ଡେରାଡୁନ୍, ୧୯।୧୨: ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ବଡ଼ ଘୋଷଣା । ଆଗାମୀ ଜାନୁଆରୀ ଅର୍ଥାତ୍ ୨୦୨୫ରୁ ଉତ୍ତରାଖଣ୍ଡରେ ଲାଗୁହେବ ୟୁନିଫର୍ମ ସିଭିଲ କୋଡ୍ । ୟୁସିସି ଲାଗୁ କରୁଥିବା ଉତ୍ତରାଖଣ୍ଡ ଦେଶର ପ୍ରଥମ ରାଜ୍ୟ । ମହିଳା ଓ ଶିଶୁଙ୍କ ସଶକ୍ତୀକରଣ ପାଇଁ ଏହି ଆଇନ ନୂଆ ଦ୍ୱାର ଖୋଲିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ଉତ୍ତରାଖଣ୍ଡରେ ଖୁବ୍ ଶୀଘ୍ର ଲାଗୁ ହେବାକୁ ଯାଉଛି ୟୁନିଫର୍ମ ସିଭିଲ କୋଡ୍ ବା ୟୁସିସି । ୟୁସିସି ଲାଗୁ ହେବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି । ସେ କହିଛନ୍ତି, ୨୦୨୫ ଜାନୁଆରୀରୁ ଉତ୍ତରାଖଣ୍ଡରେ ୟୁନିଫର୍ମ ସିଭିଲ କୋଡ୍ ଲାଗୁ ହେବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଉତ୍ତରାଖଣ୍ଡ ଦେଶର ପ୍ରଥମ ରାଜ୍ୟ ଭାବେ ୟୁନିଫର୍ମ ସିଭିଲ କୋଡ୍ ଲାଗୁ କରିବ । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ରାଜ୍ୟ ସଚିବାଳୟରେ ଉତ୍ତରାଖଣ୍ଡ ନିବେଶ ଓ ଭିତ୍ତିଭୂମି ବିକାଶ ବୋର୍ଡ ୟୁଆଇଆଇଡିବିର ଏକ ବୈଠକ କରିଛନ୍ତି ।
'ସବକା ସାଥ୍, ସବକା ବିକାଶ ଏବଂ ସବକା ବିଶ୍ୱାସ'ର ମୌଳିକ ଭାବନାକୁ ଅନୁସରଣ କରି ଉତ୍ତରାଖଣ୍ଡର ୟୁନିଫର୍ମ ସିଭିଲ କୋଡ୍ ଆଇନ କାର୍ଯ୍ୟକାରୀ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ଆଇନ ଦ୍ୱାରା ସମାଜକୁ ଏକ ନୂଆ ଦିଗ ମିଳିବା ଦରକାର । ଏହି ଆଇନ ଦେବଭୂମିର ଜନସାଧାରଣ, ବିଶେଷ କରି ମହିଳା ଓ ଶିଶୁଙ୍କ ସଶକ୍ତୀକରଣ ପାଇଁ ନୂଆ ଦ୍ୱାର ଖୋଲିବ ବୋଲି ମୁଖମନ୍ତ୍ରୀ କହିଛନ୍ତି । ତେବେ ୨୦୨୨ ମାର୍ଚ୍ଚରେ ରାଜ୍ୟରେ ନୂଆ ସରକାର ଗଠନ ହେବା ପରେ କ୍ୟାବିନେଟର ପ୍ରଥମ ବୈଠକରେ ରାଜ୍ୟରେ ୟୁନିଫର୍ମ ସିଭିଲ କୋଡ୍ ଲାଗୁ କରିବା ପାଇଁ ଏକ ବିଶେଷଜ୍ଞ କମିଟି ଗଠନ କରିବାକୁ ନିଷ୍ପତ୍ତି ହୋଇଥିଲା । ୟୁନିଫର୍ମ ସିଭିଲ କୋଡ୍ ଲାଗୁ କରିବା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି ।