ନୂଆଦିଲ୍ଲୀ ୨୪/୧୨: ରୋଷେଇ ଘରୁ ବିଶ୍ୱ ବଜାର । ଚାରିକାନ୍ଥରୁ ଫ୍ୟାଶନ୍ ମଞ୍ଚ । ଅନ୍ତର୍ଜାତୀୟ ମୁଦ୍ରା କୋଷରୁ ଜାତିସଂଘ । ଅନନ୍ୟ ଉପଲବ୍ଧି । ସ୍ୱର୍ଣ୍ଣିମ ଇତିହାସ । ସବୁ କ୍ଷେତ୍ରରେ ପ୍ରଥମ । ସେ ଅନନ୍ୟା, ଅଦ୍ୱିତୀୟା । ଅସାଧାରଣ ପ୍ରତିଭାର ପାୱାର୍ ହାଉସ୍ । ଦୃଢ଼ସଂକଳ୍ପ, ଧୈର୍ଯ୍ୟ ଓ ସ୍ଥିରତାର ଏଭରେଷ୍ଟ୍ । ସଫଳତାର ନଭଶ୍ଚୁମ୍ବୀ ପ୍ରାଚୀର । ମାଟିରୁ ମହାକାଶ ସବୁଠି ତା’ର ଜୟଗାନ ।

ଗୋଲ୍ଡେନ୍ ଗ୍ଲୋବରେ ପ୍ରଥମ ଭାରତୀୟ ନିର୍ଦ୍ଦେଶକ:

ଅନ୍ତର୍ଜାତୀୟ ସ୍ତରରେ ସ୍ୱତନ୍ତ୍ର ଖ୍ୟାତି ଅର୍ଜନ କରିଛନ୍ତି ଭାରତୀୟ ସିନେ ନିର୍ମାତା ପାୟଲ କପାଡ଼ିଆ । ଫିଲ୍ମ ‘ଅଲ୍ ୱି ଇମାଜିନ୍ ଆଜ୍ ଲାଇଟ୍’ ପାଇଁ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଗୋଲ୍ଡେନ୍ ଗ୍ଲୋବସ ଆୱାର୍ଡସରେ ଶ୍ରେଷ୍ଠ ନିର୍ଦ୍ଦେଶକ ବିଭାଗରେ ଚଳିତ ବର୍ଷ ସେ ନୋମିନେଟ୍ ହୋଇଥିଲେ । ଏହି ସମ୍ମାନ ପାଇଥିବା ସେ ପ୍ରଥମ ଭାରତୀୟ ନିର୍ଦ୍ଦେଶକ । ତାଙ୍କ ଫିଲ୍ମ ଶ୍ରେଷ୍ଠ ଅଣ-ଇଂରାଜୀ ଫିଲ୍ମ ବିଭାଗରେ ମଧ୍ୟ ନୋମିନେଟ୍ ହୋଇଥିଲା । ପାୟଲ ସମ୍ମାନାସ୍ପଦ କାନ୍ ଫିଲ୍ମ ଫେଷ୍ଟିଭାଲ୍ ଜୁରି ଭାବେ ଯୋଗ ଦେଇଥିଲେ । କ୍ରିଟିକ୍ସ ଚଏସ୍ ଆୱାର୍ଡସରେ ‘ଅଲ୍ ୱି ଇମାଜିନ୍ ଆଜ୍ ଲାଇଟ୍’ ପାଇଁ ସେ ଶ୍ରେଷ୍ଠ ନିର୍ଦ୍ଦେଶକ ସମ୍ମାନ ଲାଭ କରିଥିଲେ । ଏସିଆନ୍ ଫିଲ୍ମ ଆୱାର୍ଡସରେ ଏହା ଶ୍ରେଷ୍ଠ ଫିଲ୍ମ ପୁରସ୍କାର ଲାଭ କରିଥିଲା । ସେତିକି ନୁହେଁ, ନିଜର ଚମତ୍କାର ନିର୍ଦ୍ଦେଶନା ପାଇଁ ଅନେକ ଅନ୍ତର୍ଜାତୀୟ ମଞ୍ଚରେ ସମ୍ମାନିତ ଓ ସମ୍ବର୍ଦ୍ଧିତ ହୋଇଛନ୍ତି ପାୟଲ ।

ବିଶ୍ୱ ଫ୍ୟାଶନ୍ ମଞ୍ଚରେ ସ୍ୱତନ୍ତ୍ର ପରିଚୟ:

