ନୂଆଦିଲ୍ଲୀ,୧୫/୦୭: ବୈବାହିକ ବିବାଦ ପ୍ରସଙ୍ଗରେ ସୁପ୍ରିମକୋର୍ଟ ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ପତ୍ନୀଙ୍କ ଅଗୋଚରରେ ନିଆଯାଇଥିବା ତାଙ୍କ ଫୋନ୍‌ କଲ୍‌ ରେକର୍ଡିଂକୁ ଛାଡ଼ପତ୍ର ମାମଲାରେ ପ୍ରମାଣ ଭାବେ ବ୍ୟବହାର କରାଯାଇ ପାରିବ ବୋଲି  ଅଦାଲତ କହିଛନ୍ତି। ସର୍ବୋଚ୍ଚ ଅଦାଲତ  ଏହି ପରିପ୍ରେକ୍ଷୀରେ ପଞ୍ଜାବ-ହରିୟାଣା  ହାଇକୋର୍ଟଙ୍କ ରାୟକୁ ଖାରଜ କରିଦେଇଛନ୍ତି । ହାଇକୋର୍ଟ ନିଜ ରାୟରେ କହିଥିଲେ କି  ପତ୍ନୀଙ୍କୁ ନ ଜଣାଇ ତାଙ୍କ କଲ୍‌ ରେକର୍ଡିଂ କରାଯିବା ବେଆଇନ । ଏହା ଗୋପନୀୟତା ଅଧିକାରର ଉଲ୍ଲଂଘନ । ଏହାକୁ ପ୍ରମାଣ ଭାବେ ଗ୍ରହଣ କରାଯାଇ ପାରିବ ନାହିଁ । 

ସୁପ୍ରିମକୋର୍ଟ କହିଛନ୍ତି, ବୈବାହିକ  ଜୀବନରେ ଗୋପନୀୟତା ଅଧିକାର ପୂରଣ  ହୋଇପାରିବ ନାହିଁ । ଭାରତୀୟ ସାକ୍ଷ୍ୟ  ଆଇନର ଧାରା ୧୨୨ ଅନୁସାରେ, ପତି- ପତ୍ନୀଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପକୁ  କୋର୍ଟରେ ପ୍ରଘଟ କରାଯାଇ ପାରିବ ନାହିଁ ।  କିନ୍ତୁ ଛାଡ଼ପତ୍ର ଭଳି ମାମଲାରେ ଏହାକୁ  ବିଡ଼ମ୍ବନା ବିବେଚନା କରାଯାଏ । ବିଚାରପତି ବି ଭି ନାଗରତ୍ନା ଓ ସତୀଶ  ଚନ୍ଦ୍ର ଶର୍ମାଙ୍କ ଖଣ୍ଡପୀଠ ଆହୁରି ସ୍ପଷ୍ଟ କରିଛନ୍ତି ଯେ ଏହି ମାମଲାରେ ଗୋପନୀୟତା ଅଧିକାର  ଉଲ୍ଲଂଘନ ହୋଇଥିବା ଆମେ ଭାବୁନାହୁଁ ।  ଧାରା ୧୨୨ କେବଳ ପତି-ପତ୍ନୀଙ୍କ ମଧ୍ୟରେ ବାର୍ତ୍ତାଳାପର ଗୋପନୀୟତାକୁ ମାନ୍ୟତା  ଦେଇଥାଏ । କିନ୍ତୁ ଏହା ଗୋପନୀୟତାର  ସାମ୍ବିଧାନିକ ଅଧିକାର (ଅନୁଚ୍ଛେଦ ୨୧) ସହ  ଜଡ଼ିତ ନୁହେଁ । ଜଷ୍ଟିସ୍‌ ନାଗରତ୍ନା କହିଛନ୍ତି,  ଏହି ବିବାହ ଏଭଳି ସ୍ତରରେ ପହଞ୍ଚି ଯାଇଛି  ଯେଉଁଠି ପତି-ପତ୍ନୀ ପରସ୍ପରର ଗୁଇନ୍ଦାଗିରି କରିଦେଇଛନ୍ତି । ସେଥିରୁ ପୂର୍ବରୁ ହିଁ ସମ୍ପର୍କ  ତୁଟିସାରିଥିବା ସଙ୍କେତ ମିଳୁଛି । 

ପଞ୍ଜାବସ୍ଥିତ ବଠିଣ୍ଡାର ଏକ ଫ୍ୟାମିଲି  କୋର୍ଟରୁ ଏହି ମାମଲା ଆରମ୍ଭ ହୋଇଥିଲା ।  ମାମଲାରେ ପତ୍ନୀଙ୍କ ଫୋନ୍‌ ବାର୍ତ୍ତାଳାପ  ଆଧାରରେ ଛାଡ଼ପତ୍ର ଲାଗି ଆବେଦନ  କରିଥିଲେ ସ୍ୱାମୀ । କୋର୍ଟ ପ୍ରମାଣ ସ୍ୱରୂପ  କଲ୍‌ ରେକର୍ଡିଂକୁ ଗ୍ରହଣ କରିନେଇଥିଲେ ।  ଏହାପରେ ପତ୍ନୀ ରାୟ ବିରୋଧରେ ପଞ୍ଜାବ-ହରିୟାଣା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।  ହାଇକୋର୍ଟ ଏହାକୁ ଗୋପନୀୟତା ଅଧିକାର  ଉଲ୍ଲଂଘନ ଦର୍ଶାଇ ଏହି ରେକର୍ଡିଂକୁ ପ୍ରମାଣ  ଭାବେ ସ୍ୱୀକାର କରାଯାଇ ପାରିବ ନାହିଁ  ବୋଲି ରାୟ ଦେଇଥିଲେ ।

ହାଇକୋର୍ଟ ଏହି ପରିପ୍ରେକ୍ଷୀରେ  ଆନ୍ଧ୍ରପ୍ରଦେଶ ହାଇକୋର୍ଟ ଓ ଅନ୍ୟ ରାୟଗୁଡ଼ିକୁ  ଆଧାର କରି କହିଥିଲେ କି ପତି-ପତ୍ନୀଙ୍କ  ବ୍ୟକ୍ତିଗତ ବାର୍ତ୍ତାଳାପକୁ ଲୁଚିଛପି ରେକର୍ଡ  କରାଯିବା ବେଆଇନ । ହାଇକୋର୍ଟରୁ ନିରାଶ  ହେବା ପରେ ପତି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ  ହୋଇଥିଲେ । ତାଙ୍କ ଓକିଲ କହିଛନ୍ତି ଯେ  ଗୋପନୀୟତା ଅଧିକାର ସୀମିତ ଏବଂ  ତାହାକୁ ଅନ୍ୟ ସାମ୍ବିଧାନିକ ଅଧିକାରଗୁଡ଼ିକ  ସହ ସନ୍ତୁଳିତ ରଖାଯିବା ଆବଶ୍ୟକ । ବୈବାହିକ  ବିବାଦରେ ଏଭଳି ଅନେକ ମାମଲା ଥାଏ, ଯାହା  କେବଳ ପତି-ପତ୍ନୀଙ୍କ ମଧ୍ୟରେ ହିଁ ଘଟିଥାଏ  ଏବଂ ତାହାର କୌଣସି ସାକ୍ଷୀ ନ ଥାନ୍ତି । ଏଭଳି  ସ୍ଥିତିରେ ପ୍ରଯୁକ୍ତିର ସହାୟତା ନିଆଯାଇଥାଏ ।