ପ୍ରମୂଖ ଖବର
  • ଇସ୍କନ ଅଦିନିଆ ରଥଯାତ୍ରାକୁ ନେଇ ଇସ୍କନ ଗଭର୍ଣ୍ଣିଂ ବଡି ଅଧ୍ୟକ୍ଷଙ୍କୁ ଚିଠି ଲେଖିଲେ ଗଜପତି ମହାରାଜା
  • ||
  • କୋରାପୁଟ : ଜଲାପୁଟ ଜଳଭଣ୍ଡାରକୁ ଡେଇଁ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା
  • ||
  • ଅଣାୟତ୍ତ ଡାଇରିଆ ସ୍ଥିତି; ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା, ଗୃହ ଏବଂ ନଗର ଉନ୍ନୟନ ବିଭାଗର ଆଲର୍ଟ
  • ||
  • ରଥଯାତ୍ରାକୁ ନେଇ କଠୋର ହେଲେ ସରକାର, ରଥ ଉପରକୁ ଅଣସେବାୟତ ଚଢିଲେ ହେବେ ଗିରଫ
  • ||
  • ସୁନ୍ଦରଗଡ଼ରେ ଲୁଟେରାଙ୍କ ଆତଙ୍କରାଜ, ବନ୍ଧୁକ ଦେଖାଇ ନେଇଗଲେ ଅଳଙ୍କାର ଓ ନଗଦ ଟଙ୍କା
  • ||
  • ଅଣସର ଦର୍ଶନର ଚତୁର୍ଥ ଦିନ, ରଜ ସଂକ୍ରାନ୍ତି ପାଇଁ ଅଲାରନାଥ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
  • ||
  • ଇସ୍ରାଏଲ-ଇରାନ ମଧ୍ୟରେ ଭୟଙ୍କର ଯୁଦ୍ଧ ଜାରି, ତେହେରାନରେ ପ୍ରତିରକ୍ଷା ମନ୍ତ୍ରଣାଳୟ କୋଠା ଓ ପରମାଣୁ ମୁଖ୍ୟାଳୟ ଧ୍ୱଂସ
  • ||
  • କେଦାରନାଥ ନିକଟରେ ହେଲିକପ୍ଟର୍ ଦୁର୍ଘଟଣା, ୬ ମୃତ
  • ||
  • ନାଇଜେରିଆରେ ଗୁଳିମାଡ କଲେ ବନ୍ଧୁକଧାରୀ, ୧୦୦ ଜଣଙ୍କର ମୃତ୍ୟୁ
  • ||
  • ଆଗେଇବ ମୌସୁମୀ ବାୟୁ, ୨୦ ଲଘୁଚାପରେ ଆଗକୁ ହେବ ଅଗ୍ରସର: ଆଜି ଦକ୍ଷିଣ ଓଡ଼ିଶାର ୪ ଜିଲ୍ଲାକୁ ଆଲର୍ଟ
  • ||

ସରକାରଙ୍କ ଯୋଜନା ବିଷୟ ବୁଣାକାରଙ୍କୁ ଅଜଣା

Published By : Rasmita Pradhan | October 16, 2024 2:42 PM

ବାଲେଶ୍ୱର,୧୬/୧୦ : ସମ୍ପ୍ରତି ହସ୍ତତନ୍ତରୁ ପ୍ରସ୍ତୁତ ବିଭିନ୍ନ ସାମଗ୍ରୀ ଉପରେ ଲୋକଙ୍କ ଆଦର ବଢ଼ୁଛି । ରାଜ୍ୟ ସରକାର ମଧ୍ୟ ଏହି ଶିଳ୍ପକୁ ଆଗକୁ ନେବା ସହ ବୁଣାକାରଙ୍କୁ ପ୍ରୋତ୍ସାହିତ କରିବା ପାଇଁ ବିଭିନ୍ନ ଯୋଜନା ହାତକୁ ନେଉଛନ୍ତି । ତେବେ ବାଲେଶ୍ୱର ଜିଲ୍ଲାରେ ଏହି ସବୁ ଯୋଜନା ନେଇ ସଚେତନତା ସୃଷ୍ଟି ହେଉନି । ଫଳରେ ବୁଣାକାରମାନେ ସରକାରଙ୍କ ଯୋଜନା ନେଇ ଯେମିତି ସଚେତନ ହେବା କଥା ହେଇପାରୁ ନାହାନ୍ତି । ସେମାନଙ୍କୁ ଆଶାନୁରୂପ ସରକାରୀ ସହାୟତା ମଧ୍ୟ ମିଳୁନି । 

ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର, ବସ୍ତା, ବାଲେଶ୍ୱର, ଔପଦା, ନୀଳଗିରି, ଖଇରା, ସୋର, ସିମୁଳିଆ, ବାହାନଗା ପଞ୍ଚାୟତ ସମିତି ଅଧୀନରେ ୨୩ ପ୍ରାଥମିକ ତନ୍ତୁବାୟ ସହଯୋଗ ସମିତି ଲି. କାର୍ଯ୍ୟ କରୁଛି । ସେଥିମଧ୍ୟରୁ ଜଳେଶ୍ୱର ପଞ୍ଚାୟତ ସମିତି ଅନ୍ତର୍ଗତ ମାଳିଡିଆ ଗ୍ରାମରେ ୨ ଟସର ତନ୍ତୁବାୟ ସହଯୋଗ ସମିତି କାର୍ଯ୍ୟକରୁଛି । ବସ୍ତା, ବାଲେଶ୍ୱର, ଖଇରା, ଔପଦା, ସିମୁଳିଆ, ବାହାନଗା, ସୋର, ନୀଳଗିରି ପଞ୍ଚାୟତ ସମିତି ଅନ୍ତର୍ଗତ ୨୧ ତନ୍ତୁବାୟ ସହଯୋଗ ସମିତି କାର୍ଯ୍ୟ କରୁଅଛି । ଜିଲ୍ଲାରୁ ପ୍ରସ୍ତୁତ ଟସର ଶାଢ଼ୀ, ଟସର ଯୋଡ଼, ଟସର ସ୍କାର୍ଡ, ଚାଦର, ଧୋତି, ଶାଢ଼ୀ, ଲୁଙ୍ଗି, ଗାମୁଛା, ତଉଲିଆ, ବେଡସିଟ୍‌, ସାର୍ଟ କପଡ଼ା, ରୁମାଲ ସହ ଆଦିବାସୀଙ୍କ ପର୍ବପର୍ବାଣୀ ଓ ବିଭାଘରରେ ବ୍ୟବହୃତ ଫୁଟା ଶାଢ଼ୀ, ଫୁଟା ଗାମୁଛା ଇତ୍ୟାଦି ଚାହିଦା ଜିଲ୍ଲା ତଥା ରାଜ୍ୟ ବାହାରରେ ରହିଛି । ଏହା ସତ୍ତ୍ଵେ ସରକାରୀ ଯୋଜନା ବିଷୟରେ ଅଧିକାଂଶ ବୁଣାକାର ଜାଣି ପାରୁ ନ ଥିବାରୁ ସେମାନଙ୍କୁ ସରକାରୀ ପ୍ରୋତ୍ସାହନ ମିଳିପାରୁନି । 

ବୁଣାକାରଙ୍କୁ ପ୍ରୋତ୍ସାହିତ କରିବା ପାଇଁ ସରକାର ବାସଗୃହ ତଥା କର୍ମଶାଳା/କର୍ମଶାଳା ନିର୍ମାଣ ଯୋଜନାରେ ତନ୍ତ ଅନ୍ୟାନ୍ୟ ଆସବାବପତ୍ର ସବୁକୁ ପ୍ରାକୃତିକ ବିପର୍ଯୟରୁ ସୁରକ୍ଷା ଦେଇ ଏକ ଉନ୍ନତ ପରିବେଶରେ ବୁଣାକାର୍ଯ୍ୟ କରିବା ପାଇଁ ୨୭ ବର୍ଗ ମିଟର/୨୪୦ ବର୍ଗ ଫୁଟର ଢଳେଇକରଣ ତନ୍ତଶାଳା ବା ବାସଗୃହ ନିର୍ମାଣ ପାଇଁ ୧ ଲକ୍ଷ ୨୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଉଛି । ତିନି ଅଥବା ୪ ମାସରେ କାର୍ଯ୍ୟ ସମ୍ପୂର୍ଣ କଲେ ଅଧିକ ୨୦ ହଜାର କିମ୍ବା ୧୦ ହଜାର ଟଙ୍କାର ସ୍ୱତନ୍ତ୍ର ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ । ସେହିଭଳି ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ କାରିଗରୀ ସହାୟତା ଯୋଜନାରେ ମହିଳା ହିତାଧିକାରୀଙ୍କ କ୍ଷେତ୍ରରେ ୪୦ ରୁ ୮୦ ବର୍ଷ ଏବଂ ପୁରୁଷ ହିତାଧିକାରୀଙ୍କ କ୍ଷେତ୍ରରେ ୫୦ ରୁ ୮୦ ବର୍ଷ ବୟସ ବର୍ଗର ବୁଣାକାରଙ୍କୁ ମାସିକ ୨୦୦୦ ଟଙ୍କା ଏବଂ ୮୦ ବର୍ଷରୁ ଊଦ୍ଧ୍ୱର୍ ବୁଣାକାରଙ୍କୁ ମାସକୁ ୨୫୦୦ ଟଙ୍କା ହାରରେ ଆର୍ଥିକ ସହାୟତା ପ୍ରଦାନର ବ୍ୟବସ୍ଥା ରହିଛି । 

