ନୂଆଦିଲ୍ଲୀ,୦୮/୦୬; ଟିମ୍ ଇଣ୍ଡିଆରେ ବ୍ୟାଟିଂ ବିସ୍ମୟ ବୈଭବ ସୂର୍ଯ୍ୟବଂଶୀଙ୍କ ଏଣ୍ଟ୍ରୀ ହୋଇଛି । ଆସନ୍ତା ଇଂଲଣ୍ଡ ଏବଂ ଆୟର୍ଲାଣ୍ଡ ଗସ୍ତ ପାଇଁ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି ସୂର୍ଯ୍ୟବଂଶୀ । ଏହି ବ୍ୟାଟିଂ ସେନ୍ସେସନଙ୍କୁ ପ୍ରଶଂସା କରିଛନ୍ତି କ୍ୱିଇନ୍ । ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାୱତ ବ୍ୟାଟିଂ ବିସ୍ମୟ ବୈଭବକୁ ନେଇ ବଡ଼ କଥା କହିଛନ୍ତି । ତାଙ୍କର ଆଗାମୀ ଚଳଚ୍ଚିତ୍ର "ଭାରତ ଭାଗ୍ୟ ବିଧାତା"ର ପ୍ରଚାର କରିବା ସମୟରେ, ବୈଭବଙ୍କ ପ୍ରଭାବଶାଳୀ ପ୍ରଦର୍ଶନକୁ ପ୍ରଶଂସା କରିଛନ୍ତି । ସେ ଆଶା ରଖିଛନ୍ତି ଯେ ଏହି ଯୁବ ଖେଳାଳି ଦିନେ ସଚିନ ତେନ୍ଦୁଲକର ଏବଂ ବିରାଟ କୋହଲିଙ୍କ ଠାରୁ ଅଧିକ ସଫଳତା ହାସଲ କରିବେ ।
ଭାରତୀୟ ଟି-୨୦ ଦଳରେ ୧୫ ବର୍ଷୀୟ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀଙ୍କ ଚୟନ ଉପରେ ବିଜେପି ସାଂସଦ ଏବଂ ଅଭିନେତ୍ରୀ କଙ୍ଗନା ରାଣାୱତ ଖୁସି ପ୍ରକାଶ କରି ତାଙ୍କୁ ଶୁଭକାମନା ଜଣାଇଛନ୍ତି । ତାଙ୍କ ଚଳଚ୍ଚିତ୍ର ଭାରତ ଭାଗ୍ୟ ବିଧାତାର ପ୍ରମୋସନ ସମୟରେ ମୁମ୍ବାଇରେ ଏକ ଗଣମାଧ୍ୟମ କାର୍ଯ୍ୟକ୍ରମରେ ଯୋଗ ଦେଇ କଙ୍ଗନା କହିଛନ୍ତି ଯେ, ସେ ଆଶା କରୁଛନ୍ତି ଯେ ବୈଭବ ଦେଶ ପାଇଁ ମହାନ କାର୍ଯ୍ୟ କରିବେ ଏବଂ ଭାରତୀୟ କ୍ରିକେଟକୁ ନୂତନ ଶିଖରରେ ପହଞ୍ଚାଇବେ । ଆମେ ଚାହୁଁଛୁ ଯେ ସେ ଆମ ଦେଶ ପାଇଁ ସଚିନ ତେନ୍ଦୁଲକର ଏବଂ ବିରାଟ କୋହଲିଙ୍କଠାରୁ ମଧ୍ୟ ଭଲ କରନ୍ତୁ ।'' ଯୁବ ଖେଳାଳିଙ୍କ ଉପରେ କୌଣସି ଅନାବଶ୍ୟକ ଚାପ ନ ପଡୁ । ବୈଭବଙ୍କଠୁ ବଡ଼ ସଫଳତା ଆଶା କରିଛନ୍ତି କଙ୍ଗନା । ସେ କହିଛନ୍ତି ମୁଁ ଆଶା କରୁଛି ସେ ବିଶ୍ୱକପ୍ ଜିତିବେ କିମ୍ବା କିଛି ବଡ଼ ହାସଲ କରିବେ । ଭାରତୀୟ ଟି-୨୦ ଦଳରେ ବୈଭବ ସୂର୍ଯ୍ୟବଂଶୀଙ୍କ ଚୟନ ହେବା ପରଠାରୁ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ଅନେକ କ୍ରିକେଟ ଜଗତର ବିଶିଷ୍ଟ ବ୍ୟକ୍ତି ଏବଂ ରାଜନୈତିକ ବ୍ୟକ୍ତିବିଶେଷ ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।
ଏହା ବି ପଢନ୍ତୁ...Shreyas Iyer: 'ମୁଁ ଯେମିତି ଥିଲି ସେମିତି ରହିବି'; ଟି-ଟ୍ୱେଣ୍ଟି କ୍ୟାପ୍ଚେନ୍ସି ମିଳିବା ପରେ ଫାୟାର ଆୟର, ଗମ୍ଭୀରଙ୍କୁ ଇଙ୍ଗିତ କଲେ କି ?
ଏହା ବି ପଢନ୍ତୁ...Kangana Ranaut: ନର୍ସଙ୍କ ଡ୍ରେସକୋଡ୍ ନେଇ କଙ୍ଗନାଙ୍କ ଆପତ୍ତି, କହିଲେ-‘ୟୁନିଫର୍ମ ବଦଳାଇବାର ସମୟ ଆସିଗଲାଣି’
୧୫ ବର୍ଷିୟ ବୈଭବ ସୂର୍ଯ୍ୟବଂଶୀ ଭାରତର ସର୍ବକନିଷ୍ଠ ଖେଳାଳି ଭାବେ ଭାରତୀୟ ଦଳ (ସିନିୟର)ରେ ସ୍ଥାନ ହାସଲ କରିଛନ୍ତି । ଆଗାମୀ ଆୟର୍ଲାଣ୍ଡ ଓ ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ଟି ଟ୍ୱେଣ୍ଟି ଦଳରେ ତାଙ୍କୁ ସାମିଲ କରାଯାଇଛି । ୮୦ ଦଶକରେ ସଚିନ ତେନ୍ଦୁଲକର ୧୬ ବର୍ଷ ୨୦୫ ଦିନ ବୟସରେ ଟେଷ୍ଟ ପଦାର୍ପଣ କରିଥିଲେ । ବୈଭବ ତାଙ୍କ ରେକର୍ଡ ଭାଙ୍ଗିବାକୁ ଯାଉଛନ୍ତି । ସଦ୍ୟ ସମାପ୍ତ ଆଇପିଏଲ୍ରେ ସେ ୨୩୭.୩୦ ଷ୍ଟ୍ରାଇକ ରେଟ୍ରେ ୭୭୬ ରନ ସଂଗ୍ରହ କରି ସିନିୟର ଦଳରେ ସ୍ଥାନ ପାଇବା ପାଇଁ ଚୟନକର୍ତ୍ତାଙ୍କୁ ବାଧ୍ୟ କରିପାରିଛନ୍ତି । ବୈଭବଙ୍କ ବୟସ କମ୍ ହୋଇଥିବାରୁ ଗସ୍ତରେ ତାଙ୍କ ସହ ପିତାମାତାଙ୍କୁ ଯିବାକୁ ଅନୁମତି ମିଳିଛି । ସେମାନଙ୍କ ଗସ୍ତ ଖର୍ଚ୍ଚ ବିସିସିଆଇ ବହନ କରିବ ।