ଭୁବନେଶ୍ୱର, ୧୩/୦୬: ସମୟ ଥିଲା ଯେତେବେଳେ ଗାଁଠୁ ସହର ପର୍ଯ୍ୟନ୍ତ ସବୁଠି ସାଇକଲ ଥିଲା ଯାତାୟତର ମୁଖ୍ୟ ମାଧ୍ୟମ । ବାହାଘରରେ ଯୌତୁକ ଭାବେ ସାଇକଲ ଦିଆଯାଉଥିଲା । ଅର୍ଥନୈତିକ ବିକାଶ ଓ ଲୋକଙ୍କ ଜୀବନଶୈଳୀରେ ପରିବର୍ତ୍ତନ ସହ ବାଇକ୍ ଏବଂ କାରର ବହୁଳ ବ୍ୟବହାର ଯୋଗୁଁ ସାଇକଲର ଚାହିଦା କମିବାରେ ଲାଗିଛି । ଯାନବାହାନ ଏକ ପ୍ରକାର ଷ୍ଟାଟସ ସିମ୍ବଲ ବା ପ୍ରତିଷ୍ଠାର ପ୍ରତୀକ ପାଲଟିଛି । ହେଲେ ପୁଣି ଥରେ ଲୋକେ ନିଜକୁ ସୁସ୍ଥ ରଖିବା, ପ୍ରଦୂଷଣ ରୋକିବା ଏବଂ ତେଲ ସଞ୍ଚୟ ପାଇଁ ସାଇକଲ ଆଡକୁ ମୁହାଁଉଛନ୍ତି ।
ଭୁବନେଶ୍ୱରରେ ଯେତେବେଳେ ‘ମୋ ସାଇକେଲ’ ବ୍ୟବସ୍ଥା କରାଯାଇଥିଲା । ସେତେବେଳେ ରାହାଗିରି ଆୟୋଜନ ହେଉଥିଲା । ଏଥିପାଇଁ ବିଏମ୍ସି ହଜାର ହଜାର ସାଇକଲ କିଣିଥିଲା । ବର୍ତ୍ତମାନ ତାହା ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିଛି । ରାଜଧାନୀକୁ ପ୍ରଦୂଷଣ ମୁକ୍ତ କରିବା ଏବଂ ସ୍ମାର୍ଟ ପରିବହନ ସେବା ଯୋଗାଇବା ପାଇଁ ୨୦୧୮ରେ ଆରମ୍ଭ ହୋଇଥିଲା ଏହି ‘ମୋ ସାଇକଲ ଯୋଜନା’ । ଆରମ୍ଭ ବେଳେ ପ୍ରାୟ ୨୦୦୦ ସ୍ମାର୍ଟ ସାଇକଲ କିଣାଯାଇଥିଲା । ଏଥିରେ ଜିପିଏସ୍ ଟ୍ରାକିଂ ଓ ଡିଜିଟାଲ ସ୍ମାର୍ଟ ଲକ୍ ସିଷ୍ଟମ୍ ଥିଲା । ସହରର ବିଭିନ୍ନ ସ୍ଥାନରେ ପ୍ରାୟ ଶତାଧିକ ସାଇକଲ ଷ୍ଟେସନ ତିଆରି ହୋଇଥିଲା । ଯେଉଁଠି ସାଇକେଲ ରଖିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ରାଜଧାନୀର ପ୍ରମୁଖ ରାସ୍ତା ପାଶ୍ୱର୍ରେ ସାଇକଲ ଚଳାଇବା ପାଇଁ ସ୍ୱତନ୍ତ୍ର ଲାଲ ରଙ୍ଗର ‘ସାଇକଲ ଟ୍ରାକ୍’ ତିଆରି ହୋଇଥିଲା । ଏହି ଯୋଜନାକୁ ଆଗକୁ ବଢ଼ାଇବା ପାଇଁ କେନ୍ଦ୍ର ସରକାରଙ୍କ ‘ସାଇକଲସ୍ ଫର ଚେଞ୍ଜ ଚ୍ୟାଲେଞ୍ଜ’ ଅଧୀନରେ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡକୁ ଅତିରିକ୍ତ ୧ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା ମିଳିଥିଲା । ଏହା ୨୦୨୦ ଜୁଲାଇରେ ଆରମ୍ଭ ହୋଇଥିଲା । ହେଲେ ଆଜି ସେହି ସ୍ମାର୍ଟ ସାଇକଲଗୁଡ଼ିକ ରାଜଧାନୀର ବିଭିନ୍ନ ଛକ ଏବଂ ପରିତ୍ୟକ୍ତ ସ୍ଥାନରେ କଳଙ୍କି ଲାଗି ଖତ ଖାଉଛି । କୋଟି କୋଟି ଟଙ୍କାର ଏହି ଯୋଜନା ଏବେ ସମ୍ପୂର୍ଣ୍ଣ ଫେଲ୍ ମାରିଛି । ଲୋକଙ୍କ ସୁବିଧା ପାଇଁ ଆସିଥିବା ସାଇକଲଗୁଡିକ ଏବେ ଗଛଲତା ଓ ବୁଦା ଭିତରେ ହଜିଯାଇଛି ତ କେତେକ ଚୋରି ହୋଇଯାଇଛି ।
ଭୁବନେଶ୍ୱର ମହାନଗର ନିଗମ ଏବଂ ବିଏସ୍ସିଏଲ ଏହି ଯୋଜନାକୁ ପୁଣି ଥରେ କାର୍ଯ୍ୟକ୍ଷମ କରିବା ପାଇଁ ପ୍ରୟାସ ଆରମ୍ଭ କରୁଛି । ସେଲ୍ଫ ପ୍ରୋପେଲ୍ଡ କ୍ରୁଜ୍ ଏବଂ ସ୍ମାର୍ଟ ସିଟି କର୍ତ୍ତୃପକ୍ଷ ରାସ୍ତା କଡ଼ରୁ ଖରାପ ହୋଇ ପଡ଼ିଥିବା ସାଇକେଲ୍ଗୁଡିକୁ ସଂଗ୍ରହ କରି ତାହାର ମରାମତି କରାଉଛନ୍ତି, ଯେପରି ନୂଆ ପ୍ଲାନିଂ ଏବଂ ଉତ୍ତମ ଭିତ୍ତିଭୂମି ସହିତ ‘ମୋ ସାଇକେଲ’ ପୁଣି ଥରେ ରାଜଧାନୀ ରାସ୍ତାରେ ସଫଳତାର ସହ ଚାଲିପାରିବ । ପ୍ରତିଦିନ ସାଇକଲ ଚଲାଇବା ଦ୍ୱାରା ହୃଦରୋଗ, ମଧୁମେହ, ମେଦ ବହୁଳତା ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ । ଏହା ଏକ ଶ୍ରେଷ୍ଠ ବ୍ୟାୟାମ ।
ଆହୁରି ପଢ଼ନ୍ତୁ...World Bicycle Day : ପିଁ ପାଁ ଭିଡ଼ରେ ସଂଘର୍ଷ କରୁଛି ପେଡାଲ, କାହା ପାଇଁ ଫିଟ୍ନେସ୍ ଟ୍ରେଣ୍ଡ ତ କାହା ପାଇଁ ଚିର ସାଥୀ