ଭାରତ, ପାକିସ୍ତାନ, ଚୀନ ଭଳି ପରମାଣୁ ଶକ୍ତିସଂପନ୍ନ ତିନିଟି ଦେଶର ଟ୍ରାଇ-ଜଙ୍କସନରେ ସିଆଚେନ ଅବସ୍ଥିତ, ତେଣୁ ଏହି ନ୍ୟୁକ୍ଲିଅର ଟ୍ରାଇ-ଜଙ୍କସନର ସୁରକ୍ଷା ଦାୟିତ୍ୱ ନିଶ୍ଚିତଭାବେ ଗୁରୁତ୍ୱ ବହନ କରେ । ସିଆଚେନର ସଲତୋରୋ ରିଜ୍ରୁ ପିଓକେ’ର ଗିଲଗିଟ ବାଲତିସ୍ତାନ ଅଞ୍ଚଳ ଦେଖିହୁଏ।
୧୯୮୪ ମସିହା ଏପ୍ରିଲ ୧୩ ତାରିଖରେ ଭାରତୀୟ ସେନା ବରଫାବୃତ୍ତ ସିଆଚେନ୍ ଗ୍ଲାସିଅର ଅଞ୍ଚଳ ଅଧିକାର କରିନେଇଥିଲା ଏବଂ ସେଠାରେ ତାର ସ୍ଥିତି ମଜଭୁତ କରିବାକୁ ସମସ୍ତ ପ୍ରକାର ପ୍ରଚେଷ୍ଟା ଜାରି ରଖି ଏପର୍ଯ୍ୟନ୍ତ ସଫଳ ହୋଇପାରିଛି । ସେହି ସେନା ଅଭିଯାନର ନାମ ଥିଲା ‘ଅପରେସନ ମେଘଦୂତ’ । ଭାରତୀୟ ସେନାର ୪ର୍ଥ କୁମାଓଁ ଇନଫାଣ୍ଟ୍ରି ବଟାଲିଅନର ସୈନ୍ୟବଳ ସିଆଚେନର ୧୮ହଜାର ଫୁଟ ଉଚ୍ଚତାରେ ଥିବା ‘ବିଲାଫଣ୍ଡ-ଲା’ରେ ଭାରତୀୟ ତ୍ରିରଙ୍ଗା ଉଡ଼ାଇ ସମଗ୍ର ଦେଶରେ ସୃଷ୍ଟି କରିଥିଲା ଶିହରଣ । ଭାରତୀୟ ବାୟୁସେନା ଲାଦାଖ ସ୍କାଉଟ୍ସର ସାହସୀ ଲଢ଼ୁଆ ବୀର ଓ କୁମାଓଁ ବଟାଲିଅନର ଯବାନଙ୍କ ଆକ୍ରମଣାତ୍ମକ ପଦକ୍ଷେପରେ ସହଯୋଗର ହାତ ବଢ଼ାଇ ‘ଚିତା’ ହେଲିକପ୍ଟର ନିୟୋଜିତ କରିବା ସହ ବହୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା । ଅପରେସନ ମେଘଦୂତର ସଫଳତା ପାଇଁ ଉଭୟ ଆର୍ମି ଏବଂ ଏଆରଫୋର୍ସ ମିଳିତ ଭାବେ ଟାକଟିକାଲ ଓ ଷ୍ଟ୍ରାଟାଜିକ୍ ଯୋଜନା ପ୍ରସ୍ତୁତ କରିଥିଲେ । ଚିତା ଓ ଚେତକ ହେଲିକପ୍ଟର ଦ୍ୱାରା ଭାରତୀୟ ସୈନ୍ୟଙ୍କୁ ବରଫାବୃତ୍ତ ଉଚ୍ଚ ଉଚ୍ଚ ଶୃଙ୍ଗ ଅଞ୍ଚଳରେ ଅବତରଣ କରାଇବାରେ ଅଶେଷ କଷ୍ଟ ସ୍ୱୀକାର କରିବାକୁ ପଡ଼ିଥିଲା ବାୟୁସେନାର ପାଇଲଟଙ୍କୁ ।
