ନୂଆଦିଲ୍ଲୀ : ଆମେରିକାର ଜାତୀୟ ଗୁପ୍ତଚର ନିର୍ଦ୍ଦେଶକ ତୁଲସୀ ଗାବାର୍ଡ ପାକିସ୍ତାନ ଏବଂ ଚୀନକୁ ଆମେରିକା ପାଇଁ ବିପଦ ବୋଲି କହିଛନ୍ତି। ସେ କହିଛନ୍ତି ଯେ ପାକିସ୍ତାନ, ରୁଷ, ଚୀନ୍ ଏବଂ ଉତ୍ତର କୋରିଆ ଆମେରିକା ପାଇଁ ସବୁଠାରୁ ବଡ଼ ପରମାଣୁ ବିପଦ ସୃଷ୍ଟି କରିଛନ୍ତି। ସେ ଚୀନ୍, ଇରାନ, ରୁଷ ଏବଂ ଉତ୍ତର କୋରିଆକୁ ଏପରି କ୍ଷମତା ବିକାଶ କରୁଥିବା ଦେଶ ଭାବରେ ନାମିତ କରିଥିଲେ ଯାହା ଆମେରିକା ପାଇଁ ବିପଦ ସୃଷ୍ଟି କରିପାରେ।
ତୁଲସୀ ଗାବାର୍ଡ କହିଛନ୍ତି କି, "ଗୋଇନ୍ଦା ସୂଚନାରୁ ଜଣାପଡିଛି ଯେ, ରୁଷ, ଚୀନ୍, ଉତ୍ତର କୋରିଆ, ଇରାନ ଏବଂ ପାକିସ୍ତାନ ପରମାଣୁ ଏବଂ ପାରମ୍ପରିକ ଯୁଦ୍ଧାସ୍ତ୍ର ବହନ କରିବାକୁ ସକ୍ଷମ କ୍ଷେପଣାସ୍ତ୍ର ଟେକନୋଲୋଜି ବିକାଶ କରୁଛନ୍ତି। ଏହା ଆମେରିକାକୁ ଏହି ଦେଶ ଗୁଡ଼ିକର ଆକ୍ରମଣ କ୍ଷମତା ପରିସର ମଧ୍ୟରେ ରଖିପାରେ।" ସେ ଏହା ମଧ୍ୟ କହିଛନ୍ତି ଯେ ଉତ୍ତର କୋରିଆ ଏବେ ରୁଷ ଏବଂ ଚୀନ୍ ସହିତ ଏହାର ସହଭାଗୀତାକୁ ମଜବୁତ କରୁଛି।
ଏକ ସିନେଟ୍ ପ୍ୟାନେଲ ସମ୍ମୁଖରେ ତାଙ୍କ ଭାଷଣରେ, ତୁଲସୀ ଗାବାର୍ଡ କହିଛନ୍ତି ଯେ ବିଭିନ୍ନ ଗୁଇନ୍ଦା ସୂଚନା ଆମେରିକାକୁ ଆକ୍ରମଣ କରିବାକୁ ସକ୍ଷମ କ୍ଷେପଣାସ୍ତ୍ର ସଂଖ୍ୟାରେ ଦ୍ରୁତ ବୃଦ୍ଧି ସୂଚାଇଥାଏ। ସେ କହିଛନ୍ତି ଯେ,ଇରାନ ଶାସନ ଅକ୍ଷୁର୍ଣ୍ଣ ରହିଛି, କିନ୍ତୁ ସାମ୍ପ୍ରତିକ ଆମେରିକୀୟ ସାମରିକ କାର୍ଯ୍ୟାନୁଷ୍ଠାନ ଦ୍ୱାରା ଏହା ଯଥେଷ୍ଟ ଦୁର୍ବଳ ହୋଇଯାଇଛି। ଯଦିଓ ଇରାନର ବର୍ତ୍ତମାନର ଶାସନ ବଞ୍ଚି ରହେ, ତଥାପି ଏହାର କ୍ଷେପଣାସ୍ତ୍ର ଏବଂ ଡ୍ରୋନ କ୍ଷମତା ପୁନଃନିର୍ମାଣ କରିବାକୁ ବର୍ଷ ବର୍ଷ ଲାଗିବ ବୋଲି ସେ କହିଛନ୍ତି।