ଯେଉଁ ଆମେରିକା ତାର ସ୍ୱାର୍ଥପାଇଁ ଏକଦା ଜଗତୀକରଣ, ଉଦାରୀକରଣ ସହିତ ମୁକ୍ତ ବାଣିଜ୍ୟ ପାଇଁ ଓକିଲାତି କରୁଥିଲା, ସେହି ଦେଶ ନିଜ ସ୍ୱାର୍ଥହାନି ହେବାରୁ ସେଥିରୁ ନିବୃତ ରହି ସୁରକ୍ଷାବାଦୀ ନୀତି କଥା କହୁଛି । ଯଦିଓ ବିଂଶ ଶତାବ୍ଦୀର ମଧ୍ୟଭାଗରୁ ଆମେରିକାକୁ ମୁକ୍ତ ବାଣିଜ୍ୟର ସର୍ବଶ୍ରେଷ୍ଠ ଚାମ୍ପିଅନ ଏବଂ ବିଶ୍ୱାୟନର ମୁଖ୍ୟ ସ୍ଥପତି ଭାବରେ ବିବେଚନା କରାଯାଇଛି, ପ୍ରକୃତରେ ଆମେରିକାର କୌଣସି ନିର୍ଦ୍ଦିଷ୍ଟ ନୀତି ନାହିଁ ।
ଆମେରିକାର ଯେଉଁସବୁ ଦେଶ ସହିତ ବାଣିଜ୍ୟ ନିଅଣ୍ଟ ବା ଟ୍ରେଡ୍ ଡେଫିସିଟ୍ ରହିଛି, ସେହି ପ୍ରମୁଖ ଦେଶ ବିରୁଦ୍ଧରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମଦାନୀ ଶୁଳ୍କ ଲଗାଇଛନ୍ତି । ଏପ୍ରିଲ ୨ରେ ଟ୍ରମ୍ପ ସେହିସବୁ ଦେଶର ଆମଦାନୀ ଉପରେ ଏକ ମୂଳ ୧୦% ଶୁଳ୍କ ଲାଗୁ କରିବା ସହିତ ରିସିପ୍ରୋକାଲ ଟାରିଫ୍ ବା "ପାରସ୍ପରିକ' ଶୁଳ୍କ ଧାର୍ଯ୍ୟ କରିଥିଲେ । ବିଶ୍ୱ ବ୍ୟାଙ୍କ ତଥ୍ୟ ଅନୁଯାୟୀ, ଗତବର୍ଷ ଆମେରିକାର ବିଶ୍ୱସ୍ତରରେ ୧୧୬ଟି ଦେଶ ସହିତ ଦ୍ୱିପାକ୍ଷିକ ବାଣିଜ୍ୟ ବଳକା ଥିଲାବେଳେ ୧୧୪ଟି ଦେଶ ସହିତ ଦ୍ୱିପାକ୍ଷିକ ବାଣିଜ୍ୟ ନିଅଣ୍ଟ ଥିଲା । ଟ୍ରମ୍ପ ଏପ୍ରିଲ ୨କୁ "ମୁକ୍ତି ଦିବସ' ବା "ଲିବରେସନ ଡେ' ଭାବରେ ଘୋଷଣା କରିଛନ୍ତି ଏବଂ ଏହାକୁ "ଆମେରିକା ଇତିହାସର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିନଗୁଡ଼ିକ ମଧ୍ୟରୁ ଗୋଟିଏ ଦିନଭାବେ ବିବେଚନା କରିଛନ୍ତି । ଶୁଳ୍କ ଧାର୍ଯ୍ୟକୁ ‘ଅର୍ଥନୈତିକ ସ୍ୱାଧୀନତା' ଭାବେ ଘୋଷଣା କରିବା ସହିତ ଶୁଳ୍କଗୁଡ଼ିକୁ "ମୁକ୍ତି ଦିବସ ଶୁଳ୍କ’ ଭାବରେ ବିବେଚନା କରିଛନ୍ତି ।
