ନୂଆଦିଲ୍ଲୀ,୨୬/୦୫: ଭାରତକୁ ନିଜ ‘ଅସ୍ତିତ୍ୱ  ପ୍ରତି ବିପଦ’ ମନେ କରୁଛି ପାକିସ୍ତାନ । ଏହି ଚିନ୍ତାରେ ପାକିସ୍ତାନ ନିଜ ସାମରିକ କ୍ଷେତ୍ରକୁ ଅତ୍ୟାଧୁନିକ ବନାଇବା ଲାଗି ଆହୁରି ଗୁରୁତ୍ୱ ଦେବ । ବିଶେଷକରି  ପାରମ୍ପରିକ ଯୁଦ୍ଧରେ ଭାରତ ଭାରୀ ପଡ଼ୁଥିବାରୁ ପାକ୍‌  ପରମାଣୁ ଅସ୍ତ୍ର ଭଣ୍ଡାରକୁ ଆଧୁନିକତାର ଛାପ ଦେବ । ଆମେରିକୀୟ ପ୍ରତିରକ୍ଷା ବିଭାଗ ଏହାର ନୂଆ ବାର୍ଷିକ  ଗୁଇନ୍ଦା ରିପୋର୍ଟରେ ଏଭଳି ଦର୍ଶାଇଛି । 

ଅନ୍ୟପକ୍ଷରେ ରିପୋର୍ଟ କହିଛି, ପାକିସ୍ତାନକୁ ଭାରତ କେବଳ ଏକ ସୁରକ୍ଷା ସମସ୍ୟା ମନେକରୁଛି ।  ଯେଉଁ ସମସ୍ୟାର ମୁକାବିଲା କରିପାରିବା ନେଇ ଦେଶ ବେଶ୍‌ ନିଶ୍ଚିତ । ତେବେ ଭାରତ ଚୀନ୍‌କୁ ନିଜର ଅସଲ ବିପଦ ବିବେଚନା କରୁଛି ଏବଂ ସେହି  ଅନୁସାରେ ନିଜ ପ୍ରତିରକ୍ଷା କ୍ଷେତ୍ରକୁ ପ୍ରସ୍ତୁତ କରୁଛି ।  ‘ମେକ୍‌ ଇନ୍‌ ଇଣ୍ଡିଆ’ ଅଭିଯାନ ସତ୍ତେ୍ୱ ଭାରତ ଏବେ ବି ରୁଷୀୟ ଅସ୍ତ୍ରଶସ୍ତ୍ର ଉପରେ ନିର୍ଭରଶୀଳ । ପାକିସ୍ତାନକୁ ଚୀନ୍‌ ଅଧିକାଂଶ ଅସ୍ତ୍ରଶସ୍ତ୍ର ଯୋଗାଇ ଦେଉଛି । ପାକିସ୍ତାନର ପରମାଣୁ କାର୍ଯ୍ୟକ୍ରମ ସମଗ୍ର  ଦକ୍ଷିଣ ଏସିଆ ପାଇଁ ବିପଦ । 

ଆମେରିକା ପ୍ରତିରକ୍ଷା ଗୁଇନ୍ଦା ଏଜେନ୍ସି  (ଡିଆଇଏ)ର ‘ୱାର୍ଲଡୱାଇଡ ଥ୍ରେଟ ଆସେସମେଣ୍ଟ  ୨୦୨୫’ ରିପୋର୍ଟରେ ଏହା କୁହାଯାଇଛି । ରିପୋର୍ଟ କହିଛି  ଯେ ଭାରତର ପ୍ରତିରକ୍ଷା ନୀତି ଚୀନ୍‌ର ସାମ୍ନା କରିବା ଏବଂ  ନିଜ ସେନା କ୍ଷମତା ବଢ଼ାଇବା ଉପରେ କେନ୍ଦ୍ରିତ ରହିବ ।  ଡିଆଇଏ ହେଉଛି ଆମେରିକା ପ୍ରତିରକ୍ଷା ବିଭାଗର ଅଂଶ ।  ଏହାର ନିର୍ଦ୍ଦେଶକ ଲେଫ୍ଟନାଣ୍ଟ ଜେନେରାଲ ଜେଫ୍ରି କ୍ରୁସ୍‌  ଏହି ରିପୋର୍ଟ ପ୍ରସ୍ତୁତ କରିଛନ୍ତି । ଏହି ରିପୋର୍ଟ ବୈଶ୍ୱିକ  ସୁରକ୍ଷା ବିପଦର ଆକଳନ କରିଥାଏ । ଏହାକୁ ଆଧାର  କରି ଆମେରିକା ନିଜ ରାଷ୍ଟ୍ରୀୟ ତଥା ବିଦେଶ ନୀତି  ପ୍ରସ୍ତୁତ କରିଥାଏ । 