ତନ୍ତ ଓ ତନ୍ତ ସରଞ୍ଜାମ ଯୋଗାଣ ଯୋଜନାରେ ଅତ୍ୟାଧୁନିକ ସରଞ୍ଜାମ କ୍ରୟ କଲେ ସରକାର ୯୦ ପ୍ରତିଶତ ସରକାରୀ ସହାୟତା ଯୋଗାଇ ଦେଉଛନ୍ତି । ବଳିଆ ଯୋଜନାରେ ବୁଣାକାରଙ୍କ ଜୀବନ ଜୀବିକା ଓ ଆୟ ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ବିନା ସୁଧରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନର ବ୍ୟବସ୍ଥା ଅଛି । ବୁଣାକାରମାନେ ଏନେଇ ନିକଟସ୍ଥ ସମବାୟ ବ୍ୟାଙ୍କରେ ଆବେଦନ କରି ଲାଭ ନେଇପାରିବେ । ଦକ୍ଷତା ବୃଦ୍ଧି ତାଲିମ ଆହରଣ ପାଇଁ ବୁଣାକାରଙ୍କୁ ବିଭିନ୍ନ ପ୍ରକାର ତାଲିମ ପ୍ରଦାନର ବ୍ୟବସ୍ଥା କରାଯାଇଛି । ଏଥିରେ ୧୮ରୁ ୪୫ ବର୍ଷ ପର୍ଯ୍ୟନ୍ତ ବୁଣାକାରମାନେ ତାଲିମ ନେଇପାରିବେ । ତାଲିମ ନେଉଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ମାସିକ ୬୦୦୦ ଟଙ୍କା ବୃତ୍ତି ଦେବାର ବ୍ୟବସ୍ଥା କରାଯାଇଛି । ଏହା ସହ ସେମାନଙ୍କୁ ତାଲିମ ସମ୍ବନ୍ଧୀୟ ଉପକରଣ ଯୋଗାଇ ଦେବାର ବ୍ୟବସ୍ଥା ଅଛି । ପାହିଶାଳର ଢଳେଇକରଣ ପାଇଁ ବୁଣାକାରଙ୍କ ତନ୍ତ ଗର୍ଭକୁ ବର୍ଷା ଦିନରେ ସନ୍ତସନ୍ତିଆ ପରିବେଶରୁ ସୁରକ୍ଷା ଦେବା ପାଇଁ ଏହାର ଢଳେଇକରଣ ପାଇଁ ୭ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି । 

