ଖଣ୍ଡଗିରିରୁ ବରମୁଣ୍ଡା ଦେଇ ଘରକୁ ଫେରିଲାବେଳେ ରାସ୍ତାକଡ଼ରେ ଭାରୀ ପ୍ରସାଧନ ସହିତ ଦେହ ଦେଖାଇ ଛିଡ଼ା ହୋଇଥିବା କିନ୍ନର ତଥା ଝିଅ ଓ ତାଙ୍କ ସହ ମୂଲଚାଲ କରୁଥିବା ନୂଆ ନୂଆ ନିଶ ଉଠୁଥିବା ଯୁବକଙ୍କୁ ଦେଖିଲେ ଖୁବ୍ କଷ୍ଟ ହୁଏ । ଠିକ୍ ସେମିତି ଲାଗେ, ମଦ ଦୋକାନରେ ଭିଡ଼ କରିଥିବା ପିଲାଙ୍କୁ ଦେଖି । ଯୋଉ ଯୌବନ, ଜୀବନ ଗଢ଼ିବା କଥା, ଦେଶ ଗଢ଼ିବା କଥା, ତାକୁ ତିଳ ତିଳ ହୋଇ ନାଶ ହେଉଥିବାର ଦେଖି ଅନ୍ତର ହାହାକାର କରେ । ସତରେ, କିଛି କରିନପାରିବାର କ୍ଷୋଭରେ ମୁଁ ଏକରକମ ରାମ୍ପି ବିଦାରି ହୁଏ । ଭାବେ, ସମାଜକୁ ତ ଆଉ କାହାର ଡର ଭୟ ନାହିଁ, ହେଲେ ପୋଲିସ, ପ୍ରଶାସନ କାହା ଆଖିରେ କ’ଣ ଏସବୁ ପଡୁନି! ଅବଶ୍ୟ ସରକାର ନିଜ ରାଜସ୍ୱ ପାଇଁ ମଦ ବିକିବେ, କିନ୍ତୁ ପିଲାଙ୍କୁ କ’ଣ ନିଜ ଭବିଷ୍ୟତର ଚିନ୍ତା ନାହିଁ! ଆମ ଦେଶର ଭବିଷ୍ୟତକୁ କ’ଣ ଏହିପରି ଅପଥରେ ଯାଇ ରୋଗରେ ସଢ଼ିବା ପାଇଁ ଛାଡ଼ିଦେବା! ନା ଏସବୁ ଏମିତି ଖୋଲାଖୋଲି ହେବାଟା ଆଧୁନିକତାର ନୂତନ ପରିଭାଷା! ଲାଗେ, ଈଶ୍ୱର ଯଦି ଦେଖାଦେଇ ଗୋଟିଏ ଇଚ୍ଛା ପୂରଣର ପ୍ରତିଶ୍ରୁତି ଦିଅନ୍ତେ, ନିଶ୍ଚେ କହନ୍ତି ଯେ ପ୍ରଭୁ ଏତେ ସୁନ୍ଦର ସୃଷ୍ଟିକୁ ଅସୁନ୍ଦର କରୁଥିବା ଏହି ଚିଜଗୁଡ଼ିକ ରାତାରାତି ଉଭେଇ ଯାଉ । କିନ୍ତୁ ଏ ଯେଉଁ ଅଫେରା ରାସ୍ତା, ସେଠାରୁ ଲେଉଟାଣି କ’ଣ ସମ୍ଭବ!