ପଚିଶରେ ବିଶ୍ୱସ୍ତରରେ ପରିଚିତି ପାଇଛନ୍ତି ଅନାମିକା ଖାନ୍ନା । ନିଜର ଲକ୍ଜରୀ ବ୍ରାଣ୍ଡ୍ ‘ଏକେ/ଓକୋ’କୁ ଲଣ୍ଡନ୍ ଫ୍ୟାଶନ୍ ୱିକରେ ଲଞ୍ଚ୍ କରି ବିଶ୍ୱ ମଞ୍ଚରେ ଭାରତୀୟ ଶିଳ୍ପର ପ୍ରଦର୍ଶନ କରିଛନ୍ତି । ଅନାମିକାଙ୍କ ‘ସିଲଭର ସ୍କଲାର’ କଲେକ୍ସନ୍ ଜରିଆରେ ଚଳିତ ବର୍ଷ ଲାକମେ ଫ୍ୟାଶନ୍ ୱିକର ଶୁଭାରମ୍ଭ ହୋଇଥିଲା । ଆମେରିକାର ମାସିକ ୱିମେନ୍ସ ଫ୍ୟାଶନ୍ ମ୍ୟାଗାଜିନ୍ ହାର୍ପର୍ସ ବାଜାର ଅନାମିକାଙ୍କୁ ଡିଜାଇନର୍ ଅଫ୍ ଦ ଇୟର ସମ୍ମାନ ଜରିଆରେ ଭାରତୀୟ ଫ୍ୟାଶନ୍ ଉପରେ ତାଙ୍କ ପ୍ରଭାବକୁ ସମ୍ମାନ ଦେଇଛି । ଅସ୍କାର ନୋମିନି କୋଲମ୍ୟାନ୍ ଡୋମିଙ୍ଗୋଙ୍କୁ ସେ ନିଜ ଡିଜାଇନର୍ ଡ୍ରେସ୍ ପିନ୍ଧାଇଛନ୍ତି । ଶକିରା ଓ ଜେନିଫର ଲୋପେଜଙ୍କ ପାଇଁ ମଧ୍ୟ ପୋଷାକ ଡିଜାଇନ୍ କରି ସେ ବିଶ୍ୱସ୍ତରରେ ସ୍ୱତନ୍ତ୍ର ସମ୍ମାନ ପାଇଛନ୍ତି ।

ବ୍ରିଟିଶ ପରିବାରରୁ ବଡ଼ ସମ୍ମାନ:

ଭାରତର ଏକ ଛୋଟ ସହରରୁ ଲକଜରି ଫ୍ୟାଶନ୍ ହାଉସ୍ ଚ୍ୟାନେଲର ଗ୍ଲୋବାଲ୍ ସିଇଓ । କୋହ୍ଲାପୁରରେ ଜନ୍ମିତ ଲିନା ନାୟରଙ୍କ ଏ ଯାତ୍ରା ନେତୃତ୍ୱର ଏକ ପ୍ରେରଣାପ୍ରଦ ଉଦାହରଣ । ଖୁଚୁରା ବଜାରରେ ନିଜର ପ୍ରଭାବ ପାଇଁ ଚଳିତ ବର୍ଷ ଲିନା ପ୍ରିନ୍ସ ୱିଲିୟମଙ୍କଠୁ ସମ୍ମାନାସ୍ପଦ କମାଣ୍ଡର ଅଫ୍ ଦ ଅର୍ଡର୍ ଅଫ୍ ଦ ବ୍ରିଟିଶ ଏମ୍ପାୟର ସମ୍ମାନ ଲାଭ କରିଛନ୍ତି । ଫର୍ଚ୍ୟୁନ୍ ଇଣ୍ଡିଆ୨୦୨୫ର ସବୁଠୁ ଶକ୍ତିଶାଳୀ ମହିଳା ତାଲିକାରେ ସ୍ଥାନ ପାଇଛନ୍ତି ଲିନା । ଏହା ଚ୍ୟାନେଲରେ ତାଙ୍କ ନେତୃତ୍ୱ, ବ୍ରାଣ୍ଡ୍ ଭିଜନ୍ ଓ ସ୍ଥାୟୀତ୍ୱ ପ୍ରତି ଅଙ୍ଗୀକାରବଦ୍ଧତାକୁ ଶୀର୍ଷ ମନ୍ୟତା ।

ପ୍ରଥମ ମିସେସ୍ ଆର୍ଥ ଇଣ୍ଟରନ୍ୟାସନାଲ:

