ପ୍ରମୂଖ ଖବର
  • ଭୁବନେଶ୍ୱର : ରାଜଧାନୀ ଅଭାବନୀୟ ଘଟଣା; ରାସ୍ତାରେ ଜଳିଗଲେ କଲେଜ ଛାତ୍ର, ତଦନ୍ତ କରୁଛି ପୋଲିସ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା, ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା କରିବେ ମଦନମୋହନ
  • ||
  • ଅକ୍ଷୟ ତୃତୀୟାଠାରୁ ବିନ୍ଦୁସାଗରରେ ଚନ୍ଦନ ଯାତ୍ରା, ୨୨ ଦିନ ଚାପ ଖେଳିବେ ଶ୍ରୀଲିଙ୍ଗରାଜ
  • ||
  • ବିଶାଖାପାଟଣାର ସୀମାଞ୍ଚଳମ୍ ମନ୍ଦିରରେ ଅଘଟଣ; ପାଚେରି ଭୁଶୁଡ଼ି ୮ ଜଣଙ୍କର ମୃତ୍ୟୁ, ଅନେକ ଆହତ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||

ବରଫମୁକ୍ତ ହେବ ସୁମେରୁ

Published By : Prameya | April 16, 2025 1:54 PM

ଏକବିଂଶ ଶତାବ୍ଦୀ ମଧ୍ୟରେ ଉତ୍ତରମେରୁ ବରଫମୁକ୍ତ ହେବା ଆଉ ଦୂର ଦିଗ୍‌ବଳୟରେ ନାହିଁ, ବରଂ ସୁନିଶ୍ଚିତ ଓ ନିକଟବର୍ତ୍ତୀ । ଅଭୂତପୂର୍ବ ହାରରେ ସୁମେରୁ ଉଷ୍ମ ହେଉଥିବାରୁ ସମୁଦ୍ର ବରଫ ହ୍ରାସନ ଏକ ଅପରିବର୍ତ୍ତନୀୟ ଧାରା ହୋଇପଡ଼ିଛି, ଯାହା ଆଗାମୀ ସମୟରେ ପରିବେଶ, ଜୀବଜନ୍ତୁ ଏବଂ ମାନବ ସମାଜ ପାଇଁ ସୁଦୂରପ୍ରସାରୀ ପରିଣାମ ଆଣିବ ।

ପ୍ରକୃତିର ବୈଚିତ୍ର‌୍ୟମୟ ସୃଷ୍ଟିରେ କେଉଁଠି ସବୁଜିମା ପରିପୂର୍ଣ୍ଣ ନିଘଞ୍ଚ ଜଙ୍ଗଲ, କେଉଁଠି ବାଲୁକାମୟ ବିସ୍ତୀର୍ଣ୍ଣ ମରୁଭୂମି ତ ପୁଣି କେଉଁଠି ନୀଳ ସାଗରର ଗଭୀର ଜଳରାଶି । ଏହି କ୍ରମରେ ପୃଥିବୀର ଉଭୟ ମେରୁ ଅଞ୍ଚଳରେ ଭରି ରହିଛି ଶୁଭ୍ର, ଶୀତଳ ବରଫର ବିଶାଳ ଭଣ୍ଡାର ଓ ପ୍ରକୃତି ପରିବର୍ତ୍ତନଶୀଳ ଏବଂ ସମୟର ପ୍ରବାହରେ ବିବିଧ ପ୍ରାକୃତିକ ପ୍ରକ୍ରିୟାରେ ଓ ପରିସଂସ୍ଥାରେ ବହୁବିଧ ପରିବର୍ତ୍ତନର ସୂତ୍ରପାତ ହୁଏ । ପରନ୍ତୁ, ସାମ୍ପ୍ରତିକ ପରିସ୍ଥିତିରେ ଆମ ଗ୍ରହର ପ୍ରକୃତି