ନୂଆଦିଲ୍ଲୀ ୧୧/୧୧: ଫିଲିଫାଇନ୍ସର ନେଗ୍ରୋସ ଅକ୍ସିଡେଣ୍ଟାଲରେ ରହିଛି ବିଶ୍ୱର ସବୁଠୁ ବଡ଼ କୁକୁଡ଼ାକୃତି ଅଟ୍ଟାଳିକା । ଏହା ଏକ ହୋଟେଲ ହୋଇଥିବାବେଳେ ଅଟ୍ଟାଳିକାର ଉଚ୍ଚତା ପ୍ରାୟ ୧୧୫ ଫୁଟ, ଚଉଡ଼ା ୪୦ ଫୁଟ ରହିଛି । ଏହା ମଧ୍ୟରେ ଥିବା ପ୍ରାୟ ୧୫ଟି କୋଠରୀରେ ସମସ୍ତ ପ୍ରକାର ବିଳାସପୂର୍ଣ୍ଣ ସୁବିଧା ଉପଲବ୍ଧ । ହୋଟେଲର ନିର୍ଦ୍ଦେଶକ ରିକାର୍ଡୋ କାନୋ ଗ୍ୱାପୋ ଟ୍ୟାନ୍‌ କହିଛନ୍ତି, ସେ ଲୋକଙ୍କ ଦୃଷ୍ଟି ଆକର୍ଷଣ କଲାଭଳି କିଛି କାମ କରିବାକୁ ଚାହୁଁଥିଲେ । 

ସେଥିଯୋଗୁ ଏହି କୁକୁଡ଼ାକୃତି ଅଟ୍ଟାଳିକା ତିଆରିର ପରିକଳ୍ପନା ତାଙ୍କ ମନକୁ ଆସିଥିଲା । ନେଗ୍ରୋସ ଅକ୍ସିଡେଣ୍ଟାଲ କୁକୁଡ଼ା ଲଢ଼େଇ ଲାଗି ମଧ୍ୟ ପ୍ରସିଦ୍ଧ । ସେଠାରେ ବହୁ ସଂଖ୍ୟାରେ ଲୋକ ଲଢ଼େଇ ପାଇଁ କୁକୁଡ଼ାଙ୍କୁ ତାଲିମ ଦେଇଥାନ୍ତି । ବର୍ତ୍ତମାନ ତାହା ଏକ ଉଦ୍ୟୋଗ ପାଲଟିଯାଇଥିବାବେଳେ ସେଠାରେ ବହୁ ସଂଖ୍ୟାରେ ଲୋକେ ନିଯୁକ୍ତି ମଧ୍ୟ ପାଇଛନ୍ତି । 

ଏଭିଳିସ୍ଥିତିରେ ନିଜ କାର୍ଯ୍ୟରେ ସ୍ଥାନୀୟ ସଂସ୍କୃତିର ପ୍ରତିଫଳନ ମଧ୍ୟ ଚାହିଁଥିଲେ ସେ । ଟ୍ୟାନ୍‌ଙ୍କର ପତ୍ନୀ ଅଟ୍ଟାଳିକା ଲାଗି ଉର୍ଦ୍ଦିଷ୍ଟ ଜମିକୁ କିଣିଥିଲେ । ଛଅମାସ ଧରି ଡିଜାଇନ୍‌ ଓ ଅନ୍ୟାନ୍ୟ କାର୍ଯ୍ୟ କରାଯିବା ପରେ ଗତବର୍ଷ ଜୁନ୍‌ ମାସରେ ସେଠାରେ ନିର୍ମାଣ ଆରମ୍ଭ ହୋଇଥିଲା । ଚଳିତବର୍ଷ ସେପ୍ଟେମ୍ବରରେ ସରିଥିଲା ନିର୍ମାଣ । ସେହି ଅଞ୍ଚଳରେ ଅନେକ ସମୟରେ ଝଡ଼, ବାତ୍ୟା ହେଉଥିବାବେଳେ ସେଭଳି ପ୍ରାକୃତିକ ଦୁର୍ବିପାକର ମୁକାବିଲା ଲାଗି ଅଟ୍ଟାଳିକାକୁ କିଭଳି ମଜଭୁତ ବନାଯିବ ତାହା ନିର୍ମାଣକାରୀ ଟିମ୍‌ ଲାଗି ଏକ ଚାଲେଞ୍ଜ ଥିଲା । ସେପଟେ ଗିନିଜ୍‌ ୱାର୍ଲଡ ରେକର୍ଡ ଏହାକୁ ବିଶ୍ୱର ସବୁଠୁ ବଡ଼ କୁକୁଡ଼ାକୃତି ଅଟ୍ଟାଳିକାର ମାନ୍ୟତା ପ୍ରଦାନ କରିଛି।