ପ୍ରକୃତ ଉପଲବ୍ଧି ବିନା ଜ୍ଞାନ ନିରର୍ଥକ । ଯେଉଁମାନେ ବହୁଶାସ୍ତ୍ର ଅଧ୍ୟୟନ କରି ଯାହା ଅର୍ଜନ କରନ୍ତି ତାକୁ ସେମାନେ ଜ୍ଞାନ ବୋଲି କହନ୍ତି ସିନା, ତାହା ଜ୍ଞାନ ନୁହେଁ, ତାହା ଜ୍ଞାନର ଏକ ଧାରଣା ମାତ୍ର । ଜ୍ଞାନୀ ସିଏ, ଯିଏ ନିଜ ଜ୍ଞାନ ଉପଲବ୍ଧି କରିଥାଏ, ଅର୍ଥାତ୍ ସେହି ଅନୁସାରେ ଆଚରଣ କରିଥାଏ । ତତ୍ତ୍ୱ ଓ ବିଶ୍ୱାସ ମିଳିତ ନହେଲେ ଉପଲବ୍ଧି ସମ୍ଭବ ନୁହେଁ ।
ଆମେ ଅନେକ ସମୟରେ ଯାହା କହୁ ତାହା ବିଶ୍ୱାସ କରିନଥାଉ । ଅନ୍ୟକୁ ଉପଦେଶ ଦେବାବେଳେ କେତେ ତାତ୍ତ୍ୱିକ କଥା କହୁ,ମାତ୍ର ନିଜ ଜୀବନରେ ତାର ପ୍ରୟୋଗ କରିନଥାଉ । ଥରେ ଜଣେ ମାୟାବାଦୀ ପଣ୍ଡିତ କେତେଜଣ ଶ୍ରୋତାଙ୍କୁ ବୁଝାଉଥିଲେ କେବଳ ବ୍ରହ୍ମ ହିଁ ସତ୍ୟ, ବାକି ସବୁ ମାୟା । ଠିକ୍ ସେତିକିବେଳେ ଗୋଟିଏ ମାରଣା ଷଣ୍ଢ ତାଙ୍କ ଆଡ଼କୁ ଦୌଡ଼ି ଆସୁଥିବାର ଦେଖାଗଲା । ଶ୍ରୋତାମାନେ ଭୟରେ ଦୌଡ଼ି ପଳାଇଗଲେ । ଶେଷରେ ବକ୍ତା ମଧ୍ୟ ଆତଙ୍କିତ ହୋଇ ପଳାଇଲେ । ଷଣ୍ଢ ତା’ ନିଜ ବାଟରେ ଚାଲିଯିବା ପରେ ସମସ୍ତେ ଏକତ୍ର ହୋଇ ମାୟାବାଦୀ ବକ୍ତାଙ୍କୁ ପଚାରିଲେ, ଆପଣ ତ କହୁଥିଲେ ସବୁ କିଛି ମାୟା । ତାହେଲେ ଷଣ୍ଢ ହାବୁଡ଼ରୁ ପଳାଇଲେ କାହିଁକି? ବକ୍ତା ମହାଶୟ ବୁଦ୍ଧିବିମୂଢ଼ ହୋଇଗଲେ । ଶେଷରେ ନିଜର ଚତୁରତା ପ୍ରୟୋଗ କରି କହିଲେ, କିଏ ପଳାଇଲା? ସେହି ପଳାୟନ ବି ମାୟା । ସେ ଶ୍ରୋତାମାନଙ୍କୁ ଚତୁରତାର ସହ ବୁଝାଇଦେଲେ ସିନା ତାଙ୍କ ବକ୍ତବ୍ୟ ଓ ବିଶ୍ୱାସ ସମାନ୍ତରାଳ ଭାବରେ ଗତି କରୁନଥିଲା । ତତ୍ତ୍ୱ ଜାଣିବା ଓ ତତ୍ତ୍ୱଲବ୍ଧ ଜ୍ଞାନକୁ ଉପଲବ୍ଧି କରିବା ଏକା କଥା ନୁହେଁ । ଏହି ପ୍ରସଙ୍ଗରେ ରହିଛି ଏକ ସୁନ୍ଦର ଉପାଖ୍ୟାନ ।