ଚାଇନା ଆମଦାନୀ ଉପରେ ୩୪%, ୟୁରୋପୀୟ ସଂଘ ଉପରେ ୨୦%, ଭାରତ ଉପରେ ୨୭%, ଭିଏତନାମରେ ୪୬%, ଦକ୍ଷିଣ କୋରିଆରେ ୨୫%, ଜାପାନରେ ୨୪% ଶୁଳ୍କ ଧାର୍ଯ୍ୟ କରିଥିଲେ । ଯଦିଓ ମୂଳ ୧୦% ଶୁଳ୍କ ଏପ୍ରିଲ ୫ରେ କାର୍ଯ୍ୟକାରୀ ହୋଇଛି, ପାରସ୍ପରିକ ଶୁଳ୍କ ଏପ୍ରିଲ ୯, ୨୦୨୫ରେ କାର୍ଯ୍ୟକାରୀ ହେବାକୁ ସ୍ଥିର କରାଯାଇଥିଲେ ମଧ୍ୟ ୯୦ଦିନ ଘୁଞ୍ଚାଇଛନ୍ତି । ତଥାପି, ଟ୍ରମ୍ପଙ୍କ "ମୁକ୍ତି ଦିବସ’ ଶୁଳ୍କ ବିରୁଦ୍ଧରେ ଏପ୍ରିଲ ୧୫ରେ ଏକ ସ୍ୱାଧୀନତାବାଦୀ ଜନସ୍ୱାର୍ଥ ଫାର୍ମ ଆମେରିକାର ଅନ୍ତର୍ଜାତୀୟ ବାଣିଜ୍ୟ କୋର୍ଟରେ ଚ୍ୟାଲେଞ୍ଜ କରିଛି । ଯାହାର ଯୁକ୍ତି ହେଉଛି ଯେ ରାଷ୍ଟ୍ରପତି ତାଙ୍କ କ୍ଷମତା ଅତିକ୍ରମ କରିଛନ୍ତି । ଲିବର୍ଟି ଜଷ୍ଟିସ୍ ସେଣ୍ଟରର ବରିଷ୍ଠ ଓକିଲ ଜେଫ୍ରି ସ୍କ୍ୱାବ କହିଛନ୍ତି ଯେ, ଆମର ବ୍ୟବସ୍ଥା ଏପରି ନୁହେଁ ଯେ, ଜଣେ ବ୍ୟକ୍ତି ବିଶ୍ୱ ଅର୍ଥନୀତିରେ କର ଲଗାଇବାର କ୍ଷମତା ପାଇପାରିବେ । ବାଣିଜ୍ୟ ନିଅଣ୍ଟ ସେତେବେଳେ ଘଟେ ଯେତେବେଳେ କୌଣସି ଦେଶର ପଣ୍ୟ/ସାମଗ୍ରୀ/ଦ୍ରବ୍ୟର ଆମଦାନୀ ଏହାର ଦ୍ରବ୍ୟ ରପ୍ତାନିଜନିତ ଆୟଠାରୁ ଅଧିକ ହୁଏ । ଅର୍ଥାତ୍ ଏହା ଅନ୍ୟ ଦେଶକୁ ବିକ୍ରି କରିବା ଅପେକ୍ଷା ଅଧିକ ମୂଲ୍ୟର ସାମଗ୍ରୀ କିଣୁଛି ।
