ଓଡ଼ିଶାର ଗ୍ରାମାଞ୍ଚଳର ମୋର ପ୍ରିୟ ଭାଇଭଉଣୀମାନଙ୍କୁ ମୁଁ ଆଶ୍ୱସ୍ତ କରିବାକୁ ଚାହେଁ, ମୋ ସରକାର ରାଜ୍ୟରେ ଗ୍ରାମାଞ୍ଚଳର ବିକାଶ ମାଧ୍ୟମରେ ରାଜ୍ୟର ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ବଦ୍ଧପରିକର । ଗ୍ରାମାଞ୍ଚଳର ଦ୍ରୁତ ବିକାଶ ପାଇଁ ରାଜ୍ୟର ସେହି ଅଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କର ବିକାଶ ପ୍ରକ୍ରିୟାରେ ସାମିଲ ହେବା ଜରୁରି ।
ଆଜି ରାଷ୍ଟ୍ରୀୟ ପଞ୍ଚାୟତିରାଜ ଦିବସ । ୭୩ତମ ସମ୍ବିଧାନ ସଂଶୋଧନ ସହ ତୃଣମୂଳ ସ୍ତରର ଗଣତନ୍ତ୍ରର ବିଜୟ ଦିବସ । ଏହି ଅବସରରେ ମୁଁ ରାଜ୍ୟର ତ୍ରିସ୍ତରୀୟ ପଞ୍ଚାୟତ ବ୍ୟବସ୍ଥାର ସମସ୍ତ ପ୍ରତିନିଧି ଓ ସବୁ ଗ୍ରାମାଞ୍ଚଳ ଭାଇ ଭଉଣୀମାନଙ୍କୁ ହୃଦୟରୁ ଅଭିନନ୍ଦନ ଜଣାଉଛି । ଗ୍ରାମାଞ୍ଚଳର ଜନସମୁଦାୟକୁ ସଶକ୍ତ କରିବା ସେମାନଙ୍କୁ ସେମାନଙ୍କ ସ୍ଥାନୀୟ ବିକାଶ କାମରେ ନିର୍ଣ୍ଣୟ ଓ କ୍ରିୟାନ୍ୱୟନ ପ୍ରକ୍ରିୟାରେ ସକ୍ରିୟ ଭାଗିଦାର କରିବା ମାଧ୍ୟମରେ ସ୍ଥାନୀୟ ଅଞ୍ଚଳର ଦ୍ରୁତ ବିକାଶ କରିବା ପାଇଁ ତ୍ରିସ୍ତରୀୟ ପଞ୍ଚାୟତ ବ୍ୟବସ୍ଥାର ପରିକଳ୍ପନା ।
ସମ୍ବିଧାନରେ ପଞ୍ଚାୟତି ବ୍ୟବସ୍ଥାକୁ କ୍ଷମତା ହସ୍ତାନ୍ତର ଏବଂ ସ୍ଥାନୀୟ ନିର୍ବାଚିତ ଜନପ୍ରତିନିଧି ତଥା ସ୍ଥାନୀୟ ଲୋକମାନଙ୍କର ଭାଗିଦାରୀ ଓ ନିର୍ଣ୍ଣୟ ପ୍ରକ୍ରିୟାରେ ବଡ଼ ଯୋଗଦାନ ପ୍ରକ୍ରିୟାକୁ ସମ୍ମାନ ଓ ମାନ୍ୟତା ଦେବା ସହ ରାଜ୍ୟ ବିକାଶ ପ୍ରକ୍ରିୟାରେ ପଞ୍ଚାୟତିରାଜ ଅନୁଷ୍ଠାନମାନଙ୍କୁ ସବୁପ୍ରକାର ଅଧିକାର ଓ ପ୍ରୋତ୍ସାହନ ଦେବାପାଇଁ ମୋ ସରକାର ପ୍ରତିଶ୍ରୁତିବଦ୍ଧ ।