ଓ ପରିବେଶରେ ମାନବକୃତ ବିଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ପରି ବିନାଶକାରୀ ପ୍ରକ୍ରିୟା ପ୍ରଭାବରେ ଯେଉଁସବୁ ଗମ୍ଭୀର ସମସ୍ୟାର ଉତ୍ପତ୍ତି ଘଟୁଛି, ସେଥିମଧ୍ୟରେ ମେରୁ ଅଞ୍ଚଳୀୟ ବରଫ ଏବଂ ହିମବାହ ସବୁର ତରଳିବା କ୍ରମଶଃ ଆହ୍ୱାନ ସୃଷ୍ଟିକାରୀ ପାଲଟୁଛି । ଅଙ୍ଗାରକାମ୍ଳ ଗ୍ୟାସ୍‌ ପରି ସବୁଜଗୃହ ବାଷ୍ପ ସବୁର ବାୟୁମଣ୍ଡଳରେ କ୍ରମବୃଦ୍ଧି ପ୍ରଭାବରେ ସମ୍ପ୍ରତି ବିଶ୍ୱ ତାପମାତ୍ରାରେ ବୃଦ୍ଧି ଘଟି ଉଭୟ ଉତ୍ତରମେରୁ (ଆର୍କଟିକ୍‌) ଓ ଦକ୍ଷିଣମେରୁ (ଆଣ୍ଟାର୍କଟିକ୍‌) ଅଞ୍ଚଳରେ ଗଚ୍ଛିତ ବିଶାଳ ବରଫରାଶିର ତରଳିବା ତ୍ୱରାନ୍ୱିତ ହେଉଛି । ଏକଦା ଅସମ୍ଭବ ଅନୁଭୂତ ହେଉଥିବା ଏକ ବରଫମୁକ୍ତ ସୁମେରୁ ସୃଷ୍ଟିର ସମ୍ଭାବନା ଏବେ ଆସନ୍ନ ବାସ୍ତବତାରେ ରୂପାନ୍ତରିତ ହେବାକୁ ଯାଉଛି । 

ଗବେଷଣାଲବ୍ଧ ତଥ୍ୟ ସୂଚାଉଛି ଯେ, ଜଳବାୟୁ ପରିବର୍ତ୍ତନ ପରିପ୍ରେକ୍ଷୀରେ ସୁମେରୁ ଅଞ୍ଚଳ ବୈଶ୍ୱିକ ହାରାହାରି ତାପମାତ୍ରା ବୃଦ୍ଧିଠାରୁ ଦ୍ୱିଗୁଣ ଅଧିକ ହାରରେ ଉତ୍ତପ୍ତ ହେଉଛି । ‘ଆର୍କଟିକ୍‌ ଏମ୍ପଲିଫିକେସନ' ରୂପେ ବର୍ଣ୍ଣିତ ଏହି ତ୍ୱରିତ୍‌ ବେଗର ଉଷ୍ଣତା ବୃଦ୍ଧି ଉତ୍ତରମେରୁ ଏବଂ ଏହା ସନ୍ନିକଟ ଅଞ୍ଚଳକୁ ଆଚ୍ଛାଦିତ କରୁଥିବା ବରଫ ଉପରେ ଗଭୀର ପ୍ରଭାବ ବିସ୍ତାର କରୁଛି । ଏବେ ପ୍ରଶ୍ନ ଏହା ନୁହେଁ ଯେ, ସୁମେରୁ ତା'ର ବରଫ ହରାଇବ କି ନାହିଁ, ବରଂ ଏହା କେତେ ଶୀଘ୍ର ସମ୍ପାଦିତ ହେବ ଏବଂ ଏହାର ପରିଣାମ କ'ଣ ହେବ । ସୁମେରୁ ହେଉଛି ଜଳବାୟୁ ପରିବର୍ତ୍ତନ ପ୍ରତି ଅତ୍ୟନ୍ତ ସମ୍ବେଦନଶୀଳ ଅଞ୍ଚଳ, ଯାହାକୁ ବର୍ଷର ଅଧିକାଂଶ ସମୟ ବରଫ ଆଚ୍ଛାଦିତ ରହୁଥିବା ବିଶାଳ ସମୁଦ୍ର ଘେରି ରହିଛି । ସମୁଦ୍ରର ବରଫ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ଏହା