ଭୁବନେଶ୍ଵର, ୨୧/୦୫ : ସକାଳ ଶଯ୍ୟାରୁ ସନ୍ଧ୍ୟା ଖଟି, ଖୋଜା ପଡ଼େ ‘ଚା’। ଗରମ ଗରମ ଟିକେ ମାରିଦେଲେ ମୁଡ୍ ପୁରା ଫ୍ରେସ୍। ଦିନଟା ଭଲରେ ଆରମ୍ଭ ହୁଏ ବୋଲି ଅନେକ କହନ୍ତି। ସେହିପରି ସନ୍ଧ୍ୟା ବେଳେ ସାଙ୍ଗ ମେଳରେ ଜମୁଥିବା ଖଟି ‘ଚା’ ବିନା ଅଧୁରା । କାଚ ଗ୍ଲାସ୍ରେ ଢୋକେ ଢୋକେ ଚା ପିଆ ସାଙ୍ଗକୁ ଗାଁଠୁ ବିଦେଶ ଯାଏ ଘଟଣା ଆଲୋଚନା କରିବାର ମଜା ମଧ୍ୟ ନିଆରା। ସେଥିପାଇଁ ଚା ଅଧିକାଂଶ ବ୍ୟକ୍ତିଙ୍କ ଜୀବନ ଶୈଳୀ ସହ ଯୋଡ଼ି ହୋଇଯାଇଛି। କିଛି ଥାଉ କି ନଥାଉ ଚା’ ଟିକେ ମିଳିଗଲେ, କଥା ସରିଲା । ଚା’ରେ ରୋଗ ପ୍ରତିରୋଧକ ଶକ୍ତି ଥାଏ ବୋଲି କିଛି ସ୍ୱାସ୍ଥ୍ୟ ବିଶେଷଜ୍ଞ ମତ ଦିଅନ୍ତି । ଖାଲି ସେତିକି ନୁହେଁ, ଚା’ ଅନେକ ଗରିବ ହାଣ୍ଡିକୁ ଭାତ ମଧ୍ୟ ଯୋଗାଡ଼ କରୁଛି । ଖୁବ୍ କମ୍ ଅର୍ଥ ଏହି ବେପାର ଆରମ୍ଭ ହୋଇ ପାରୁଥିବାରୁ ଏହାକୁ ଅନେକ କ୍ଷୁଦ୍ର ବ୍ୟବସାୟୀ ଆପଣେଇ ବେଶ୍ ଦୁଇ ପଇସା ରୋଜଗାର କରି ପାରୁଛନ୍ତି । ବିଶ୍ୱର ଦ୍ୱିତୀୟ ସର୍ବାଧିକ ବ୍ୟବହୃତ ପାନୀୟର ସାଂସ୍କୃତିକ, ସ୍ୱାସ୍ଥ୍ୟ ଲାଭ ଏବଂ ଆର୍ଥିକ ଗୁରୁତ୍ୱକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ମେ ୨୧ ତାରିଖରେ ଅନ୍ତର୍ଜାତୀୟ ଚା’ ଦିବସ ପାଳନ କରାଯାଉଛି । ଏହି ଦିବସଟି ଭାରତର ଲକ୍ଷ ଲକ୍ଷ କ୍ଷୁଦ୍ର ଚାଷୀଙ୍କ ସ୍ଥାୟୀ ଚା’ ଉତ୍ପାଦନ ଏବଂ ଜୀବିକା ବିଷୟରେ ସଚେତନତା ସୃଷ୍ଟି କରେ । ଏହି ଅବସରରେ ଚା’ ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରୁଥିବା କିଛି ଚା’ ବ୍ୟବସାୟୀଙ୍କ କାହାଣୀକୁ ନେଇ ଚା’ ଦିବସରେ ଆମର ସ୍ୱତନ୍ତ୍ର ଉପସ୍ଥାପନା...ଆଃ.....ଚା’।
ସଂଘର୍ଷର ଅନ୍ୟନାମ ସବିତା