ଆଜି ମୁଁ ଅତ୍ୟନ୍ତ ଖୁସି, ଆମ ରାଜ୍ୟ ଓଡ଼ିଶା ପ୍ରଥମ ଥର ପାଇଁ ସାରା ଦେଶରେ ପାଳନ କରାଯାଉଥିବା ରାଷ୍ଟ୍ରୀୟ ପଞ୍ଚାୟତିରାଜ ଦିବସରେ ସାମିଲ ହୋଇ ସମାନ ଦିନରେ ପଞ୍ଚାୟତିରାଜ ଦିବସ ପାଳନ କରୁଛି । ବିଜୁବାବୁଙ୍କ ଜନ୍ମଦିନ ମାର୍ଚ୍ଚ ୫ ବଦଳରେ ରାଷ୍ଟ୍ରୀୟ ପଞ୍ଚାୟତିରାଜ ଦିବସ ଏପ୍ରିଲ ୨୪ରେ ଆମେ ଆଜି ଏହି ଦିବସ ପାଳନ କରୁଛେ ।
ଏହି ନିର୍ଣ୍ଣୟ ପରେ କିଛି ରାଜନୈତିକ ବନ୍ଧୁ ପ୍ରତିବାଦ ଓ ବିରୋଧ କରିଥିଲେ । ମୁଁ ପୁଣିଥରେ ସ୍ପଷ୍ଟ କରିଦେବାକୁ ଚାହେଁ ରାଜ୍ୟର ସବୁ ବରପୁତ୍ର ଓ ମହାପୁରୁଷମାନଙ୍କ ପ୍ରତି ମୋ ସରକାରର ଯଥେଷ୍ଟ ସମ୍ମାନ ରହିଛି । ମାତ୍ର ସାରାଦେଶ ଯେତେବେଳେ ଗୋଟିଏ ଦିନରେ ପଞ୍ଚାୟତିରାଜ ଦିବସ ପାଳନ କରୁଛି ସେତେବେଳେ ଆମ ରାଜ୍ୟ ସେହି ନିର୍ଦ୍ଦିଷ୍ଟ ଦିନ ପରିବର୍ତ୍ତେ ଅନ୍ୟ ଏକ ତାରିଖରେ ଏହି ଦିନଟିକୁ ପାଳନ କରିବା ସମୀଚୀନ ହେବନାହିଁ । ଓଡ଼ିଶା ନିଜସ୍ୱ ପରିଚୟକୁ ଗୁରୁତ୍ୱ ଦେବା ସହ ରାଷ୍ଟ୍ରୀୟ ସ୍ରୋତରେ ସାମିଲ ହେବା ଜରୁରି । ତେଣୁ ଆଜି ଦିନ ଏପ୍ରିଲ ୨୪ ରାଷ୍ଟ୍ରୀୟ ପଞ୍ଚାୟତିରାଜ ଦିବସ ପାଳନରେ ଓଡ଼ିଶା ବି ସାମିଲ ହୋଇଛି ।
ଓଡ଼ିଶାର ଗ୍ରାମାଞ୍ଚଳର ମୋର ପ୍ରିୟ ଭାଇଭଉଣୀମାନଙ୍କୁ ମୁଁ ଆଶ୍ୱସ୍ତ କରିବାକୁ ଚାହେଁ, ମୋ ସରକାର ରାଜ୍ୟରେ ଗ୍ରାମାଞ୍ଚଳର ବିକାଶ ମାଧ୍ୟମରେ ରାଜ୍ୟର ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ବଦ୍ଧପରିକର । ଗ୍ରାମାଞ୍ଚଳର ଦ୍ରୁତ ବିକାଶ ପାଇଁ ରାଜ୍ୟର ସେହି ଅଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କର ବିକାଶ ପ୍ରକ୍ରିୟାରେ ସାମିଲ ହେବା ଜରୁରି । ଆମର ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାକୁ ଶକ୍ତିଶାଳୀ କରିବା ସହ ଜନଭାଗୀଦାରୀ ଆଧାରରେ ଗ୍ରାମାଞ୍ଚଳର ଦ୍ରୁତ ବିକାଶ ସମ୍ଭବ ବୋଲି ମୋର ଦୃଢ଼ ବିଶ୍ୱାସ ।
