ମାଲକାନଗିରି, ୧୬/୧ : ବେଆଇନ ଖାଦାନରୁ ମୋରମ ଖୋଳିବା ବେଳେ ଅଘଟଣ। ପଥର ଅତଡ଼ା ଖସି ୨ ଶ୍ରମିକ ମୃତ। ମାଲକାନଗିରି ସହର ପ୍ରବେଶ ଦ୍ୱାର ତାରିଣୀ ମନ୍ଦିର ପାର୍ଶ୍ଵରେ ଥିବା ପଥର କୁଆଁରୀ ପାହାଡ଼ରେ ଖାଦାନ ଚାଲିଥିବା ବେଳେ ଏଭଳି ଘଟଣା ଘଟିଛି। ଘଟଣାସ୍ଥଳରେ ପୁଲିସ ପହଁଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି। ଏନେଇ ମାଲକାନଗିରି ଆଦର୍ଶ ଥାନା ଆଇଆଇସି ରିଗାନ କିଣ୍ଡୋ ସୂଚନା ଦେଇଛନ୍ତି।
ସୂଚନାନୁଯାୟୀ, ଶୁକ୍ରବାର ସକାଳେ ମାଲକାନଗିରି ସହର ପ୍ରବେଶ ଦ୍ୱାର ତାରିଣୀ ମନ୍ଦିର ପାର୍ଶ୍ଵରେ ଥିବା ପଥର କୁଆଁରୀ ପାହାଡ଼ରୁ ବେଆଇନ ଭାବେ ମୋରମ ମାଟି ଖୋଳା ଚାଲିଥିଲା। ଏହି ସମୟରେ ହଠାତ୍ ପଥର ଅତଡା ଖସି ମାଲକାନଗିରି ସତ୍ୟମଗୁଡା ଗ୍ରାମର ଟୁନା ଗାଦବା (୨୧ ବର୍ଷ)ଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟ ଜଣେ ଶ୍ରମିକ ଚମ୍ପାଖାରି ଗ୍ରାମର ମିଟୁ ମାଢି (୩୧ ବର୍ଷ) ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ମାଲକାନଗିରି ଜିଲ୍ଲା ହସ୍ପିଟାଲକୁ ନେଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମିଟୁ ମାଢିଙ୍କର ମୃତ୍ୟୁ ଘଟିଛି।
ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଟ୍ରାକ୍ଟର ଡ୍ରାଇଭର ସମେତ ଅନ୍ୟ ଶ୍ରମିକମାନେ ଚମ୍ପଟ ମାରିଥିଲେ। ଖବର ପାଇ ଜିଲ୍ଲା କଂଗ୍ରେସ ସଭାପତି ଜି. ଶ୍ରୀନିବାସ ରାଓ ଓ ସତ୍ୟମଗୁଡା ଗ୍ରାମବାସୀ ଘଟଣାସ୍ଥଳରେ ପହଁଚି ଉକ୍ତ ଶ୍ରମିକଙ୍କୁ ପଥର କାଢି ଉଦ୍ଧାର କରିବା ସହ ଦୁର୍ଘଟଣା ବାବଦରେ ମାଲକାନଗିରି ଥାନାକୁ ଖବର ଦେଇଥିଲେ । ମୃତ ଦୁଇ ଶ୍ରମିକ ଘରର ଏକମାତ୍ର ରୋଜଗାରିଆ ପୁଅ ଥିଲେ। ସେମାନେ ଶ୍ରମିକ ଶ୍ରେଣୀର ହୋଇଥିବା ବେଳେ ମୂଲ ମଜୁରୀ କରି ଗୁଜୁରାଣ ମେଣ୍ଟାଉ ଥିଲେ। ସେମାନଙ୍କ ମୃତ୍ୟୁରେ ପରିବାର ଲୋକେ ଭାଙ୍ଗି ପଡିଛନ୍ତି। ମୃତକଙ୍କ ପରିବାରକୁ ଆର୍ଥିକ ସାହାଯ୍ୟ ଦେବାକୁ ସ୍ଥାନୀୟ ବାସିନ୍ଦା ପ୍ରଶାସନ ନିକଟରେ ଦାବି କରିଛନ୍ତି।
ଏହି ଖବରଟିକୁ ପଢନ୍ତୁ- ସିଂହପୁର ବଜାରରେ ଭୟାବହ ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଗଲା ୩ ଦୋକାନ