ସୂର୍ଯ୍ୟଙ୍କର ବିକିରଣର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶକୁ ଆକାଶକୁ ପ୍ରତିଫଳିତ କରି ଏହି ଅଞ୍ଚଳର ପରିବେଶକୁ ଥଣ୍ଡା ରଖେ । ମାତ୍ର, ଉତ୍ତାପ ବୃଦ୍ଧି ଓ ଜଳବାୟୁ ପରିବର୍ତ୍ତନ ସହ ତାଳଦେଇ ଏହି ବରଫ ତରଳିବା ବୃଦ୍ଧିପାଉଛି, ଫଳତଃ ସମୁଦ୍ରର ଗାଢ଼ ଜଳ ସୂର୍ଯ୍ୟକିରଣ ସଂସ୍ପର୍ଶରେ ଆସି ଅଧିକ ଉତ୍ତାପ ଶୋଷଣ କରୁଛି ଏବଂ ଉଷ୍ମତା ବୃଦ୍ଧି ପ୍ରକ୍ରିୟା ତ୍ୱରାନ୍ୱିତ ହେଉଛି । ‘ଆଇସ୍‌-ଆଲବୋଡୋ ଫିଡବ୍ୟାକ୍‌' ଭାବରେ ଜଣାଶୁଣା ଏହି ପ୍ରତିକ୍ରିୟା ହେଉଛି ସୁମେରୁରେ ସମୁଦ୍ର ବରଫର ଦ୍ରୁତ ହ୍ରାସ ଘଟିବା ପୃଷ୍ଠଭୂମିରେ ଥିବା ଏକ ପ୍ରମୁଖ କାରଣ । ସାଟେଲାଇଟ୍‌ ଚିତ୍ର ଏବଂ ବରଫର ଆଭ୍ୟନ୍ତରଲବ୍ଧ ତଥ୍ୟ ଦର୍ଶାଉଛି ଯେ, ୧୯୭୦ ଦଶକର ଶେଷଭାଗ ପରଠାରୁ ସୁମେରୁ ସମୁଦ୍ରାଞ୍ଚଳର ବରଫ ଆବରଣ ୪୦%ରୁ ଅଧିକ ସଙ୍କୁଚିତ ହୋଇଛି, ଏବଂ ବିଦ୍ୟମାନ ଥିବା ବରଫ ହ୍ରାସ ପାଇବା ଓ ପତଳା ହୋଇଚାଲିବା ସହିତ ଋତୁକାଳୀନ ତରଳିବା ନିମନ୍ତେ ଅଧିକ ସମ୍ବେଦନଶୀଳ ରହିଛି । 

ଏହି ପରିବର୍ତ୍ତନର ଧାରା ଅନେକ ବୈଜ୍ଞାନିକଙ୍କୁ ଭବିଷ୍ୟବାଣୀ କରିବାକୁ ପ୍ରେରଣା ଦେଉଛି ଯେ, ଏହି ଶତାବ୍ଦୀ ମଧ୍ୟରେ ଉତ୍ତରମେରୁ ପ୍ରଥମ ଥର ନିମନ୍ତେ ବରଫମୁକ୍ତ ଗ୍ରୀଷ୍ମ ଅନୁଭବ କରିପାରେ, ଏପରିକି କିଛି ମଡେଲ ସୂଚାଉଛି ଯେ ଏହି ଘଟଣା ୨୦୩୫ ସୁଦ୍ଧା ଘଟିବାର ସମ୍ଭାବନା ରହିଛି । ଉତ୍ତରମେରୁରେ ସମୁଦ୍ର ବରଫ ଗ୍ରୀଷ୍ମଋତୁରେ, ବିଶେଷତଃ ସେପ୍ଟେମ୍ବରରେ ଅତ୍ୟନ୍ତ ହ୍ରାସପାଇ ଏହା ସର୍ବନିମ୍ନ ସ୍ତରରେ ପହଞ୍ଚିଥାଏ । ଆଜିର ଉଷ୍ମ ବିଶ୍ୱରେ ଏହା କଳ୍ପନାଯୋଗ୍ୟ ଯେ ଏହି ବରଫ ସମ୍ପୂର୍ଣ୍ଣ ଭାବରେ ଶୀତ ମାସରେ ପୁଣି ପୁନରୁଦ୍ଧାର ହୋଇନପାରେ, ଯାହାର ପରିଣାମରେ ଏହି