- ଆଗେଇବ ସାଳନ୍ଦୀ ବାମ ମୁଖ୍ୟ କେନାଲରେ ଭୂତଳ ପାଇପ ଲାଇନ
- ୩ଟି ଟେଣ୍ଡର ପାରିତ, ଦୁଇ ବର୍ଷରେ ସରିବ କାମ
ଭୁବନେଶ୍ବର,୧୪/୨: ସାଳନ୍ଦୀ ବାମ ମୁଖ୍ୟ କେନାଲରେ ହେବ ଭୂତଳ ପାଇପ ଲାଇନ ବ୍ୟବସ୍ଥା। ଏହି ପାଣି ୧୫ ହଜାର ୮୬୭ ଏକର ଜମିକୁ ଦେବ ସେଚ ସୁବିଧା। ନିର୍ମ।ଣ ଓ ରକ୍ଷଣାବେକ୍ଷଣ ବାବଦକୁ ଖର୍ଚ୍ଚ ହେବ ପ୍ରାୟ ୩୮୦ କୋଟି ଟଙ୍କା। ଉପକୃତ ହେବେ ବାଲେଶ୍ବର ଜିଲ୍ଲାର ଔପଦା, ବାହାନଗା, ନୀଳଗିରି, ରେମୁଣା ବ୍ଲକର ଚାଷୀ। ସମନ୍ବିତ ଆନନ୍ଦପୁର ବ୍ୟାରେଜ ପ୍ରକଳ୍ପ ଅନ୍ତର୍ଗତ ସାଳନ୍ଦୀ କେନାଲ ସୁଦୃଢ଼ୀକରଣରେ ୯ଟି ଯୋଜନା ହୋଇଥିବାବେଳେ ଏଥିରୁ ୩ଟି ପ୍ରକଳ୍ପର ଟେଣ୍ଡରକୁ ଆଜି ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ଦେଇଛି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଶନିବାର ସନ୍ଧ୍ୟାରେ କ୍ୟାବିନେଟ ବୈଠକରେ ୪ଟି ପ୍ରସ୍ତାବ ଗୃହୀତ ହୋଇଛି। ଜଳ ସମ୍ପଦ ବିଭାଗର ୩ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଏଥିରେ ସାଳନ୍ଦୀ ବାମ ମୁଖ୍ୟ କେନାଲରେ ଭୂତଳ ପାଇପ ମାଧ୍ୟମରେ ହେବାକୁ ଥିବା ଜଳସେଚନ ପ୍ରକଳ୍ପର ୩ଟି ଟେଣ୍ଡର ରହିଛି। ଗୋଟିଏ ପ୍ରକଳ୍ପରେ ନିର୍ମ।ଣ ବାବଦକୁ ୧୪୬ କୋଟି ୧୭ ଲକ୍ଷ ଟଙ୍କା ବ୍ୟୟ ଓ ୫ ବର୍ଷ ରକ୍ଷଣାବେକ୍ଷଣ ବାବଦକୁ ୭ କୋଟି ୬୯ ଲକ୍ଷ କୋଟି ଖର୍ଚ୍ଚ ହେବ। ଏଥିରେ ରେମୁଣା ଓ ବାଲେଶ୍ବର ବ୍ଲକର ୬୭୬୫ ହେକ୍ଟର ଜମିକୁ ଜଳସେଚନ ହେବ। ଆଉ ଗୋଟିଏ ପ୍ରକଳ୍ପ ନିର୍ମ।ଣ ଖର୍ଚ୍ଚ ୧୦୭ କୋଟି ୯୬ ଲକ୍ଷ ଥିବାବେଳେ ରକ୍ଷଣାବେକ୍ଷଣ ଓ ପରିଚାଳନା ପାଇଁ ୫ କୋଟି ୫୧ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଏଥିରେ ଔପଦା ଓ ରେମୁଣା ବ୍ଲକର ୫୧୭୮ ହେକ୍ଟର ଜମିକୁ ପାଣି ସୁବିଧା ମିଳିବ। ତୃତୀୟ ପ୍ରକଳ୍ପରେ ନିର୍ମ।ଣଜନିତ ଖର୍ଚ୍ଚ ୧୦୫ କୋଟି ୬୨ ଲକ୍ଷ ଓ ପରିଚାଳନା ଏବଂ ରକ୍ଷଣାବେକ୍ଷଣ ବାବଦରେ ୫ କୋଟି ୩୧ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଏଥିରେ ଔପଦା ଓ ବାହାନଗା ବ୍ଲକର ୪୯୨୪ ହେକ୍ଟର ଚାଷ ଜମିକୁ ପାଣି ମିଳିବ। ଏ ସମସ୍ତ ପ୍ରକଳ୍ପ ଦୁଇ ବର୍ଷରେ ସରିବ।
ଶ୍ରମ ବିଭାଗର ପ୍ରସ୍ତାବ ଅନୁଯାୟୀ ଓଡ଼ିଶା କର୍ମଚାରୀ ରାଜ୍ୟ ବୀମା ଯୋଜନା ରେଡିଓଗ୍ରାଫର ସେବା (ନିଯୁକ୍ତି ପଦ୍ଧତି ଏବଂ ସେବା ସର୍ତ୍ତ।ବଳୀ) ନିୟମ-2026କୁ କ୍ୟାବିନେଟର ମଞ୍ଜୁରୀ ମିଳିଛି। ଇସଆଇ ହସ୍ପିଟାଲ ଓ ଡିସପେନସାରିରେ ରେଡିଓଗ୍ରାଫର ନିଯୁକ୍ତି ଓ ପଦୋନ୍ନତି ନେଇ ଏଥିରେ ସଂସ୍କାର ଅଣାଯାଇଛି। ଏଥିପାଇଁ ଏକ ନୂତନ କ୍ୟାଡର ନିୟମ ପ୍ରସ୍ତୁତ କରାଯାଇଛି। ବୈଠକ ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଥିଲେ।
ଏହାସହ ପଢ଼ନ୍ତୁ : ଇନଷ୍ଟାଗ୍ରାମରେ ପ୍ରେମ, ମହାରାଷ୍ଟ୍ରରୁ ନେପାଳ : ଏବେ ମିଳିଲା ମୃତଦେହ