ଭୁବନେଶ୍ଵର, ୨୪/୧୧ : ଲୋକଙ୍କ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସରକାର ଗଠନର ପ୍ରଥମ ଦିନରୁ ହିଁ ଲୋକଙ୍କ ସାଙ୍ଗରେ ମିଶିବା, ସେମାନଙ୍କ ସମସ୍ୟା ଶୁଣିବା ଏବଂ ସମାଧାନ ପାଇଁ ଉଦ୍ୟମ କରିବା ହେଉଛି ତାଙ୍କର ଏକ ମୁଖ୍ୟ କାର୍ଯ୍ୟ ଏବଂ ତାଙ୍କ ଶାସନ ପ୍ରଣାଳୀର ମୁଖ୍ୟ ଧାରା। ମୁଖ୍ୟମନ୍ତ୍ରୀଙ୍କ ଯୋଗୁ ଦୀର୍ଘ ଦିନର ଅଭିଯୋଗ ଶୁଣାଣି ପ୍ରକ୍ରିୟା ପୁନଃସ୍ଥାପିତ ହୋଇଛି ଏବଂ ହଜାର ହଜାର ଲୋକ ତାଙ୍କୁ ପ୍ରତ୍ୟେକ ସୋମବାର ଦିନ ଭେଟି ଅଭିଯୋଗ ଶୁଣାନ୍ତି ଏବଂ ସମାଧାନ ପାଇ ଫେରନ୍ତି। ଅନେକ ଗରିବ, ସାଧାରଣ ଲୋକ ନିରାଶା ମଧ୍ୟରୁ ଆଶାର ଆଲୋକ ପାଇଥାନ୍ତି। ସେଥିପାଇଁ ଅନେକ ଲୋକ ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ ଦେଇଥାନ୍ତି ଏବଂ ମହାପ୍ରଭୁଙ୍କ ପାଖରେ ତାଙ୍କର କଲ୍ୟାଣ କାମନା କରିଥାନ୍ତି।

ଆଜି ଠିକ୍ ସେହିପରି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଆସିଥିଲେ ଭୁବନେଶ୍ବର ଜୟଦେବ ବିହାରର ବିଦ୍ୟୁତପ୍ରଭା ଷଡଙ୍ଗୀ। ତାଙ୍କର କୌଣସି ସ୍ବତନ୍ତ୍ର ଅଭିଯୋଗ ନଥିଲା। ସେ ଆସିଥିଲେ କେବଳ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବାପାଇଁ। ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସେ କହିଛନ୍ତି ଯେ, ପୂର୍ବ ସରକାର ଆମକୁ ସବୁ ଜନ କଲ୍ୟାଣ ଯୋଜନାରୁ ବଞ୍ଚିତ କରିଥିଲେ। ଆପଣ ଆସିବା ପରେ ଆମେ ନୂଆ ରାସନ କାର୍ଡ ପାଇଲୁ ଏବଂ ସୁଭଦ୍ରା ଯୋଜନାର ସହାୟତା ମଧ୍ୟ ପାଇଲୁ। ଆପଣ ଆମ ପାଇଁ କେବଳ ମୁଖ୍ୟମନ୍ତ୍ରୀ ନୁହନ୍ତି, ଆପଣ ଆମ ପାଇଁ ଜଣେ ମସିହା। ମହାପ୍ରଭୁଙ୍କୁ ପ୍ରାର୍ଥନା କରି ସେ କହିଲେ ଯେ ଆପଣ ପ୍ରତ୍ୟେକ ମସିହାରେ ଆମ ପାଇଁ ଏମିତି ମସିହା ହୋଇ ଆସୁଥାନ୍ତୁ।

ଏହାର ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଲେ ଯେ, ଆମ ସରକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନରେ ସମସ୍ତଙ୍କ କଲ୍ୟାଣ ପାଇଁ ସମର୍ପିତ। ‘ସବ୍କା ସାଥ୍ ସବ୍କା ବିଶ୍ବାସ’ ହେଉଛି ଆମ ଶାସନର ମନ୍ତ୍ର। ସମସ୍ତଙ୍କ କଲ୍ୟାଣ ଆମର ଲକ୍ଷ୍ୟ। ଗଣତାନ୍ତ୍ରିକ ପ୍ରକ୍ରିୟାରେ ସମସ୍ତଙ୍କ ସୁଖ ଦୁଃଖ ବୁଝିବା, ଶୁଣିବା ହେଉଛି ଆମର ଧର୍ମ। ଆମେ ସେହି ଧର୍ମକୁ ପାଳନ କରିଚାଲିଛୁ ଓ ଚାଲିବୁ।