ଗୋଟିଏ ନଈର ଗୋଟିଏ ପାଶ୍ୱର୍ରେ ଥାଏ ଜମିଦାରଙ୍କ ବସା ଓ ଅନ୍ୟ ପାଶ୍ୱର୍ରେ ଜଣେ ତତ୍ତ୍ୱବିତ୍ ପଣ୍ଡିତଙ୍କ ଆଶ୍ରମ । ପ୍ରତ୍ୟେକ ଦିନ ଜମିଦାରଙ୍କ ଆଦେଶରେ ଗଉଡୁଣୀ ମୋତି ସକାଳେ ଡଙ୍ଗା ଯୋଗେ ନଈ ପାରିହୁଏ ଓ ପଣ୍ଡିତଙ୍କୁ ଲୋଟାଏ ଲେଖାଏଁ କ୍ଷୀର ଦେଇ ଡଙ୍ଗାରେ ପୁଣି ଫେରିଆସେ । କ୍ଷୀର ଦେବାକୁ ଆସି ପଣ୍ଡିତଙ୍କ ତତ୍ତ୍ୱପୂର୍ଣ୍ଣ ପ୍ରବଚନ ଶୁଣେ । ଦିନେ ପଣ୍ଡିତ କହିଲେ "ଝିଅ! ଆଗାମୀ କାଲିଠାରୁ ମୁଁ ଏକମାସ ଧରି ଏକ ବ୍ରତ ପାଳନ କରିବି । ସେଥିପାଇଁ ପାହାନ୍ତିଆରୁ ମୋର କ୍ଷୀର ଆବଶ୍ୟକ ହେବ । ଏଣୁ ଅନ୍ଧାର ନଯାଉଣୁ ତୁ ଯଦି କ୍ଷୀର ଆଣିଦେଇ ପାରନ୍ତୁ ତାହା ମୋର କାମରେ ଲାଗନ୍ତା ।' ମୋତି ରାଜି ହେଲା । ମାତ୍ର ପରଦିନ ଠିକ୍ ସମୟରେ ପହଞ୍ଚି ପାରିଲା ନାହିଁ, କାରଣ ନଈରେ ବନ୍ୟା ଆସିବାରୁ ନାଉରୀ ଅନ୍ଧାରରେ ନାଆ ଚଳାଇବା ପାଇଁ ରାଜି ହେଲାନାହିଁ । ସକାଳ ହେବାପରେ ନାଆ ଚାଲିବାରୁ ତାର ଆସିବାରେ ଡେରି ହେଲା ।
ପଣ୍ଡିତ ତାଙ୍କ ଚିରାଚରିତ ଢଙ୍ଗରେ ଭାଗବତର କେତୋଟି ପଙ୍କ୍ତି ଉଦ୍ଧାର କରି ମୋତିକୁ ବୁଝାଇଲେ- ବିଷ୍ଣୁ ନାମ ଜପ କରି ମଣିଷ ପରା ଭବସାଗର ପାରି ହୋଇଯାଇପାରେ, ତୁ ସାମାନ୍ୟ ନଈଟିଏ ପାରି ହୋଇପାରିଲୁ ନାହିଁ? ମୋତି କହିଲା- ମୁଁ କେବେ ଭାଗବତ ପଢ଼ିନାହିଁ । ଆଜି ଆପଣଙ୍କ ପାଖରୁ ଶୁଣିଲି ଓ ଏହି ତତ୍ତ୍ୱ ଜାଣିଲି । ତା’ ପରଦିନଠାରୁ ମୋତି ପାହାନ୍ତିଆରେ ଆଶ୍ରମରେ ପହଞ୍ଚି କ୍ଷୀର ଦେଇ ଯାଉଥାଏ। ପଣ୍ଡିତ ତାଙ୍କ ନୀତି ଅନୁସାରେ ବ୍ରତ ପାଳନ କରୁଥାନ୍ତି । ମାସକ ପରେ ବ୍ରତ ସରନ୍ତେ ପଣ୍ଡିତ ମୋତିକୁ କହିଲେ- ତୁ ମୋର ବଡ଼ ଉପକାର କଲୁ । ତତ୍ସଙ୍ଗେ ଯେଉଁ ନାଉରୀ ଜଣକ ତୋର ଅନୁରୋଧ ରକ୍ଷାକରି ଅନ୍ଧାର ଥାଉଥାଉ ନାଆ ଚଳାଇ ତୋତେ ନଈ ପାରି କରାଇଛି ତାକୁ ମଧ୍ୟ ମୋର ଧନ୍ୟବାଦ ଜଣାଇବୁ । ମୋତି କହିଲା- ନା ଆଜ୍ଞା! ସେ ନାଉରୀ ଅନ୍ଧାରରେ ନାଆ ବାହିବା ପାଇଁ ରାଜି ନହେବାରୁ ଶେଷରେ ମୁଁ ଆପଣଙ୍କ ତତ୍ତ୍ୱ ପ୍ରୟୋଗ କରି ସହଜରେ ନଈ ପାରି ହେଉଥିଲି । ପଣ୍ଡିତ ପଚାରିଲେ- କେଉଁ ତତ୍ତ୍ୱ? ମୋତି ଉତ୍ତର ଦେଲା- ମୁଁ ପୂର୍ଣ୍ଣ ବିଶ୍ୱାସର ସହ ଈଶ୍ୱର ସମର୍ପିତ ହୋଇ ବିଷ୍ଣୁ ନାମ ଜପି ଜପି ସହଜରେ ନଈ ପାରି ହେଉଥିଲି । ପଣ୍ଡିତ ବିସ୍ମିତ ହେଲେ, କାରଣ ତାହା ଥିଲା ତାଙ୍କ ପୋଥିଗତ ବିଦ୍ୟା । ସେ ସେହି ତତ୍ତ୍ୱକୁ କେବେ ନିଜ ଜୀବନରେ ପ୍ରୟୋଗ କରିନଥିଲେ । ଏଣୁ ସେ ମୋତି କଥାକୁ ବିଶ୍ୱାସ କଲେନାହିଁ । ସେ ଏହା ନିଜ ଆଖିରେ ଦେଖିବାକୁ ଚାହିଁଲେ । ମୋତି କ୍ଷୀର ଦେଇ ଘରକୁ ଫେରିବା ସମୟରେ ପଣ୍ଡିତ ତା’ ପଛରେ ଚାଲିଲେ । ନଈକୂଳରେ ପହଞ୍ଚିଲେ । ମୋତି କର ଯୋଡ଼ି ମୁଣ୍ଡରେ ଲଗାଇଲା । ନଈପାଣି ମୁଣ୍ଡରେ ଛିଞ୍ଚିଲା । ଲୋଟାକୁ ମୁଣ୍ଡ ଉପରକୁ ଉଠାଇ ନଈରେ ପଶିଲା । ତା’ ମୁହଁରେ ଉଚ୍ଚାରିତ ହେଉଥାଏ ବିଷ୍ଣୁ ନାମ । ବିଷ୍ଣୁ ନାମ ଜପି ଜପି ଆରକୂଳରେ ପହଞ୍ଚିଗଲା । ବିଶ୍ୱାସର ଯେ ଅନନ୍ତ ଶକ୍ତି ଥାଏ, ସେହି ଦୃଶ୍ୟ ଦେଖିବା ପରେ ସେ ନିଶ୍ଚିତ ହେଲେ । ସେ ତତ୍ତ୍ୱଜ୍ଞାନ ସଂଗ୍ରହ କରିଥିଲେ ସିନା, ସେ ତତ୍ତ୍ୱଜ୍ଞାନୀ ନଥିଲେ । ଉପଲବ୍ଧି ବିନା କେହି କେବେ ତତ୍ତ୍ୱଜ୍ଞାନୀ ହୋଇପାରେ ନାହିଁ ।