ମାଙ୍ଗାଲୁରୁର ବିଦ୍ୟା ସମ୍ପଥ ଡିସେମ୍ବର ୮ରେ ଫିଲିପିନ୍ସର ମାନିଲାରେ ଆୟୋଜିତ ମିସେସ୍ ଆର୍ଥ ଇଣ୍ଟରନ୍ୟାସନାଲ-୨୦୨୫ ଟାଇଟଲ ବିଜୟିନୀ ହୋଇଛନ୍ତି । ଏହି ବିଶ୍ୱସ୍ତରୀୟ ଟାଇଟଲ ହାସଲ କରିଥିବା ପ୍ରଥମ ଭାରତୀୟ ଭାବେ ସେ ଇତିହାସ ରଚିଛନ୍ତି । ବିଦ୍ୟାଙ୍କ ଜାତୀୟ ପରିଧାନରେ ବାଘ, ପଦ୍ମ ଓ ମୟୂର ଭଳି ପାରମ୍ପରିକ ଭାରତୀୟ ପ୍ରତୀକ ସ୍ଥାନ ପାଇଥିଲା, ଯାହା ବିଶ୍ୱସ୍ତରରେ ସବୁରି ଧ୍ୟାନ ଆକର୍ଷଣ କରିଥିଲା । ବିଦ୍ୟାଙ୍କ ଯାତ୍ରା ବଡ଼ ସ୍ୱପ୍ନ ଦେଖୁଥିବା ଛୋଟ ସହରର ମହତ୍ୱାକାଂକ୍ଷୀ ମହିଳାଙ୍କ ପାଇଁ ପ୍ରେରଣାତ୍ମକ ଉଦାହରଣ । ଦୃଢ଼ସଂକଳ୍ପ, ମଜଭୁତ ମଞ୍ଚ ଓ ଉଚିତ୍ ମାର୍ଗଦର୍ଶନ ଜରିଆରେ ବଡ଼ ସ୍ୱପ୍ନ ବି ସତ ହୋଇପାରେ, ବିଦ୍ୟା ତା’ର ପ୍ରମାଣ ।

ଆଇଏମଏଫରୁ ହାର୍ଭାର୍ଡ:

ଭାରତ-ଆମେରିକୀୟ ଅର୍ଥନୀତିଜ୍ଞ ଗୀତା ଗୋପୀନାଥ । ବର୍ତ୍ତମାନ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରେ ଅର୍ଥନୀତି ବିଭାଗରେ ଗ୍ରେଗୋରି ଆଣ୍ଡ୍ ଆନିୟା କଫି ପ୍ରଫେସର୍ ଭାବେ ସେ କାର୍ଯ୍ୟରତ । ୨୧ ଜାନୁଆରୀ ୨୦୨୨ରୁ ୩୧ ଅଗଷ୍ଟ ୨୦୨୫ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ମୁଦ୍ରା କୋଷର ପ୍ରଥମ ଡେପ୍ୟୁଟି ମ୍ୟାନେଜିଂ ଡାଇରେକ୍ଟର ଭାବେ ସେ ଅବସ୍ଥାପିତ ଥିଲେ । ଏହା ପୂର୍ବରୁ ୨୦୧୯ରୁ ୨୦୨୨ ମଧ୍ୟରେ ସେ ଆଇଏମଏଫର ମୁଖ୍ୟ ଅର୍ଥନୀତିଜ୍ଞ ଥିଲେ । ବର୍ଷ ତମାମ, ବିଶେଷକରି ଟାଇମ୍ସ ନେଟୱର୍କ ଇଣ୍ଡିଆ ଇକୋନୋମିକ୍ କନକ୍ଲେଭ୍-୨୦୨୫ ଭଳି କାର୍ଯ୍ୟକ୍ରମରେ ଗୀତା ବୈଶ୍ୱିକ ଓ ଭାରତୀୟ ଅର୍ଥନୀତି ଟ୍ରେଣ୍ଡର ବିଶ୍ଳେଷଣ କରିଛନ୍ତି । ଭାରତର ଅଭିବୃଦ୍ଧି ପୂର୍ବାନୁମାନରେ ଗୁରୁତ୍ୱପୂର୍ଣ୍ଣ ଉନ୍ନତିର ପୂର୍ବାନୁମାନ କରିଛନ୍ତି । ପ୍ରଥମ ଡେପ୍ୟୁଟି ଏମଡି ଭାବେ ତାଙ୍କର ଶେଷ ମାସରେ ଆର୍ଥିକ ନୀତି, ଋଣ ଓ ଟ୍ରେଡ୍ ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଜରିଆରେ ନିଜର ପ୍ରଭାବ ବଜାୟ ରଖିଛନ୍ତି ଏବଂ ପ୍ରମୁଖ ଅନ୍ତର୍ଜାତୀୟ ଫୋରମରେ ଆଇଏମଏଫର ପ୍ରତିନିଧିତ୍ୱ କରିଛନ୍ତି । ଭାରତର ତୈଳ ଅନୁବନ୍ଧରେ ବିବିଧତା ଓ ଆମେରିକା ସହ ସମ୍ପର୍କକୁ ମଜଭୁତ କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି । ଭାରତ କିଭଳି ଏକ ପ୍ରମୁଖ ବୈଶ୍ୱିକ ଭାଗିଦାର ହୋଇପାରିବ, ତା’ଉପରେ ସେ ବିଶେଷ ଗୁରୁତ୍ୱ ଦେଇଛନ୍ତି ।

