ନୂଆଦିଲ୍ଲୀ, ୨୨/୧୦: ଇଥିୟୋପିଆର ପୂର୍ବାଞ୍ଚଳରେ ସୋମବାର ରାତିରେ ଅଘଟଣ। ଏକ ମାଲବାହୀ ଟ୍ରେନ୍ ଜିବୁତୀ ସୀମା ପାଖରେ ଥିବା ଦେବାଲେ କସ୍ୱେରୁ ଫେରିବା ବେଳେ ଦୁର୍ଘଟଣା । ଠିଆ ହୋଇଥିବା ଏକ ଟ୍ରେନ୍କୁ ଧକ୍କା ଦେଲା ମାଲବାହୀ ଟ୍ରେନ୍ । ଯେଉଁଥିରେ ୧୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଆହତ ହୋଇଥିଲା । ଏହି ଦୁର୍ଘଟଣା ଦିରେ ଦବା ସହର ପାଖରେ ହୋଇଥିଲା । 

ନାଇଜେରିଆରେ ୩୧ ମୃତ ଏବଂ ୧୭ ଆହତ-
ଆଉ ଏକ ଦୁର୍ଘଟଣା ପଶ୍ଚିମ ଆଫ୍ରିକୀୟ ଦେଶ ନାଇଜେରିଆରେ ହୋଇଛି । ଏଠାକାର ନାଇଜର ରାଜ୍ୟର ବିଡ଼ା ଅଞ୍ଚଳରେ ମଙ୍ଗଳବାର ଦିନ ପେଟ୍ରୋଲ ଭର୍ତ୍ତି ଟ୍ୟାଙ୍କରରେ ବିସ୍ଫୋରଣ ହୋଇଥିଲା । ଯେଉଁଥିରେ ୩୧ଜଣଙ୍କ ମୃତ୍ୟୁ ଏବଂ ୧୭ଜଣ ଆହତ ହୋଇଥିଲେ । ପୁଲିସ ମୁଖପାତ୍ର ଅବିୟୋଦୁନ କହିଛନ୍ତି ଯେ, ଟ୍ୟାଙ୍କର ଓଲଟିବା ପରେ ସ୍ଥାନୀୟ ଲୋକେ ରାସ୍ତାରେ ଢାଳି ହୋଇଯାଇଥିବା ପେଟ୍ରୋଲ ଆଣିବା ବେଳେ ବିସ୍ଫୋରଣ ହୋଇଥିଲା । ଏଥିରେ ଗୁରୁତର ହୋଇଥିବା ଲୋକଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଦୁର୍ଘଟଣା ପାଇଁ ଖରାପ ରାସ୍ତା ଏବଂ ରେଳ ନେଟୱାର୍କର ଅଭାବ ଦାୟୀ-
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଗତ କିଛି ମାସ ମଧ୍ୟରେ, ଉତ୍ତର ଏବଂ ଦକ୍ଷିଣ ନାଇଜେରିଆ ମଧ୍ୟରେ ଏକ ପ୍ରମୁଖ ମାଲ ପରିବହନ କେନ୍ଦ୍ର ନାଇଜର ରାଜ୍ୟରେ ଭାରୀ ଯାନବାହନ ଦୁର୍ଘଟଣା ବୃଦ୍ଧି ପାଇଛି । ଯାହା ପାଇଁ ବିଶେଷଜ୍ଞମାନେ ଖରାପ ରାସ୍ତା ଏବଂ ରେଳ ନେଟୱାର୍କର ଅଭାବକୁ ଦାୟୀ କରିଛନ୍ତି।

ପୁଲିସ କହିଛି ଯେ ଡ୍ରାଇଭର, ଟ୍ୟାଙ୍କର ମାଲିକଙ୍କୁ ଖୋଜିବା ସହ ଦୁର୍ଘଟଣାର କାରଣ ଜାଣିବା ପାଇଁ ତଦନ୍ତ ଚାଲିଛି। ରାଜ୍ୟ ରାଜ୍ୟପାଳ ଉମାରୁ ବାଗୋ ଏହି ଘଟଣାକୁ "ଦୁଃଖଦ ଏବଂ ଯନ୍ତ୍ରଣାଦାୟକ" ବୋଲି ବର୍ଣ୍ଣନା କରି ଲୋକଙ୍କୁ ଏପରି ବିପଦପୂର୍ଣ୍ଣ କାର୍ଯ୍ୟକଳାପରୁ ନିବୃତ୍ତ ରହିବାକୁ ଅନୁରୋଧ କରିଛନ୍ତି ।