ଅଞ୍ଚଳରେ ଯଥେଷ୍ଟ ବରଫ ଆବରଣ ଉପଲବ୍ଧ ହେବନାହିଁ । କିଛି ପରିମାଣର ବରଫ ଛୋଟ, ଖଣ୍ଡିତ ଆକାରରେ ସୀମିତ ରହିବ, ଯାହା ବୈଜ୍ଞାନିକ ଅର୍ଥରେ ଉତ୍ତରମେରୁକୁ ପ୍ରଭାବଶାଳୀ ଭାବରେ ‘ବରଫମୁକ୍ତ' କରିବ । ବିଶ୍ୱ ତାପମାତ୍ରା ବୃଦ୍ଧି ପରିପ୍ରେକ୍ଷୀରେ ସୁମେରୁ ପରିବେଶରେ ସଂଘଟିତ ପରିବର୍ତ୍ତନରେ ବରଫମୁକ୍ତ ଗ୍ରୀଷ୍ମଋତୁ ଘଟଣା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହେବ । ଏହାର ପରିଣାମରେ ସୁମେରୁର ପରିସଂସ୍ଥା ଉପରେ ଗଭୀର ପରିବେଶଜନିତ ପ୍ରଭାବ ଅନୁଭୂତ ହେବ । ପ୍ରଜନନ, ଶିକାର ଏବଂ ଆଶ୍ରୟ ନିମନ୍ତେ ସାମୁଦ୍ରିକ ବରଫ ଉପରେ ନିର୍ଭରଶୀଳ ମେରୁ ଅଞ୍ଚଳୀୟ ଭାଲୁ, ସିଲ୍‌ ଏବଂ ବିଭିନ୍ନ ସାମୁଦ୍ରିକ ପକ୍ଷୀ ସମେତ ଅନେକ ପ୍ରଜାତିର ପ୍ରାଣୀ ବରଫ ଉଭାନ ହେବା ଦୃଶ୍ୟପଟ୍ଟରେ ଗୁରୁତ୍ୱପୂର୍ଣ୍ଣ ବାସସ୍ଥଳୀ ହରାଇବେ । ଏହା ସେମାନଙ୍କୁ ନୂତନ ପରିବେଶ ସହିତ ଖାପ ଖୁଆଇବାକୁ ବାଧ୍ୟ କରିବ, ନଚେତ୍‌ ସେମାନେ ବିଲୁପ୍ତି ପଥରେ ଅଗ୍ରସର ହେବେ । ଦୃଷ୍ଟାନ୍ତସ୍ୱରୂପ, ଧଳାଭାଲୁ ସିଲ୍‌ ଶିକାର ପାଇଁ ସମୁଦ୍ର ବରଫକୁ ଏକ ପ୍ଲାଟଫର୍ମ ରୂପେ ବ୍ୟବହାର କରନ୍ତି । 

ଏକ ସ୍ଥିର ବରଫ ଚଟାଣର ଅନୁପସ୍ଥିତିରେ ସେମାନେ ଅଧିକ ଗତି କରିବାକୁ ଏବଂ ଖାଦ୍ୟ ସନ୍ଧାନରେ ଅଧିକ ଶକ୍ତି ଖର୍ଚ୍ଚ କରିବାକୁ ବାଧ୍ୟ ହେବେ, ଯାହାଫଳରେ ସେମାନଙ୍କର ବଞ୍ଚିବାର ସମ୍ଭାବନା ହ୍ରାସପାଇବ । ସୁମେରୁ ଅଞ୍ଚଳ ବିଶ୍ୱ ପାଣିପାଗ ଧାରାର ଏକ ଗୁରୁତ୍ୱପୂର୍ଣ୍ଣ ନିୟାମକ ଭାବରେ କାର୍ଯ୍ୟ କରୁଥିବାରୁ ବରଫ ହ୍ରାସ ଗ୍ରହର ଜଳବାୟୁ ଉପରେ ମଧ୍ୟ ବ୍ୟାପକ ପ୍ରଭାବ ବିସ୍ତାର କରିବ । ସମୁଦ୍ର ବରଫ ତରଳିବା ଫଳରେ ସାମୁଦ୍ରିକ ସ୍ରୋତର ଗତିପଥରେ ପରିବର୍ତ୍ତନ ଘଟିପାରେ, ଯାହା ଆଞ୍ଚଳିକ ପାଣିପାଗ ପ୍ରଣାଳୀଠାରୁ ଆରମ୍ଭ କରି ବିଶ୍ୱ ଜଳବାୟୁ ଢାଞ୍ଚା ପର୍ଯ୍ୟନ୍ତ ସବୁକିଛିକୁ ପ୍ରଭାବିତ କରିବ । ବରଫ ତରଳିବା ଦ୍ୱାରା ସମୁଦ୍ର ଜଳସ୍ତର ବୃଦ୍ଧିରେ ଏହା ମଧ୍ୟ ସହାୟକ ହେବ । ଗ୍ରୀନଲ୍ୟାଣ୍ଡର ବରଫ ଆବରଣ ଏବଂ ଏହି ଅଞ୍ଚଳର ଅନ୍ୟାନ୍ୟ ହିମବାହମାନ ତରଳିବା ଦ୍ୱାରା ସମୁଦ୍ରକୁ ବିପୁଳ ପରିମାଣର ମଧୁରଜଳ ନିର୍ଗତ ହେବ, ଯାହା ବିଶ୍ୱ ସମୁଦ୍ର ପତ୍ତନ ବୃଦ୍ଧିକୁ ଆହୁରି ତୀବ୍ରତର କରିବ । ଏହା ପୃଥିବୀର ସମୁଦ୍ର ଉପକୂଳବର୍ତ୍ତୀ ବହୁ ଅଞ୍ଚଳକୁ ଲବଣାକ୍ତ ଜଳର ପ୍ରବେଶ ଏବଂ ଅବକ୍ଷୟକୁ ତ୍ୱରାନ୍ୱିତ କରିବ । ପରିବେଶ ବ୍ୟତିରେକ ବରଫମୁକ୍ତ ଉତ୍ତରମେରୁର ପ୍ରଭାବ ମାନବ ସମାଜ ଏବଂ ଅର୍ଥନୀତି ପର୍ଯ୍ୟନ୍ତ ପରିବ୍ୟାପ୍ତ ହେବ । ଏହାର ସର୍ବବୃହତ ପ୍ରତ୍ୟକ୍ଷ ପରିଣାମ ହେଉଛି ନୂତନ ଭାବେ ଜାହାଜ ପରିବହନ ପଥର ଉନ୍ମୁକ୍ତ ହେବା ଓ ବରଫ ହ୍ରାସପାଇବା ଦ୍ୱାରା ପୂର୍ବର ଦୁର୍ଗମ ଅଞ୍ଚଳଗୁଡ଼ିକ ଜାହାଜ ଚଳାଚଳ ପାଇଁ ସୁଗମ ହୋଇଯିବ । 

ଏହା ବିଶ୍ୱ ପରିବହନ ମାର୍ଗକୁ ସଂକ୍ଷିପ୍ତ କରିବାର ଏବଂ ଗ୍ରୀନଲାଣ୍ଡ ସମେତ ଅନ୍ୟ ଅଞ୍ଚଳରେ ତୈଳ, ପ୍ରାକୃତିକ ଗ୍ୟାସ୍‌ ଏବଂ ଖଣିଜ ପଦାର୍ଥ ସହିତ ଅନ୍ୟାନ୍ୟ ସମ୍ପଦ ଉତ୍ତୋଳନ ପାଇଁ ବିଶାଳ ନୂତନ କ୍ଷେତ୍ର ଖୋଲିବାର ସମ୍ଭାବନା ରଖିବ । କିନ୍ତୁ, ଏହି ସୁଯୋଗଗୁଡ଼ିକ ସହିତ ଗୁରୁତ୍ୱପୂର୍ଣ୍ଣ ବିପଦ ସୃଷ୍ଟିର ସମ୍ଭାବନା ମଧ୍ୟ ରହିଛି । ସୁମେରୁ ପୃଥିବୀର ସବୁଠାରୁ ଦୁର୍ବଳ ପରିସଂସ୍ଥା ମଧ୍ୟରୁ ଅନ୍ୟତମ, ଯାହା ଏହି ଅଞ୍ଚଳରେ ମାନବୀୟ କାର୍ଯ୍ୟକଳାପ ବୃଦ୍ଧିର ପରିଣାମରେ ଅଧିକ ପରିବେଶୀୟ ଅବନତିର ସମ୍ମୁଖୀନ ହେବ । ବରଫମୁକ୍ତ ସୁମେରୁର ଭୂରାଜନୈତିକ ପ୍ରଭାବ ପ୍ରସଙ୍ଗରେ ମଧ୍ୟ ଅନେକ ସମ୍ଭାବନା ସୃଷ୍ଟିହେବ । ନୂତନ ଜାହାଜପଥ ଏବଂ ସମ୍ପଦଗୁଡ଼ିକର ଉପଲବ୍ଧତା