ଗ୍ରାମାଞ୍ଚଳରେ ବସବାସ କରୁଥିବା ମୋର ପ୍ରିୟ ଭାଇ ଭଉଣୀମାନେ ଏବଂ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାର ଜନପ୍ରତିନିଧିମାନଙ୍କୁ ମୁଁ ପୁଣିଥରେ ଭାବାବେଗର ସହ ଅବଗତ କରିବାକୁ ଚାହେଁ ଯେ, ମୋର ରାଜନୈତିକ ଜୀବନ ସରପଞ୍ଚ ନିର୍ବାଚନ ଲଢ଼ି ଆରମ୍ଭ କରିଥିଲି । ୧୯୯୭ ମସିହାରେ କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ରାଇକଳା ପଞ୍ଚାୟତର ସରପଞ୍ଚ ହୋଇଥିଲି । ରାଜନୀତିର ଆଦ୍ୟ ପାହାଚରେ ଜଣେ ତୃଣମୂଳସ୍ତରର ଜନପ୍ରତିନିଧିର ଅନୁଭବ ମୋ ମନରେ ଆଜି ତାଜା ଅଛି । ପଞ୍ଚାୟତ ମୁଖ୍ୟରୁ ରାଜ୍ୟ ସରକାରରେ ମୁଖ୍ୟ, ଯାତ୍ରାର ଅଢ଼େଇ ଦଶନ୍ଧିରୁ ଅଧିକ ସମୟ ବିତିଛି । ମୁଁ ସାରା ଓଡ଼ିଶା ବୁଲିଛି । ବିଧାନସଭାର ସଦସ୍ୟ ଭାବେ ରାଜ୍ୟର ଅନୁସୂଚିତ ଜାତି-ଜନଜାତି, ପଛୁଆବର୍ଗ ଏବଂ ଏହା ସହ ରାଜ୍ୟର ଅପହଞ୍ଚ ଅବହେଳିତ ଜନତାଙ୍କ ସମସ୍ୟାକୁ ଜଣେ ବିଧାୟକ ଭାବରେ ମୁଖର ହୋଇ ଉଠାଇଛି ।
ସବୁ ଅନୁଭବ ଆଧାରରେ ଗୋଟିଏ ନିଷ୍କର୍ସ ମୋ ପାଖରେ ଅଛି, ଜନଭାଗିଦାରୀ ବିନା ବିକାଶକୁ ବଡ଼ ଗତି ଦେବା ଅସମ୍ଭବ । ସରକାର-ପ୍ରଶାସନ ଏକଚାଟିଆ ଭାବରେ ବିକାଶର ଠିକା ନେଇପାରିବେ ନାହିଁ । ପଞ୍ଚାୟତିରାଜ ବ୍ୟବସ୍ଥାର ସକ୍ରିୟ ଅଂଶଗ୍ରହଣ ବିନା ରାଜ୍ୟ ରାଜଧାନୀ ଏବଂ ଜିଲ୍ଲା ମୁଖ୍ୟାଳୟରୁ ପରିଚାଳନା କରି ଲୋକଙ୍କୁ ବିକାଶ କାମରେ ବଡ଼ ଭାଗିଦାରୀ ସମ୍ଭବ ନୁହେଁ । ଆପଣମାନେ ପଞ୍ଚାୟତିରାଜ ବ୍ୟବସ୍ଥାର ସକ୍ରିୟ ଅଂଶଗ୍ରହଣକାରୀ, ଆପଣ ୱାର୍ଡମେମ୍ବରରୁ ଜିଲ୍ଲା ପରିଷଦ ସଦସ୍ୟ । ତୃଣମୂଳ ସ୍ତରର ସବୁ ରାଜନୈତିକ ଦଳ, ସାମାଜିକ ସଙ୍ଗଠନ ତଥା ଜାଗ୍ରତ ନାଗରିକ ସମୂହଙ୍କ ଇଚ୍ଛାଶକ୍ତି ହିଁ ଆମ ତୃଣମୂଳର ଜନତାଙ୍କୁ ଜାଗ୍ରତ କରିପାରିବ । ଆଜି ରାଷ୍ଟ୍ରୀୟ ପଞ୍ଚାୟତିରାଜ ଦିବସର ଶୁଭ ଅବସରରେ ଆପଣଙ୍କ ଅଞ୍ଚଳର ବିକାଶ ମାଧ୍ୟମରେ ରାଜ୍ୟ ବିକାଶର ବଡ଼ ଯୋଗଦାନ ଦେବାକୁ ଆହ୍ୱାନ ଜଣାଉଛି ।
ମୋର ମନେଅଛି, ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ନେବାର ପ୍ରାରମ୍ଭିକ ବର୍ଷମାନଙ୍କରେ ତାଙ୍କର ରାଷ୍ଟ୍ରୀୟ ପଞ୍ଚାୟତିରାଜ ଦିବସରେ ତାଙ୍କର ସରପଞ୍ଚ ଓ ଗାଁ ପ୍ରଧାନମାନଙ୍କ ସହ ଭାବବିନିମୟର କଥା । ମୋର ମନେ ଅଛି, ସେହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀମାନେ ଗ୍ରାମାଞ୍ଚଳର ବିକାଶ ପାଇଁ ପଞ୍ଚାୟତିରାଜ ସଂସ୍ଥାମାନଙ୍କୁ ଆର୍ଥିକ ଅନୁଦାନର ବଡ଼ ବ୍ୟବସ୍ଥାର ସୂଚନା ଦେଇଥିଲେ । ଆଗାମୀ ବର୍ଷମାନଙ୍କ ପାଇଁ କେମିତି ବଜେଟରେ ଆହୁରି ବଡ଼ ବ୍ୟୟ ବରାଦର ପ୍ରସ୍ତୁତି ଚାଲିଛି ତାର ହିସାବ ଦେଇଥିଲେ । ମୋଦିଙ୍କ କେନ୍ଦ୍ର ସରକାର ହେଉ ବା ଆପଣଙ୍କ ମୋହନ ସରକାର, ଆମେ ଗାଁ ବିକାଶ ପାଇଁ ଆର୍ଥିକ ସହାୟତା ବଡ଼ କରିବୁ ।
ମାତ୍ର ସେବର୍ଷ ମୋଦି କହିଥିବା କିଛି କଥା ମୋ ମନରେ ଗଭୀର ରେଖାପାତ କରିଥିଲା । ଆଜି ଏହି ପ୍ରସଙ୍ଗରେ ଲେଖିଲାବେଳେ ସେ ଭାଷଣ ମୋର ମନେପଡୁଛି । ମୋଦିଜୀ କହିଥିଲେ, ବଜେଟ ଆସିବ ଖର୍ଚ୍ଚ ହେବ । ଏହା ରୁଟିନ କାମ । ମାତ୍ର ବିନା ବଜେଟରେ ନିଜ ନେତୃତ୍ୱରେ ନୂଆ କ’ଣ କରିହେବ ତାକୁ ଚିନ୍ତା କରନ୍ତୁ । ଗ୍ରାମ ସଡ଼କ ପ୍ରସ୍ତୁତ ହେଲା ଜଣେ ସରପଞ୍ଚ ଗାଁ ଯୁବକଙ୍କୁ ଏକାଠି କରି ଉଭୟ ପାଶ୍ୱର୍ରେ ବିନା ଖର୍ଚ୍ଚରେ ବୃକ୍ଷରୋପଣ କଲେ । ଦୁଇ ଅଢ଼େଇ କିଲୋମିଟର ରାସ୍ତା ସବୁଜ ଗଛରେ ଭରିଗଲା ।
