ । ଗଂଜାମର ଆସିକା ଚିନିକଳରୁ ନେଇ ବଲାଙ୍ଗିର ଦେଓଗାଁ ଚିନିକଳ, ନୟାଗଡ଼ର ଚିନି କଳ ଭୂତକୋଠି ହୋଇପଡ଼ିଛି । ତେଣୁ ଚିନି ପାଇଁ ଓଡ଼ିଶା ନିର୍ଭରଶୀଳ । ଏବେ କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶରୁ ଚିନି ଆସୁଛି । ମହାସଂଘର ମହାସଚିବ ସୁଧାକର ପଣ୍ଡା କହିଛନ୍ତି, ଚିନି ଦର ବଢ଼ିବା ପଛରେ ପରିବହନ ବ୍ୟବସ୍ଥା ଦାୟୀ । ଏଥିସହ କର୍ପୋରେଟର ମନମାନୀ ବି ଅଛି । ସେମାନେ ବି ଦର ବଢାଉଛନ୍ତି । ଏନେଇ ସର୍ବ ଭାରତୀୟ ପରିବହନ ସଂଘ ସହ ଆଲୋଚନା କରାଯିବ । ଅନ୍ୟ ଖାଦ୍ୟ ପଦାର୍ଥ ଦର ନିୟନ୍ତ୍ରଣ ଉପରେ ଚେଷ୍ଟା କରାଯିବ । ହେଲେ ସରକାର ମଧ୍ୟ ଏଥିରେ ଆମକୁ ସହଯୋଗ କରନ୍ତୁ ବୋଲି ଦାବି କରିଛି ବ୍ୟବସାୟୀ ମହାସଂଘ ।
ଆହୁରି ପଢ଼ନ୍ତୁ...Encounter : ପୁଲିସର ଅଜବ ଏନକାଉଣ୍ଟର ଫର୍ମୁଲା, ଲୁଟେରା ଓ ଖୁଚୁରା ନିଶା ବେପାରୀଙ୍କୁ ଟାର୍ଗେଟ୍, ଲଗାମଛଡ଼ା ବଳାତ୍କାରୀ, ହତ୍ୟାକାରୀ