ସର୍ବକନିଷ୍ଠ ବିଧାୟକ:

ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ଓ ଲୋକ ସଙ୍ଗୀତ ଜଗତର ଜଣାଶୁଣା ଗାୟିକା ମୈଥିଲୀ ଠାକୁରଙ୍କ ରାଜନୈତିକ ଯାତ୍ରା ଚଳିତ ବର୍ଷର ଚର୍ଚ୍ଚିତ ଖବର ଥିଲା । ୨୦୨୫ରେ ୨୫ ବର୍ଷ ବୟସରେ ମୈଥିଲୀ ରାଜନୀତିରେ ପ୍ରବେଶ କରିଥିଲେ । ଭାରତୀୟ ଜନତା ପାର୍ଟିର ସୁଷମା ସ୍ୱରାଜଙ୍କ ପରେ ସେ ଭାରତର ୨ୟ ସର୍ବକନିଷ୍ଠ ବିଧାୟକ ହୋଇଛନ୍ତି । ଗତ ଅକ୍ଟୋବରରେ ସେ ବିଜେପିରେ ଯୋଗ ଦେଇଥିଲେ । ଗତ ନଭେମ୍ବରରେ ଅନୁଷ୍ଠିତ ବିହାର ବିଧାନସଭା ନିର୍ବାଚନରେ ଅଲିନଗର ବିଧାନସଭା ନିର୍ବାଚନମଣ୍ଡଳୀରୁ ଆରଜେଡି ପ୍ରତିଦ୍ୱନ୍ଦ୍ୱୀଙ୍କୁ ସେ ୧୧,୭୩୦ ଭୋଟରେ ହରାଇଥିଲେ ।

କର୍ପୋରେଟ୍ ରଣନୀତିକାର:

ଭାରତର ବିତ୍ତୀୟ ସେବା କ୍ଷେତ୍ରରେ ଦୀର୍ଘ ୩ ଦଶନ୍ଧିର ଅନୁଭବ ସହିତ ଭାରତୀୟ କର୍ପୋରେଟ୍ ଇତିହାସରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଛନ୍ତି କାକୁ ନଖାଟେ । ବର୍ତ୍ତମାନ ବ୍ୟାଙ୍କ୍ ଅଫ୍ ଆମେରିକାରେ ଭାରତ ସିଇଓ ଭାବେ ରଣନୀତି ଓ ନିର୍ଦ୍ଦେଶନା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରୁଛନ୍ତି । ଏହା ପୂର୍ବରୁ ସେ ଜେପି ମୋର୍ଗାନରେ ଇଣ୍ଡିଆ କର୍ପୋରେସନର ଭାଇସ୍ ଚେୟାରମ୍ୟାନ୍ ଥିଲେ । ଏଥିସହିତ ଦୀର୍ଘ ୧୮ ବର୍ଷ ଧରି ଡିଏସପି ମେରିଲ ଲିଞ୍ଚ୍ରେ ବିଶ୍ୱ ବଜାର ଓ ଇକ୍ୱିଟିରେ ବରିଷ୍ଠ ପଦବୀରେ ଅବସ୍ଥାପିତ ଥିଲେ । ଆର୍ଥିକ ବର୍ଷ-୨୦୨୪ରେ ବ୍ୟାଙ୍କ୍ ଅଫ୍ ଆମେରିକା ଇଣ୍ଡିଆର ଲାଭ ଟିକସ ପୂର୍ବରୁ ଲଗାତାର ଦୁଇ ବର୍ଷ ଧରି ୬୦ ପ୍ରତିଶତ ବଢ଼ିଲା, ଯାହା ଭାରତରେ ଅବସ୍ଥାପିତ ବିଦେଶୀ ବ୍ୟାଙ୍କ୍ଙ୍କ ମଧ୍ୟରେ ସର୍ବାଧିକ । ବାର୍ଷିକ ଆଧାରରେ ଏହା ୨୮ ପ୍ରତିଶତ ଅଭିବୃଦ୍ଧି ମଧ୍ୟ ହାସଲ କରିଛି । ଭାରତରେ ଶୀର୍ଷ-୧୦ ବିଦେଶୀ ବ୍ୟାଙ୍କ୍ ମଧ୍ୟରେ ଏହା ସର୍ବୋଚ୍ଚ ବୋଲି ନଖାଟେ ସ୍ପଷ୍ଟ କରିଛନ୍ତି । ମୁମ୍ବାଇର ମାତୁଙ୍ଗାରେ ଏକ ବ୍ୟବସାୟୀ ପରିବାରରେ ଜନ୍ମିତ ନଖାଟେ ପିଲାଦିନୁ ବିଶ୍ୱ ଅର୍ଥନୀତି ସହ ଓତଃପ୍ରୋତଃ ଭାବେ ଜଡ଼ିତ ।

