ଭୁବନେଶ୍ୱର, ୨୦/୦୫ : ଜିଆରପି କନେଷ୍ଟବଳ ସୌମ୍ୟରଞ୍ଜନ ସ୍ୱାଇଁଙ୍କ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ଆଉ ଦୁଇ ଜଣଙ୍କୁ ନୟାଗଡ଼ ଜିଲ୍ଲାର ରଣପୁର ଜଙ୍ଗଲରୁ ଗିରଫ କରିଛି। ସେମାନେ ହେଲେ ବାଲିଅନ୍ତା ଅଞ୍ଚଳର ପଞ୍ଚାନନ ବଡ଼ଜେନା ଓରଫ କାଳିଆ ଓ ରଞ୍ଜିତ ରାଣା । ଏମାନେ ଗତ ୭ ତାରିଖରୁ ଫେରାର ଥିଲେ । ଗତ ୭ ତାରିଖରେ ସୌମ୍ୟ ଓ ତାଙ୍କ ସାଙ୍ଗ ଓମପ୍ରକାଶ ଭୁବନେଶ୍ୱର ସତ୍ୟବିହାର ଆସୁଥିଲାବେଳେ ବାଲିଅନ୍ତା ଥାନା ରାମଚନ୍ଦ୍ରପୁର କାଜ ନିକଟରେ ଦୁଇ ଜଣ ଯୁବତୀଙ୍କ ସହ ଦୁର୍ଘଟଣା ହୋଇଥିଲା । ଏହାକୁ ନେଇ ସେଠାରେ ଦେଖାଯାଇଥିବା ଉତ୍ତେଜନା ବେଳେ ଲୋକମାନେ ପିଟି ପିଟି ସୌମ୍ୟଙ୍କୁ ହତ୍ୟା କରିଥିଲେ । କାଳିଆ ଓ ରଞ୍ଜିତ କାଠ ଫାଳିଆରେ ଆକ୍ରମଣ କରିଥିଲେ । ତା’ପରେ ଉଭୟ ରଣପୁର ସମ୍ପର୍କୀୟଙ୍କ ଘରେ ଲୁଚିଥିଲେ । ଦିନରେ ରୁମରେ ରହୁଥିଲାବେଳେ ରାତିରେ ଜଙ୍ଗଲରେ ରହୁଥିଲେ । କ୍ରାଇମବ୍ରାଞ୍ଚ ଟିମ୍ ଏମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
କାଳିଆ ଓ ରଞ୍ଜିତଙ୍କୁ ମିଶାଇ ଏପର୍ଯ୍ୟନ୍ତ ଏହି ମାମଲାରେ ମୋଟ ୧୫ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ମଧ୍ୟରୁ ୧୧ ଜଣଙ୍କୁ ବାଲିଅନ୍ତା ଥାନା ପୁଲିସ୍ ପୂର୍ବରୁ ଗିରଫ କରିଥିଲା । କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର କହିଛନ୍ତି, ପ୍ରାଥମିକତା ଭିତ୍ତିରେ ତଦନ୍ତ ଜାରି ରହିଛି । ଘଟଣାରେ ସମ୍ପୃକ୍ତ ଅନ୍ୟ ବ୍ୟକ୍ତିମାନଙ୍କୁ ଚିହ୍ନଟ କରି ଗିରଫ କରିବା ପାଇଁ ପ୍ରୟାସ ଜାରି ରହିଛି । ଏଥିରେ ସାମିଲ ଥିବା ସମସ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଆମ ଟିମ୍ ପୁରା ଆକ୍ଟିଭ୍ ଅଛି । ଏହି ଘଟଣାରେ କାହାରିକୁ ବି ଛଡ଼ା ଯିବନି।
ସୂଚନାଯୋଗ୍ୟ ଯେ, ମେ’ ୭ ତାରିଖରେ ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତା ଅଞ୍ଚଳରେ ଜିଆରପି କନଷ୍ଟେବଲ ସୌମ୍ୟ ରଞ୍ଜନ ସ୍ଵାଇଁ ତାଙ୍କ ସାଙ୍ଗ ସହିତ ଯାଉଥିବା ବେଳେ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲେ । ତାଙ୍କ ବାଇକ୍ ଦୁଇ ଜଣ ଝିଅ ଯାଉଥିବା ଏକ ସ୍କୁଟିକୁ ଧକ୍କା ଦେଇଥିଲା। ପରେ ଉଭୟ ମଧ୍ୟରେ ଯୁକ୍ତତର୍କ ଲାଗିଥିଲା । ଏହା ପରେ ଦୁର୍ଘଟଣାସ୍ଥଳରେ ସ୍ଥାନୀୟ ଲୋକ ରୁଣ୍ଡ ହୋଇଥିଲେ । ପରେ ଲୋକମାନେ ସୌମ୍ୟ ରଞ୍ଜନଙ୍କୁ ହାତ ଗୋଡ଼ ବାନ୍ଧି ଅମାନୁଷିକ ଭାବେ ପିଟିଥିଲେ । ଏଥିରେ ସୌମ୍ୟ ରଞ୍ଜନଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଚିନୁ ଓରଫ ରଞ୍ଜିତ ପାତ୍ରକୁ ମିଶାଇ ୧୫ ଜଣଙ୍କୁ ଗିରଫ କରାଯାଇଛି। ବାକି ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି। ଖୁବଶୀଘ୍ର ସେମାନେ ବନ୍ଧା ହେବେ ବୋଲି କ୍ରାଇମବ୍ରାଞ୍ଚ ଡିଜି କହିଛନ୍ତି।
ଏହି ଖବରଟିକୁ ପଢନ୍ତୁ- Balianta Murder Case : ସୌମ୍ୟ ରଞ୍ଜନ ହତ୍ୟା ମାମଲାର ସମସ୍ତ ଅଭିଯୁକ୍ତ ଚିହ୍ନଟ, କ୍ରାଇମବ୍ରାଞ୍ଚ ଡିଜି କହିଲେ କାହାକୁ ବି ଛଡ଼ା ଯିବନି...