ସିଆଚେନ୍ ହେଉଛି ବିଶ୍ୱର ଉଚ୍ଚତମ, ଶୀତଳତମ ଯୁଦ୍ଧକ୍ଷେତ୍ର । ଏହା ୭୬.୪କିମି. ଦୀର୍ଘ ଏବଂ ୨ରୁ ୮କିମି. ଚଉଡ଼ା । ଗିରିପଥଗୁଡ଼ିକ ପ୍ରାୟତଃ ୧୮ରୁ ୨୨ହଜାର ଉଚ୍ଚତାରେ ଅବସ୍ଥିତ । ବରଫରେ ଆଚ୍ଛାଦିତ ଶୃଙ୍ଗଗୁଡ଼ିକରୁ ଆଭାଲେଞ୍ଚ ଘଟିବା (ବରଫ ପାହାଡ଼ ଧସିଯିବା) ପ୍ରାୟତଃ ନିତିଦିନିଆ ଘଟଣା । ସିଆଚେନର ବାମ ଦିଗରେ ପାକିସ୍ତାନ ଓ ଦକ୍ଷିଣ ଦିଗରେ ଚୀନ ରହିଛି । ବିଶ୍ୱର ତିନିଟି ପରମାଣୁ ଶକ୍ତିସଂପନ୍ନ ରାଷ୍ଟ୍ରଭାରତ, ପାକିସ୍ତାନ ଓ ଚୀନ ଷ୍ଟ୍ରାଟାଜିକ ପୋଜିସନରେ ସିଆଚେନ ଅବସ୍ଥିତ । ତେଣୁ ଏହାର ଅବସ୍ଥିତି ହିଁ ସାମରିକ ଦୃଷ୍ଟିରୁ ବେଶ୍ ଗୁରୁତ୍ୱପୂର୍ଣ୍ଣ ।
ଯଦି ଆମେ ଐତିହାସିକ ପୃଷ୍ଠଭୂମିକୁ ଦେଖିବା ତେବେ ସିଆଚେନର ଗୁରୁତ୍ୱ ଉପଲବ୍ଧି କରିପାରିବା । ୧୯୪୭ ମସିହାରେ ବିଭାଜନ ପରେ ଭାରତ- ପାକିସ୍ତାନ ଯୁଦ୍ଧ ଘଟିଥିଲା ୧୯୪୭-୪୮ ମସିହାରେ ଏବଂ ଏହାର ସମାଧାନ ଦିଗରେ ୧୯୪୯ ମସିହାରେ କରାଚି ଏଗ୍ରିମେଣ୍ଟ ସ୍ୱାକ୍ଷରିତ ହୋଇଥିଲା । ପାକିସ୍ତାନ ସହ ଦ୍ୱିତୀୟ ଥର ଯୁଦ୍ଧ ୧୯୬୫ ମସିହାରେ ଘଟିବାରୁ ସମାଧାନ ଦିଗରେ ତାସକେଣ୍ଟ ଠାରେ ରାଜିନାମା ସ୍ୱାକ୍ଷରିତ ହୋଇଥିଲେ ମଧ୍ୟ ପୁଣି ୧୯୭୧ ମସିହାରେ ଯୁଦ୍ଧଭେରୀ ବାଜି ଉଠିବାରୁ ଏହାର ସମାଧାନ ପାଇଁ ପୁଣି ସିମଲା ରାଜିନାମା ସ୍ୱାକ୍ଷରିତ ହେଲା । ଆଶା କରାଯାଉଥିଲା ଭବିଷ୍ୟତରେ ଏଭଳି ଯୁଦ୍ଧ ପୁଣି ହେବନାହିଁ । ମାତ୍ର ସେହି ଆଶା ମଉଳି ଯାଇଥିଲା ୧୯୯୯ ମସିହାରେ ଘଟିଥିବା କାରଗିଲ ଯୁଦ୍ଧ କାରଣରୁ ।
