• ୧୪ରୁ ତୋଷାଳୀ ମେଳା ଆରମ୍ଭ, ୨୬ରେ ଶେଷ
  • ସାମିଲ ହେବେ ୨୦ ରାଜ୍ୟର କାରିଗର
  • ପ୍ରଦର୍ଶିତ ହେବ ଡ୍ରୋନ ଶୋ
  • ୨୪ରେ କଳାଭୂମିରେ ଟେରାକୋଟା କୃତି ପ୍ରସ୍ତୁତି ପ୍ରତିଯୋଗିତା

ଭୁବନେଶ୍ଵର, ୧୧।୨ : ବୁଣାକାର ଓ କାରିଗରଙ୍କ ପାଇଁ ତୋଷାଳି ସ୍ଵଦେଶୀ ମେଳା ସମୃଦ୍ଧିର ମହାକୁମ୍ଭ ହେବ । ସେମାନଙ୍କ ଜୀବନ-ଜୀବିକାକୁ ଅଧିକ ସଶକ୍ତ କରିବା ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ ଅଛନ୍ତି । ୨୦ତମ ତୋଷାଳି ସ୍ଵଦେଶୀ ମେଳା ଆୟୋଜନକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦିପ ବଳ ସାମନ୍ତ କହିଛନ୍ତି। ଆମର ସମୃଦ୍ଧ ହସ୍ତଶିଳ୍ପ ଓ ହସ୍ତତନ୍ତ ସଂସ୍କୃତିର ପ୍ରକୃତ ନିଦର୍ଶନ ସାଜିବ । ପାରମ୍ପରିକ ହସ୍ତଶିଳ୍ପ ଏବଂ ହସ୍ତତନ୍ତର ସଂରକ୍ଷଣ ସହ ସାମଗ୍ରୀର ବିକ୍ରୟ ନିମନ୍ତେ ଏହି ମେଳା ଭଲ ସୁଯୋଗ ପ୍ରଦାନ କରିବ ବୋଲି ବିଭାଗୀୟ ଆୟୁକ୍ତ ତଥା ଶାସନ ସଚିବ ଗୁହା ପୁନମ ତାପସ କୁମାର କହିଛନ୍ତି ।

ଆସନ୍ତା ୧୪ ରୁ ୨୬ ଫେବୃଆରୀ ପର୍ଯ୍ୟନ୍ତ ସ୍ଥାନୀୟ ଜନତା ମଇଦାନଠାରେ ତୋଷାଳୀ ମେଳା ଆୟୋଜନ ହେବ । ଚଳିତବର୍ଷର ଥିମ୍ ରହିଛି ସ୍ଵଦେଶୀ ଓ ଆତ୍ମନିର୍ଭର ଭାରତ । ଓଡ଼ିଶା ସମେତ ଦେଶର ୨୦ଟି ରାଜ୍ୟର କାରିଗର, ବୁଣାକାରମାନେ ଏହି ମେଳାରେ ଅଂଶଗ୍ରହଣ କରିବେ ଏବଂ ସେମାନଙ୍କର ଉତ୍ପାଦ ପ୍ରଦର୍ଶନ କରିବେ ।ଚଳିତବର୍ଷ ଏହି ମେଳାରେ ୯୦୫ ଟି ଷ୍ଟଲର ଆୟୋଜନ ହୋଇଛି । ଦିବା ୧୧ ଘଟିକା ଠାରୁ ୨ ଘଟିକା ପର୍ଯ୍ୟନ୍ତ ଏବଂ ଅପରାହ୍ନ ୪ ଘଟିକାରୁ ରାତ୍ର ୧୦ ଘଟିକା ପର୍ଯ୍ୟନ୍ତ ମେଳା ଚାଲୁ ରହିବ । ରାଜ୍ୟର ସମୃଦ୍ଧ ହସ୍ତତନ୍ତ ଓ ହସ୍ତଶିଳ୍ପକୁ ନେଇ “ଫ୍ୟାଶନ ଶୋ” ଆୟୋଜନ କରାଯିବ । ପ୍ରଥମଥର ପାଇଁ ତୋଷାଳି ସ୍ଵଦେଶୀ ମେଳାରେ “ଡ୍ରୋନ୍ ଶୋ” ପ୍ରଦର୍ଶିତ ହେବ ।

ସେହିପରି ଫେବୃଆରୀ ୨୪ ତାରିଖରେ ସ୍ଥାନୀୟ ଗଣ୍ଡମୁଣ୍ଡା ସ୍ଥିତ କଳାଭୂମି ଠାରେ ୧୦୦୦ ଟେରାକୋଟା ଶିଳ୍ପୀଙ୍କ ମଧ୍ୟରେ ବିଶାଳ ଟେରାକୋଟା କୃତି ପ୍ରସ୍ତୁତି ପ୍ରତିଯୋଗିତା ଆୟୋଜନ ହେବ । ଏହି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଶାସନ ସଚିବ ପ୍ରତାପ ଚନ୍ଦ୍ର ହୋତା, ହସ୍ତଶିଳ୍ପ ନିର୍ଦ୍ଦେଶ କ ଡକ୍ଟର ନିବେଦିତା ପୃଷ୍ଟି, ହସ୍ତତନ୍ତ ଓ ବୟନଶିଳ୍ପ ନିର୍ଦ୍ଦେଶକ ସୂର୍ଯ୍ୟ ନାରାୟଣ ପଟ୍ଟନାୟକ, ଯୁଗ୍ମ ସଚିବ ମମତା ନାୟକ, ଉପଶାସନ ସଚିବ ସୁବ୍ରତ କୁମାର ବେହେରା, ଲୋକସମ୍ପର୍କ ଅଧିକାରୀ ଆଲୋକ କୁମାର ମହାନ୍ତି, ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ଆହୁରି ପଢନ୍ତୁ : କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀଙ୍କୁ ଭେଟିଲେ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର, ସାଇନ୍ସ ସିଟି ପ୍ରତିଷ୍ଠା ପାଇଁ ଲୋଡ଼ିଲେ ସହଯୋଗ