ମିସାଇଲ ଓମ୍ୟାନଙ୍କୁ ଅନ୍ତର୍ଜାତୀୟ ସମ୍ମାନ :

ଡ. ଟେସି ଥୋମାସ୍ ଭାରତର ମିସାଇଲ ଓମ୍ୟାନ୍ ନାମରେ ପ୍ରସିଦ୍ଧ । ମିସାଇଲ ଟେକ୍ନୋଲୋଜି (ଅଗ୍ନି ସିରିଜ୍)ରେ ନିରନ୍ତର ଯୋଗଦାନ ଲାଗି ତାଙ୍କୁ ସମ୍ମାନଜନକ ୮ମ ଡ. ପଲୋସ୍ ମାର୍ ଗ୍ରେଗୋରିଓସ୍ ପୁରସ୍କାର ଦ୍ୱାରା ସମ୍ମାନିତ କରାଯାଇଛି । ଏହି ଅନ୍ତର୍ଜାତୀୟ ସମ୍ମାନ ବିଜ୍ଞାନ, ପ୍ରଯୁକ୍ତି ପ୍ରତି ତାଙ୍କର ଜୀବନବ୍ୟାପୀ ସମର୍ପଣ, ଖାସକରି ଏକ ଭାରତୀୟ ମିସାଇଲ ପ୍ରୋଜେକ୍ଟର ନେତୃତ୍ୱ ନେଇଥିବା ପ୍ରଥମ ମହିଳା ଭାବେ ତାଙ୍କୁ ସମ୍ମାନ ଦେଇଛି । ଷ୍ଟେମରେ ମହିଳା ସଶକ୍ତୀକରଣ ଏବଂ ରାଷ୍ଟ୍ରୀୟ ଆତ୍ମନିର୍ଭନଶୀଳତା ଡିଆରଡିଓର ଜଣେ ଅଗ୍ରଣି ବୈଜ୍ଞାନିକ ଭାବେ ଟେସିଙ୍କ ଜୀବନବ୍ୟାପୀ ନେତୃତ୍ୱକୁ ପରିଚୟ ଦେଇଛି ।

ଏକମାତ୍ର ଟାଇମ୍ସ ୱିମେନ୍ ଅଫ୍ ଦ ଇୟର:

ବନ୍ୟଜୀବ ସଂରକ୍ଷଣ କ୍ଷେତ୍ରରେ ଅଦ୍ୱିତୀୟ ଯୋଗଦାନ ଲାଗି ଟାଇମ୍ସର ୱିମେନ୍ ଅଫ୍ ଦ ଇୟର-୨୦୨୫ରେ ସ୍ଥାନ ପାଇଛନ୍ତି ଆସାମର ବନ୍ୟଜୀବ ଜୀବବିଜ୍ଞାନୀ ପୂର୍ଣ୍ଣିମା ଦେବୀ ବର୍ମନ । ଏହି ସମ୍ମାନଜନକ ତାଲିକାରେ ସ୍ଥାନ ପାଇଥିବା ସେ ଏକମାତ୍ର ଭାରତୀୟ ମହିଳା । ହରଗିଲା (ଗ୍ରେଟର ଆଡଜଟାଣ୍ଟ୍ ପକ୍ଷୀ ପ୍ରଜାତି)ର ସଂରକ୍ଷଣ ପ୍ରୟାସ ପାଇଁ ସେ ସ୍ୱତନ୍ତ୍ର ପରିଚୟ ପାଇଛନ୍ତି । ହରଗିଲା ଆର୍ମିର ସେ ପ୍ରତିଷ୍ଠାତା । ଏହି ସଂରକ୍ଷଣ ପ୍ରୟାସରେ ସମସ୍ତ ମହିଳା କାମ କରୁଛନ୍ତି । ଚଳିତ ବର୍ଷ ଏସିଆନ୍ ସାଇଣ୍ଟିଷ୍ଟ୍- ୧୦୦ ତାଲିକାରେ ମଧ୍ୟ ପୂର୍ଣ୍ଣିମା ସ୍ଥାନ ପାଇଛନ୍ତି ।