ସେତେବେଳକୁ ପାକିସ୍ତାନ ପରମାଣୁ ଶକ୍ତିର ଅଧିକାରୀ ହୋଇସାରିଥିଲା । ୧୯୪୯ ମସିହାରେ କରାଚି ରାଜିନାମା ଅନୁଯାୟୀ ଅସ୍ତ୍ରବିରତି ରେଖାକୁ ଦୁଇ ଦେଶ ମାନି ନେଇଥିଲେ । ତେବେ ପଏଣ୍ଟ ଏନ.ଜେ.-୯୮୪୨ ଆଗକୁ କୌଣସି ଚିହ୍ନ ଲଗାଯାଇନଥିଲା । ଅସ୍ତ୍ରବିରତି ରେଖାର ଶେଷ ଚିହ୍ନ ଥିଲା- ଏନଜେ-୯୮୪୨ । ଭୂମି ଉପରେ କୌଣସି ଚିହ୍ନ ଦିଆନଯାଇ ମାନଚିତ୍ର ଉପରେ କେବଳ ଏହି ପଏଣ୍ଟର ଉତ୍ତର ଦିଗକୁ ରେଖା ଲମ୍ବିଯାଇଥିବାର ଦର୍ଶାଯାଇଥିଲା, କାରଣ ସେହି ଅଞ୍ଚଳ ଥିଲା ବରଫାବୃତ୍ତ, ଦୁର୍ଗମ, ଯେଉଁଠାରେ ଘାସ କେରାଏ ଉଠୁନଥିଲା । ଜୀବନଧାରଣ ଥିଲା ଅତି କଷ୍ଟପୂର୍ଣ୍ଣ । ତେଣୁ ଦୁଇ ଦେଶ ଏହି ଚିହ୍ନକୁ ମାନି ନେଇଥିଲେ ।
୧୯୭୪ ମସିହାରେ ଜର୍ମାନର ଏକ ପର୍ବତାରୋହୀ ଦଳ ଜାମ୍ମୁ କାଶ୍ମୀରର ମୁଖ୍ୟମନ୍ତ୍ରୀ ଶେଖ୍ ଅବଦୁଲ୍ଲାଙ୍କୁ ଯୋଗାଯୋଗ କରି ଏହି ଅଞ୍ଚଳରେ ପର୍ବତାରୋହଣ ପାଇଁ ମନ ବଳାଇବାରୁ ଗୁଲମାର୍ଗସ୍ଥିତ ‘ହାଇ ଅଲଟିଚ୍ୟୁଟ... ୱାର୍ଫେଆର ସ୍କୁଲ’ର କର୍ଣ୍ଣେଲ ନରିନ୍ଦର କୁମାରଙ୍କୁ (ସେନାରେ ବୁଲ୍ ଭାବେ ପରିଚିତ) ସେହି ଏକ୍ସପେଡିସନରେ ସେମାନଙ୍କ ସଙ୍ଗରେ ପଠାଇଥିଲେ । ୧୯୭୯ ମସିହାରେ ପୁଣି ଏକ ଦଳ ସିଆଚେନର ଦକ୍ଷିଣପାଶ୍ୱର୍ରୁ ଏକ୍ସପେଡିସନ ପାଇଁ ଅନୁମତି ଚାହିଁଲେ, ମାତ୍ର ଭାରତ ସେହି ଦଳଙ୍କୁ ଅନୁମତି ନଦେବାରୁ ସେମାନେ ପାକିସ୍ତାନର ଅନୁମତି ନେଇ ଏକ୍ସପେଡିସନ କରିଥିଲେ ଯାହାକୁ ଭାରତ ତୀବ୍ର ବିରୋଧ କରିଥିଲା । ଆମେରିକାର ଡିଫେନ୍ସ ମେପିଙ୍ଗ ଏଜେନ୍ସି ଏକ ବିବାଦୀୟ ନକ୍ସା ଜାରି କଲା ଯାହାକୁ ଉପଯୋଗ କରି ପାକିସ୍ତାନ ସିଆଚେନକୁ ତାର ନିଜ ଅଞ୍ଚଳ ବୋଲି ଦର୍ଶାଇଲା ।