ସେହିପରି ରପ୍ତାନି ଆମଦାନୀଠାରୁ ଅଧିକ ହେଲେ ବାଣିଜ୍ୟ ବଳକା ବା ଉଦ୍ବୃତ୍ତ ବାଣିଜ୍ୟ ଘଟିଥାଏ । ଅର୍ଥାତ୍ ଏହା ଅନ୍ୟ ଦେଶରୁ ସାମଗ୍ରୀ କିଣିବା ଆପେକ୍ଷା ଅଧିକ ମୂଲ୍ୟର ବିକ୍ରି କରୁଛି । ଏକ ଦେଶର ଅର୍ଥନୀତିରେ ସାମଗ୍ରିକ ଭାବରେ ଏବଂ ବ୍ୟକ୍ତିଗତ ଦେଶମାନଙ୍କ ସହିତ ବାଣିଜ୍ୟ ନିଅଣ୍ଟ ବା ବଳକା ଥାଏ । ଯେତେବେଳେ ସାମଗ୍ରୀ ସହିତ ସେବାର ରପ୍ତାନି ଓ ଆମଦାନୀ ଉଭୟକୁ ବିଚାର କରାଯାଏ, ଫଳସ୍ୱରୂପ ଏହି ସଂଖ୍ୟାକୁ କରେଣ୍ଟ ଆକାଉଣ୍ଟ ଉଦ୍ବୃତ୍ତ କିମ୍ବା ନିଅଣ୍ଟ କୁହାଯାଏ । ଭାରତର ଆମେରିକା ସହିତ ବାଣିଜ୍ୟ ବଳକା ଥିଲାବେଳେ ଚୀନ ସହିତ ବାଣିଜ୍ୟ ନିଅଣ୍ଟ ରହିଛି । "ମେକ୍ ଇଣ୍ଡିଆ’ କାର୍ଯ୍ୟକ୍ରମ ସତ୍ତେ୍ୱ ଚୀନ ସହିତ ବାଣିଜ୍ୟ ନିଅଣ୍ଟ ପ୍ରତିବର୍ଷ ବୃଦ୍ଧିପାଉଛି । ୨୦୨୪ ମସିହାରେ ଭାରତ ସହିତ ଆମେରିକାର ମୋଟ୍ ସାମଗ୍ରୀ ବାଣିଜ୍ୟ ପ୍ରାୟ ୧୨୯.୨ ବିଲିୟନ ଡଲାର ଥିଲା । ଭାରତକୁ ରପ୍ତାନି ବାବଦରେ ଆମେରିକୀୟ ୪୧.୮ ବିଲିୟନ ଡଲାର ପାଇଥିଲାବେଳେ ଆମଦାନୀ ବାବଦରେ ୮୭.୪ ବିଲିୟନ ଡଲାର ଦେଇଥିଲେ । ୨୦୨୪ ମସିହାରେ ଭାରତ ସହିତ ଆମେରିକାର ସାମଗ୍ରୀ ବାଣିଜ୍ୟ ନିଅଣ୍ଟ ୪୫.୭ ବିଲିୟନ ଡଲାର ଥିଲା । "ପାରସ୍ପରିକ’ ଶୁଳ୍କ ଧାର୍ଯ୍ୟ କରାଯାଇଛି: ଆମେରିକାର ବାଣିଜ୍ୟ ନିଅଣ୍ଟ ଡ୪୫.୭ ବିଲିୟନ/ ଦେଶରୁ ଆମେରିକାର ଆମଦାନି (ଡ୮୭.୪ ବିଲିୟନ) = ୫୨.୨୮% । ପ୍ରଭାବକୁ ନରମ କରିବା ପାଇଁ ଫଳାଫଳକୁ ଅଧା କରି ୨୭% ଧାର୍ଯ୍ୟ କରାଯିବ ବୋଲି ଆମେରିକା ଧମକ ଦେଇଛି, ଯାହାକୁ ଅଧିକାରୀମାନେ "ଡିସ୍କାଉଣ୍ଟେଡ୍ ପାରସ୍ପରିକ ଶୁଳ୍କ’ ବୋଲି କହିଛନ୍ତି ।
