ମାଲକାନଗିରି,୭/୨ (ରତ୍ନା କର ଦାଶ ): ପରିଣତ ବୟସରେ ବଞ୍ଚିବା ପାଇଁ ସଂଘର୍ଷ ଜାରି ରଖିଛନ୍ତି ଦୁଇ ବୃଦ୍ଧ ବନ୍ଧୁ । ଦ୍ୱାପର ଯୁଗରେ କୃଷ୍ଣ ସୁଦାମାଙ୍କ ବନ୍ଧୁତା ପରି ଏବେ କଳି ଯୁଗରେ ମଧ୍ୟ ସେହି ବନ୍ଧୁତାକୁ ବଞ୍ଚାଇ ରଖିଛିନ୍ତି ଦୁଇ ବୃଦ୍ଧ। ସେମାନଙ୍କ ନିବିଡ଼ ବନ୍ଧୁତାକୁ ଦେଖି ଲୋକେ କୁହନ୍ତି କଳି ଯୁଗରେ ଭିନ୍ନ ଏକ କୃଷ୍ଣ ଅନ୍ୟ ଏକ ସୁଦାମା। ଉଭୟ ଦରିଦ୍ରତାର ତାଡ଼ନାରେ ଜୀବନ ବିତାଉଛନ୍ତି। ଦରିଦ୍ରତାରେ ମଧ୍ୟ ବନ୍ଧୁତ୍ୱକୁ ଭୁଲି ପାରି ନାହାନ୍ତି ଏହି ଦୁଇ ବୃଦ୍ଧ କିଶୋର ମଣ୍ଡଳ ଓ ରାମଚନ୍ଦ୍ର ଦୁରୁକା। ଜଣେ ବଙ୍ଗୀୟ ସମ୍ପ୍ରଦାୟର ଓ ଅନ୍ୟ ଜଣେ ଆଦିବାସୀ ସମ୍ପ୍ରଦାୟର । ଉଭେୟ ଭିନ୍ନ ଭିନ୍ନ ସମ୍ପ୍ରଦାୟର ହୋଇଥିଲେ ମଧ୍ୟ ବନ୍ଧୁତ୍ୱ ନିକଟରେ ପ୍ରତିବନ୍ଧକ ସାଜିନାହିଁ ଜାତି ।

ମାଲକାନଗିରି ଜିଲ୍ଲା ସଦର ମହାକୁମାସ୍ଥ ବସଷ୍ଟାଣ୍ଡ ବାଲିସାଗର ସାହିରେ ରୁହନ୍ତି ଆଦିବାସୀ ବୃଦ୍ଧ ରାମଚନ୍ଦ୍ର ଦୁରୁକା(୮୨) । ତାଙ୍କର ବନ୍ଧୁ କିଶୋର ମଣ୍ଡଳ ରୁହନ୍ତି ବସଷ୍ଟାଣ୍ଡ ନିକଟ ହୋଟେଲ ରକହିଲ ସମ୍ମୁଖ ଏକ ଶାଗୁଆନ ଗଛ ମୂଳରେ କୁଡ଼ିଆ ଘରେ । ଉଭୟଙ୍କ ବୟସ ସମାନ। ଉଭୟଙ୍କ ପତ୍ନୀ ପକ୍ଷଘାତ ରୋଗ ଆକ୍ରାନ୍ତ। ରାମଚନ୍ଦ୍ରଙ୍କ ପତ୍ନୀ ଦ୍ରୋପଦି ଦୁରୁକା(୭୦) ପକ୍ଷଘାତ ଆକ୍ରାନ୍ତ । ରାମଚନ୍ଦ୍ର ରୋଷେଇ ଠାରୁ ଆରମ୍ଭ କରି ଘର କାମ ସାରି ପତ୍ନୀଙ୍କ ନିତ୍ୟ କର୍ମ ଓ ସେବା ସାରି ଖୁଆଇ ଦେଇ ବସଷ୍ଟାଣ୍ଡକୁ ଯାଇଥାନ୍ତି କୁଲି କାମ କରିବା ପାଇଁ। ରାମଚନ୍ଦ୍ରଙ୍କର ପୁଅଟିଏ ହୋଇଥିଲା ଜନ୍ମର କିଛି ଦିନପରେ ତାର ମୃତ୍ୟୁ ଘଟିଥିଲା।