୧୯୭୮ ମସିହାରେ କର୍ଣ୍ଣେଲ ନରିନ୍ଦର କୁମାର (ବୁଲ୍) ଜର୍ମାନ ଅଭିଯାନକାରୀ ଦଳଙ୍କଠାରୁ ସେହି ଅଞ୍ଚଳର ଏକ ମାନଚିତ୍ର ପାଇ ତତ୍କାଳୀନ ଆର୍ମି ଡାଇରେକ୍ଟର ଜେନେରାଲ ମିଲିଟାରୀ ଅପରେସନ ଲେଫ୍ଟନାଣ୍ଟ ଜେନେରାଲ ଚିବ୍ବରଙ୍କୁ ଦେଇଥିଲେ, ଯାହାକି ଥିଲା ବିବାଦୀୟ ନକ୍ସା । ଆର୍ମି ଚିଫ୍ ଜେନେରାଲ ରାଇନା ଏହାର ଗୁରୁତ୍ୱ ଉପଲବ୍ଧି କରି କର୍ଣ୍ଣେଲ ନରିନ୍ଦର କୁମାର(ବୁଲ୍)ଙ୍କୁ ସିଆଚେନ୍ ଅଞ୍ଚଳର ଗ୍ଲାସିଅର, ଶିଖର, ସ୍ପରଗୁଡ଼ିକୁ ଅନୁଧ୍ୟାନ କରିବାକୁ ଏବଂ ଅଭିଯାନ ଚଳାଇବାକୁ ଦେଇଥିଲେ ନିର୍ଦ୍ଦେଶ । ଅପରେସନ ମେଘଦୂତ ପାଇଁ ଏହା ବେଶ୍ ସହାୟକ ହୋଇଥିଲା ପରବର୍ତ୍ତୀ ସମୟରେ ।
୧୯୮୩ ମସିହାରେ ପାକିସ୍ତାନ ‘ସଲତୋରୋ ରିଜ୍’ ଅଧିକାର କରିବା ପରେ ସିଆଚେନ ଅଧିକାର କରିବାର ଯୋଜନା ସମ୍ବନ୍ଧରେ ଭାରତୀୟ ଇଣ୍ଟେଲିଜେନ୍ସ ଅବଗତ ହେଲା । ପାକିସ୍ତାନ ଆର୍ମି ତାର ବୁରଜିଲ୍-ଫୋର୍ସକୁ ତାର ଗୁପ୍ତ ଅପରେସନ ପାଇଁ ପ୍ରସ୍ତୁତ ରହିବାକୁ ଆଦେଶ ଦେଇଥିଲା ଏବଂ ସେହି ଅପରେସନର ନାମ ରଖାଯାଇଥିଲା ଅପରେସନ ଅବାବିଲ୍ । ୧୯୮୩ ସେପ୍ଟେମ୍ବର-ଅକ୍ଟୋବର ମାସରେ ପାକିସ୍ତାନ ତାର ସେନାର ଦୁଇଟି କମ୍ପାନୀ ସୈନ୍ୟବଳକୁ (ପ୍ରାୟ ୨୦୦ ସୈନ୍ୟ) ପ୍ରେରଣ କରି ‘ବିଲାଫଣ୍ଡା-ଲା’ ଓ ‘ସିଆ-ଲା’ ପ୍ରବେଶ ପଥକୁ ବନ୍ଦ କରିବାକୁ ଚାହିଁଲା ।
ଅପରପକ୍ଷେ ଭାରତୀୟ ଆର୍ମି ଓ ଏଆରଫୋର୍ସ ମିଳିତ ଭାବେ ଅପରେସନ ମେଘଦୂତ ପାଇଁ ଯୋଜନା, ଟ୍ରେନିଂ ତଥା ସମରସଜ୍ଜା ପାଇଁ ପ୍ରସ୍ତୁତିପର୍ବ ଆରମ୍ଭ କରିଦେଇଥିଲେ । ପାକ୍ ସେନା ଆକ୍ରମଣର ୪୮ଘଣ୍ଟା ପୂର୍ବରୁ ସଲତୋରୋ ରେଞ୍ଜ ଅଞ୍ଚଳରେ ଥିବା