ବିଶ୍ୱମଞ୍ଚରେ ଆୟୁର୍ବେଦ ବ୍ରାଣ୍ଡ୍ର ଅଗ୍ରଦୂତ:

୪୦ ବର୍ଷ ବୟସରେ ବ୍ୟବସାୟକୁ ପାସନରେ ରୂପାନ୍ତରିତ କରିଥିଲେ ମୀରା କୁଲକର୍ଣ୍ଣୀ । ମାତ୍ର ୨ ଲକ୍ଷ ଟଙ୍କା ନିବେଶ ଓ ଦୁଇ ଜଣ କର୍ମଚାରୀଙ୍କ ସହିତ ଘରେ ଆରମ୍ଭ କରିଥିଲେ ‘ଫରେଷ୍ଟ୍ ଏସେନ୍ସିଆଲ୍ସ’ । ଏହି ବ୍ରାଣ୍ଡ୍ ଧୀରେ ଧୀରେ ନିଜ ଉତ୍ପାଦର ପରିମାଣ ବଢ଼ାଇଲା । ବିଳାସପୂର୍ଣ୍ଣ ହୋଟେଲ ଓ ସ୍ପାରେ ତାଙ୍କ ବ୍ରାଣ୍ଡର ଦବଦବା ବଢ଼ିଲା । ପ୍ରଥମ ୭-୧୦ ବର୍ଷ କମ୍ପାନି ମାର୍କେଟିଂ କିମ୍ବା ବିଜ୍ଞାପନରେ ଟଙ୍କାଟିଏ ଖର୍ଚ୍ଚ କଲା ନାହିଁ । ନିଜ ବିଶ୍ୱସନୀୟତାର ପ୍ରସାର ଲାଗି ମୁହଁରେ ପ୍ରଚାର ଜାରି ରଖିଲା । ଆଜି ଏହା ଋଣ-ମୁକ୍ତ ୧୦୦ କୋଟି ଡଲାର ଲକଜରି ଆୟୁର୍ବେଦିକ ସ୍କିନ୍ ଆଣ୍ଡ ହେୟାରକେୟାର ବ୍ରାଣ୍ଡ୍ । ବିଶ୍ୱର ପ୍ରସିଦ୍ଧ ପ୍ରସାଧନ କମ୍ପାନି ଏଷ୍ଟି ଲାଉଡର୍ ଏ କମ୍ପାନିରେ ଅଘୋଷିତ ଅର୍ଥ ନିବେଶ କରିଛି । ୨୦୦୦ ମସିହାରେ ବ୍ୟବସାୟ ଆରମ୍ଭ କରିବା ବେଳେ ଏ କ୍ଷେତ୍ରରେ ମୀରାଙ୍କର ଆଦୌ ଧାରଣା ନ ଥିଲା । ଆଜି ଆୟୁର୍ବେଦ ପ୍ରସାଧନ ଜଗତରେ ସେ ଜଣେ ପରିଚିତ ଚେହେରା ।

ଜାତିସଂଘ ସ୍ୱୀକୃତିପ୍ରାପ୍ତ ଫାୟାର ଲେଡି:

ଚଳିତ ବର୍ଷ ୟୁନାଇଟେଡ୍ ନେସନ୍ ପପୁଲେସନ୍ ସମ୍ମାନରେ ବ୍ୟକ୍ତିଗତ ଭାବେ ସମ୍ମାନିତ ହୋଇଛନ୍ତି ଭାରତର ମହିଳା ଅଧିକାର କର୍ମକର୍ତ୍ତା ବର୍ଷା ଦେଶପାଣ୍ଡେ । ଲିଙ୍ଗଗତ ସମାନତା ଓ ପ୍ରଜନନ ଅଧିକାରକୁ ପ୍ରୋତ୍ସାହନ ଭଳି ଦୀର୍ଘ ଦଶନ୍ଧିର କାର୍ଯ୍ୟ ଲାଗି ସେ ଏହି ସମ୍ମାନର ଅଧିକାରିଣୀ ହୋଇଛନ୍ତି । ଜାତିସଂଘର ଏହି ସମ୍ମାନ ବର୍ଷାଙ୍କୁ ବିଶ୍ୱସ୍ତରରେ ଖ୍ୟାତି ଆଣିଦେଇଛି । ଜଣେ ଅଗ୍ରଣି ମହିଳା ଅଧିକାର କର୍ମକର୍ତ୍ତା ଭାବେ ଲିଙ୍ଗ-ଆଧାରିତ ହିଂସା, ମତଭେଦ ଓ ଅସମାନତା ଉପରେ କାର୍ଯ୍ୟ କରିବାର ବର୍ଷାଙ୍କର ଦୀର୍ଘ ୩୫ ବର୍ଷର ଅନୁଭବ ରହିଛି । ମହିଳାଙ୍କ ଅଧିକାର ଓ ଲିଙ୍ଗଗତ ନ୍ୟାୟରେ ସୁଧାର ଲାଗି ସେ ୧୯୯୦ରେ ଦଳିତ ମହିଳା ବିକାଶ ମଣ୍ଡଳ ପ୍ରତିଷ୍ଠା କରିଥିଲେ । ତୃଣମୃଳ ସ୍ତରରୁ ମହିଳାଙ୍କ ସଶକ୍ତୀକରଣ ପାଇଁ ବ୍ୟବସାୟିକ କୌଶଳ, ଗୁରୁତ୍ୱପୂର୍ଣ୍ଣ ଉତ୍ସ ଓ ସେବା ସହ ସେମାନଙ୍କୁ ଯୋଡ଼ିବା ଏବଂ ସେମାନଙ୍କୁ ଆର୍ଥିକ ସ୍ୱଚ୍ଛଳ କରିବା ପାଇଁ ଦେଶପାଣ୍ଡେ ନିରନ୍ତର କାର୍ଯ୍ୟ କରୁଛନ୍ତି । ସାମୁଦାୟିକ ସମ୍ପର୍କ ଓ ସମର୍ଥନ ଜରିଆରେ ଲିଙ୍ଗ-ପକ୍ଷପାତୀ ଲିଙ୍ଗ ଚୟନ, ନ୍ୟାୟିକ ସଂସ୍କାର ଓ ବ୍ୟବହାରିକ ପରିବର୍ତ୍ତନ ଦିଗରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି ।

ବିଶ୍ୱ ମହିଳା ଚେସର ଯୁବଶକ୍ତି:

ଲଗାତାର ୨ୟ ଥର ଫିଡେ ୱିମେନ୍ସ ଗ୍ରାଣ୍ଡ୍ ସ୍ୱିସ୍ ଟୁର୍ନାମେଣ୍ଟ୍ ଜିତି ଇତିହାସ ଲେଖିଛନ୍ତି ବୈଶାଳୀ ରମେଶବାବୁ । ୨ୟ ଥର ଗ୍ରାଣ୍ଡ୍ ସ୍ୱିସ୍ ଟାଇଟଲ ଜିତିଥିବା (ପୁରୁଷ/ମହିଳା) ସେ ପ୍ରଥମ ଖେଳାଳି । ୨୦୨୬ରେ ହେବାକୁ ଥିବା ୱିମେନ୍ସ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ୍ରେ ସେ ସ୍ଥାନ ପାଇଛନ୍ତି । ୨୦୨୩ ମସିହାରେ ସେ ଏହି ଟୁର୍ନାମେଣ୍ଟ୍ ଜିତିଥିଲେ । ଚଳିତ ବର୍ଷର ନରୱେ ଚେସ୍ ପ୍ରତିଯୋଗିତାରେ ବିଶ୍ୱ ଚାମ୍ପିଅନ୍ ଜୁ ୱେନଜୁନଙ୍କୁ ହରାଇ ବୈଶାଳୀ ଆଉ ଏକ କୀର୍ତ୍ତିମାନ ସ୍ଥାପନ କରିଛନ୍ତି । ଚେନ୍ନାଇରେ ଆୟୋଜିତ ୱାଓ ଆୱାର୍ଡସରେ କ୍ରୀଡ଼ା କ୍ଷେତ୍ରରେ ଉତ୍କର୍ଷ ନିମନ୍ତେ ତାଙ୍କୁ ସମ୍ମାନିତ କରାଯାଇଥିଲା । ଏହି ବିଜୟ ତାଙ୍କ ରଣନୀତିକ ପ୍ରତିଭା ଓ ସ୍ଥିରତାକୁ ଦର୍ଶାଇଛି ଏବଂ ବିଶ୍ୱ ମହିଳା ଚେସରେ ଏକ ଅଗ୍ରଣି ଶକ୍ତି ଭାବେ ତାଙ୍କୁ ସ୍ଥାନ ଦେଇଛି ।

ଟାଇଟନ୍ ମହାକାଶ ମିଶନର ମହାକାଶଚାରୀ:

ଘରୋଇ ଟାଇଟନ୍ସ ସ୍ପେସ୍ ମିଶନ୍ର ମହାକାଶଚାରୀ ଭାବେ ଜାହ୍ନବୀ ଡାନଗେତିଙ୍କୁ ଚୟନ କରାଯାଇଛି । ‘ଆଷ୍ଟ୍ରୋନଟ୍ କ୍ଲାସ୍ ଅଫ୍ ୨୦୨୫’ର ଅଂଶବିଶେଷ ୨୦୨୯, ମାର୍ଚ୍ଚରେ ହେବାକୁ ଥିବା ୫ ଘଣ୍ଟାର କକ୍ଷୀୟ ମହାକାଶ ଯାତ୍ରା ପୂର୍ବରୁ ଜାହ୍ନବୀ ଆମେରିକାରେ କଠୋର ତାଲିମ ନେବେ । ପ୍ରଖ୍ୟାତ ନାସା ମହାକାଶଚାରୀ ୱିଲିୟମ୍ ମ୍ୟାକଆର୍ଥର ଜୁନିୟର ଏହି ମିଶନର ନେତୃତ୍ୱ ନେବେ । ଜାହ୍ନବୀଙ୍କ ଉପଲବ୍ଧି ବିଶ୍ୱ ମହାକାଶ ଅନ୍ୱେଷଣରେ ଭାରତର ମହତ୍ୱାକାଂକ୍ଷା ନିମନ୍ତେ ଏକ ମାଇଲଖୁଣ୍ଟ ।

ଦିଲ୍ଲୀ ଗଡ଼ ଦଖଲ:

ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପିର ବିଜୟ ପରେ ଦିଲ୍ଲୀରେ ଦଳର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ହୋଇଛନ୍ତି ରେଖା ଗୁପ୍ତା । ୨୦୨୫ ବିଧାନସଭା ନିର୍ବାଚନରେ ଆପର ବନ୍ଦନା କୁମାରୀଙ୍କୁ ୨୯,୫୯୫ ଭୋଟରେ ହରାଇ ଶାଲିମାର ବାଗ୍ ବିଧାନସଭା ନିର୍ବାଚନମଣ୍ଡଳୀରୁ ରେଖା ବିଜୟୀ ହୋଇଥିଲେ । ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ସଦସ୍ୟ ଭାବେ ରେଖା ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ । ସେ ମଧ୍ୟ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସଦସ୍ୟ ଥିଲେ ।

୧୧ ଗିନିଜ୍ ଟାଇଟଲ୍ ବିଜୟିନୀ :

ଚଣ୍ଡୀଗଡ଼ର ସ୍କେଟିଂ ସେନସେସନ୍ ଜାନଭି ଜିନ୍ଦଲ । ୧୭ ବର୍ଷୀୟା ଏହି ଫ୍ରିଷ୍ଟାଇଲ୍ ସ୍କେଟିଂ ଚାମ୍ପିଅନ୍ ୧୧ ଗିନିଜ୍ ବିଶ୍ୱ ରେକର୍ଡ ସହିତ ସର୍ବାଧିକ ଗିନିଜ୍ ଟାଇଟଲ୍ ହାସଲ କରିଥିବା ଏକମାତ୍ର ଭାରତୀୟ ମହିଳା ହୋଇଛନ୍ତି । ଜାନଭି ସ୍କେଟିଂରେ କୌଣସି ବିଧିବଦ୍ଧ ତାଲିମ ନେଇନାହାନ୍ତି । ୟୁଟ୍ୟୁବ୍ ଭିଡିଓ ଦେଖି, ନିଜେ ନିଜେ ଅଭ୍ୟାସ କରି ସେ ଏହି ସଫଳତା ହାସଲ କରିଛନ୍ତି । ତାଙ୍କର ଅନନ୍ୟ ସ୍କେଟିଂ ଷ୍ଟାଇଲ୍ ବିଶ୍ୱରେ ତାଙ୍କୁ ସ୍ୱତନ୍ତ୍ର ପରିଚୟ ଦେଇଛି । ସ୍କେଟିଂରେ ଭାଙ୍ଗଡ଼ା ଓ ଯୋଗ ଭଳି ପ୍ରୟାସ ଜରିଆରେ ସେ ସବୁରି ଧ୍ୟାନ ଆକର୍ଷଣ କରିଛନ୍ତି । ସେ ମଧ୍ୟ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ଓ ଏସିଆ ବୁକ୍ ଅଫ୍ ରେକର୍ଡସ୍ ସମେତ ଅନେକ ବୁକରେ ୨୧ ରେକର୍ଡର ଅଧିକାରିଣୀ ହୋଇଛନ୍ତି । ଜାନଭିଙ୍କ ଯାତ୍ରା ୯ ବର୍ଷ ବୟସରେ ଆରମ୍ଭ ହୋଇଥିଲା । ଚଣ୍ଡୀଗଡ଼ ରାସ୍ତାରେ ଖାଲି ପାଦରେ ସେ ସ୍କେଟିଂ ଆରମ୍ଭ କରିଥିଲେ ।