ଚୀନ୍ ସମସ୍ତ ଉତ୍ପାଦିତ ସାମଗ୍ରୀର ପ୍ରାୟ ଏକ-ତୃତୀୟାଂଶ ଉତ୍ପାଦନ କରେ । ପ୍ରକୃତରେ, ଟ୍ରମ୍ପଙ୍କ ପାରସ୍ପରିକ ଶୁଳ୍କ ଅର୍ଥନୈତିକ ସୁରକ୍ଷାବାଦ ପ୍ରତି ତାଙ୍କର ପ୍ରତିବଦ୍ଧତାକୁ ସୂଚିତ କରେ, ଯାହା ତାଙ୍କର "ଆମେରିକା ପ୍ରଥମ’ ନୀତି, "ମେକ୍ ଆମେରିକା ଗ୍ରେଟ୍ ଏଗେନ୍’ ନୀତିର ଏକ ପ୍ରତିଫଳନ । ଯାହା ସମଗ୍ର ବିଶ୍ୱକୁ ଅନିଶ୍ଚିତତା ଭିତରକୁ ଠେଲିଦେଇଛି, ଯାହା ମୁକ୍ତ ତଥା ବହୁପାକ୍ଷିକ ବାଣିଜ୍ୟ ବ୍ୟବସ୍ଥାକୁ ଧ୍ୱଂସ କରିବ । ଯେଉଁ ଆମେରିକା ତାର ସ୍ୱାର୍ଥପାଇଁ ଏକଦା ଜଗତୀକରଣ, ଉଦାରୀକରଣ ସହିତ ମୁକ୍ତ ବାଣିଜ୍ୟ ପାଇଁ ଓକିଲାତି କରୁଥିଲା, ସେହି ଦେଶ ନିଜ ସ୍ୱାର୍ଥହାନି ହେବାରୁ ସେଥିରୁ ନିବୃତ ରହି ସୁରକ୍ଷାବାଦୀ ନୀତି କଥା କହୁଛି । ଯଦିଓ ବିଂଶ ଶତାବ୍ଦୀର ମଧ୍ୟଭାଗରୁ ଆମେରିକାକୁ ମୁକ୍ତ ବାଣିଜ୍ୟର ସର୍ବଶ୍ରେଷ୍ଠ ଚାମ୍ପିଅନ ଏବଂ ବିଶ୍ୱାୟନର ମୁଖ୍ୟ ସ୍ଥପତି ଭାବରେ ବିବେଚନା କରାଯାଇଛି, ପ୍ରକୃତରେ ଆମେରିକାର କୌଣସି ନିର୍ଦ୍ଦିଷ୍ଟ ନୀତି ନାହିଁ । ଶେଷଥର ପାଇଁ ୧୯୩୦ରେ ସ୍ମୁଟ୍-ହାଲି ଟାରିଫ୍ ଆଇନ ଅଧୀନରେ ସମାନ ପ୍ରକାର ଶୁଳ୍କ ବୃଦ୍ଧି କରାଯାଇଥିଲା । ହଜାର ହଜାର ସାମଗ୍ରୀ ଉପରେ ଆମଦାନୀ ଶୁଳ୍କ ବୃଦ୍ଧି କରାଯାଇଥିଲା, ଯାହାର ଉଦ୍ଦେଶ୍ୟ ଥିଲା ଆମେରିକୀୟ ବ୍ୟବସାୟ ଏବଂ ଚାଷୀମାନଙ୍କୁ ବିଦେଶୀ ପ୍ରତିଯୋଗିତାରୁ ରକ୍ଷାକରିବା । ଘରୋଇ ଶିଳ୍ପଗୁଡ଼ିକୁ ସୁରକ୍ଷା ଦେବାପାଇଁ ଏହା ଡିଜାଇନ୍ କରାଯାଇଥିବା ବେଳେ, ଅନ୍ୟ ରାଷ୍ଟ୍ରଗୁଡ଼ିକ ପ୍ରତିଶୋଧମୂଳକ ଶୁଳ୍କ ଲାଗୁ କରିବା ଯୋଗୁଁ ବିଶ୍ୱ ବାଣିଜ୍ୟ ଗୁରୁତର ଭାବରେ ପ୍ରଭାବିତ ହୋଇଥିଲା ଏବଂ ବିଶ୍ୱ ଅର୍ଥନୀତିରେ ଡିପ୍ରେସନ ଦେଖାଦେଇଥିଲା । ବର୍ତ୍ତମାନ ସେହିପରି ଆଶଙ୍କା ଦେଖାଦେଇଛି ।
