• ୨୨ ଫେବୃଆରୀ ପର୍ଯ୍ୟନ୍ତ ଚାଲିବ ପ୍ରଦର୍ଶନୀ
  •  ପୂର୍ବାହ୍ନ ୧୧ ଟାରୁ ରାତି ୯.୩୦ ପର୍ଯ୍ୟନ୍ତ ଖୋଲା ରହିବ ଷ୍ଟଲ୍
  •  ପ୍ରଥମ ଥର ପାଇଁ ବିନା ମୂଲ୍ୟରେ ଦିଆଯାଇଛି ଷ୍ଟଲ୍

ଭୁବନେଶ୍ୱର, ୭।୨ : ହସ୍ତତନ୍ତ ଆମ ଗୌରବମୟ ଐତିହ୍ୟର ନିଦର୍ଶନ । ଏହା ସ୍ଵଦେଶୀ, ସଂସ୍କୃତି ଓ ସମୃଦ୍ଧିର ପ୍ରତୀକ । ଏହାର ସଂରକ୍ଷଣ ଓ ପ୍ରଚାର ପ୍ରସାର ସହ ବୁଣାକାର ବନ୍ଧୁମାନଙ୍କୁ ଆର୍ଥିକଭାବେ ସଶକ୍ତ କରିବା ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ । ସ୍ଥାନୀୟ ୟୁନିଟ୍-୩ସ୍ଥିତ ଇଡକୋ ପ୍ରଦର୍ଶନୀ ପଡ଼ିଆଠାରେ ଜାତୀୟସ୍ତରୀୟ ହସ୍ତତନ୍ତ ମେଳାକୁ ଉଦଘାଟନ କରି ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦିପ ବଳ ସାମନ୍ତ କହିଛନ୍ତି ।

ରାଜ୍ୟ ତଥା ଦେଶର ସମସ୍ତ ବୟନ କଳାକୁ ପ୍ରଦର୍ଶିତ କରିବା ସହ ବିକ୍ରୟ ପାଇଁ ଏହି ପ୍ରଦର୍ଶନୀ ଏକ ପ୍ରକୃଷ୍ଟ ମଂଚ । ଉତ୍କୃଷ୍ଟ ବୟନ କଳାକୁ ଅଧିକ ଲୋକାଭିମୁଖୀ କରିବା ପାଇଁ ପ୍ରଦର୍ଶନୀ ମାଧ୍ୟମରେ ବିପଣନ ସହ ଯୁବପିଢିଙ୍କୁ ଆକୃଷ୍ଟ କରିବା ଭଳି ନୂଆ ଡିଜାଇନ୍ ଓ ଡିଜିଟାଲ୍ ମାର୍କେଟିଂକୁ ମଧ୍ୟ ଆମେ ଉତ୍ସାହିତ କରୁଛୁ ବୋଲି ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର କମିଶନର ତଥା ଶାସନ ସଚିବ ଗୁହା ପୁନମ ତାପସ କୁମାର କହିଛନ୍ତି। ଉଦଘାଟନୀ ସଂଧ୍ୟାରେ ବୟନିକାର ପରିଚାଳନା ନିର୍ଦ୍ଦେଶକ ନିବେଦିତା ପୃଷ୍ଟି, ବୟନିକା ସଭାପତି ପ୍ରକାଶ ଚନ୍ଦ୍ର ମେହେର ଏବଂ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ପ୍ରଦର୍ଶନୀର ମୁଖ୍ୟ ଆକର୍ଷଣ ଥିମ୍ ପାଭିଲିୟନ, ଯାହା ଧଉଳି ଶାନ୍ତିସ୍ତୁପ ଥିମ୍ ଉପରେ ନିର୍ମାଣ କରାଯାଇଛି । ଓଡ଼ିଶାର ବିଭିନ୍ନ ଅଂଚଳର ଲୋକାଦୃତ ବୟନବସ୍ତ୍ର ସମ୍ବଲପୁରୀ ଇକ୍କତ, ସୋନପୁରୀ, ବମକାଇ, ଖଣ୍ଡୁଆପାଟ, ମାଣିଆବନ୍ଧି, କୋଟପାଡ୍ ଆଦି ଉପଲବ୍ଧ ହେବ । ଏହି ପ୍ରଦର୍ଶନୀରେ ଓଡ଼ିଶାର ବାନ୍ଧବସ୍ତ୍ର ସହ ପଶ୍ଚିମବଙ୍ଗର ଜାମଦାନି ଓ ଟାଙ୍ଗାଇଲ୍, ଜାମ୍ମୁ କାଶ୍ମୀରର ପଶ୍ମିନା-ସାଲ୍, ତାମିଲନାଡ଼ୁର କାଞ୍ଜିବରମ୍ ପାଟଶାଢ଼ୀ, ଦିଲ୍ଲୀ, ହରିୟାନାର ଫର୍ନିସିଙ୍ଗ୍ବସ୍ତ୍ର, କର୍ଣ୍ଣାଟକର ସିଲ୍କ ଶାଢ଼ୀ ଆଦି ବସ୍ତ୍ର ଗ୍ରାହକଙ୍କ ପାଇଁ ଉପଲବ୍ଧ ହେଉଛି।

ଗୋଟିଏ ସ୍ଥାନରେ ବୟନକଳାକୁ ପ୍ରଦର୍ଶିତ କରିବା ସହ ବୁଣାକାରମାନଙ୍କ ଆର୍ଥିକ ଉନ୍ନତି ନିମନ୍ତେ ବାଣିଜ୍ୟିକ ଆଭିମୁଖ୍ୟକୁ ତ୍ୱରାନ୍ୱିତ କରିବା ହେଉଛି ଏହି ଆୟୋଜନର ମୂଳଲକ୍ଷ୍ୟ । ଏହି ମେଳା ଫେବୃଆରୀ ୨୨ ପର୍ଯ୍ୟନ୍ତ ଚାଲୁ ରହିବ । ପ୍ରତ୍ୟେକ ଦିନ ୧୧ ଟାରୁ ୯.୩୦ ମିନିଟ୍ ମଧ୍ୟରେ ଲୋକମାନେ ବିଶେଷ ରିହାତି ଦରରେ ମନପସନ୍ଦର ହାତତିଆରି ବସ୍ତ୍ର କିଣିପାରିବେ । ଚଳିତଥର ମୋଟ୍ ୮୦ ଟି ଷ୍ଟଲ୍ ଖୋଲାଯାଇଛି । ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ଏହାର ପ୍ରାୟୋଜକ ଥିବା ବେଳେ ଓଡ଼ିଶା ରାଜ୍ୟ ହସ୍ତତନ୍ତ ବୁଣାକାର ସମବାୟ ସମିତି ଲିମିଟେଡ୍ (ବୟନିକା) ହେଉଛି ଏହାର ଆୟୋଜକ ।

ଆହୁରି ପଢନ୍ତୁ : ବାଇକ୍ ଲୁଟ ଅଭିଯୋଗରେ ୫ ଗିରଫ, ୧୫ ବାଇକ୍ ଜବତ