ଧର୍ମଶାଳା : ଚା' ଦିବସ ପରିପ୍ରେକ୍ଷୀରେ ଏମିତି ଏକ ଚା’ ଦୋକାନୀ ସବିତା ବେହେରା (୫୩) । ପୁରୁଷ ପ୍ରାଧାନ୍ୟ ସମାଜରେ ରାସ୍ତା କଡ଼ରେ ଜଣେ ମହିଳା ନିଜ ପରିଚୟ ତିଆରି କରିଛନ୍ତି । ଜାରକା ବଜାରରେ ତାଙ୍କର ଏକ ଛୋଟ ଚା ଦୋକାନ ଅଛି । ଜାତୀୟ ରାଜପଥର ସର୍ଭିସ ରୋଡ ପାର୍ଶ୍ୱରେ ଥିବା ଏହି ଚା’ ଦୋକାନକୁ ସ୍ୱାମୀ କେଶବଙ୍କ ସହିତ ମିଶି ୨୦୦୮ରୁ ଆରମ୍ଭ କରିଛନ୍ତି । ଏହା ପୂର୍ବରୁ ଭୁବନେଶ୍ୱର ବ୍ରିଟ କଲୋନୀରେ ମଧ୍ୟ ୧୨ବର୍ଷ ଧରି ସେ ଚା’ ଦୋକାନ କରିଥିଲେ । ସେଠାରେ ଚଳିବା କଷ୍ଟ ହେବାରୁ ଜାରକା ବଜାରରେ ଭଡ଼ାରେ ରହି ଦୋକାନ କଲେ । ବିଭିନ୍ନ ସ୍ଥାନରେ ସୁବିଧା ଅନୁଯାୟୀ କେବିନ ପକାଇ ଚା ବିକ୍ରି କରିଥାନ୍ତି । ଭୋର ହେବା ଆଗରୁ ଉଠି ଗ୍ୟାସ ଚୁଲି ଜାଳିବା ତାଙ୍କ ପାଇଁ କେବଳ କାମ ନୁହେଁ, ସଂଘର୍ଷର ଆରମ୍ଭ । ସ୍ୱାମୀ କେଶବ ତାଙ୍କ ହାତକୁ ହାତ ମିଳାଇ ପାଖରେ ଛିଡ଼ା ହୋଇଥାନ୍ତି । ଦୁହିଁଙ୍କ ପରିଶ୍ରମ ଏବଂ ସମନ୍ୱୟ ହିଁ ଦୋକାନର ମୂଳ ଶକ୍ତି । ପ୍ରାୟ ୩୦ ବର୍ଷ ହେଲା ସେ ଏହି ଦୋକାନ ଚଳାଉଛନ୍ତି । ସବିତାଙ୍କ ହାତର ଚା’ର ସ୍ୱାଦ ଅଲଗା । ଅଦା, ଅଳାଇଚ ଆଉ ଘରୋଇ ମସଲା ମିଶାଇ ସେ ଚା’ତିଆରି କରନ୍ତି । ସେହି ଗରମ ଚା’ ପିଇବା ପାଇଁ ସକାଳୁ ଗ୍ରାହକଙ୍କ ଭିଡ଼ ଜମେ । ଅଫିସ୍ ବାବୁଠୁ ଆରମ୍ଭ କରି ରିକ୍ସା ଚାଳକ ପର୍ଯ୍ୟନ୍ତ, ରାଜନୀତିକ ବ୍ୟକ୍ତି, ଯୁବ, ଛାତ୍ର, ମହିଳା ବୃଦ୍ଧ ସମସ୍ତେ ଏଠି ଅଟକନ୍ତି । ଅନେକ କହନ୍ତି, ସବିତାଙ୍କ ଚା’ରେ ଥକାପଣ ଦୂର ହୋଇଯାଏ । ଗ୍ରାହକଙ୍କ "ଚା’ ବଢ଼ିଆ ହୋଇଛି ମା' କଥା ସବୁ କଷ୍ଟ ଭୁଲାଇ ଦିଏ । ପ୍ରତିଦିନ ସକାଳ ୫ଟାରୁ ଆସି ରାତି ୧୦ଟାରେ ଦୋକାନ ବନ୍ଦ କରି ଘରକୁ ଫେରନ୍ତି, କିନ୍ତୁ ଥକାପଣ ତାଙ୍କ ମୁହଁରେ ଦେଖାଯାଏ ନାହିଁ । ସେ କହନ୍ତି, "ଏହି ଦୋକାନ ମୋ ପରିଚୟ, ଏଠି ମୋର ସମ୍ମାନ ଅଛି । କେଶବ କହନ୍ତି, "ମୋ ସ୍ତ୍ରୀ ମା ପାଇଁ ଗର୍ବ' । ସେ କେବେ ତାଙ୍କୁ ଅଟକାଇ ନାହାନ୍ତି, ବରଂ ଆଗକୁ ବଢ଼ିବାକୁ ପ୍ରେରଣା ଦେଇଛନ୍ତି ।