ବାଣିଜ୍ୟ ଯୁଦ୍ଧର ଘୋଷଣା ଷ୍ଟକ୍ ଏବଂ ବଣ୍ଡ୍ ବଜାରକୁ ହଇଚଇ ସୃଷ୍ଟି କରିଥିଲା ଏବଂ ଏକ ଆର୍ଥିକ ମହାବିପର୍ଯ୍ୟୟ ଆଶଙ୍କା ସୃଷ୍ଟି କରିଥିଲା । ବିଶ୍ୱବ୍ୟାପୀ ପ୍ରମୁଖ ଷ୍ଟକ୍ ବଜାରର ମୂଲ୍ୟ ୧୦ ଟ୍ରିଲିୟନ ଡଲାରରୁ ଅଧିକ ହ୍ରାସ ପାଇଥିଲା, ଯେଉଁଥିରେ ଆମେରିକା ସର୍ବାଧିକ କ୍ଷତି ସହିଥିଲା । ବିଶ୍ୱବ୍ୟାପୀ ବଜାରରେ ଏହି ରକ୍ତପାତ କୋଭିଡ ମହାମାରୀ ଏବଂ ଶେଷ ବିଶ୍ୱ ଆର୍ଥିକ ସଙ୍କଟ ପରେ ସମାନ ବଜାର ଅସ୍ଥିରତାର ସ୍ମୃତିକୁ ପୁନର୍ଜୀବିତ କରିଥିଲା । ଏହା ଏକ ଅନ୍ତର୍ଜାତୀୟ ମାନ୍ଦାବସ୍ଥାର ଭୟ ସୃଷ୍ଟି କରିଛି ଏବଂ ତାଙ୍କ ନିଜ ରିପବ୍ଲିକାନ୍ ପାର୍ଟି ଭିତରୁ ମଧ୍ୟ ସମାଲୋଚନା ଆରମ୍ଭ ହୋଇଛି । ତଥାପି, ଆମେରିକାର ଷ୍ଟକ୍ ବଜାରର ପତନ ସାଙ୍ଗକୁ ବଣ୍ଡ୍ ଏବଂ ଟ୍ରେଜେରୀ ବଜାରରେ ଅପ୍ରତ୍ୟାଶିତ ହ୍ରାସ ଯୋଗୁଁ ଟ୍ରମ୍ପ ନିଜ ଧୂଳି ଚାଟିବାକୁ ବାଧ୍ୟ ହୋଇଥିଲେ ଏବଂ ଅଯୌକ୍ତିକ ଓ ବିନାଶକାରୀ ପାରସ୍ପରିକ ଶୁଳ୍କ ଲାଗୁ କରିବା ପ୍ରକ୍ରିୟାକୁ ୯୦ଦିନ ଘୁଞ୍ଚାଇଥିଲେ । କିନ୍ତୁ ୧୦%ର ମୂଳ ଶୁଳ୍କକୁ ଅକ୍ଷୁଣ୍ଣ ରଖିଥିଲେ । ବିଶେଷଜ୍ଞମାନେ କୁହନ୍ତି ଯେ ଆମେରିକାର ଋଣ ବା ବଣ୍ଡ୍ ବଜାର ସାଧାରଣତଃ ଷ୍ଟକ୍/ଅଂଶଧନ/ଇକ୍ୱିଟି ବଜାରର ବିପରୀତ ଦିଗରେ ଗତିକରେ । ତଥାପି, ଟ୍ରମ୍ପଙ୍କ ଶୁଳ୍କ ଲାଗୁହେବା ପରେ ନିବେଶକମାନେ ଉଭୟ ଇକ୍ୱିଟି ଏବଂ ବଣ୍ଡ୍ ବଜାର ଉଭୟରେ ବିକ୍ରି କରିଥିଲେ ।