ରିପୋର୍ଟ ଦର୍ଶାଇଛି ଯେ ଆସନ୍ତା ବର୍ଷ ପଡ଼ୋଶୀ  ଦେଶ ସହ ସୀମାପାର ବିବାଦର ମୁକାବିଲା  ପାକିସ୍ତାନୀ ସେନାର ପ୍ରାଥମିକତା ରହିବ। ଏହି ସମୟରେ ତେହରିକ-ଏ ତାଲିବାନ ପାକିସ୍ତାନ  (ଟିଟିପି) ଏବଂ ବେଲୁଚ ରାଷ୍ଟ୍ରବାଦୀ ଆତଙ୍କବାଦୀ  ପାକିସ୍ତାନ ପାଇଁ ମୁଣ୍ଡ ବିନ୍ଧା ସାଜିବେ । ତେଣୁ  ଆତଙ୍କବାଦର ମୁକାବିଲା ସାଙ୍ଗକୁ ପାକିସ୍ତାନ ଏହାର  ପରମାଣୁ ଆଧୁନିକୀକରଣ କରାଇବ । ଗତବର୍ଷ  ପାକିସ୍ତାନୀ ସେନା ପ୍ରତ୍ୟେକ ଦିନ ଅପରେସନ  ଚଳାଇବା ସତ୍ତେ୍ୱ ଆତଙ୍କୀମାନେ ଉକ୍ତ ଦେଶରେ  ୨,୫୦୦ରୁ ଊଦ୍ଧ୍ୱର୍ ଲୋକଙ୍କୁ ହତ୍ୟା କରିଥିଲେ । ରିପୋର୍ଟ ସ୍ପଷ୍ଟ କରିଛି ଯେ ଚୀନ୍‌ର ପ୍ରାଥମିକ  ଅର୍ଥନୈତିକ ଓ ସାମରିକ ସହଯୋଗୀ ବନିଛି  ପାକିସ୍ତାନ । ଦୁଇଦେଶ ପ୍ରତିବର୍ଷ ମିଳିତ ସମରାଭ୍ୟାସ  କରୁଛନ୍ତି । ୨୦୨୪ ନଭେମ୍ବରରେ ନୂଆ ବାୟୁସେନା  ଯୁଦ୍ଧାଭ୍ୟାସ ଶେଷ ହୋଇଥିଲା । ପାକିସ୍ତାନ ଏହାର ଯୁଦ୍ଧାସ୍ତ୍ର ଚାହିଦା ପୂରଣ ଲାଗି  ଚୀନ୍‌ ଉପରେ ଅଧିକ ନିର୍ଭରଶୀଳ । ବେଳେବେଳେ  ହଂକଂ, ସିଙ୍ଗାପୁର, ତୁର୍କୀ ଏବଂ ୟୁଏଇ ଜରିଆରେ  ଯୁଦ୍ଧାସ୍ତ୍ର ଯୋଗାଣ କରାଯାଉଛି । କିନ୍ତୁ ଆତଙ୍କବାଦୀମାନେ  ‘ଚୀନ୍‌ ପାକିସ୍ତାନ ଅର୍ଥନୈତିକ କରିଡର’ ପ୍ରକଳ୍ପ  ପାଇଁ କାର୍ଯ୍ୟ କରୁଥିବା ଚୀନି ଶ୍ରମିକମାନଙ୍କୁ ଟାର୍ଗେଟ୍‌  କରୁଛନ୍ତି । ପରିଣାମସ୍ୱରୂପ ୨୦୨୪ରେ ପାକିସ୍ତାନରେ  ୭ ଜଣ ଚୀନି ନାଗରିକ ପ୍ରାଣ ହରାଇଥିଲେ । 

ଭାରତକୁ ସତର୍କ କରାଇ ରିପୋର୍ଟ କହିଛି,  ଚୀନ୍‌ର ସୈନ୍ୟ ଶକ୍ତିରେ ବୃଦ୍ଧି ଏବଂ ଆର୍ଥିକ-ପ୍ରଯୁକ୍ତି  ପ୍ରତିଯୋଗିତା ଭାରତ ପାଇଁ ଚିନ୍ତାଜନକ ସାଜିବ ।  ବିଶେଷକରି ଚୀନ୍‌ ନୌସେନା ପୂର୍ବାପେକ୍ଷା ବଳୁଆ  ହୋଇଛି । ଏହାର ମିସାଇଲ କ୍ଷମତା ବି ବଢ଼ିଛି ।  ଏହାଛଡ଼ା ଚୀନ୍‌ର କ୍ଷେତ୍ରୀୟ ପ୍ରଭାବ ଯଥା ବିଆର୍‌ଆଇ,  ସିପିଇସି ଏବଂ ଏଆଇ, ସାଇବର ଓ ମହାକାଶ  କ୍ଷେତ୍ରରେ ପ୍ରଗତି ଭାରତ ପାଇଁ ରଣନୀତିକ ଚ୍ୟାଲେଞ୍ଜ ପାଲଟିବ । ଭାରତ-ଚୀନ୍‌ ସୀମା ବିବାଦ ଏବେ ବି ଶେଷ  ହୋଇନାହିଁ । ୨୦୨୦ ଘଟଣା ପରେ ବିବାଦ ସାମାନ୍ୟ  କମିଛି । ଭାରତ ଚୀନ୍‌ର ପ୍ରଭାବକୁ କମ୍‌ କରିବା ପାଇଁ  ଭାରତ ମହାସାଗରରେ ନିଜ ଉପସ୍ଥିତି ବୃଦ୍ଧି କରୁଛି  ଏବଂ ଅନ୍ୟ ଦେଶଗୁଡ଼ିକ ସହ ମିଳିତ ଭାବେ କାର୍ଯ୍ୟ କରୁଛି। ଏଲ୍‌ଏସିରେ ସୈନ୍ୟ ମୁତୟନ, ନୌସେନା  କ୍ଷମତା ବୃଦ୍ଧି ଭଳି ସାମରିକ ପ୍ରସ୍ତୁତି ସହ ଭାରତ କ୍ୱାଡ  ଦେଶ ଜରିଆରେ ଚୀନ୍‌ର ମୁକାବିଲା କରୁଛି ।