ଭୁବନେଶ୍ଵର, ୨୭/୧୨ : ଆଉ ଦିନ କେଇଟା ପରେ ବିଦାୟ ନେବ ୨୦୨୫। ଧୁମ୍‌ଧାମରେ ପାଳନ ହେବ ନୂତନ ବର୍ଷର ପ୍ରଥମ ମୁହୂର୍ତ୍ତ । ଏଥିପାଇଁ ଆରମ୍ଭ ହେଲାଣି ପ୍ରସ୍ତୁତି । ଭୁବନେଶ୍ୱରବାସୀ ଜିରୋ ନାଇଟ୍‌ ସେଲିବ୍ରେସନ କରିବା ପାଇଁ ଠିକ୍‌ କରିସାରିଲେଣି ସ୍ଥାନ । ୨୦୨୫କୁ ବିଦାୟ ଦେଇ ୨୦୨୬କୁ ସ୍ୱାଗତ କରିବେ । ରାତି ସାରା ଚାଲିବ ପୁରୁଣା ବର୍ଷର ବିଦାୟ ପାର୍ଟି । ୧୨ଟା ବାଜିବା ମାତ୍ରେ ସେଲିବ୍ରେସନ୍‌ ପୂରା ଦମ୍‌ରେ ରହିବ । ଜିରୋ ନାଇଟ ସେଲିବ୍ରେସନକୁ ନେଇ କମିସନରେଟ ପୁଲିସ ବି ସଜାଗ। ଜନସାଧାରଣ କିଭଳି ସୁରକ୍ଷିତ ଭାବେ ଜିରୋ ନାଇଟ ସେଲିବ୍ରେସନ କରିବେ ତା ଉପରେ ଗୁରୁତ୍ୱ ଦିଆଯାଇଛି। ସୁରକ୍ଷାରେ ୧୫ ପ୍ଲାଟୁନ ପୁଲିସ ଫୋର୍ସ ନିୟୋଜିତ ରହିବେ। ସମସ୍ତ ଥାନା ଅଧିକାରୀମାନେ ନିଜ ନିଜ ଥାନା ଅଞ୍ଚଳରେ ସ୍ଥିତି ଅନୁଧ୍ୟାନ କରିବେ। ଅଗ୍ନିଶମ ବିଭାଗ ପକ୍ଷରୁ ମଧ୍ୟ ଯାଞ୍ଚ ପ୍ରକ୍ରିୟା ସରିଛି। ଏନେଇ ପୁଲିସ କମିସନର ସୁରେଶ ଦେବଦତ୍ତ ସିଂ ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ, ମଦ୍ୟପ ଗାଡି ଚାଳକମାନଙ୍କ ଉପରେ ନଜର ରହିବ। ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ସବୁ ବାର୍, ରେସଟୁରାଣ୍ଟ ମାଲିକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ନିର୍ଦ୍ଧାରିତ ସମୟ ସୀମା ଭିତରେ କାର୍ଯ୍ୟକ୍ରମ ସାରିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି। ମହିଳାମାନଙ୍କ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦେଇଛି କମିସନରେଟ ପୁଲିସ। 

ଶେଷ ବର୍ଷର ଶେଷ ରାତିକୁ ବିଦାୟ ଦେବା ଲାଗି ସମସ୍ତେ ନାଚିବେ, ଗାଇବେ ଏବଂ ମସ୍ତି କରିବେ । ଏଥିପାଇଁ ଭୁବନେଶ୍ୱରର ବିଭିନ୍ନ ତାରକା ହୋଟେଲ ନିଜର ମେନୁ କାର୍ଡ ପ୍ରସ୍ତୁତ କରି ସାରିଛନ୍ତି । ଡିଜେ ଲାଇଟ୍‌ରେ କେଉଁଠି ଆର୍‌ଜେ ଲୋକଙ୍କ ନଚାଇବେ ତ ଆଉ କେଉଁଠି ଅଭିନେତା, ଅଭିନେତ୍ରୀଙ୍କ ଅଭିନୟ ସହିତ କଣ୍ଠଶିଳ୍ପୀଙ୍କ ସଙ୍ଗୀତରେ ଯୁବପିଢ଼ିଙ୍କ ଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ମତୁଆଲା ହେବେ । 

ଏହି ଖବରଟିକୁ ପଢନ୍ତୁ- ଭୁବନେଶ୍ଵରରେ ମୁଖ୍ୟ ନିର୍ବାଚନ କମିଶନର, ପୁରୀ ଯାଇ ମହାପ୍ରଭୁଙ୍କୁ କରିବେ ଦର୍ଶନ