ଏ ପଙ୍କିଳ ରାସ୍ତା ଏପରି ଯେ, ଥରେ ଗୋଡ଼ ପଡ଼ିଲେ ସେ ପଙ୍କରେ ବୁଡ଼ି ମରିବାଟା ଯେ ଖୁବ୍ ସୁଖକର ଲାଗେ । ସେଇଥିପାଇଁ ତ ତଳକୁ ଗଡ଼ିବା ଯେତିକି ସହଜ, ଉପରକୁ ଉଠିବା ସେତିକି କଷ୍ଟ । ମାତ୍ର ଦୃଢ଼ମନାଟିଏ ପାଇଁ କଷ୍ଟ ବୋଲି ଶବ୍ଦଟି ହିଁ ଗୋଟିଏ ଆହ୍ୱାନ । ସେ ଯେତେବେଳେ ବୁଝିଯାଏ, ଠିକ୍ କ’ଣ ଭୁଲ୍ କ’ଣ, ଉଚିତ ଓ ଅନୁଚିତର ପାର୍ଥକ୍ୟ, ତା’ପାଇଁ ଅଫେରା ରାସ୍ତାରୁ ଲେଉଟି ଆସିବା ସହଜ ନୁହେଁ, ବରଂ ଜୀବନର ଏକମାତ୍ର ଲକ୍ଷ୍ୟ ପାଲଟିଯାଏ । ତେଣୁ ସେ ଉପରକୁ ଉଠିବା ପାଇଁ ସେହି କଷ୍ଟକୁ ଖୁବ୍ ନିଷ୍ଠା ଓ ଆଗ୍ରହରେ ବରଣ କରେ । ତେବେ ଏପରି କଥାଗୁଡ଼ିକ ମନକୁ ବିଚଳିତ କରିପକାଉଥିଲା ବେଳେ ମୋ ଆଗରେ ଚମତ୍କାର ଉଦାହରଣଟିଏ ହୋଇ ଛିଡ଼ା ହୋଇଥିଲେ ପିଣ୍ଟୁ । ନିଜ ପ୍ରଚେଷ୍ଟା ଓ ପ୍ରଗାଢ଼ ଉଦ୍ୟମରେ ନିଜକୁ ଜଣେ ସଫଳ ଯୁବ ବ୍ୟବସାୟୀ ଭାବେ ପ୍ରତିଷ୍ଠିତ କରିପାରିଥିବା ଏହି ସାନଭାଇଟି ସେଦିନ ହୋଇ ଉଠିଥିଲେ ବେଶ୍ ପ୍ରଗଳ୍ଭ, ଆଉ କହିଚାଲିଥିଲେ ଜୀବନ ସହିତ ନିଜ ସଂଘର୍ଷର କାହାଣୀ, ଯାହା ଥିଲା ଖୁବ୍ ପ୍ରେରଣାଦାୟୀ । ବୋଧେ ଏପରି ଅଫେରା ପଥରେ ଯାଇ ଫେରିବାକୁ ଚାହିଁ ଫେରି ପାରୁନଥିବା ପ୍ରତ୍ୟେକଙ୍କୁ ଏହା ଖୁବ୍ ଉତ୍ସାହ ଦେବ । “ମୁଁ କ’ଣ ଥିଲି, ଆଉ ଆଜି କ’ଣ ହେଇଚି, ଭାବିଲେ ନିଜକୁ ବି ଆଶ୍ଚର୍ଯ୍ୟ ଲାଗେ । ସେତେବେଳେ ଆମେ ଥାଉ ସୁନାବେଡ଼ାରେ । ପ୍ଲସ୍ ଟୁ ପଢୁଥାଏ । ସାଙ୍ଗମାନଙ୍କ ସଙ୍ଗେ ମିଶି ମଦ ପିଇବା ଆରମ୍ଭ କଲି । ଟିକେ ଟିକେ ପିଉ ପିଉ, ଏପରି ଏକ ସମୟ ଆସିଲା ଯେ, ମଦ ନହେଲେ ମୋର ଚଳିଲା ନାହିଁ । ପାଠଶାଠ ସବୁ ଗଲା ।
ମଦ ପିଇ କାହାକୁ ବାଡ଼େଇ ପକାଇଲି, କାହା ସଙ୍ଗେ ଝଗଡ଼ା କଲି, ଏମିତିକି ଘରକୁ ବି ସେସବୁର ଖବର ଆସୁଥିଲା । ବାପାଙ୍କର ସେତେବେଳେ ଖୁବ୍ ନାଁ । କିନ୍ତୁ ସେସବୁକୁ କୋଉ ଖାତିର ଥାଏ ମୋର । ଏମିତି କୌଣସି ବାଳୁଙ୍ଗାମି ନାହିଁ ଯାହା ମୁଁ ସେତେବେଳେ କରିନି । ତେବେ ୨୦୦୪ ମସିହା, ମତେ ସେତେବେଳକୁ ସତେଇଶ ବର୍ଷ ବୟସ । ହଠାତ୍ ଦିନେ କ’ଣ ହେଲା କେଜାଣି, ମୋ ମୁଣ୍ଡରେ ପଶିଲା- ମୁଁ କୋଉ ଘର ପିଲା, ଆଉ କ’ଣ କରୁଛି! ବାସ୍, କେମିତି ସବୁ ଛାଡ଼ିବି ବୋଲି ବିକଳ ହୋଇ ପଡ଼ିଲି । କିନ୍ତୁ ଏମିତି ତ ଛାଡ଼ିବି ବୋଲି କହିଲେ ଛାଡ଼ି ହେବନାହିଁ । ତେଣୁ ସେବର୍ଷ ଶ୍ରାବଣ ମାସରେ ସଂକଳ୍ପ କରି ବାହାରି ପଡ଼ିଲି ଲୋକନାଥଙ୍କୁ ପାଣି ଚଢ଼େଇବି ବୋଲି । ଆଉ ବାବାଙ୍କ ଉପରେ ପାଣି ଢାଳି ପ୍ରତିଜ୍ଞା କଲି ଆଉ ଦିନେ ଏସବୁ ଛୁଇଁବି ନାହିଁ ବୋଲି । ନହେଲେ ଆଜି କ’ଣ ମୁଁ ଆପଣଙ୍କ ପାଖରେ ଛିଡ଼ା ହୋଇପାରିଥାନ୍ତି!” ଇଏ ପଚାରିଲେ, ଆଉ ଏବେ ଯୋଉ ପାନ ଖାଉଛୁ... । ଲାଜୁଆ ହସଟିଏ ହସି ପିଣ୍ଟୁ କହିଲେ "ନାଇଁ ଭାଇ, କ’ଣ ଟିକେ ଖାଇବି ବୋଲି ପାନ ଟିକେ ଖାଉଚି । ଭାବିଲି ଯାହା କରିବି ବାପା ବୋଉଙ୍କ ଆଗରେ । ବାପା ବୋଉ ପାନ ଖାଆନ୍ତି । ଏବେ ଘରକୁ ଗଲେ, ବୋଉ କହିବ, ପାନ ଅଛି କିରେ... ନଥିଲେ ଦେବ । ଆଉ ଥିଲେ ମୋ ହାତରୁ ନେଇ ନିଜେ ଖାଇବ ।’ ପିଣ୍ଟୁଙ୍କ କଥା ମତେ ଅଭିଭୂତ କରିଥିଲା । ସେଦିନର ବିଗିଡ଼ି ଯାଇଥିବା ପିଲାଟି ଆଜି ବେଶ୍ ସୁସଞ୍ଜତ ।
