ବେଲପାହାଡ଼,୦୧/୦୬(ଜ୍ଞାନ ରଞ୍ଜନ  ପଟ୍ଟନାୟକ): ମାଡି ଚାଲିଛି ଦ୍ରୁତ ଶିଳ୍ପାୟନ । ପଡୋଶୀ ସୁନ୍ଦରଗଡ ଜିଲ୍ଲାର ହେମଗିରି ତହସିଲ ଅଞ୍ଚଳରେ କୋଇଲା ଖନନ  ଜନିତ ଜଙ୍ଗଲ ଧ୍ୱସଂ ପରେ ବେଲପାହାଡ ପାଶ୍ୱର୍ବର୍ତ୍ତୀ ଇଲାକା ବି ଉଜୁଡିବାର ସଂକେତ  ଦେଲାଣି । ଏପରିସ୍ଥିତିରେ ଇତିହାସ ପୃଷ୍ଠାରେ  ଅଞ୍ଚଳର ଦୁଇ ମନୋରମ ପର୍ଯ୍ୟଟନ କ୍ଷେତ୍ର ଉଲ୍ଲାପଗଡ ଓ ବିକ୍ରମଖୋଲ ରହିଯିବ ବୋଲି  ପରିବେଶବିତ୍‌ମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି ।  

ଉଲ୍ଲାପଗଡ଼ ଓ ବିକ୍ରମଖୋଲ ଅଞ୍ଚଳ  ପ୍ରକୃତିର ଏକ ଅମୂଲ୍ୟ ଉପହାର । ଘନ  ଜଙ୍ଗଲ, ପାହାଡ଼, ଝରଣା, ବନ୍ୟପ୍ରାଣୀ ଓ  ଐତିହାସିକ ମହତ୍ତ୍ୱ ପାଇଁ ଏହି ଅଞ୍ଚଳ ବର୍ଷ  ବର୍ଷ ଧରି ପରିଚିତ । ଦ୍ରୁତଶିଳ୍ପାୟନ ଯୋଗୁ  ବର୍ତ୍ତମାନ ଏକ ବଡ଼ ପ୍ରଶ୍ନ ସାମ୍ନାକୁ ଆସିଛି,  ଆଗାମୀ ପିଢ଼ି କ’ଣ ଏହି ସବୁଜ ଐତିହ୍ୟକୁ ଦେଖିପାରିବ? ଔଦ୍ୟାଗିକ ବିକାଶ ଓ କୋଇଲା  ଖଣି ସମ୍ପ୍ରସାରଣର ବଢ଼ୁଥିବା ଚାପ ମଧ୍ୟରେ  ଏହି ଜଙ୍ଗଲ ଅଞ୍ଚଳର ଭବିଷ୍ୟତକୁ ନେଇ  ପରିବେଶବିତ୍‌, ପ୍ରକୃତିପ୍ରେମୀ ଏବଂ ସ୍ଥାନୀୟ  ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ିବାରେ ଲାଗିଛି । ପ୍ରକୃତିର ଏକ ସମୃଦ୍ଧ ଭଣ୍ଡାର ଉଲ୍ଲାପଗଡ଼ ଓ  ବିକ୍ରମଖୋଲ କେବଳ ଜଙ୍ଗଲ ନୁହେଁ । ଏହା ହେଉଛି ଜୈବ ବିବିଧତାର ଏକ ସମୃଦ୍ଧ ଭଣ୍ଡାର । ଏଠାରେ ବିଭିନ୍ନ ପ୍ରଜାତିର ଗଛ, ଔଷଧୀୟ  ଉଦ୍ଭିଦ, ପକ୍ଷୀ ଓ ବନ୍ୟପ୍ରାଣୀ ବସବାସ କରନ୍ତି ।  ବର୍ଷା ଜଳ ସଂରକ୍ଷଣ, ଭୂତଳ ଜଳସ୍ତର ବଜାୟ  ରଖିବା, ବାୟୁକୁ ବିଶୁଦ୍ଧ କରିବା ଏବଂ ସ୍ଥାନୀୟ  ଜଳବାୟୁକୁ ସନ୍ତୁଳିତ ରଖିବାରେ ଏହି ଜଙ୍ଗଲର  ଭୂମିକା ଅପରିସୀମ ।        

ସ୍ଥାନୀୟ ଲୋକଙ୍କ ଜୀବନ ଓ ସଂସ୍କୃତି  ମଧ୍ୟ ଏହି ଜଙ୍ଗଲ ସହ ଓତଃପ୍ରୋତ ଭାବେ  ଜଡିତ । ବର୍ଷ ବର୍ଷ ଧରି ଏହି ଅଞ୍ଚଳ ପ୍ରକୃତି ଓ  ମଣିଷ ମଧ୍ୟରେ ସହଅବସ୍ଥାନର ଏକ ଉତ୍କୃଷ୍ଟ ଉଦାହରଣ ହୋଇରହିଛି । ବିକ୍ରମଖୋଲ  କେବଳ ପ୍ରାକୃତିକ ନୁହେଁ, ଐତିହାସିକ ଦୃଷ୍ଟିରୁ  ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ । ଏଠାରେ ଥିବା  ପ୍ରାଚୀନ ଶିଳାଲିପି ଓ ପ୍ରତ୍ନତାତ୍ତ୍ୱ ିକ ନିଦର୍ଶନ  ଗବେଷକମାନଙ୍କୁ ବହୁ ବର୍ଷ ଧରି ଆକର୍ଷିତ  କରିଆସୁଛି । ଇତିହାସ, ପ୍ରକୃତି ଓ ସଂସ୍କୃତିର  ଏହି ଅନନ୍ୟ ସମନ୍ୱୟ ଓଡ଼ିଶାର ଐତିହ୍ୟକୁ  ଆହୁରି ସମୃଦ୍ଧ କରିଛି ।         ଝାରସୁଗୁଡା ଓ ପାଶ୍ୱର୍ବର୍ତ୍ତୀ ଅଞ୍ଚଳ  କୋଇଲା ଖଣି ଏବଂ ଶିଳ୍ପାୟନ ପାଇଁ ପରିଚିତ ।  ଏହି ବିକାଶ ରାଜ୍ୟର ଅର୍ଥନୀତିକୁ ଶକ୍ତିଶାଳୀ  କରିଥିବା ବେଳେ ପରିବେଶ ଉପରେ ମଧ୍ୟ  ଏହାର ପ୍ରଭାବ ପଡ଼ିଛି ।

