କୋଲକାତା, ୧୧।୬: ପଶ୍ଚିମବଙ୍ଗ ନିର୍ବାଚନରେ ​​ପରାଜୟ ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ (TMC)ରେ ସଙ୍କଟ ଗଭୀର ହେବାରେ ଲାଗିଛି । ଦଳରେ ଏବେ ଇସ୍ତଫାର ସୁଅ ଛୁଟିଛି । ଗୁରୁବାର ଟିଏମସିର ଆଉ ଜଣେ ପ୍ରମୁଖ ରାଜ୍ୟସଭା ସାଂସଦ ପ୍ରକାଶ ଚିକ୍ ବଢ଼ାଇକ୍ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ସେ ଖୁବଶୀଘ୍ର ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଭେଟି ନିଜର ଇସ୍ତଫା ପତ୍ର ପ୍ରଦାନ କରିବେ । ପ୍ରକାଶ ଚିକ୍‌ଙ୍କ ପୂର୍ବରୁ ଟିଏମସିର ବରିଷ୍ଠ ନେତା ସୁଖେନ୍ଦୁ ଶେଖର ରାୟ ଏବଂ ମହିଳା ସାଂସଦ ସୁସ୍ମିତା ଦେବ ମଧ୍ୟ ରାଜ୍ୟସଭା ସଦସ୍ୟତା ଓ ଦଳରୁ ଇସ୍ତଫା ଦେଇସାରିଛନ୍ତି ।

ଇସ୍ତଫା ପତ୍ରରେ କ’ଣ ଲେଖିଲେ ପ୍ରକାଶ ଚିକ୍ ?

ନିଜ ତ୍ୟାଗପତ୍ରରେ ପ୍ରକାଶ ଚିକ୍ ଲେଖିଛନ୍ତି, "ମୁଁ ତୁରନ୍ତ ପ୍ରଭାବରୁ ରାଜ୍ୟସଭା ସଦସ୍ୟତାରୁ ଇସ୍ତଫା ଦେଉଛି । ଦୟାକରି ଏହାକୁ ଗ୍ରହଣ କରାଯାଉ । ମୋର କାର୍ଯ୍ୟକାଳ ମଧ୍ୟରେ ମିଳିଥିବା ସହଯୋଗ ପାଇଁ ମୁଁ ମାନ୍ୟବର ଉପବାଚସ୍ପତି ଏବଂ ରାଜ୍ୟସଭା ସଚିବାଳୟର ସମସ୍ତ ଅଧିକାରୀଙ୍କୁ ହାର୍ଦ୍ଦିକ କୃତଜ୍ଞତା ଜଣାଉଛି ।

​​​​​​​

ଦଳ ଛାଡ଼ିଲେ ସୁସ୍ମିତା ଦେବ, ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା:

ଏହା ପୂର୍ବରୁ ବୁଧବାର ଟିଏମସିର ଟାଣୁଆ ମହିଳା ନେତ୍ରୀ ତଥା ରାଜ୍ୟସଭା ସାଂସଦ ସୁସ୍ମିତା ଦେବ ସାଂସଦ ପଦ ସହ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଥିଲେ । ଇସ୍ତଫା ଦେବା ପରେ ସେ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କୁ ଭେଟିଛନ୍ତି, ଯାହାକୁ ନେଇ ସେ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ଜୋର ଧରିଛି । ସୁସ୍ମିତା ଦେବ କଂଗ୍ରେସରୁ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ ଏବଂ ୨୦୧୪ରେ ଆସାମର ସିଲଚର ଆସନରୁ ସାଂସଦ ହୋଇଥିଲେ । ୨୦୧୯ରେ ପରାଜୟ ପରେ ସେ ୨୦୨୧ରେ ଟିଏମସିରେ ଯୋଗ ଦେଇଥିଲେ । ଟିଏମସି ତାଙ୍କୁ ଦୁଇଥର ରାଜ୍ୟସଭାକୁ ପଠାଇଥିଲା । କିନ୍ତୁ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ସେ ଦଳରୁ ବିଦାୟ ନେଇଛନ୍ତି ।

​​​​​​​

"ବଙ୍ଗଳାର ଜନତା ଟିଏମସିକୁ ପ୍ରତ୍ୟାଖ୍ୟାନ କରିଛନ୍ତି" - ସୁଖେନ୍ଦୁ ରାୟ

ଗତ ଜୁନ୍ ୮ ତାରିଖରେ ଟିଏମସିର ବରିଷ୍ଠ ନେତା ସୁଖେନ୍ଦୁ ଶେଖର ରାୟ ମଧ୍ୟ ଦଳ ଏବଂ ସାଂସଦ ପଦରୁ ଇସ୍ତଫା ଦେଇ ସମସ୍ତଙ୍କୁ ଚକିତ କରିଦେଇଥିଲେ । ପଶ୍ଚିମବଙ୍ଗର ସାମ୍ପ୍ରତିକ ରାଜନୈତିକ ସ୍ଥିତି ଏବଂ ଜନମତକୁ ଆଧାର କରି ସେ ଏହି ନିଷ୍ପତ୍ତି ନେଇଥିବା କହିଛନ୍ତି । ଇସ୍ତଫାର ମୁଖ୍ୟ କାରଣ ଦର୍ଶାଇ ସୁଖେନ୍ଦୁ କହିଛନ୍ତି, ପଶ୍ଚିମବଙ୍ଗର ଜନସାଧାରଣ ଟିଏମସିକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଛନ୍ତି । ରାଜ୍ୟରେ ବ୍ୟାପକ ଦୁର୍ନୀତି, ମହିଳାଙ୍କ ବିରୋଧରେ ଅପରାଧ ବୃଦ୍ଧି ପାଇଛି । ଶିକ୍ଷା, ସ୍ୱାସ୍ଥ୍ୟ, ଶିଳ୍ପ ବିକାଶ, ନିଯୁକ୍ତି ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଏହି ସବୁ କାରଣ ଯୋଗୁଁ ସାଧାରଣ ଜନତାଙ୍କ ମଧ୍ୟରେ ତୃଣମୂଳ କଂଗ୍ରେସ ବିରୋଧରେ ପ୍ରବଳ ଅସନ୍ତୋଷ ସୃଷ୍ଟି ହୋଇଛି । ଏକଦା ପଶ୍ଚିମବଙ୍ଗ ରାଜନୀତିରେ ଏକଛତ୍ରାବାଦ ଚଳାଇଥିବା ମମତା ବାନାର୍ଜୀଙ୍କ ଦଳରୁ ଗୋଟିଏ ପରେ ଗୋଟିଏ ବଡ଼ ନେତାଙ୍କ ଏଭଳି ବିଦାୟ, ଦଳର ଭବିଷ୍ୟତ ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଆହୁରି ପଢ଼ନ୍ତୁ... Saayoni Ghosh: ଶୁଭେନ୍ଦୁଙ୍କ ସହ ମିଶି କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କୁ ଭେଟିଲେ ସାୟାନୀ