ଜୀବନରେ ଆମେ ଯାହା ଅନ୍ୟକୁ କହୁ ତାହା ନିଜେ ସମ୍ପୂର୍ଣ୍ଣ ବିଶ୍ୱାସ କରିନଥାଉ କି ପ୍ରୟୋଗ ମଧ୍ୟ କରିନଥାଉ । ଆମ ମସ୍ତିଷ୍କ ପ୍ରତ୍ୟେକ ଘଟଣାକୁ ବିଶ୍ଳେଷଣ କରେ ଓ ସନ୍ତୁଷ୍ଟ ହେଲେ ବିଶ୍ୱାସ କରେ । ବିଶ୍ୱାସ ସୃଷ୍ଟି ହୁଏ ହୃଦୟରୁ ଓ ହୃଦୟ ପ୍ରଶ୍ନ କରେନାହିଁ କି ବିଶ୍ଳେଷଣ କରେନାହିଁ । ଯାହା ଅନୁଭବ କରେ ତାକୁ ନିଦ୍ୱର୍ନ୍ଦ୍ୱରେ ଗ୍ରହଣ କରିନିଏ । ଥରେ ଗୋଟିଏ ରାଜ୍ୟରେ ବର୍ଷାଭାବ ଯୋଗୁଁ ମରୁଡ଼ି ହେଲା । ପାହାଡ଼ ତଳେ ରହୁଥିଲେ ଜଣେ ଋଷି । ସେ କହିଲେ, ଯଦି ସବୁ ଗ୍ରାମବାସୀ ପୂର୍ଣ୍ଣବିଶ୍ୱାସ ସହ ଈଶ୍ୱରଙ୍କୁ ଧ୍ୟାନ କରିବେ ବର୍ଷା ନିଶ୍ଚୟ ହେବ । ଋଷିଙ୍କ ପରାମର୍ଶ ଅନୁସାରେ ଗ୍ରାମବାସୀ ପାହାଡ଼ ତଳେ ଜମାହେଲେ ଓ ଦିନ ଦିନ ଧରି ଧ୍ୟାନ କଲେ । ମାତ୍ର ବର୍ଷା ହେଲାନାହିଁ । ସେମାନେ ଋଷିଙ୍କୁ ଏହାର କାରଣ ପଚାରନ୍ତେ ଋଷି କହିଲେ "ତୁମ ବିଶ୍ୱାସ ଦୃଢ଼ ନଥିଲା । ଏଣୁ ବର୍ଷା ହେଲାନାହିଁ । ଗ୍ରାମବାସୀମାନେ ଋଷିଙ୍କ କଥାକୁ ଗ୍ରହଣ ନକରନ୍ତେ ଋଷି କହିଲେ, ତୁମେ ଧ୍ୟାନ କରୁଥିଲ ସତ, ମାତ୍ର ସମ୍ପୂର୍ଣ୍ଣ ବିଶ୍ୱାସ ସହ ଧ୍ୟାନ କରୁନଥିଲ । ଯଦି ତୁମେ ପୂର୍ଣ୍ଣବିଶ୍ୱାସର ସହ ଧ୍ୟାନ କରୁଥିଲ, ତୁମେ ସାଙ୍ଗରେ ଛତା ଧରି ଆସିଥାନ୍ତ ।' ଚମକି ପଡ଼ିଲେ ଗ୍ରାମବାସୀ । ସେମାନେ ଋଷିଙ୍କ କଥାର ଗଭୀରତାକୁ ବୁଝିପାରିଲେ । ଅନୁଭବ କଲେ, ସେମାନଙ୍କ ବିଶ୍ୱାସ ଦୃଢ଼ ନଥିଲା । ତାହା ଥିଲା ପ୍ରଶ୍ନବାଚୀ, ତେଣୁ ଈଶ୍ୱର ପ୍ରାର୍ଥନା ଶୁଣିଲେ ନାହିଁ ।
କିଏ ଆସ୍ତିକ, କିଏ ନାସ୍ତିକ ଜାଣିବା ସମ୍ଭବ ନୁହେଁ । ଜଣେ ନିଜକୁ ଆସ୍ତିକ ବୋଲି ଦାବି କରିପାରେ, ଅଥଚ ପ୍ରକୃତରେ ଈଶ୍ୱର ବିଶ୍ୱାସ ବର୍ଜିତ ହୋଇଥିବାର ସମ୍ଭାବନା ମଧ୍ୟ ଥାଏ । ପୋଥିଗତ ବିଦ୍ୟାକୁ ସେ ନିଜର ଉପଲବ୍ଧି ବୋଲି କହେ ସିନା, ତାହା କେବଳ ତାର ଆହରିତ ତତ୍ତ୍ୱଜ୍ଞାନ ମାତ୍ର, ତତ୍ତ୍ୱ ଉପଲବ୍ଧି ନୁହେଁ । ପ୍ରକୃତ ଉପଲବ୍ଧି ବିନା ଜ୍ଞାନ ନିରର୍ଥକ । ଯେଉଁମାନେ ବହୁଶାସ୍ତ୍ର ଅଧ୍ୟୟନ କରି ଯାହା ଅର୍ଜନ କରନ୍ତି ତାକୁ ସେମାନେ ଜ୍ଞାନ ବୋଲି କହନ୍ତି ସିନା, ତାହା ଜ୍ଞାନ ନୁହେଁ, ତାହା ଜ୍ଞାନର ଏକ ଧାରଣା ମାତ୍ର । ଜ୍ଞାନୀ ସିଏ, ଯିଏ ନିଜ ଜ୍ଞାନ ଉପଲବ୍ଧି କରିଥାଏ, ଅର୍ଥାତ୍ ସେହି ଅନୁସାରେ ଆଚରଣ କରିଥାଏ । ତତ୍ତ୍ୱ ଓ ବିଶ୍ୱାସ ମିଳିତ ନହେଲେ ଉପଲବ୍ଧି ସମ୍ଭବ ନୁହେଁ ।
ଛୋଟ ଝିଅଟିଏ ଜାଣିଥାଏ ଭଗବାନଙ୍କୁ ବିଶ୍ୱାସ ସହ ପ୍ରାର୍ଥନା କଲେ ସେ ତାହା ପୂରଣ କରନ୍ତି । ଥରେ ତାର ଖେଳଣାଟିଏ ଭାଙ୍ଗିଗଲା । ସେ ପ୍ରାର୍ଥନା କଲା- ହେ ଈଶ୍ୱର! ତୁମେ ତାକୁ ରାତିରେ ମରାମତି କରିଦିଅ । ପାଖରେ ବସିଥିବା ତାର ଭାଇ ତାର ପ୍ରାର୍ଥନା ଶୁଣି ହସିଲା ଓ କହିଲା-ଓଲୁ, ଭଗବାନ କ’ଣ ଏମିତି ପ୍ରାର୍ଥନା ପୂରଣ କରନ୍ତି? ଝିଅଟି କହିଲା- ନିଶ୍ଚୟ ପୂରଣ କରିବେ । ସକାଳ ହେଲା । ଖେଳଣାଟି ଯେମିତି ଭାଙ୍ଗିଥିଲା ସେମିତି ପଡ଼ିଥାଏ । ଭାଇ କହିଲା- ଦେଖିଲୁ ତ, ଭଗବାନ ତୋ ପ୍ରାର୍ଥନା ଶୁଣିଲେ ନାହିଁ । ଝିଅଟି ଉତ୍ତର ଦେଲା- ଭଗବାନ ଉତ୍ତର ଦେଇଛନ୍ତି । ସେ କହିଛନ୍ତି ଖେଳଣା ପ୍ରତି ଆସକ୍ତ ହେବା ବୟସ ମୋର ଗଲାଣି । ସେଦିନ ରାତିରେ ତାକୁ ସେ ପ୍ରୟୋଗ କଲା । ଝିଅଟିର ଉପଲବ୍ଧି ହେଲା ଭଗବାନ ପ୍ରାର୍ଥନା ଶୁଣନ୍ତି, ମାତ୍ର ସ୍ଥାନ କାଳ ପାତ୍ର ଅନୁସାରେ ଆବଶ୍ୟକତା ଦେଖି ପ୍ରାର୍ଥନା ପୂରଣ କରନ୍ତି । ଝିଅଟିର ଏହି ଜ୍ଞାନ ପ୍ରାପ୍ତ ହୋଇଥିଲା ତାର ଉପଲବ୍ଧିରୁ । ଏଣୁ କେବଳ ତତ୍ତ୍ୱ ବା କେବଳ ବିଶ୍ୱାସ ଯଥେଷ୍ଟ ନୁହେଁ, ଉପଲବ୍ଧି ହେଉଛି ପ୍ରକୃତ ଜ୍ଞାନର ଆଧାର ।