ଆମେରିକାର ଅର୍ଥନୀତି ପାଇଁ ସବୁଠାରୁ ବଡ଼ ବିପଦ ଏହି ସତ୍ୟରୁ ସୃଷ୍ଟି ହୋଇଛି ଯେ ଆମେରିକାର ୩୫ ଟ୍ରିଲିୟନ ଡଲାରରୁ ଅଧିକ ମୂଲ୍ୟର ବଣ୍ଡ୍ ପ୍ରଚଳନ କରିଛି ଏବଂ ଏହାର ଅଧିକାଂଶ ବିଦେଶୀ ହାତରେ ଅଛି । ବଣ୍ଡ୍ଗୁଡ଼ିକୁ ସବୁଠାରୁ ସୁରକ୍ଷିତ ନିବେଶ ଭାବେ ବିଚାର କରାଯାଏ । ଏହା ବ୍ୟତୀତ, ନଗଦ ଅର୍ଥର ଅଭାବଜନିତ ସଙ୍କଟ, ଋଣ-ଆୟ ଅସନ୍ତୁଳନ (ଆମେରିକୀ ଡଲାରର ମୂଲ୍ୟ ହ୍ରାସ ଋଣ ପରିଶୋଧର ପରିମାଣରେ ବୃଦ୍ଧି ଆଣିଥିଲା), ଅଧିକ ମୁଦ୍ରାସ୍ଫୀତିର ଚିନ୍ତା, ଟ୍ରମ୍ପଙ୍କ ବନ୍ଧୁ ଏଲନ ମସ୍କଙ୍କ ଟେସଲା ଇଲେକଟ୍ରିକ୍ ଯାନ ବଜାରରେ ଚୀନ୍ ବିୱାଇଡି କମ୍ପାନୀ ପାଖରେ ଏସୀୟ ବ୍ୟବସାୟ ହରାଇବା ଏବଂ ସୁଧହାର ଆମେରିକା ଫେଡେରାଲ ରିଜର୍ଭ ହ୍ରାସ ନକରିବା ପରିସ୍ଥିତିକୁ ଆହୁରି ଖରାପ କରିଥିଲା । ତଥାପି, ଟ୍ରମ୍ପ କେବଳ ଚାଇନା ବିରୁଦ୍ଧରେ ଶୁଳ୍କ ହାରକୁ ୧୨୫%କୁ ବୃଦ୍ଧିକରି ଚାଇନା ବିରୁଦ୍ଧରେ ବାଣିଜ୍ୟ ଯୁଦ୍ଧକୁ ତୀବ୍ର କରିଥିଲେ । ଚାଇନା ମଧ୍ୟ ଆମେରିକାର ଆମଦାନୀ ଉପରେ ଶୁଳ୍କ ୮୪%ରୁ ୧୨୫% ବୃଦ୍ଧି କରିଦେବାରୁ ଆମେରିକା ଚାଇନା ସାମଗ୍ରୀ ଉପରେ ଆଶ୍ଚର୍ଯ୍ୟଜନକ ଭାବରେ ପୁଣି ୧୪୫% ଶୁଳ୍କ ଲଗାଇଥିଲେ । ୧୬ ଏପ୍ରିଲରେ ଏହାକୁ ଆହୁରି ୨୪୫% ବୃଦ୍ଧି କରାଯାଇଥିଲା । ବିଶ୍ୱଶକ୍ତି ଭାବରେ ଚାଇନାର ପୁନରୁତ୍ଥାନ ଏବଂ ଉଦୟ ଆମେରିକାର ପ୍ରଭୁତ୍ୱକୁ ବିପଦରେ ପକାଇଛି । ସେଥିପାଇଁ ଆମେରିକା ଚାଇନା ବିରୁଦ୍ଧରେ ଅଧିକ ଶୁଳ୍କ ଲାଗୁ କରିଛି ।