ସେହିଭଳି ମୁଖ୍ୟମନ୍ତ୍ରୀ ବୟନ ଜ୍ୟୋତି ଯୋଜନାରେ ସନ୍ଧ୍ୟା ସମୟରେ ବୁଣାକାର ବିଜୁଳି କାଟ ତଥା ଲୋ ଭୋଲଟେଜ, ଗରମ ଦାଉରୁ ମୁକ୍ତି ପାଇଁ ବୁଣାକାର୍ଯ୍ୟ ଜାରି ରଖିବା ନିମନ୍ତେ ଏକ ଇନ୍‌ଭର୍ଟର ୬୫୦, ବ୍ୟାଟେରୀ ୧୦୦ ଏଏଚ୍‌, କମ୍‌ ବିଦ୍ୟୁତ ଖର୍ଚ୍ଚ ହେଉଥିବା ଏକ ବିଏଲଡିସି ପଙ୍ଖା, ୨ ଏଲଇଡି ଟ୍ୟୁବ୍‌ ଲାଇଟ୍‌ କିଣିବା ପାଇଁ ପ୍ରତି ବୁଣାକାର ପରିବାରକୁ ୧୭, ୫୦୦ ଟଙ୍କାର ସରକାରୀ ଆର୍ଥିକ ସହାୟତା ଦେବାର ବ୍ୟବସ୍ଥା ଅଛି । ଏହା ଦ୍ୱାରା ବୁଣାକାର ବିନା ବାଧା ବିଘ୍ନରେ ତଥା ଆରମରେ ଅଧିକ ସମୟ ପର୍ଯ୍ୟନ୍ତ ବୁଣା କାର୍ଯ୍ୟରେ ନିୟୋଜିତ ହୋଇପାରିବେ । ତଥ୍ୟ ମୁତାବକ, ଜିଲ୍ଲାରେ ତନ୍ତୁବାୟ ସହଯୋଗ ସମିତିର ସଭ୍ୟ ସଂଖ୍ୟା ୨୩୬୩ । ୨୦୧୭ ମସିହାରେ ସର୍ଭେ ହୋଇଥିବା ମୋଟ ପରିବାର ସଂଖ୍ୟା ୧୫୩୨ । ସେହିବର୍ଷ ସର୍ଭେ ହୋଇଥିବା ମୋଟ ବୁଣାକାରଙ୍କ ସଂଖ୍ୟା ୩୧୯୭ । ମୋଟ ତନ୍ତ ସଂଖ୍ୟା ୧୦୦୪ । କାର୍ଯ୍ୟକାରୀ ତନ୍ତ ସଂଖ୍ୟା ୨୫୯ । ଅଚଳ ତନ୍ତ ସଂଖ୍ୟା ୪୬୯ । ଜିଲ୍ଲାର ମୋଟ ବୁଣାକାରଙ୍କ ମଧ୍ୟରୁ ତିନି ବର୍ଷରେ ବାସଗୃହ ତଥା କାର୍ଯ୍ୟଶାଳା(୧ଲକ୍ଷ ୨୦ ହଜାର) ମରାମତି ବାବଦରେ ୩୬ଜଣ, ତନ୍ତ ଓ ତନ୍ତ ଉପକରଣ(୩୬ ହଜାର) ବାବଦରେ ୪୫ଜଣ, ତନ୍ତ ଉପକରଣ(୬ହଜାର) ବାବଦରେ ୨୪ଜଣ, ତାଲିମପ୍ରାପ୍ତ ହିତାଧିକାରୀ ଭାବେ ୧୧୦ଜଣ, ପାହିଶାଳର ଢଲେଇକରଣ(୭ ହଜାର) ବାବଦରେ ୩୯ଜଣ, ବୟନ ଜ୍ୟୋତି(୧୭,୫୦୦) ବାବଦରେ ୬୮୧ଜଣ, ବରିଷ୍ଠ ବୁଣାକାର ସହାୟତା(୨୦୦୦/୨୫୦୦) ୩୩ଜଣ, ବଳିଆ ଯୋଜନା(୧ ଲକ୍ଷ)ରେ ୧୨୩ଜଣଙ୍କୁ ସହାୟତା ମିଳିଛି । ପ୍ରଚାରପ୍ରସାର ଅଭାବରୁ ଅନ୍ୟମାନଙ୍କୁ ନିରାଶ ହେବାକୁ ପଡ଼ିଛି ।

 ଏନେଇ ସହକାରୀ ବୟନଶିଳ୍ପ ନିର୍ଦ୍ଦେଶକ ପଦ୍ମଶିନୀ ସାହୁଙ୍କ ସହ ଆଲୋଚନା କରାଯାଇଥିଲ । ତାଙ୍କ କହିବା କଥା ଜିଲ୍ଲାରେ ୩ ହଜାରରୁ ଊଦ୍ଧ୍ୱର୍ ବୁଣାକାର ପଞ୍ଜୀକରଣ କରିଛନ୍ତି । ସରକାରୀ ଯୋଜନା ବାବଦରେ ସେମାନଙ୍କୁ ସଚେତନତା କରିବା ପାଇଁ ବିଭିନ୍ନ ସଚେତନତା କରାଯାଉଛି । ଚଳିତବର୍ଷ ଚାରୋଟି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଯେଉଁ ଅଞ୍ଚଳରେ ଅଧିକ ବୁଣାକାର ଅଛନ୍ତି³ ସେଠାରେ ଏହି ସଚେତନତାମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି । ଆଗାମୀ ଦିନରେ ଅଧିକ ସଚେତନତା ଉପରେ ଗୁରୁତ୍ୱ ଦିଆଯିବ ବୋଲି ସେ କହିଥିଲେ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.