ବାପା ମାଆଙ୍କୁ ତୀର୍ଥ କରାଇବାଠାରୁ ନେଇ ଭଉଣୀ ଓ ଭଣଜା ଭାଣିଜୀଙ୍କ ଦାୟିତ୍ୱ ସୁଚାରୁ ରୂପେ ତୁଲାଉଛନ୍ତି । ପଚାଶରୁ ଷାଠିଏଟି ପିଲାଙ୍କୁ ରୋଜଗାର ଦେଇ ସେ ଆଜି ନିଜ ବ୍ୟବସାୟରେ ବେଶ୍ ପରିଚିତି ପାଇଛନ୍ତି । ସତରେ ଯେଉଁଠି ସତ୍ ଇଚ୍ଛାଟିଏ ଜନ୍ମ ନେଇଚି, ଈଶ୍ୱର ସ୍ୱୟମ ଆସି ବାଟ କଢ଼େଇ ନିଅନ୍ତି । ତେଣୁ ଅଫେରା ରାସ୍ତାରୁ ଲେଉଟାଣି ଅସହଜ ସତ, କିନ୍ତୁ ଅସମ୍ଭବ ନୁହେଁ । ଆଖି ଖୋଲିଦେଲେ ସକାଳ ହେବା ତ ନିଶ୍ଚିତ । କିନ୍ତୁ ଆଖି ଖୋଲିଲା ପରେ ବି ନା ମୁଁ ପାରିବି ନାହିଁ କହି ଯଦି ନିଜକୁ ଦୁର୍ବଳ କରିଦେବେ ତେବେ ଅଫେରା ରାସ୍ତାରୁ ଫେରିବାଟା କେବଳ ସ୍ୱପ୍ନ ହୋଇ ରହିଯିବ । କେତେ କେତେ ନିରୀହ ଜୀବନ ଏପରି ଅଫେରା ରାସ୍ତାରେ ଯାଇ ଫେରିନପାରି ପରିବାର ଉଜାଡ଼ି ଦେଇ ଅସମୟରେ, ଅବେଳରେ ଚାଲିଯାଏ ସତେ! ହଁ! ଜୀବନ ସମସ୍ତଙ୍କୁ ସୁଯୋଗ ଦିଏ, କିନ୍ତୁ ସେ ସୁଯୋଗ ପାଇଁ ପ୍ରସ୍ତୁତ ଥାଆନ୍ତି ବା କେତେଜଣ! ବାସ୍, ଥରେ ହାତଛଡ଼ା ହେଇଯାଇଥିବା ସୁଯୋଗଟି ଚାଲିଯାଏ ଆଉ କାହା ପାଖକୁ । ଅନେକ ସମୟରେ ତ ସୁଯୋଗଟି ଆମକୁ ସମସ୍ୟା ପରି ଦିଶେ, ଆଉ ଆମେ ସମସ୍ୟାଟିକୁ ଆଡ଼େଇ ଦେଇ ଚାଲିଯିବାକୁ ବୁଦ୍ଧିମାନର କାର୍ଯ୍ୟ ବୋଲି ଭାବୁ । କିନ୍ତୁ ପ୍ରକୃତ ବୁଦ୍ଧିଆ ହେଉଛି ସେହି ବ୍ୟକ୍ତି, ଯିଏ ସମସ୍ୟା ସହିତ ଲଢ଼ି ସମସ୍ୟା ସମାଧାନର ପନ୍ଥାଟି ବାହାର କରେ ।
ସେତେବେଳେ ସମସ୍ୟାଟି ଆଉ ସମସ୍ୟା ହୋଇ ରହେନା । ଏହି ସମସ୍ୟାକୁ ସାମ୍ନା କରିବାର ଡରକୁ ପାରି କରିଗଲେ ବିଜୟ ସୁନିଶ୍ଚିତ ହୋଇଯାଏ । ଈଶ୍ୱର କରନ୍ତୁ ପିଣ୍ଟୁମାନେ ସେ ଅଫେରା ରାସ୍ତାରେ ନଯାଆନ୍ତୁ, ଯଦିବା ଯାଇଛନ୍ତି ତେବେ ତାଙ୍କରି କରୁଣାକୁ ପାଥେୟ କରି ନିଜ ପରିବାର ପାଖକୁ ଲେଉଟି ଆସନ୍ତୁ । ଆଉ ଲେଉଟାଇ ଆଣନ୍ତୁ ଜୀବନରେ ସୁଖ ଶାନ୍ତି ଏବଂ ସ୍ଥିରତା ।