ତିନିଟି ଗିରିପଥକୁ ଭାରତୀୟ ସେନା କବଳିତ କଲା । ସେଗୁଡ଼ିକ ଥିଲା- ସିଆ-ଲା, ବିଲାଫଣ୍ଡ-ଲା ଏବଂ ଗ୍ୟୋଙ୍ଗ-ଲା । ତିବ୍ବତୀୟ ଭାଷାରେ ଲା’ର ଅର୍ଥଗିରିପଥ । ଭାରତୀୟ ସେନା ଏଗୁଡ଼ିକୁ ଅଧିକାର କରିନେବା ପରେ ପାକିସ୍ତାନୀ ସେନାର ସିଆଚେନ ଅଧିକାର ଯୋଜନା ଫଳପ୍ରଦ ହୋଇପାରିନଥିଲା ଏବଂ ଆଜିପର୍ଯ୍ୟନ୍ତ ମଧ୍ୟ ହୋଇପାରିନାହିଁ ।
ସିଆଚେନ ଗ୍ଲାସିଅର ଅଞ୍ଚଳ ଗୁରୁତ୍ୱପୂର୍ଣ୍ଣ କାହିଁକି? ଭାରତ, ପାକିସ୍ତାନ, ଚୀନ ଭଳି ପରମାଣୁ ଶକ୍ତିସଂପନ୍ନ ତିନିଟି ଦେଶର ଟ୍ରାଇ-ଜଙ୍କସନରେ ସିଆଚେନ ଅବସ୍ଥିତ, ତେଣୁ ଏହି ନ୍ୟୁକ୍ଲିଅର ଟ୍ରାଇଜଙ୍କସନର ସୁରକ୍ଷା ଦାୟିତ୍ୱ ନିଶ୍ଚିତଭାବେ ଗୁରୁତ୍ୱ ବହନ କରେ । ସିଆଚେନର ସଲତୋରୋ ରିଜ୍ରୁ ପିଓକେ’ର ଗିଲଗିଟ ବାଲତିସ୍ତାନ ଅଞ୍ଚଳ ଦେଖିହୁଏ । ଏହା ସକ୍ସଗାମ୍ ଉପତ୍ୟକାରେ ପହଞ୍ଚିବାକୁ ଥିବା ରାସ୍ତା ଜଗିବାକୁ ଉପାଦାନ ଯୋଗାଇଥାଏ । ସିଆଚେନ ଲାଦାଖ ପାଇଁ ଯେପରି ଏକ ମଧ୍ୟାଦେଶ, ସେହିପରି ଜାମ୍ମୁ-କାଶ୍ମୀରକୁ ପାକିସ୍ତାନ ଓ ଚୀନ ପଟୁ ଆକ୍ରମଣରୁ ରକ୍ଷା କରିବା ପାଇଁ ଏକ ପୃଷ୍ଠଭୂମି ।
ଭାରତ-ଚୀନ ଯୁଦ୍ଧ ପରେ ୧୯୬୩ ମସିହାରେ ଭାରତର ପ୍ରତିବାଦ ସତ୍ତେ୍ୱ ପାକିସ୍ତାନ ସିଆଚେନର ଉତ୍ତର ଦିଗରେ ଥିବା ବିସ୍ତୃତ ଅଞ୍ଚଳକୁ ଚୀନକୁ ଦେଇଦେଲା । ଚୀନ ଓ ପାକିସ୍ତାନ ମଧ୍ୟରେ ସୀମା ଚୁକ୍ତି ହେବାପରେ ପାକିସ୍ତାନ ନୁର୍ବା-ଉପତ୍ୟକା ଅଧିକାର କରିବାକୁ ପ୍ରଚେଷ୍ଟା ଜାରି ରଖିଛି । ସିଆଚେନର ପୂର୍ବଦିଗରେ ସିକିଆଙ୍ଗତିବ୍ବତ ମାର୍ଗ ଓ ଉତ୍ତର ଦିଗରେ ପାକିସ୍ତାନ-ତିବ୍ବତ ରାସ୍ତା । ଏହି ଗ୍ଲାସିଅର ନୁର୍ବା