୨୦୨୪ ମସିହାରେ ଚାଇନା ସହିତ ଆମେରିକାର ମୋଟ୍ ସାମଗ୍ରୀ ବାଣିଜ୍ୟ ପ୍ରାୟ ୫୮୨.୪ ବିଲିୟନ ଡଲାର ଥିଲା । ଆମେରିକା ଚାଇନାରୁ ୧୪୩ ବିଲିୟନ ଡଲାର ମୂଲ୍ୟର ସାମଗ୍ରୀ ରପ୍ତାନି କରିଥିଲାବେଳେ ୪୩୮.୯ ବିଲିୟନ ଡଲାର ଆମଦାନୀ କରିଥିଲା ଏବଂ ୨୦୨୪ ମସିହାରେ ଏହାର ବାଣିଜ୍ୟ ନିଅଣ୍ଟ ୨୯୫ ବିଲିୟନ ଡଲାର ରହିଛି । ପ୍ରକୃତରେ, ବାଣିଜ୍ୟ ନିଅଣ୍ଟ ଏକ ପ୍ରମୁଖ ଆର୍ଥିକ ସମସ୍ୟା ନୁହେଁ । କେତେକ ସମୟରେ ଏହାକୁ ଅଧିକ ଆୟ ଓ ଅଧିକ ଉପଭୋଗ ଓ ବ୍ୟୟ ସହିତ ଯୋଡ଼ା ଯାଇଥାଏ । ପାରସ୍ପରିକ ଶୁଳ୍କ ଲାଗୁ କରିବା ପଛରେ ଟ୍ରମ୍ପଙ୍କ ଯୁକ୍ତି ହେଉଛି ଯେ ଅନ୍ୟ ଦେଶଗୁଡ଼ିକ ଆମେରିକା ତୁଳନାରେ ବହୁତ ଅଧିକ ଶୁଳ୍କ ରଖିଛନ୍ତି ଯେଉଁଥିପାଇଁ ଆମେରିକାର ଏକ ବୃହତ ବାଣିଜ୍ୟ ନିଅଣ୍ଟ ଅଛି । ଆମେରିକାର ସାମଗ୍ରୀ ବାଣିଜ୍ୟ ନିଅଣ୍ଟ ରେକର୍ଡ ୧.୨ ଟ୍ରିଲିୟନ ଡଲାରରେ ପହଞ୍ଚିଥିଲା, ଯେଉଁଥିରେ ରେକର୍ଡ ଆମଦାନୀ ୪.୧ ଟ୍ରିଲିୟନ ଡଲାର ଏବଂ ରପ୍ତାନି ୩.୨ ଟ୍ରିଲିୟନ ଡଲାରରେ ପହଞ୍ଚିଥିଲା । ପ୍ରକୃତରେ, ଟ୍ରମ୍ପଙ୍କ ଏକ ଲକ୍ଷ୍ୟ ହେଉଛି ଆମେରିକାର ବାଣିଜ୍ୟ ନିଅଣ୍ଟକୁ ହ୍ରାସ କରିବା ଓ ଅନ୍ୟ ଦେଶର ଅର୍ଥନୀତିକୁ କ୍ଷତି ପହଞ୍ଚାଇ ନିଜ ଆର୍ଥିକ ପରିସ୍ଥିତିକୁ ଉନ୍ନତ କରିବା । ଆଉ ଏକ କାରଣ ଅଛି, ଟ୍ରମ୍ପ ବିଶ୍ୱାସ କରନ୍ତି ଆମେରିକୀୟମାନେ ଯେଉଁ ଆୟକର ଦିଅନ୍ତି ତାହାକୁ ଶୁଳ୍କ ବୃଦ୍ଧି ସହିତ ହ୍ରାସ କରାଯାଇପାରିବ । ୧୮୭୦-୧୯୧୩ ମସିହାରେ ଆମେରିକାରେ ଆୟକର ନଥିଲା ଏବଂ ଆମଦାନୀ ଶୁଳ୍କ ବୃଦ୍ଧି