ସୁଗମ ହେବା ସହିତ ରାଷ୍ଟ୍ରମାନେ ଏହି ଅଞ୍ଚଳ ଉପରେ ନିୟନ୍ତ୍ରଣ ହାସଲ ନିମନ୍ତେ ପ୍ରତିଯୋଗିତା କରିପାରନ୍ତି, ଯାହା ସମ୍ଭାବ୍ୟ ଭାବରେ ଏହି ଅଞ୍ଚଳ ଏବଂ ସମ୍ପଦସବୁ ଉପରେ ବିବାଦର ସୂତ୍ରପାତ କରିବ । ଏହି ନୂତନ ସୁଗମ ଅଞ୍ଚଳରେ ଦେଶମାନେ ସେମାନଙ୍କର ସ୍ୱାର୍ଥକୁ ସୁରକ୍ଷିତ କରିବା ଲକ୍ଷ୍ୟରେ ସାମରିକ ଶକ୍ତିର ଉପସ୍ଥିତିକୁ ବୃଦ୍ଧି କରିବାର ସମ୍ଭାବନା ମଧ୍ୟ ଉନ୍ମୁକ୍ତ ହେବ । 

ଇତିମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ଗ୍ରୀନଲାଣ୍ଡ ଉପରେ ନିୟନ୍ତ୍ରଣ ହାସଲ କରିବାର ଦାମ୍ଭିକତା ପ୍ରଦର୍ଶନ କରିସାରିଲେଣି । ସୁମେରୁରେ ତରଳୁଥିବା ବରଫ ଆହୁରି ହ୍ରାସ ପାଇବା ପୂର୍ବରୁ ପ୍ରତିରୋଧକ ପଦକ୍ଷେପ ଗ୍ରହଣ ଏକାନ୍ତ ଅପରିହାର୍ଯ୍ୟ । ସମୁଦ୍ର ବରଫ ହ୍ରାସନକୁ ରୋକିବା ମୂଳରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଭିସନ୍ଧି ହେଉଛି ବିଶ୍ୱ ଜଳବାୟୁ ପରିବର୍ତ୍ତନକୁ ସମ୍ବୋଧିତ କରିବା । ବିଭିନ୍ନ ଉତ୍ସରୁ ନିର୍ଗତ ସବୁଜଗୃହ ବାଷ୍ପ (ଗ୍ରୀନହାଉସ୍‌ ଗ୍ୟାସ୍‌) ନିର୍ଗମନକୁ ହ୍ରାସ କରିବା ନିମନ୍ତେ କୋଇଲା, ପେଟ୍ରୋଲିୟମ୍‌ ଏବଂ ପ୍ରାକୃତିକ ବାଷ୍ପ ପରି ଜୀବାଶ୍ମ ଇନ୍ଧନର ବ୍ୟବହାରକୁ ସଂକୁଚିତ କରି ନବୀକରଣୀୟ, ଅକ୍ଷୟ ଶକ୍ତିର ଉତ୍ସକୁ ଅଧିକରୁ ଅଧିକ ଉପଯୋଗ କରିବା ହେଉଛି ସମୟର ଆବଶ୍ୟକତା । ଏହାଦ୍ୱାରା ବିଶ୍ୱ ଉଷ୍ମତାର ହାରକୁ ମନ୍ଥର କରାଯାଇପାରିବ, ଯାହା ସୁମେରୁର ପରିସଂସ୍ଥାକୁ ଅନୁକୂଳିତ ହେବାର ସୁଯୋଗ ପ୍ରଦାନ କରିବ । ଏତଦ୍‌ ବ୍ୟତିରେକ, ମେରୁ ଅଞ୍ଚଳୀୟ ସମ୍ପଦର ପରିଚାଳନା ଏବଂ ଏହାର ପରିବେଶକୁ ସୁରକ୍ଷିତ ରଖିବା ନିମନ୍ତେ ଅନ୍ତର୍ଜାତୀୟ ସହଯୋଗ ଅତ୍ୟନ୍ତ ଜରୁରି । 