ଉପତ୍ୟକାକୁ ସଂଯୋଗ କରୁଛି । ପାକିସ୍ତାନ ଅଧିକୃତ ପିଓକେ ଓ ଗିଲଗିଟ୍, ଚୀନ ଅଧିକୃତ ଅକ୍ସାଇ-ଚୀନର ଅବସ୍ଥିତି କାରଣରୁ ପାକିସ୍ତାନ ଯଦି ସିଆଚେନ ଅଧିକାର କରେ ତେବେ ନୁର୍ବା-ଉପତ୍ୟକା ହାସଲ କରିବାରେ ସକ୍ଷମ ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ । କାରାକୋରମ ପର୍ବତମାଳାରୁ କେବଳ ସିଆଚେନ ଭାରତ ଅଧିକୃତ ଅଞ୍ଚଳ ହୋଇଥିବାରୁ ଏହାର ସୁରକ୍ଷା ସାମରିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ।
ସିଆଚେନ ଗ୍ଲାସିଅର ଅଞ୍ଚଳରେ ୨୪୨ ସଂଖ୍ୟକ ଗ୍ଲାସିଅର ରହିଛି । ଏହି ଅଞ୍ଚଳ ବିଶ୍ୱର ସବୁଠୁ ଅଧିକ ଗ୍ଲାସିଅରରେ ପରିପୂର୍ଣ୍ଣ ଅଞ୍ଚଳ । ଚୀନ ମାଇକ୍ରୋଚିପ୍ ଭଳି ନିର୍ମାଣ କାର୍ଯ୍ୟ ପାଇଁ ବହୁ ପରିମାଣର ଜଳ ଆବଶ୍ୟକ କରୁଥିବାରୁ ସିଆଚେନ ଉପରେ ଦୃଷ୍ଟି ରଖିଛି ନିବଦ୍ଧ । ଗ୍ଲାସିଅରରୁ ବରଫ ତରଳି ଜଳରେ ପରିଣତ ହେବାପରେ ସେହି ଜଳକୁ ଇଣ୍ଡସ୍ ନଦୀ ସିଷ୍ଟମରେ ସଞ୍ଚିତ କରି ରଖିବା ଚୀନର ଲକ୍ଷ୍ୟ । ମାଇକ୍ରୋଚିପରେ ବ୍ୟବହୃତ ମାତ୍ର ୩୦ବର୍ଗ ସେଣ୍ଟିମିଟର ସିଲିକନ୍ ୱେଫର୍ସ ନିର୍ମାଣ କାର୍ଯ୍ୟରେ ପ୍ରାୟ ୧୦ହଜାର ଲିଟରରୁ ଅଧିକ ଜଳର ଆବଶ୍ୟକତାକୁ ଦୃଷ୍ଟିରଖି ଚୀନ ଏଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ରଖିଛି । ଚୀନ ଇଣ୍ଡସ୍ ନଦୀ ଉପରେ ୫ଟି ବନ୍ଧ ନିର୍ମାଣ କରିବାକୁ ଆବଶ୍ୟକ ଅର୍ଥରାଶି ପାକିସ୍ତାନକୁ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେବା ସହ ଏହି ନଦୀବନ୍ଧ ନିର୍ମିତ ହେଲେ ବିଦ୍ୟୁତ ଉତ୍ପାଦନ ଦ୍ୱାରା ଚୀନର ଜିନଜିଆଙ୍ଗକୁ ଆଲୋକିତ କରିବା ସହ ମାଇକ୍ରୋଚିପ୍ସରେ ବ୍ୟବହୃତ ସିଲିକନ୍ ୱେଫର୍ସ ନିର୍ମାଣରେ ଯଥେଷ୍ଟ ସହାୟକ ହେବ ।
