ପ୍ରମୂଖ ଖବର
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

‘ଦାନା’ ଉଜାଡ଼ିଲା ୨ ଲକ୍ଷ ଏକର ଜମିର ଫସଲ: ଜିଓଟାଗିଂରେ ଆକଳନ, ଡିବିଟିରେ ଚାଷୀଙ୍କୁ କ୍ଷତିପୂରଣ

Published By : Prameya | October 27, 2024 9:03 AM

ଭୁବନେଶ୍ୱର,୨୭/୧୦: ଦୁର୍ଦ୍ଦଶା ଦେଇ ଚାଲିଗଲା ବାତ୍ୟା ‘ଦାନା’ । ଚାଷୀ ଏବେ କାନ୍ଦୁଛି । ବାତ୍ୟା ‘ଦାନା’  ଯୋଗୁଁ ପ୍ରାୟ ୨ ଲକ୍ଷ ଏକର ଜମିର ଫସଲ ନଷ୍ଟ ହୋଇଥିବା  ପ୍ରାଥମିକ ଆକଳନରୁ ଜଣାପଡ଼ିଛି । କେଉଁଠି ପବନରେ ଧାନ  ଗଛ ଶୋଇପଡ଼ିଛି ତ ଆଉ କେଉଁଠି ଫସଲ ଉପରେ ଚାଲିଛି  ପାଣି । ପନିପରିବା ମଧ୍ୟ ପାଣି ଭର୍ତ୍ତି କ୍ଷେତରେ ଭାସୁଛି ।  ବିଶେଷ କରି ଭଦ୍ରକ, ବାଲେଶ୍ୱର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ  ‘ଦାନା’ ମୁହଁରେ ଯାଇଛି ବର୍ଷକର ଦାନା ।  

ବାତ୍ୟା କ୍ଷେତକୁ ପୂରା ଛାରଖାର କରି ଦେଇଛି । ଚାଷୀ ଏବେ  ମୁଣ୍ଡରେ ହାତ ଦେଇ ବସିଛି । ସରକାର କିନ୍ତୁ ଚାଷୀକୂଳ ପାଇଁ  ଅଣ୍ଟା ଭିଡ଼ିଛନ୍ତି । ସପ୍ତାହକ ମଧ୍ୟରେ କ୍ଷୟକ୍ଷତି ରିପୋର୍ଟ ଆସିବ ।  ସରକାର ରିଲିଫ୍‌ କୋଡ୍‌ର ସଂଶୋଧିତ ନିର୍ଦ୍ଦେଶାବଳୀ ଅନୁଯାୟୀ  ସହାୟତା ଯୋଗାଇଦେବେ । କ୍ଷୟକ୍ଷତି ରିପୋର୍ଟ ଆସିଲେ,  ସେହି ଆଧାରରେ ପ୍ରଭାବିତ ଲୋକଙ୍କୁ ଡିବିଟି ମାଧ୍ୟମରେ  ବ୍ୟାଙ୍କ ଆକାଉଣ୍ଟକୁ କ୍ଷତିପୂରଣ ରାଶି ପ୍ରଦାନ କରାଯିବ ବୋଲି  ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ସୂଚନା ଦେଇଛନ୍ତି ।  ଜଳସେଚିତ ଜମି ଫସଲ ନଷ୍ଟ ହୋଇଥିଲେ ଚାଷୀଙ୍କୁ ହେକ୍ଟର  ପିଛା ୧୭ହଜାର ଟଙ୍କା, ଅଣଜଳସେଚିତ ଜମି ପାଇଁ ୮ହଜାର  ୫ଶହ ଟଙ୍କା ଓ ବାରମାସୀ ଚାଷ ପାଇଁ ହେକ୍ଟର ପିଛା ୨୨  ହଜାର ୫ଶହ ଟଙ୍କା ସହାୟତା ମିଳିବ ।  

କୃଷି ବିଭାଗର ପ୍ରାଥମିକ ଆକଳନ ଦର୍ଶାଇଛି, ‘ଦାନା’  ପ୍ରଭାବରେ ୫ ଜିଲ୍ଲାର ୫୦ ବ୍ଲକର ୮୦ ହଜାର ହେକ୍ଟର ଜମିରୁ  ଅଧିକ ଫସଲ ଉଜୁଡ଼ିଛି । ସେଥିମଧ୍ୟରୁ ୭୦ହଜାର ୧୪୩  ହେକ୍ଟର ଜମିରେ ଧାନ, ୮୫୧୬ରେ ଅଣଧାନ ଓ ୧୮୧୪  ହେକ୍ଟରରେ ପରିବା ଚାଷ ନଷ୍ଟ ହୋଇଛି । ସବୁଠୁ ଅଧିକ  କ୍ଷତିଗ୍ରସ୍ତ ହୋଇଛି ଭଦ୍ରକ ଜିଲ୍ଲା । ଜିଲ୍ଲାର ୭ଟି ବ୍ଲକର ୮୮  ହଜାର ହେକ୍ଟର ଚାଷ ଜମି ପାଣିରେ ବୁଡ଼ି ରହିଛି । ସେଥିରୁ  ପ୍ରାୟ ୨୫ ହେକ୍ଟର ଚାଷଜମିରେ ଫସଲ କ୍ଷତି ହୋଇସାରିଛି ।  ପାଣି ନଛାଡ଼ିଲେ ଅଧିକ ଫସଲ କ୍ଷତି ହେବାର ଆଶଙ୍କା ରହିଛି । 

ପ୍ରାଥମିକ ଆକଳନ ଅନୁସାରେ କେନ୍ଦ୍ରାପଡ଼ା ଜିଲ୍ଲାର ୮  ବ୍ଲକର ୨୮ ହଜାର ୪୨୬ ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ  ହୋଇଛି । ବାଲେଶ୍ୱର ଜିଲ୍ଲାର ୧୨ଟି ବ୍ଲକର ୪୩ ହଜାର  ହେକ୍ଟର ଜମି ପାଣିରେ ବୁଡ଼ି ରହିଛି । ଯାଜପୁରର ୭ଟି  ବ୍ଲକର ୨୧୭୦୯ ହେକ୍ଟର ଜମି ଓ ମୟୂରଭଞ୍ଜର ୧୬ଟି  ବ୍ଲକର ୨୩୮୧ ହେକ୍ଟର ଜମି ମଧ୍ୟ ପ୍ରଭାବିତ ହୋଇଛି । 

ବର୍ଷା କମିବା ପରେ କୃଷି ଓ ରାଜସ୍ୱ ଅଧିକାରୀମାନେ  ଯାଇ କ୍ଷୟକ୍ଷତିର ଜିଓ ଟାଗିଂ ରିପୋର୍ଟ ପ୍ରସ୍ତୁତ କରିବେ । ସେହି  ରିପୋର୍ଟ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ରିଲିଫ କମିଶନର  (ଏସ୍‌ଆରସି)ଙ୍କ କାର୍ଯ୍ୟାଳୟକୁ ଦିଆଯିବ । ଏହାପରେ  କ୍ଷତିଗ୍ରସ୍ତଙ୍କୁ ମିଳିବ ସରକାରୀ ସହାୟତା। 

ଶନିବାର କୃଷି ବିଭାଗର ବରିଷ୍ଠ ଅଧିକାରୀ ଓ ପ୍ରଭାବିତ  ଜିଲ୍ଲାର କୃଷି ଅଧିକାରୀମାନଙ୍କ ସହ ଏକ ସମୀକ୍ଷା ବୈଠକ  ପରେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି, ଜିଲ୍ଲାସ୍ତରରୁ  ଏବେ ଚାଷଜମି ପ୍ରଭାବିତ ହେବାର ପ୍ରାଥମିକ ଆକଳନ ଆସି  ରିପୋର୍ଟ ଆସିଛି । ବର୍ଷା କମିବା ପରେ ଅଧିକାରୀମାନେ  କ୍ଷେତ୍ରକୁ ଯାଇ କ୍ଷୟକ୍ଷତି ରିପୋର୍ଟ ପ୍ରସ୍ତୁତ କରି ସରକାରଙ୍କୁ  ପଠାଇବାକୁ ନିର୍ଦ୍ଦେଶ ଜାରି ହୋଇଛି । ଜିଲ୍ଲାସ୍ତରରରୁ ସମ୍ପୂର୍ଣ୍ଣ ରିପୋର୍ଟ ଆସିବା ପରେ ହିଁ ଲୋକଙ୍କୁ ଡିବିଟି ମାଧ୍ୟମରେ  କ୍ଷତିପୂରଣ ଦିଆଯିବ । ଭୁଲ୍‌ ରିପୋର୍ଟ ନ ଦେବାକୁ  ଅଫିସରମାନଙ୍କୁ ସତର୍କ କରାଯାଇଛି । ଯଦି କେହି ଏଭଳି  ଭୁଲ୍‌ ରିପୋର୍ଟ ଦେବା ଜଣାପଡ଼େ ସରକାର କଡ଼ା କାର୍ଯ୍ୟାନୁଷ୍ଠାନ  ନେବେ । କୃଷି ବିଭାଗ ପ୍ରମୁଖ ସଚିବ ଡ. ଅରବିନ୍ଦ ପାଢ଼ୀ  କହିଛନ୍ତି, ରାଜସ୍ୱ ଓ କୃଷି ବିଭାଗର ମିଳିତ ସହଯୋଗରେ  କ୍ଷୟକ୍ଷତି ଆକଳନ କରାଯିବ । ସମ୍ପୂର୍ଣ୍ଣ ସ୍ୱଚ୍ଛତାର ସହ ଏହା କରାଯିବା ସହ ସର୍ବନିମ୍ନ ୧ହଜାର ଟଙ୍କା କ୍ଷତିପୂରଣ ଦିଆଯିବ । 

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ମଧ୍ୟ କ୍ଷୟକ୍ଷତି ରିପୋର୍ଟ  ଶୀଘ୍ର ପ୍ରସ୍ତୁତ କରିବାକୁ ରାଜସ୍ୱ ଏବଂ କୃଷି ବିଭାଗକୁ ନିର୍ଦ୍ଦେଶ  ଦେଇଛି । ଯେତେଶୀଘ୍ର ସମ୍ଭବ କ୍ଷତିଗ୍ରସ୍ତଙ୍କୁ ସରକାରୀ ସହାୟତା  ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପରାମର୍ଶ ଦେଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.