ମାଧ୍ୟମରେ ରାଜସ୍ୱ ଆଦାୟ ହାସଲ କରାଯାଇପାରୁଥିଲା । ସେହି ସମୟରେ ଆମେରିକା ସବୁଠାରୁ ଧନୀ ଥିଲା । କିନ୍ତୁ ବର୍ତ୍ତମାନ ସ୍ଥିତି ଭିନ୍ନ । ଟ୍ରମ୍ପଙ୍କ ଏହି ଅଜବ ଧାରଣାରେ ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି । ବାସ୍ତବରେ ଟ୍ରମ୍ପ ଔଷଧ ବିକଳରେ ତାଟିଆ କାମୁଡୁଛନ୍ତି ।
ପ୍ରକୃତରେ ଆମେରିକା ପାଇଁ ପ୍ରକୃତ ସମସ୍ୟା ହେଉଛି ବୃଦ୍ଧିପାଉଥିବା ଆର୍ଥିକ ନିଅଣ୍ଟ ଏବଂ ଋଣ, ଯାହାର ପ୍ରମୁଖ କାରଣ ଟ୍ରମ୍ପ ନିଜେ । ଟ୍ରମ୍ପଙ୍କ ପ୍ରଥମ କାର୍ଯ୍ୟକାଳର ୨୦୧୭ ଟିକସ ହ୍ରାସ ଏବଂ ଚାକିରି ଆଇନ ଅନୁସାରେ ଧନୀ ଏବଂ କର୍ପୋରେଟମାନଙ୍କ ପାଇଁ ନୀତିଗତ ଟିକସ ହ୍ରାସ ଯୋଗୁଁ ଅବାଧ ନିଅଣ୍ଟ ଏବଂ ଋଣ ସମସ୍ୟାର ସମ୍ମୁଖୀନ ଆମେରିକା ହୋଇଛି । ୨୦୨୪ରେ ଆମେରିକାର ଜିଡିପି ଡ୨୯.୧୬୭ ଟ୍ରିଲିୟନ ଥିଲାବେଳେ ଆମେରିକାର ବିତ୍ତୀୟ ନିଅଣ୍ଟ ଡ୧.୮ ଟ୍ରିଲିୟନ ଥିଲା, ଯାହା ଜିଡିପିର ୬.୪% ସହିତ ସମାନ । ଜାତୀୟ ଋଣ ଡ୩୬.୨୮୨୬ ଟ୍ରିଲିୟନରେ ପହଞ୍ଚିଥିଲା ଏବଂ ଋଣଜିଡିପି ଅନୁପାତ ୧୨୩% ଥିଲା । ଚଳିତ ବର୍ଷ ନିର୍ବାଚନ ପ୍ରଚାର ବେଳେ ଟ୍ରମ୍ପ କର୍ପୋରେଟ୍ ଟିକସ ହାରକୁ ପୁନଶ୍ଚ ୧୫% ହ୍ରାସ କରିବାକୁ ପ୍ରସ୍ତାବ ଦେଇଥିଲେ । ୨୦୧୭ ଟ୍ୟାକ୍ସ କଟ୍ ଆଣ୍ଡ ଜବ୍ସ ଆକ୍ଟର ଅବଧି ୨୦୨୫ରେ ସମାପ୍ତ ହେବାକୁ ଯାଉଛି । ଧନୀ ଓ କର୍ପୋରେଟଙ୍କ ସ୍ୱାର୍ଥପାଇଁ ତାକୁ ପୁଣି କାର୍ଯ୍ୟ କରିବାକୁ ଟ୍ରମ୍ପ ଚାହୁଁଛନ୍ତି । ଏଣୁ ଶୁଳ୍କ ବୃଦ୍ଧିକରି ରାଜସ୍ୱ ଆଦାୟ ପାଇଁ ଚେଷ୍ଟା କରୁଛନ୍ତି ।