ଜଣେ ସରପଞ୍ଚ ବିନା ବଜେଟରେ ଖାଲି ନିଜର ଇଚ୍ଛାଶକ୍ତି ଓ ନେତୃତ୍ୱରେ ଅନେକ ପରିବର୍ତ୍ତନର ସମ୍ଭାବନା କରିପାରିବା କଥା କହିଥିଲେ ମୋଦି । ପଞ୍ଚାୟତ ବଜେଟ ବାହାରେ ଗାଁରେ ସରକାର ଅନେକ କାମରେ ଅର୍ଥ ଖର୍ଚ୍ଚ କରୁଛନ୍ତି । ଅଙ୍ଗନବାଡ଼ି-ଆଶା-ଗାଁ ସ୍କୁଲ ତ ପଞ୍ଚାୟତର ବଜେଟରୁ ଚାଲୁନି। ମାତ୍ର ଆମ ଗାଁରୁ ଗୋଟିଏ ବି ପିଲା ସ୍କୁଲ ଡ୍ରପ୍ଆଉଟ ହେବନି, ଏକଥା ତୃଣମୂଳ ସ୍ତରର ଜନପ୍ରତିନିଧି ଯଦି ପଣ କରେ ତାହେଲେ ଜନଭାଗିଦାରୀରେ ତାହା ସମ୍ଭବ ।
ଆପଣ ଥରେ ଭାବନ୍ତୁ, ଆମ ରାଜ୍ୟରେ ସ୍କୁଲ ଡ୍ରପ୍ଆଉଟ ବଡ଼ ସମସ୍ୟା । ଯଦି ଆପଣମାନେ ଆପଣଙ୍କ ଇଚ୍ଛାଶକ୍ତିରେ ସ୍କୁଲ ଡ୍ରପ୍ଆଉଟ ବନ୍ଦ କରିଦେଇପାରିବେ ତେବେ ଆପଣ ଓଡ଼ିଶାର କି ପ୍ରକାର ବିକାଶ କରିବେ କଳ୍ପନା କରିପାରିବେନି । ପରିବାର ବା ବ୍ୟକ୍ତି ନୁହେଁ, ଆପଣ ପୂରା ପିଢ଼ି ଗଢ଼ିଦେଇ ପାରିବେ ।
ଆମ ଗାଁମାନଙ୍କରେ ସାମାଜିକ ଜୀବନ ଆଧୁନିକତା ପ୍ରଭାବରେ ଖରାପ ହେଉଛି । ମାତ୍ର ଗାଁରେ ଆଜି ବି ଭାଇଚାରା ବଞ୍ଚିଛି । ଗାଁର ଲୋକ ଏବଂ ଗାଁର ପିଲାମାନେ ବଡ଼ ଚାକିରି ବ୍ୟବସାୟ କରି ରାଜ୍ୟ ଓ ଦେଶର ବିଭିନ୍ନ ସ୍ଥାନରେ ରହୁଛନ୍ତି । ବର୍ଷରେ ଗାଁରେ ଗୋଟିଏ ଦିନ ସମସ୍ତଙ୍କୁ ଏକାଠି କରି ଭୋଜିଭାତ ଓ ଭାବର ଆଦାନପ୍ରଦାନ କଲେ କେମିତି ହୁଅନ୍ତା? ଗାଁର ପିଲା ଯିଏ ଜୀବନରେ ବଡ଼ ହୋଇଛି ସେ କ’ଣ ଅନ୍ୟମାନଙ୍କୁ ପ୍ରେରଣା ଦେଇପାରିବ ନାହିଁ? ସ୍ୱଚ୍ଛଳ ଲୋକ ଗାଁର ଗରିବ ଓ ଅସହାୟଙ୍କ ପାଇଁ ସହଯୋଗର ହାତ ବଢ଼ାଇପାରିବ ନା ନାହିଁ?
