ନୂଆଦିଲ୍ଲୀ,୨୭/୦୨: ଏକଦା ଶକ୍ତିଶାଳୀ ବ୍ରିଟିଶ ବାଣିଜ୍ୟ ସଂସ୍ଥା ଇଷ୍ଟ ଇଣ୍ଡିଆ କମ୍ପାନି ଭାରତର ବିଶାଳ କ୍ଷେତ୍ରରେ ଶାସନ କରୁଥିଲା । ଦେଶରେ ଏହା ବ୍ରିଟିଶ ଉପନିବେଶ ଆରମ୍ଭ କରିଥିଲା । ଏହି ଶକ୍ତିଶାଳୀ ସଂସ୍ଥାରେ ପୁଣି ଥରେ ତାଲା ପଡ଼ିଛି । ଏ ଥର କିନ୍ତୁ ଲଣ୍ଡନ ସ୍ଥିତ ଏକ ଲକ୍ଜରି ରିଟେଲର୍ରେ । ମୂଳ ଇଷ୍ଟ୍ ଇଣ୍ଡିଆ କମ୍ପାନି ପ୍ରାୟ ୧୫୨ ବର୍ଷ ପୂର୍ବେ ବନ୍ଦ ହୋଇଥିଲା । କିନ୍ତୁ ୨୦୧୦ରେ ଜଣେ ବ୍ରିଟିଶ-ଭାରତୀୟ ବ୍ୟବସାୟୀ ଅଧିକାର କିଣି ଏହାକୁ ପୁନର୍ଜୀବିତ କରିଥିଲେ ।
ସେହି ଇଷ୍ଟ ଇଣ୍ଡିଆ କମ୍ପାନି ପ୍ରୋଜେକ୍ଟ ଦେବାଳିଆ ହେବାରୁ ବନ୍ଦ ହୋଇଛି । ୧୮୫୭ ମସିହା ସିପାହୀ ବିଦ୍ରୋହ ପରେ ବ୍ରିଟିଶ ସରକାର ଭାରତରେ ଇଷ୍ଟ ଇଣ୍ଡିଆ କମ୍ପାନିର ଶାସନ ହାତକୁ ନେଇଥିଲେ । ୧୮୫୮ରେ ବ୍ରିଟିଶ କ୍ରାଉନ୍ ଏହାର ନିୟନ୍ତ୍ରଣ ହାତକୁ ନେଇଥିଲା, ଯାହା ଦ୍ୱାରା ଭାରତରେ ପ୍ରତ୍ୟକ୍ଷ ବ୍ରିଟିଶ ଶାସନ ଆରମ୍ଭ ହୋଇଥିଲା । ଭାରତ ଓ ଏସିଆର ବାକି କ୍ଷେତ୍ରରେ ବ୍ୟାପକ ଶୋଷଣ ଯୋଗୁ ଇଷ୍ଟ ଇଣ୍ଡିଆ କମ୍ପାନିର ଐତିହ୍ୟକୁ ମୁଖ୍ୟତଃ ନକାରାତ୍ମକ ଅର୍ଥରେ ଦେଖାଯାଏ । ବିଶ୍ୱ ବାଣିଜ୍ୟକୁ ଏହା ବଦଳାଇଦେଲା, କିନ୍ତୁ ହିଂସା ଓ ବଙ୍ଗ ଗଣହତ୍ୟା ଜରିଆରେ ଭାରତୀୟଙ୍କ ପାଇଁ ବହୁତ ବଡ଼ ସଂଘର୍ଷର କାରଣ ହେଲା ।
ଆହୁରି ପଢନ୍ତୁ- ସୋସିଆଲ ମିଡ଼ିଆରେ ଟ୍ରେଣ୍ଡ୍ କରୁଛି ରାଓ୍ବଲପିଣ୍ଡିର ବିବାହ ; ୭୦ବର୍ଷର ବରକୁ ୨୨ବର୍ଷର କନ୍ୟା
ଭାରତୀୟ ଉଦ୍ୟୋଗୀ ସଂଜୀବ ମେହତା ଯେତେବେଳେ ୨୦୧୦ରେ ଇଷ୍ଟ ଇଣ୍ଡିଆ କମ୍ପାନି ନାଁର ଅଧିକାର କିଣିଲେ, ଏହାକୁ ଭାରତର ପ୍ରତିଶୋଧ ଭାବେ ଦେଖାଗଲା । ଯେଉଁ କମ୍ପାନି ଭାରତକୁ ଶାସନ କରିଥିଲା, ଏବେ ଜଣେ ଭାରତୀୟ ତା’ର ମାଲିକ ହେବେ । ଏହି ଖବର ବିଶ୍ୱ ଗଣମାଧ୍ୟମର ଶିରୋନାମା ହେଲା । କିନ୍ତୁ କମ୍ପାନିର ଏହି ଆଧୁନିକ ସଂସ୍କରଣ ଏବେ ବନ୍ଦ ହୋଇଛି । ଏଥିପାଇଁ ଇଷ୍ଟ ଇଣ୍ଡିଆ କମ୍ପାନି ଲିଃ. ଅକ୍ଟୋବର ୨୦୨୫ରେ ଲିକ୍ୱିଡେଟର୍ଙ୍କୁ ନିଯୁକ୍ତ କରିଥିଲା । ରିପୋର୍ଟ ଅନୁସାରେ, ବ୍ରିଟିଶ ଭର୍ଜିନ ଦ୍ୱୀପପୁଞ୍ଜରେ ପଞ୍ଜୀକୃତ ଏହାର ମୂଳ ଗ୍ରୁପ୍ ଉପରେ ୬.୩ କୋଟିରୁ ଅଧିକ, ୨.୦୩ କୋଟି ଟିକସ ଏବଂ ୧.୭୧ କୋଟିର କର୍ମଚାରୀଙ୍କ ଦରମା ବୋଝ ଅଛି । ସଂଜୀବ ମେହତାଙ୍କ ସହ ଜଡ଼ିତ ଇଷ୍ଟ ଇଣ୍ଡିଆ ନାଁର ଅନେକ ସମ୍ବନ୍ଧିତ କମ୍ପାନିକୁ ମଧ୍ୟ ବିଲୟ କରାଯାଇଛି । କମ୍ପାନିର ୱେବ୍ସାଇଟ ଡାଉନ୍ ହୋଇଛି । ମେଫେୟାର, ଲଣ୍ଡନରେ ୯୭ ନ୍ୟୁ ବଣ୍ଡ୍ ଷ୍ଟ୍ରିଟ୍ ସ୍ଥିତ ଦୋକାନ ଖାଲି ହୋଇଛି ଏବଂ ଏଜେଣ୍ଟ୍ଙ୍କ ଜରିଆରେ ତାହା ଭଡ଼ା ଲାଗିବାକୁ ଯାଉଛି । ଇଷ୍ଟ ଇଣ୍ଡିଆ କମ୍ପାନି କଲେକ୍ସନ୍ସ ଲିଃ. ନାମକ ଅନ୍ୟ ଏକ କମ୍ପାନି ମଧ୍ୟ ବନ୍ଦ ହେବାକୁ ଯାଉଛି ।