ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତମନ୍ନା ଭାଟ୍ଟିଆଙ୍କୁ ସମନ ପଠାଇଛି ମହାରାଷ୍ଟ୍ର ସାଇବର ସେଲ୍ । ଫେୟାରପ୍ଲେ ଆପ୍ରେ ଆଇପିଏଲ ପ୍ରସାରଣ କରି ଭାୟାକମ୍ର କୋଟି କୋଟି ଟଙ୍କା କ୍ଷତି କରିବା ଅଭିଯୋଗରେ ତାଙ୍କୁ ଏହି ସମନ କରାଯାଇଛି । ମିଳିଥିବା ସୂଚନା ଅନୁସାରେ, ତମନ୍ନା ଭାଟ୍ଟିଆଙ୍କୁ ଏପ୍ରିଲ ୨୯ରେ ସାଇବେଲ୍ ସେଲ କାର୍ଯ୍ୟାଳୟରେ ହାଜର ହେବାକୁ କୁହାଯାଇଛି । ତମନ୍ନାଙ୍କ ପୂର୍ବରୁ ମଙ୍ଗଳବାର ବଲିଉଡ ଅଭିନେତା ସଞ୍ଜୟ ଦତ୍ତଙ୍କୁ ପଚରା ଉଚରା ପାଇଁ ଡାକିଥିଲା ସାଇବର ସେଲ୍ । କିନ୍ତୁ ସେ ତଦନ୍ତ ଅଧିକାରୀଙ୍କ ସାମ୍ନାରେ ହାଜର ହୋଇନଥିଲେ । ବ୍ୟକ୍ତିଗତ କାରଣ ଦର୍ଶାଇବା ସହ ସେ ମୁମ୍ବାଇ ବାହାରେ ଥିବାରୁ ତଦନ୍ତରେ ସାମିଲ ହୋଇପାରିବେ ନାହିଁ ବୋଲି ସଞ୍ଜୟ ଦତ୍ତଙ୍କ ପକ୍ଷରୁ କୁହାଯାଇଛି ।
ସେପଟେ ଭାୟାକମର ଅଭିଯୋଗ ଆଧାରରେ ଫ୍ଲେୟାରପ୍ଲେ ଆପ୍ ବିରୋଧରେ ଏଫଆଇଆର ହୋଇଥିଲା । ଏହି ମାମଲାରେ ତଦନ୍ତ ଆଗକୁ ବଢ଼ାଇବା ଲାଗି ତମନ୍ନା ଭାଟ୍ଟିଆଙ୍କୁ ସମନ କରାଯାଇଛି । ମିଳିଥିବା ସୂଚନା ଅନୁସାରେ, ମହାଦେବ ବେଟିଂ ଆପ୍ର ସହାୟକ ଆପ୍ ଫ୍ଲେୟାରପ୍ଲେ ଆପ୍ର ପ୍ରମୋସନ କରିଥିଲେ ତମନ୍ନା । ତାଙ୍କୁ ସାକ୍ଷି ଭାବରେ ପଚରା ଉଚରା କରିବାକୁ ଚାହୁଁଛି ସାଇବର ସେଲ । ଏହି ଆପ୍ର ପ୍ରମୋସନ ଲାଗି ତାଙ୍କୁ କିଏ, କାହିଁକି ଏବଂ ତାଙ୍କୁ କେତେ ଟଙ୍କା ମିଳିଛି ଏନେଇ ଜାଣିବାକୁ ଚେଷ୍ଟା କରିବ ପୋଲିସ ।
ଭାୟକାମ ନିଜ ଅଭିଯୋଗ ମାଧ୍ୟମରେ ଦାବି କରିଥିଲା ଯେ, ଫ୍ଲେୟାରପ୍ଲେ ଆପ୍ ଟାଟା ଆଇପିଏଲ ୨୦୨୩କୁ ବେଆଇନ୍ ଭାବରେ ପ୍ରଦର୍ଶିତ କରିଥିଲା । ଏଥିପାଇଁ ତାର ୧୦୦ କୋଟି ଟଙ୍କାର କ୍ଷତି ହୋଇଥିଲା । ସେପଟେ ଏହି ମାମଲାରେ ସାଇବର ସେଲ୍ ରାପର ବାଦଶାହଙ୍କ ବୟାନ ରେକର୍ଡ କରିଛି । ତେବେ ସଞ୍ଜୟ ଦତ୍ତ, ବାଦଶାହ, ତମନ୍ନା ଏବଂ ଜ୍ୟାକଲିନଙ୍କ ଭଳି ଷ୍ଟାରଙ୍କୁ ଭିନ୍ନ ଭିନ୍ନ ଆକାଉଣ୍ଟରୁ ଟଙ୍କା ଆସିଥିବା ନେଇ ସାଇବଲ୍ ସେଲ ଜାଣିବାକୁ ପାଇଛି । ଫ୍ଲେୟାରପ୍ଲେ ଆପ୍ ଭଳି ପିକାସୋ ଆପ ବିରୋଧରେ ମଧ୍ୟ ଅଭିଯୋଗ ହୋଇଛି । ଏହି ଆପ୍କୁ ଗୁଗଲ ଆଡରୁ ଆସୁଥିବା ଟଙ୍କା ପାକିସ୍ତାନ ଯାଉଥିବା ବୋଲି ମଧ୍ୟ ଜଣାପଡ଼ିଛି । ପାକିସ୍ତାନର ଏକ ଆକାଉଣ୍ଟକୁ ପ୍ରତିମାସ ୫-୬ କୋଟି ଟଙ୍କା ଯାଉଥିଲା ବୋଲି ଅନୁମାନ କରାଯାଉଛି ।