ଦିନକୁ ବିକୁଛନ୍ତି ହଜାରେ କପ୍
ପାଣିକୋଇଲି : ପାଣିକୋଇଲି ବାଲେଶ୍ୱର ବସ୍ଷ୍ଟପ୍ ନିକଟରେ ବରଗଛ ମୂଳେ ଗଜିଆ ଚା’ ଦୋକାନ । ଆଖପାଖ ଅଞ୍ଚଳରେ ଭାରି ନାଁ । ୧୬ନଂ ଜାତୀୟ ରାଜପଥରେ ନିୟମିତ ଯାତାୟାତ କରୁଥିବା କିଛି ବାବୁଙ୍କର ମଧ୍ୟ ଭାରି ପସନ୍ଦ । ପାଣିକୋଇଲି ଆସିଲେ ସେସାନେ ଚା’ ପିଇବାକୁ ଘଡ଼ିଏ ଅଟକି ଯା’ନ୍ତି । ବରଗଛ ମୂଳେ ଚା’ ପିଇ ଥକ୍କା ମେଣ୍ଟାଇ ପୁଣି ନିଜ ଗନ୍ତବ୍ୟସ୍ଥଳ ଅଭିମୁଖେ ବାହାରି ଯା’ନ୍ତି । ଖାଲି ସେତିକି ନୁହେଁ, ଆଖପାଖ ଦଶ ପଡ଼ାର ଲୋକେ ଗଜିଆ ଚା’ ପିଇବାକୁ ସକାଳେ ଆଉ ସନ୍ଧ୍ୟାରେ ପାଣିକୋଇଲି ଧାଇଁ ଆସନ୍ତି । ଦିନକୁ ପ୍ରାୟ ହଜାରେରୁ ଦୁଇ ହଜାର କପ୍ ପର୍ଯ୍ୟନ୍ତ ଚା’ ବିକ୍ରି କରି ଗଜିଆ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିବା ସହ ଚା’ ବିକି ଜଣେ ଭଲଭାବେ ପରିବାର ପ୍ରତିପୋଷଣ କରିପାରିବ ବୋଲି ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି । ଯାଜପୁର ବ୍ଲକ ମାଳଆନ୍ଦପୁର ପଞ୍ଚାୟତ ନମଟିକରୀ ଗାଁର ଗଜେନ୍ଦ୍ର ଦଳାଇ ଓରଫ୍ ଗଜିଆ(୫୦) । ୪ଭାଇକୁ ନେଇ ତାଙ୍କ ଯୌଥ ପରିବାର । ଆଜକୁ ପ୍ରାୟ ୩୦ବର୍ଷ ତଳେ ଅତି ଦୁଃଖକଷ୍ଟରେ ତାଙ୍କ ପରିବାର ଚଳୁଥିଲା । ଚାଷବାସ କରି ଯେତିକି ରୋଜଗାର କରୁଥିଲେ ସେଥିରେ ଦି’ ଓଳି ଖାଦ୍ୟ ଯୋଗାଡ଼ କରିବା କଷ୍ଟକର ହେଲା । ବଡ଼ ବ୍ୟବସାୟ ପାଇଁ ପାଖରେ ପୁଞ୍ଜି ନଥିଲା । ଶେଷରେ ଅନ୍ୟ ଉପାୟ ନପାଇ ଗଜିଆ ଚା’ ବିକିବାକୁ ମନସ୍ଥ କଲେ । ପ୍ରଥମେ ପାଣିକୋଇଲି ହାଇସ୍କୁଲ ନିକଟରେ ଏକ ବରଡ଼ା ତାଟି ତଳେ ତାଙ୍କ ଚା’ ଦୋକାନ ଆରମ୍ଭ କଲେ । ଗଜିଆଙ୍କ ହାତ ତିଆରି ଚା’ର ମହକ ଧୀରେ ଧୀରେ ମହକିବାରେ ଲାଗିଲା । ଗ୍ରାହକ ଚା’ ପିଇବାକୁ ତାଙ୍କ ଦୋକାନକୁ ଧାଡ଼ି ବାନ୍ଧିଲେ । ପାଣିକୋଇଲି ବଜାର ଭଙ୍ଗା ଯାଇ ଓଭରବ୍ରିଜ ନିର୍ମାଣ ହେଲା । ଏହି ସମୟରେ ସେ ବାଲେଶ୍ୱର ବସ୍ଷ୍ଟାଣ୍ଡ ନିକଟକୁ ତାଙ୍କ ଦୋକାନ ଉଠାଇ ନେଲେ । ଧୀରେ ଧୀରେ ବେପାର ବଢ଼ିବାରୁ ତାଙ୍କ ସାନ ଭାଇ ମଧ୍ୟ ଦୋକାନକୁ ଆସି ଭାଇଙ୍କୁ ସହଯୋଗ କଲେ । ଏବେ ଦିନ ରାତି ୨୪ଘଣ୍ଟା ଗଜିଆ ଚା’ ଦୋକାନ ଖୋଲା । ଦିନକୁ ପ୍ରାୟ ୧୦ହଜାର ଟଙ୍କା ଏହି ଦୋକାନରୁ ରୋଜଗାର ହେଉଛି । ଏହି ଚା’ ଦୋକାନ ତାଙ୍କ ପରିବାରକୁ ଦାରିଦ୍ର୍ୟରୁ ଉଦ୍ଧାର କରିଛି । ଏବେ ତାଙ୍କ ପରିବାରରେ ୧୮ଜଣ ସଦସ୍ୟ ଚା’ ଦୋକାନରୁ ଆସୁଥିବା ରୋଜଗାରରୁ ବେଶ ଭଲରେ ଚଳୁଛନ୍ତି ।
ଅର୍ଦ୍ଧ ଶତାଦ୍ଦୀ ଧରି ଚା’ କପ୍ରେ ଲେଖୁଛନ୍ତି ଜୀବନ କାହାଣୀ
ଯାଜପୁର : ଯାଜପୁର ହାବେଳି ବଜାରର ଚା’ ଦୋକାନୀ ସୁନାମଣି ବେହୁରିଆ । ବୟସ ୮୦ ଛୁଇଁଲାଣି ହେଲେ ଏବେ ବି ତାଙ୍କ ହାତର ଚା’ ଗ୍ରାହକଙ୍କୁ ସନ୍ତୁଷ୍ଟ କରିଥାଏ । ୧୯୭୬ ମସିହାରେ ଯାଜପୁର ସହର ହାବେଳି ବଜାରରେ ଏକ ଛୋଟିଆ ଟାଇଲି ଘରେ ଚା’ ଦୋକାନ ଆରମ୍ଭ କରିଥିଲେ । ସେତେବେଳେ ସେ ଚୁଲିରେ ଚା’ ପ୍ରସ୍ତୁତ କରୁଥିଲେ । ଚା’ କପ୍ ପିଛା ୨୫ ପଇସାରେ ବିକ୍ରି କରୁଥିଲେ । ସେହି ସମୟରେ ବଜାର ଉପରେ ଏତେ ଚା’ ଦୋକାନ ନଥିଲା । ସୁନାମଣିଙ୍କ ଦୋକାନରେ ଗ୍ରାହକଙ୍କ ଭିଡ଼ ଜମୁଥିଲା । ବସ୍ଷ୍ଟାଣ୍ଡକୁ ଆସୁଥିବା ଯାତ୍ରୀ, ସରକାରୀ କାର୍ଯ୍ୟାଳୟକୁ ବିଭିନ୍ନ କାମ ନେଇ ଆସୁଥିବା ଲୋକେ ସୁନାମଣିଙ୍କ ଚା’ ନପିଇ ଫେରୁନଥିଲେ । ରାଜନୀତି ହେଉ କି ଫିଲ୍ମ ଅବା କ୍ରିକେଟ୍ ସବୁପ୍ରକାର ବିଷୟ ଉପରେ ସୁନାମଣିଙ୍କ ଦୋକାନରେ ଆଲୋଚନା ହୋଇଥାଏ । ଖୁବ୍ କମ ବୟସରେ ସୁନାମଣି ଚା’ ଦୋକାନ ଆରମ୍ଭ କରିଥିଲେ । ପଡ଼ୋଶୀ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ରଘୁନାଥପୁର ଗ୍ରାମରୁ ନଈ ପାରି ହୋଇ ଯାଜପୁର ସହରକୁ ଆସନ୍ତି ଚା’ ଦୋକାନ ପାଇଁ । ସେତେବେଳେ ପୋଲର ସୁବିଧା ନଥିବାରୁ ଡଙ୍ଗା ପାରି ହୋଇ ଆସୁଥିଲେ । ବଡ଼ି ଭୋରରୁ ଆସି ଦୋକାନ ଖୋଲୁଥିଲେ । ବିଶେଷକରି ବସ୍ଷ୍ଟାଣ୍ଡକୁ ଆସୁଥିବା ଯାତ୍ରୀମାନେ ଭୋରରୁ ତାଙ୍କ ଦୋକାନରେ କପେ ଚା’ ପିଇବା ପାଇଁ ଭିଡ଼ ଜମାଉଥିଲେ । ସେତେବେଳ ଚା’ ଏବଂ ଏବେକା ଚା’ ମଧ୍ୟରେ କୌଣସି ଫରକ ନାହିଁ । ସେହି ସ୍ୱାଦ, ସେହି ମହକ । ସୁନାମଣିଙ୍କ ପାଇଁ ଚା’ ଏକ ବ୍ୟବସାୟ ନୁହେଁ ଏହା ତାଙ୍କ ଜୀବନର ଏକ ଅଂଶ । ଏହି ଛୋଟିଆ ଚାହା ଦୋକାନରୁ ଯାହା ଉପାର୍ଜନ କରନ୍ତି ସେଥିରେ ତାଙ୍କ ସ୍ତ୍ରୀ ଓ ଦୁଇ ସନ୍ତାନକୁ ନେଇ ପରିବାର ପ୍ରତିପୋଷଣ କରିଥାନ୍ତି । ସମୟ ବଦଳିଲାଣି । ସୁନାମଣିଙ୍କ ସେହି ଆଗ ଟାଇଲି ଘର ନାହିଁ । ଏବେ ସେ କୋଠା ଘରେ ଚାହା ବିକୁଛନ୍ତି । ଚୁଲି ବଦଳରେ ଗ୍ୟାସରେ ଚା’ ପ୍ରସ୍ତୁତ କରୁଛନ୍ତି । ସେ କହନ୍ତି ଚା’ କେବଳ ରୋଜଗାର ନୁହେଁ ମୋ ଜୀବନର ଏକ ଅଂଶ । ତାଙ୍କର ଏହି ସରଳ ଚିନ୍ତାଧାରା ଓ ନିଷ୍ଠା ଲୋକଙ୍କ ମନକୁ ଛୁଇଁଯାଇଥାଏ । ସମୟ ବଦଳିଲେ ମଧ୍ୟ ସୁନାମଣିଙ୍କ ଦୈନନ୍ଦିନ ଜୀବନରେ କେବେ ବିରାମ ନାହିଁ । ଭୋର୍ ୫ଟାରୁ ଦିନ ୧ଟା ଏବଂ ଅପରାହ୍ଣ ୪ଟାରୁ ରାତି ୯ଟା ପର୍ଯ୍ୟନ୍ତ ସୁନାମଣିଙ୍କ ଦୋକାନ ଖୋଲା ରହିଥାଏ ।
ଏହି ଖବରଟିକୁ ପଢନ୍ତୁ- Bhubaneswar missing case : ୮ ମାସ ହେଲା ପୁଅ ନିଖୋଜ, ଶୁଣିଲାନି ପୁଲିସ... ବାବାଙ୍କ ଭବିଷ୍ୟବାଣୀ ପୂର୍ବମୁହାଁ ହୋଇ ବସିଲେ ମିଳିବ ପୁଅ