ବୈଜ୍ଞାନିକମାନେ ପୃଥିବୀରେ ପତିତ ସୂର୍ଯ୍ୟରଶ୍ମିକୁ ଅଧିକ ପ୍ରତିଫଳିତ କରିବା ଏବଂ ସୁମେରୁ ଅଞ୍ଚଳୀୟ ଉଷ୍ଣତାକୁ ହ୍ରାସ କରିବା ପାଇଁ ସୌର ବିକିରଣ ପରିଚାଳନା ଭଳି ଜିଓଇଞ୍ଜିନିୟରିଂ ସମାଧାନ ପନ୍ଥାର ଅବଲମ୍ବନକୁ ମଧ୍ୟ ସମର୍ଥନ କରନ୍ତି । ମାତ୍ର ଏସବୁ ପ୍ରଯୁକ୍ତିବିଦ୍ୟା ଏପର୍ଯ୍ୟନ୍ତ ପରୀକ୍ଷାମୂଳକ ପର୍ଯ୍ୟାୟରେ ରହିଛି ତଥା ଏହା ଅତ୍ୟନ୍ତ ବ୍ୟୟବହୁଳ ଏବଂ ଏଥିରେ କେତେକ ଗୁରୁତ୍ୱପୂର୍ଣ୍ଣ ବିପଦ ମଧ୍ୟ ଜଡ଼ିତ ରହିଛି । ଏପରି ବୈଷୟିକ ପ୍ରକ୍ରିୟା ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ହ୍ରାସ କରିବାର ଏକ ଅସ୍ଥାୟୀ ଉପାୟ ପ୍ରଦାନ କରନ୍ତି, କିନ୍ତୁ ଦୀର୍ଘସ୍ଥାୟୀ ସମାଧାନର ପନ୍ଥା ନିମନ୍ତେ ମାନବ ଜାତି ପ୍ରକୃତି-ଆଧାରିତ ସମାଧାନକୁ ପ୍ରାଥମିକତା ଦେବା ବାଞ୍ଛନୀୟ । ଏକବିଂଶ ଶତାବ୍ଦୀ ମଧ୍ୟରେ ଉତ୍ତରମେରୁ ବରଫମୁକ୍ତ ହେବା ଆଉ ଦୂର ଦିଗ୍‌ବଳୟରେ ନାହିଁ, ବରଂ ସୁନିଶ୍ଚିତ ଓ ନିକଟବର୍ତ୍ତୀ । ଅଭୂତପୂର୍ବ ହାରରେ ସୁମେରୁ ଉଷ୍ମ ହେଉଥିବାରୁ ସମୁଦ୍ର ବରଫ ହ୍ରାସନ ଏକ ଅପରିବର୍ତ୍ତନୀୟ ଧାରା ହୋଇପଡ଼ିଛି, ଯାହା ଆଗାମୀ ସମୟରେ ପରିବେଶ, ଜୀବଜନ୍ତୁ ଏବଂ ମାନବ ସମାଜ ପାଇଁ ସୁଦୂରପ୍ରସାରୀ ପରିଣାମ ଆଣିବ । କ୍ଷୟକ୍ଷତିକୁ ସୀମିତ ରଖିବା ପାଇଁ ବିହିତ ପଦକ୍ଷେପ ଗ୍ରହଣର ଏବେବି ସୁଯୋଗ ରହିଛି, କିନ୍ତୁ ସମୟ ଶେଷ ହୋଇଆସୁଛି । ଜଳବାୟୁ ପରିବର୍ତ୍ତନର ମୂଳ କାରଣଗୁଡ଼ିକୁ ସମାଧାନ କରିବା ଏବଂ ସହନୀୟ ଅଭ୍ୟାସକୁ ଗ୍ରହଣ କରିବା ହେଉଛି ସୁମେରୁ ଓ କୁମେରୁ ଅଞ୍ଚଳୀୟ ବରଫ ତଥା ପାର୍ବତ୍ୟାଞ୍ଚଳ ହିମବାହର ଅବଶିଷ୍ଟ ଅଂଶକୁ ସଂରକ୍ଷଣ କରିବା ତଥା ଏସବୁ ମହତ୍ତ୍ୱପୂର୍ଣ୍ଣ ଅଞ୍ଚଳର ଅଧିକ ଅବକ୍ଷୟକୁ ରୋକିବାର ଏକମାତ୍ର ଉପାୟ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.