କେନ୍ଦୁଝର, ୨୩/୦୬ : ମେଧାବୀ ଆଦିବାସୀ ଛାତ୍ର ବୈଲୋଚନ ଜୁଆଙ୍ଗଙ୍କ ସ୍ୱପ୍ନ ସାକାର ହେବାକୁ ଯାଉଛି। ଉଚ୍ଚଶିକ୍ଷା ପାଇଁ ଫର୍ମପୂରଣ କରିବା ପରେ ଭୂବନେଶ୍ୱର ବିଜେବି କଲେଜରେ ପଢ଼ିବା ପାଇଁ ରଖିଥିବା ସ୍ୱପ୍ନ ପୂରଣ ହୋଇଛି । ବୈଲୋଚନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଫଳରେ ସୋମବାର ବିଜେବି କଲେଜରୁ ପ୍ରଥମ ପସନ୍ଦ ତାଲିକା ପ୍ରକାଶ ପାଇଛି । ଏଥିରେ ବୈଲୋଚନକୁ ଆସନ୍ତା ବୁଧବାର ମଧ୍ୟରେ ଆଡମିଶନ କରିବାକୁ ନିର୍ଦ୍ଦେଶ ଆସିଛି । ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ମଧ୍ୟ ବୈଲୋଚନର ପାଠପଢ଼ା ପାଇଁ ସମସ୍ତ ସହାୟତା ଯୋଗାଇ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଆସିଛି । ବୈଲୋଚନକୁ ରେଡକ୍ରସ ଓ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ତୁରନ୍ତ ସହାୟତା ଯୋଗାଇ ଦେବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଉଚ୍ଚଶିକ୍ଷା ପାଇଁ ଜୁଆଙ୍ଗ ମେଧାବୀ ଛାତ୍ର ବୈଲୋଚନ ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ଜଣେ ଆଦିବାସୀ ଛାତ୍ର ପାଠପଢ଼ିବା ପାଇଁ ଏତେ ଯେ ସଂଘର୍ଷ କରୁଛି ଯିଏ ଶୁଣିଲା ଚକିତ ହୋଇପଡିଲା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମେଧାବୀ ଛାତ୍ର ବୈଲୋଚନକୁ ସମସ୍ତ ସହଯୋଗ କରିବାକୁ ମୁଖ୍ୟ ଶାସନ ସଚିବ ଏବଂ ଉଚ୍ଚଶିକ୍ଷା ବିଭାଗ ସହିତ ଅନୁସୁଚିତ ଜାତି ଓ ଜନଜାତି ବିଭାଗର ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ତନାଘନା ହୋଇଥିଲା । ଏହି ଖବର ଗଣମାଧ୍ୟମରେ ପ୍ରକାଶ ପରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ବୈଲୋଚନ ସହିତ କଥାବାର୍ତ୍ତା କରିଥିଲେ । ରାଜ୍ୟ ସରକାର ସହିତ ବ୍ୟକ୍ତିଗତ ଭାବେ ସେ ପାଠପଢ଼ିବା ପାଇଁ ସମସ୍ତ ସହାୟତା ଯୋଗାଇ ଦେବେ ବୋଲି ପ୍ରତିଶ୍ରୃତି ଦେଇଥିଲେ । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ମଧ୍ୟ ଯୁଗ୍ମ ସଚିବ ପାଟେଶ୍ୱର କଲେଜର ଅଧ୍ୟକ୍ଷଙ୍କୁ ଫର୍ମପୂରଣ ସମୟରେ ବୈଲୋଚନକୁ ସହାୟତା କରିବାକୁ ନିର୍ଦ୍ଦେଶ ଦେଇଥିଲେ । ତଦନୁସାରେ କଲେଜର ଅଧ୍ୟକ୍ଷ ଶ୍ରୀ ସ୍ୱାଇଁଙ୍କ କ୍ରରିଆରେ ବୈଲୋଚନ ଫର୍ମ ପୂରଣ କରିଥିଲେ ।
ପ୍ରକାଶଥାଉକି ବୈଲୋଚନ ଜୁଆଙ୍ଗ ଜଣେ ମେଧାବୀ ଛାତ୍ର ହୋଇଥିବା ବେଳେ ଯୁକ୍ତ ୨ରେ ୮୩ ପ୍ରତିଶତ ନମ୍ବର ରଖି ପାସ୍ କରିବା ପରେ ଯୁକ୍ତ ୩ ପଢ଼ିବା ପାଇଁ ଅର୍ଥର ଆବଶ୍ୟକତା ରହିଥିବାରୁ ଝୁମ୍ପୁରାର ଏକ ହୋଟେଲରେ ଅଇଁଠା ବାସନ ମାଜୁଥିଲା।
ଆହୁରି ପଢନ୍ତୁ- ଯୁକ୍ତ ୩ ପାଇଁ ଫର୍ମପୂରଣ କଲେ ବୈଲୋଚନ, ବଡ଼ କଲେଜରେ ପଢି ହେବେ ବଡ଼ ମଣିଷ
ରିଭେଞ୍ଜ ନେଲେ ବୈଭବ, ଲଙ୍କାରେ ନିଆଁ ଲଗାଇଲେ ସୂର୍ଯ୍ୟବଂଶୀ