ସିଆଚେନରେ ଜୀବନଧାରଣ ହିଁ ଏକ ସଂଗ୍ରାମ । ୧୮ହଜାର ଫୁଟରୁ ୨୨ହଜାର ଫୁଟ ଉଚ୍ଚତାରେ ବରଫ ଆଚ୍ଛାଦିତ ଅଞ୍ଚଳର ତାପମାତ୍ରା -୧୦ ଡିଗ୍ରୀରୁ -୬୦ ଡିଗ୍ରୀ ସେଲସିୟସରେ ରହିଥାଏ । ଅକସିଜେନର ଅଭାବ କାର୍ଯ୍ୟରତ ସୈନିକର ଶାରୀରିକ ଓ ମାନସିକ ବ୍ୟତିକ୍ରମ ପାଇଁ ଦାୟୀ । ଶରୀରର କୌଣସି ଅଙ୍ଗ ଯଦି ଦୀର୍ଘସମୟ ଧରି ଖୋଲା ରହେ ତେବେ ଫ୍ରଷ୍ଟ ବାଇଟ୍ ବା ତୁଷାରାଘାତ ଦ୍ୱାରା ଆକ୍ରାନ୍ତ ହୋଇଥାନ୍ତି । ଅସ୍ତ୍ରୋପଚାର ଦ୍ୱାରା ସେହି ଅଂଶକୁ କାଟି କାଢ଼ିଦେବା ଦରକାର ।
ଅମ୍ଳଜାନର ମାତ୍ରା କମ୍ ଥିବାରୁ ଫୁସଫୁସରେ ପାଣି ଜମି ପୁଲମୋନାରୀଏଡିମାରେ ଆକ୍ରାନ୍ତ ହୋଇଥାନ୍ତି । ଉପଯୁକ୍ତ ଅବା ଠିକ୍ ସମୟରେ ଚିକିତ୍ସା ନମିଳିଲେ ମୃତ୍ୟୁର ସମ୍ଭାବନା ରହିଥାଏ । ବରଫାବୃତ୍ତ ଅତୀବ କଷ୍ଟକର ପରିସ୍ଥିତିରେ ଶତ୍ରୁ ସହ ମୁକାବିଲା କରିବାପାଇଁ ରାଇଫଲ, ଗୁଳିଗୋଳା, ଖାଦ୍ୟ, ପାଣି, ଅନ୍ୟାନ୍ୟ ଅତ୍ୟାବଶ୍ୟକ ଜିନିଷ ପିଠିରେ ବୋହି ନେବା କେତେ କଷ୍ଟସାଧ୍ୟ ତାହା ଅନୁଭବୀ ହିଁ ଅବଗତ ।
ସିଆଚେନରେ ନିୟୋଜିତ ପ୍ରାୟ ୫୦୦୦ ସୈନିକଙ୍କ ପାଇଁ ଦୈନିକ ପାଖାପାଖି ୬କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ, ଯାହାକି ବାର୍ଷିକ ପରିମାଣ ପ୍ରାୟତଃ ୨୨୦ କୋଟି ଟଙ୍କା । ସମଗ୍ର ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ସେଠାରେ ସୈନ୍ୟ ମୁତୟନ ନିଷ୍ପତ୍ତି ଏକ କଠିନ ନିଷ୍ପତ୍ତି³ ମାତ୍ର ତାହା ଅତି ଜରୁରି ।