ନୂଆଦିଲ୍ଲୀ, ୩୦।୧୦: ବୁସାନରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଐତିହାସିକ ବୈଠକ । ଏହି ବୈଠକ ଆମେରିକା-ଚୀନ ସମ୍ପର୍କରେ ଏକ ନୂତନ ଅଧ୍ୟାୟ ଖୋଲିଛି । ଏହି ମିଟିଂରେ ଶୁଳ୍କ, ସୋୟାବିନ୍ କ୍ରୟ ଏବଂ ରେୟାର ଆର୍ଥ ରପ୍ତାନି ଉପରେ ପ୍ରମୁଖ ଚୁକ୍ତିନାମା ଉପରେ ଆଲୋଚନା ହୋଇଥିବା ଚର୍ଚ୍ଚା ହେଉଛି  ।

ଏହାକୁ ଏକ ଚମତ୍କାର ବୈଠକ ବୋଲି କହିବା ସହ ଆମେରିକା-ଚୀନ ସମ୍ପର୍କରେ ଏକ ନୂତନ ଆରମ୍ଭ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି । ଗୁରୁବାର ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହିତ ବ୍ୟାପକ ଅର୍ଥନୈତିକ ଏବଂ ବାଣିଜ୍ୟ ଚୁକ୍ତିନାମା ଘୋଷଣା କରିଛନ୍ତି, ଯେଉଁଥିରେ ଶୁଳ୍କରେ ୧୦% ହ୍ରାସ, ସୋୟାବିନ୍ କ୍ରୟ ପୁନଃ ଆରମ୍ଭ ଏବଂ ରେୟାର ଆର୍ଥ ରପ୍ତାନିର ବିବାଦୀୟ ପ୍ରସଙ୍ଗରେ ସଫଳତା ଅନ୍ତର୍ଭୁକ୍ତ । ବୁସାନରେ ସି ଜିନପିଙ୍ଗଙ୍କ ସହ ୨ ଘଣ୍ଟାରୁ ଅଧିକ ସମୟ ଧରି ଗୁପ୍ତ ଆଲୋଚନା ପରେ, ଟ୍ରମ୍ପ ଘୋଷଣା କରିଛନ୍ତି ଯେ, ଏହି ବୈଠକରେ ଏକାଧିକ ନିଷ୍ପତ୍ତି ନିଆଯାଇଛି ଏବଂ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ନିଷ୍କର୍ସ ଶୀଘ୍ର ପ୍ରକାଶିତ ହେବ । ଟ୍ରମ୍ପ ସାମ୍ବାଦିକମାନଙ୍କୁ କହିଥିଲେ, "ଯାହା ସବୁ ଆଲୋଚନା ହୋଇଛି ମୁଁ କହିବିନି । କିନ୍ତୁ ଏହା ଏକ ଚମତ୍କାର ବୈଠକ ଥିଲା । ରାଷ୍ଟ୍ରପତି ଜିନପିଙ୍ଗ ଫେଣ୍ଟାନିଲ୍ ବନ୍ଦ କରିବା ପାଇଁ କଠିନ ପରିଶ୍ରମ କରିବେ, ସୋୟାବିନ୍ କ୍ରୟ ତୁରନ୍ତ ଆରମ୍ଭ ହେବ ଏବଂ ଚୀନ୍ ଉପରେ ଶୁଳ୍କ ୫୭% ରୁ ୪୭%କୁ ହ୍ରାସ କରାଯିବ ।"

ଟ୍ରମ୍ଫ କହିଛନ୍ତି ଯେ "ରେୟାର ଆର୍ଥ ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ସମସ୍ୟାର ସମାଧାନ ହୋଇଛି ଏବଂ କୌଣସି ପ୍ରତିବନ୍ଧକ ଏବେ ଆମେରିକାକୁ ଚୀନ ରପ୍ତାନିକୁ ବାଧା ଦେବ ନାହିଁ ।" ଟ୍ରମ୍ଫଙ୍କ ସହିତ ଯାତ୍ରା କରୁଥିବା ଜଣେ ଆମେରିକୀୟ ଅଧିକାରୀ ନିଶ୍ଚିତ କରିଛନ୍ତି ଯେ, ବେଜିଂ ଏକ ବର୍ଷୀୟ ବ୍ୟବସ୍ଥା ଅଧୀନରେ ରେୟାର ଆର୍ଥ ଖଣିଜ ପଦାର୍ଥର ରପ୍ତାନି ଜାରି ରଖିବାକୁ ରାଜି ହୋଇଛି, ଯାହାକୁ ଉଭୟ ପକ୍ଷ ବିସ୍ତାର କରିବାକୁ ଆଶା କରୁଛନ୍ତି । ଏହି ଚୁକ୍ତିନାମା ସାମ୍ପ୍ରତିକ ମାସଗୁଡ଼ିକରେ ଆମେରିକୀୟ ପ୍ରଯୁକ୍ତି ଏବଂ ପ୍ରତିରକ୍ଷା କମ୍ପାନୀଗୁଡ଼ିକୁ ପ୍ରଭାବିତ କରିଥିବା ଯୋଗାଣ ଶୃଙ୍ଖଳ ଚିନ୍ତାକୁ କମ୍ କରିପାରିବ । ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣାରେ, ଟ୍ରମ୍ପ କହିଛନ୍ତି ଯେ ସେ ଜିନପିଙ୍ଗଙ୍କ ସହିତ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ପରେ ଚୀନ୍ ସାମଗ୍ରୀ ଉପରେ ୧୦% ଶୁଳ୍କ ହ୍ରାସ କରିବେ ଟ୍ରମ୍ପ ଏହା ମଧ୍ୟ କହିଛନ୍ତି ଯେ, ଜିନପିଙ୍ଗ ଫେଣ୍ଟାନିଲ୍ ଉତ୍ପାଦନକୁ ରୋକିବା ପାଇଁ ପ୍ରୟାସକୁ ତ୍ୱରାନ୍ୱିତ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।