ପରିବେଶବିତ୍‌ମାନଙ୍କ  ଆଶଙ୍କା ଯେ ଭବିଷ୍ୟତରେ ଯଦି ନୂତନ ଖଣି  ପ୍ରକଳ୍ପ କିମ୍ବା ଶିଳ୍ପ ସମ୍ପ୍ରସାରଣ ଏହି ଅଞ୍ଚଳ  ଆଡ଼କୁ ବଢ଼େ, ତେବେ ହଜାର ହଜାର  ଗଛ କଟାଯାଇପାରେ । ଏହାର ପ୍ରଭାବରେ  ବନ୍ୟପ୍ରାଣୀଙ୍କ ବାସସ୍ଥାନ ନଷ୍ଟ ହେବା ସହିତ  ଜଳସ୍ରୋତ ଏବଂ ସ୍ଥାନୀୟ ପରିବେଶ ଉପରେ  ଗଭୀର ପ୍ରଭାବ ପଡ଼ିପାରେ । ବିଶ୍ୱ ଆଜି ଜଳବାୟୁ ପରିବର୍ତ୍ତନର ଚ୍ୟାଲେଞ୍ଜ ସହ ସଂଘର୍ଷ କରୁଛି ।  ତାପମାତ୍ରା ବୃଦ୍ଧି, ଅନିୟମିତ ବର୍ଷା, ଖରା ଓ  ବନ୍ୟା ଭଳି ସମସ୍ୟା ଦିନକୁ ଦିନ ବଢ଼ୁଛି ।  ଏପରି ସମୟରେ ଜଙ୍ଗଲ ହେଉଛି ପ୍ରକୃତିର  ସବୁଠାରୁ ବଡ଼ ସୁରକ୍ଷା କବଚ । ତେଣୁ ବିକାଶ  ଓ ପରିବେଶ ମଧ୍ୟରେ ସନ୍ତୁଳନର ଆବଶ୍ୟକତା  ରହିଛି ।    

ଅଧିକ ପଢ଼ନ୍ତୁ :-  Mahanadi River: ମହାନଦୀ ତ୍ରିକୋଣଭୂମି ଅଞ୍ଚଳ ସ୍ଥିତି ଉଦ୍‌ବେଗଜନକ, ମାଡ଼ି ଚାଲିଛି ବାଲିଚର, ସରୁଆ ହେଉଛି ନଈ ଧାର, ଆଗକୁ ବନ୍ୟା ବଢ଼ିବ       

ରୋଜଗାର, ଶିଳ୍ପ ଓ ଭିତ୍ତିଭୂମିର  ଉନ୍ନତି ଏକ ରାଜ୍ୟର ପ୍ରଗତି ପାଇଁ ଜରୁରୀ ।  କିନ୍ତୁ ସେହି ବିକାଶ ଯଦି ପ୍ରକୃତିର ମୂଲ୍ୟରେ  ହୁଏ, ତେବେ ତାହାର ଦୀର୍ଘମିଆଦି ପ୍ରଭାବ  ସମାଜ ପାଇଁ କ୍ଷତିକାରକ ହୋଇପାରେ ।  ଯେକୌଣସି ପ୍ରକଳ୍ପ ପୂର୍ବରୁ ପରିବେଶ  ପ୍ରଭାବ ଆକଳନକୁ ଗୁରୁତ୍ୱ ଦେବା, ସଂରକ୍ଷଣ  କ୍ଷେତ୍ର ଚିହ୍ନଟ କରିବା ଏବଂ ସ୍ଥାନୀୟ ଲୋକଙ୍କ ମତାମତକୁ ସମ୍ମାନ ଦେବାର ଆବଶ୍ୟକତା  ରହିଛି । ଉଲ୍ଲାପଗଡ଼ ଓ ବିକ୍ରମଖୋଲ ଭଳି  ଅଞ୍ଚଳ କେବଳ ଝାରସୁଗୁଡାର ନୁହେଁ, ସମଗ୍ର  ଓଡ଼ିଶାର ଗର୍ବ । ମାତ୍ର ବିକାଶ ଯଜ୍ଞରେ ଏହି  ଜୈବ ବିବିଧତାର ଭଣ୍ଡାରର ଆହୁତି ଭବିଷ୍ୟତ  ପିଢି ପାଇଁ କେତେ ଯେ ବିଧ୍ୱସଂକରକ ହେବ  ତାହା ଅବର୍ଣ୍ଣନୀୟ ବୋଲି ପରିବେଶବିତ୍‌ମାନେ  ମତପ୍ରକାଶ କରିଛନ୍ତି ।