କିଶୋରଙ୍କ ଜନ୍ମସ୍ଥାନ ବାଙ୍ଗଲାଦେଶରେ। ଗତ ୧୯୬୪ ମସିହାରେ କିଶୋରଙ୍କ ବାପା ଭଜହରି ମଣ୍ଡଳଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ପରିସ୍ଥିତିରେ ପଡ଼ି ମା’ ସୋକି ସୋନି ମଣ୍ଡଳଙ୍କ ସହ ୧୯୬୪ ମସିହାରେ ବାଂଲାଦେଶ ଛାଡି ପ୍ରଥମେ ଚାଲିଆସିଥିଲେ ଛତିଶଗଡ଼ ରାଜ୍ୟ ରାଇପୁର ମାନା କ୍ୟାମ୍ପ । ସେଠାରେ କିଛି ବର୍ଷ ପରେ ମା’ଙ୍କର ମୃତ୍ୟୁ ଘଟିଲା। କିଛି ବର୍ଷ ସେଠାରେ ରହି ମାଲକାନଗିରି ଆସିଥିଲେ ୧୯୭୨ ମସିହାରେ। ମାଲକାନଗିରି ତହସିଲ ଅଫିସ୍ କଡ଼ରେ ଚା’ ବିକି ପରିବାର ଚଳାଇବା ଆରମ୍ଭ କରିଥିଲେ। ୧୯୯୨ ରେ ତହସିଲ ଅଫିସ ପାଚେରୀ ନିର୍ମାଣ ଯୋଗୁ ତାଙ୍କ ଚା ଦୋକାନ ଟି କୁ ଭାଙ୍ଗି ଦିଆଗଲା। ବଞ୍ଚିବା ପାଇଁ ପୁଣି ଥରେ ମାଲକାନଗିରି ବସ୍ଷ୍ଟାଣ୍ଡ ବାହାରେ ଏକ କୋଣରେ ଖୋଲା ଆକାଶ ତଳେ ଚା’ ତିଆରି କରି ବିକ୍ରି କରନ୍ତି। ସେହିପରି କିଶୋର ମଣ୍ଡଳଙ୍କର ମଧ୍ୟ ସମାନ ଅବସ୍ଥା । ତାଙ୍କ ପତ୍ନୀ ବକୁଲ ମଣ୍ଡଳ ମଧ୍ୟ ପକ୍ଷଘାତ ରୋଗରେ ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ। କିଶୋର ସକାଳ ୬ ଟାରେ ବସଷ୍ଟାଣ୍ଡକୁ ଚା ବିକ୍ରୀ କରିବାକୁ ଯାଇଥାନ୍ତି। ସେଠାରେ ଦେଖାହୁଏ ରାମଚନ୍ଦ୍ର ଦୁରୁକା। ତାଙ୍କ ଠାରୁ ଚା ପିଉଥିବା ସମୟରେ ଉଭୟ ସୁଖ ଦୁଃଖ କଥା ହୁଅନ୍ତି। ଉଭୟ ଦୁଃଖ ସମାନ ଥିବାରୁ ସଙ୍ଗାତ ହୋଇଗଲେ। କିଶୋର ଚା ଦୋକାନ ଖୋଲିଲା ବେଳକୁ ରାମଚନ୍ଦ୍ର ତାଙ୍କ ନିକଟରେ ପହଁଚି ବାସନ ମାଜିଦେବା ସହ ଆଞ୍ଚରେ କୋଇଲା ପକାଇ ବିଞ୍ଚିଥାନ୍ତି । ତା ପରେ ଚା କପଟିଏ ପିଇ କୁଲି କାମକୁ ପଳାଇଥାନ୍ତି।

ସରକାରୀ ସହାୟତା କହିଲେ କେବଳ ବାର୍ଦ୍ଧକ୍ୟ ଭତ୍ତା ଓ କେଇକେଜି ଚାଉଳ ମିଳୁଛି। ଏହି ଦୁଇ ବୃଦ୍ଧଙ୍କ ପାଇଁ ସରକାରୀ ଯୋଜନା ଗୁଡିକ ଯୋଜନ ଦୂରରେ ଅଟକି ରହି ଯାଇଛି। ପ୍ରକୃତ ବୟସ ୮୫ବର୍ଷ, ମାତ୍ର ଭୁଲ ରେ ଆଧାର କାର୍ଡ ରେ ବୟସ କମ ଥିବାରୁ ପୂର୍ବ ପରି ମାତ୍ର ଏକ ହଜାର ଟଙ୍କା ଭତ୍ତା ମିଳୁଛି। ଭଙ୍ଗା ଦଦରା କୁଡ଼ିଆ ଘରେ ରହୁଛନ୍ତି।ବହୁବାର ଆବାସ ପାଇଁ ପୌରପରିଷଦ ଏବଂ ବ୍ଲକ୍ରେ ଲିଖିତ ଭାବେ ଆବେଦନ କରିଥିଲେ ମଧ୍ୟ ତାଙ୍କୁ ଆବାସ ଗୃହ ଟିଏ ମଧ୍ୟ ମିଳିନାହିଁ ।ଦୁଇ ବନ୍ଧୁ ଭାରି ସ୍ବାଭିମାନୀ ମଣିଷ ସେମାନେ କୁହନ୍ତି ଭଗବାନ ହାତ ଗୋଡ ଦେଇଛନ୍ତି ଆମେ ବଞ୍ଚିଥିଲା ପର୍ଯ୍ୟନ୍ତ ପରିଶ୍ରମ କରିବୁ ।

ଆହୁରି ପଢନ୍ତୁ : ଆମ ହସ୍ତତନ୍ତ ସ୍ଵଦେଶୀ, ସଂସ୍କୃତି ଓ ସମୃଦ୍ଧିର ପ୍ରତୀକ: ବୟନଶିଳ୍ପ ମନ୍ତ୍ରୀ