ଆମ ରାଜ୍ୟରେ ଅପପୁଷ୍ଟି ଏକ ବଡ଼ ସମସ୍ୟା । ସରକାର ପୁଷ୍ଟିସାଧନ ପାଇଁ ବଡ଼ ପଦକ୍ଷେପ ଓ ଯୋଜନା କରୁଛନ୍ତି । କିନ୍ତୁ ମୋର ଅପେକ୍ଷା ଗାଁରେ ଓ ସହରର ସ୍ୱଚ୍ଛଳ ଲୋକମାନେ ନିଜ ପରିବାର ପାଖରେ ଥିବା ଆର୍ଥିକ ଦୃଷ୍ଟିରୁ ସ୍ୱଚ୍ଛଳ ନଥିବା ଗର୍ଭବତୀ ମା’, ନବଜାତକ ଓ ଛୋଟ ପିଲାମାନଙ୍କ ପାଇଁ ସ୍ୱେଚ୍ଛାକୃତ ଭାବରେ କିଛି କରିବା ଉଚିତ । ତୃଣମୂଳ ଜନପ୍ରତିନିଧି ଭାବରେ ସାମାଜିକ ଓ ରାଜନୈତିକ କର୍ମୀ ଭାବରେ ଆମେ ଆମର କାମ କରିବା । ମାତ୍ର ଯଦି ଆମେ ଚାହିଁବା ତେବେ ଆମେ ନୂଆ ପିଢ଼ି ଗଢ଼ିବାରେ ମଧ୍ୟ ଆମର ବଡ଼ ଯୋଗଦାନ ଦେଇପାରିବା ।
ପଞ୍ଚାୟତକୁ ଅନୁଦାନ, ସମ୍ବିଧାନ, ଦିଶା ନିର୍ଦ୍ଦେଶ ମୁତାବକ ଅଧିକାର ଓ ଦାୟିତ୍ୱ ପ୍ରଦାନ, ପଞ୍ଚାୟତର ବଜେଟ ଉପଯୋଗରେ ସକ୍ରିୟତା ଏହା ନିରନ୍ତର ପ୍ରକ୍ରିୟା । ମୋ ସରକାର ଲୋକ ବିକାଶର ସବୁ ଆବଶ୍ୟକତା ପୂରଣ ପାଇଁ ପଞ୍ଚାୟତିରାଜ ବ୍ୟବସ୍ଥାକୁ ବଡ଼ କରିବା ପାଇଁ କୌଣସି ଉଦ୍ୟମରେ କମ୍ କରିବ ନାହିଁ, ଆଜି ମୁଁ ପ୍ରତିଶ୍ରୁତି ଦେଉଛି ।
ଆମେ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତା ଭାବରେ ଅନ୍ତୋଦୟ ଆମ ପାଇଁ ନିଷ୍ଠା । ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଅନ୍ତୋଦୟ ଆଜି ଦିନରେ ମୋଦିଜୀଙ୍କର ଗରିବ କଲ୍ୟାଣ । ଗାନ୍ଧୀଜୀଙ୍କ ଭାଷାରେ ଭାରତର ଆତ୍ମା ଗାଁରେ ବାସ କରେ । ଗରିବ କଲ୍ୟାଣ କେନ୍ଦ୍ର ବିନ୍ଦୁ ପଞ୍ଚାୟତି ବ୍ୟବସ୍ଥା । ‘ସବ୍କା ସାଥ୍, ସବ୍କା ବିକାଶ’ ମନ୍ତ୍ରର ଆତ୍ମା ବି ଆମର ଗାଁ ।
ମୋର ପ୍ରିୟ ଓଡ଼ିଶାବାସୀ ଆମ ଦେଶ ବିଶ୍ୱର ପୁରୁଣା ସଭ୍ୟତା । ଆମ ରାଜ୍ୟ ଓଡ଼ିଶା କବିବର ରାଧାନାଥ ରାୟଙ୍କ ଭାଷାରେ- ଭାରତ ପଙ୍କଜ ଦଳମିଦ ଉତ୍କଳ । ଭାରତ ପଦ୍ମ ହେଲେ ଓଡ଼ିଶା ତାର କେଶର । ବିକଶିତ ଭାରତର ସ୍ୱପ୍ନରେ ଓଡ଼ିଶାର ବଡ଼ ଭୂମିକା ରହୁ । ପଞ୍ଚାୟତିରାଜ ଦିବସ ଅବସରରେ ମୋର ଏହା ଇଚ୍ଛା ଓ ସଂକଳ୍ପ । ଆସନ୍ତୁ ମିଳିମିଶି ଏହାକୁ ସଫଳ କରିବା ।
ଜୟ ଜଗନ୍ନାଥ...