ଚନ୍ଦକା, ୨୫/୦୫(ପ୍ରଦୀପ ସ୍ୱାଇଁ): ଗାଁଟିର ନାଁ ଯୋଗୀସାହି । ବସବାସ କରନ୍ତି ୨୪ ଯୋଗୀ ପରିବାର । ଦିନ ଥିଲା କେନ୍ଦରା ବଜାଇବା ଥିଲା ସମସ୍ତଙ୍କ କୌଳିକ ବୃତ୍ତି । କେନ୍ଦରା ବଜାଇ ଘର ଘର ବୁଲି ଲାଉ ତୁମ୍ବାରେ ଯାହା କିଛି ଆଣନ୍ତି ସେଥିରେ ପରିବାର ଚଳେ । ବର୍ତ୍ତମାନର ନୂଆପିଢ଼ି ଯଦିଓ କୌଳିକ ବୃତ୍ତିକୁ ଆପଣାଇବାକୁ ଆଗ୍ରହ ଦେଖାଉନାହାନ୍ତି, ତଥାପି କିଛି ପରିବାର କେନ୍ଦରା ବଜାଇବା ଛାଡ଼ି ନାହାନ୍ତି । ସେମାନଙ୍କ ଗାଁକୁ ଯିବାକୁ ଭଲ ରାସ୍ତାଟିଏ ନାହିଁ କି ଅଙ୍ଗନବାଡ଼ି, ବିଦ୍ୟାଳୟ ନାହିଁ । କେନ୍ଦରା ବଜାଇ ସମସ୍ତଙ୍କ ମନୋରଞ୍ଜନ କରୁଥିଲେ ମଧ୍ୟ କଳାକାର ଭତ୍ତା ମିଳୁନି । ଅନେକ ଅଭାବ ମଧ୍ୟରେ ଏହି ଯୋଗୀମାନଙ୍କ ହାତରେ ଆଜିବି କେନ୍ଦରା କାନ୍ଦୁଛି ।

ଭୁବନେଶ୍ୱର ବ୍ଲକ ଚନ୍ଦକା ପଞ୍ଚାୟତରେ ରହିଛି ଏହି ଛୋଟ ଗାଁ ଯୋଗୀସାହି । ଗାଁକୁ ଯିବାକୁ ହେଲେ ଚନ୍ଦକା ଡାକ୍ତରଖାନା ପଛପଟ ରାସ୍ତା ଦେଇ ଏକ ଅଙ୍କାବଙ୍କା ଖାଲଢିପ ରାସ୍ତାରେ ଯିବାକୁ ହୁଏ । ବର୍ଷା ହେଲେ ଏହି ଗାଁକୁ ଯିବା ବହୁତ କଷ୍ଟ । ଗାଁ ଲୋକମାନେ ସ୍ଥାନୀୟ ସରପଞ୍ଚ, ବିଡିଓ, ବିଧାୟକ ଓ ସାଂସଦଙ୍କୁ ଭେଟି ଦାବିପତ୍ର ଦେଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପକ୍କା ରାସ୍ତାଟିଏ ହୋଇପାରିନି । ଗାଁରେ ଅଙ୍ଗନବାଡି କି ବିଦ୍ୟାଳୟଟିଏ ନାହିଁ । ତେଣୁ ପିଲାମାନେ ନିକଟ ଗାଁ ଚନ୍ଦକାରେ ଥିବା ବିଦ୍ୟାଳୟକୁ ଆସନ୍ତି । ନିଜର ଚାଷଜମି ନଥିବାରୁ ଏମାନେ ଚାଷବାସ କରିପାରନ୍ତି ନାହିଁ । କିଛି ଲୋକ ଚନ୍ଦକା ଓ ଦାରୁଠେଙ୍ଗ ଗ୍ରାମର ଚାଷଜମି ଭାଗକୁ ନେଇ ଫସଲ କରୁଥିଲେ । କିନ୍ତୁ ଏବେ ଜମି ସବୁ ପ୍ଲଟିଂ ହୋଇ କିଣାବିକା ହୋଇଯିବାରୁ ଚାଷ କାର୍ଯ୍ୟ ବନ୍ଦ ହୋଇଗଲାଣି । ଗାଁର ୨୪ ପରିବାର ମଧ୍ୟରୁ ଏବେ ମାତ୍ର ୪ଜଣ ବ୍ୟକ୍ତି କେନ୍ଦରା ବଜାଇ ପରିବାର ପୋଷଣ କରୁଛନ୍ତି । ସେମାନେ ହେଲେ ଗୋଲଖ ନାଥ(୭୬), ବାବାଜୀ ନାଥ(୮୨), ବାଇଧର ନାଥ (୭୪) ଓ ମଣି ନାଥ(୮୫) । ଏମାନଙ୍କୁ ଛାଡ଼ିଦେଲେ ଆଉ ଆଗକୁ କେହି କୌଳିକ ବୃତ୍ତି କରିବାକୁ ନାହାନ୍ତି । ସହର ପାଖ ଓ ଜମି କିଣାବିକା କରି ଭଲ ଦୁଇ ପଇସା ହୋଇଯିବାରୁ ଆଉ କେହି ଏ କାମକୁ ପସନ୍ଦ କରୁନାହାନ୍ତି ।

ଅଧିକ ପଢ଼ନ୍ତୁ: - Inspiring Story : ୭୮ ବର୍ଷରେ ବି ଫିଟ୍ ଆଣ୍ଡ ଫାଇନ୍ ସୁରେନ୍ଦ୍ର ନାଥ ଗୌଡ, ଏବେବି ଯୁବକଙ୍କୁ ଦେଉଛନ୍ତି ସୁନ୍ଦର ସ୍ୱାସ୍ଥ୍ୟ ଶିକ୍ଷା

ହରିନାଥ କୁହନ୍ତି, ଗୋସିବାପା ଅମଳରୁ ସେମାନେ ଏହି କାମ କରୁଥିଲେ । ତାଙ୍କ ବାପା କୁଳମଣି ନାଥ ମଧ୍ୟ ଏହି କାମ କରୁଥିଲେ । ଏବେ ସେ କରୁଛନ୍ତି । ମାତ୍ର ତାଙ୍କ ଦୁଇ ପୁଅ ଏଥିପ୍ରତି ଆଗ୍ରହ ଦେଖାଉ ନାହାନ୍ତି । ଆଗାମୀ ପିଢ଼ି ଆଉ କେନ୍ଦରା କହିଲେ କିଛି ବୁଝିପାରିବେ ନାହିଁ । ଯଦି ସରକାର ଏହି କଳାକାରମାନଙ୍କୁ ଭତ୍ତା ପ୍ରଦାନ କରନ୍ତେ, ତେବେ ସେମାନେ ବିଶେଷ ଉପକୃତ ହୋଇପାରନ୍ତେ ।